Unknown

 

 

 

 

 

 

 

 

 

 

 

ତୁମେ ତୃଷ୍ଣାର ଜଳ

ବିଭୂତି ପଟ୍ଟନାୟକ

 

“ଅଧିକାଂଶ କହୁଛନ୍ତି ହଜାଇବା ମସ୍ତବଡ଼ ଭୁଲ୍ !

ଆହୁରି ବି ଭୁଲବେଶୀ ଯଦି ଖୋଜି ନ ପାଇବ ତାରେ

ଅକଳନ ମନସ୍ତାପ ସେଥିପାଇଁ ମିଳେ ଉପହାର

ହଜାଇ ସାରିବି ପୁଣି ଯିଏ ତାକୁ ଖୋଜି ଖୋଜି ମରେ !

ଅକସ୍ମାତ ଯଦି କିଛି ହଜିଗଲା, ଯାଉ ସିଏ ହଜି

କିଛି ତ ପାଇବ ନିଶ୍ଚେ ନିଉଟନ ମତ ଅନୁଯାୟୀ !

ଖୋଜିବା ଅନାବଶ୍ୟକ ପାଇଲେ ତ ପୁଣି ହଜିଯିବ

ଖୋଜି ହେବ, ହଜାଇବ, ଝୁରୁଥିବ, ଏତେ କଥା କାଇଁ !”

★★★

 

ଭୂମିକା : ପ୍ରଥମ ସଂସ୍କରଣର

 

ବହି—ପୁଣି ଉପନ୍ୟାସ ବହିର ଭୂମିକା ଲେଖିବାର ପ୍ରୟୋଜନୀୟତା ମୁଁ କେବେ ଅନୁଭବ କରି ନାହିଁ । କିନ୍ତୁ ‘ତୁମେ ତୃଷ୍ଣାର ଜଳ’ର ଭୂମିକା ମୁଁ ନିଜ କଲମରେ ଲେଖିବା ଆଗରୁ ବହୁ ବିଦଗ୍ଧ ପାଠକ, ପାଠିକାଙ୍କ ମନର ପାଣ୍ଡୁଲିପିରେ ତାହା ଲିପିବଦ୍ଧ ହୋଇଯାଇଚି ।

 

 

ଏହି ଉପନ୍ୟାସର ପ୍ରଥମ ପରିଚ୍ଛେଦ ଲେଖାହୋଇଥିଲା ଦୁଇବର୍ଷ ତଳେ—୧୯୬୦ ମସିହାରେ । ନାନା କାରଣରୁ ଆଉ ଅଧିକ ଅଗ୍ରସର ହେବା ମୋ ପକ୍ଷରେ ସମ୍ଭବ ହୋଇ ନ ଥିଲା-। ଏହି ଅବସରରେ ‘ଆସନ୍ତାକାଲି’ ସାହିତ୍ୟ ମାସିକର ଅନୁରୋଧ ଆସିଲା, ୧୯୬୧ ଅପ୍ରେଲଠାରୁ ମତେ ଗୋଟିଏ ଧାରାବାହିକ ଉପନ୍ୟାସ ଲେଖିବାକୁ ହେବ । ‘ଆସନ୍ତାକାଲି’ର ତତକାଳୀନ ପରିଚାଳନା ସଂପାଦକ ବନ୍ଧୁ ମହାପାତ୍ର ରାଜେନ୍ଦ୍ର ପ୍ରସାଦଙ୍କୁ ମୁଁ ‘ଆସନ୍ତାକାଲି’ ପାଇଁ ଗୋଟିଏ ଧାରାବାହିକ ଉପନ୍ୟାସ ଲେଖିବାର ପ୍ରତିଶ୍ରୁତି ଅନେକଦିନ ତଳେ ଦେଇଥିଲି, କିନ୍ତୁ ସେ ଉପନ୍ୟାସ ଲେଖା ମତେ ଏତେ ଶୀଘ୍ର ଆରମ୍ଭ କରିବାକୁ ହେବ; ଏଥିପାଇଁ ମାନସିକ ପ୍ରସ୍ତୁତି ମୋର ନଥିଲା-। ‘ଆସନ୍ତାକାଲି’ ଓ ‘ଆସନ୍ତାକାଲି’ର ସଂଖ୍ୟାହୀନ ପାଠକ ପାଠିକାମାନଙ୍କପ୍ରତି ମୋର ବିଶେଷ ଆଗ୍ରହ ରହିଚି । ସେଥିପାଇଁ ବିନା ପ୍ରସ୍ତୁତିରେ ସୁଦ୍ଧା ମୁଁ ପରିଚାଳନା ସମ୍ପାଦକଙ୍କ କଥାରେ ରାଜି ହୋଇଯାଇଥିଲି । ନିୟମିତ ଭାବରେ ୧୯୬୧ ଅପ୍ରେଲ ମାସଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଧାରାବାହିକ ଭାବେ ‘ତୁମେ ତୃଷ୍ଣାର ଜଳ’ ‘ଆସନ୍ତାକାଲି’ରେ ପ୍ରକାଶିତ ହୋଇଥିଲା ।

 

ସତ କହିବାକୁ ଗଲେ ଏକ ସମୟରେ ଉପନ୍ୟାସଟି ଶେଷ ନ କରି ପ୍ରତିମାସରେ କିଛି କିଛି ଅଂଶ ଲେଖିବା ମୋ ପକ୍ଷରେ ସେ ପ୍ରଥମ । କାମ ଚାପାରେ ଅନେକ ସମୟରେ ଉପନ୍ୟାସର ପରିଚ୍ଛେଦଟି ଯଦି କୌଣସି ସଂଖ୍ୟାରେ ସଂକ୍ଷିପ୍ତ ହୋଇଯାଉଥିଲା, ତେବେ ‘ଆସନ୍ତାକାଲି’ର ବହୁ ପାଠକ ପାଠିକା ମତେ ଚିଠି ଲେଖି ଅଭିଶାପ ଦେଉଥିଲେ । ସେ ସବୁ ପତ୍ରଲିପିର ବିଷୟବସ୍ତୁକୁ ବର୍ତ୍ତମାନ ସୁଦ୍ଧା ସ୍ମରଣ କଲେ ମନରେ ଏକ ଅପୂର୍ବ ଆବେଗ ସଂଚାରିତ ହେଉଚି ।

 

ସେପ୍ଟେମ୍ବରର ସଂଖ୍ୟା ପ୍ରକାଶ ପରେ ‘ଆସନ୍ତାକାଲି’ର ତତକାଳୀନ ଯୁଗ୍ମ ସଂପାଦକ ଶ୍ରୀ ଅଭୟ ଚରଣ ମହାନ୍ତି ମତେ ଚିଠି ଲେଖିଲେ, ଅକ୍ଟୋବର ପୂଜାସଂଖ୍ୟା ପାଇଁ ମତେ ଗୋଟିଏ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ଉପନ୍ୟାସ ଲେଖି ଦେବାକୁ ହେବ—ନ ହେଲେ ‘ତୁମେ ତୃଷ୍ଣାର ଜଳ’ର ଅବଶିଷ୍ଟାଂଶ ସେହି ସଂଖ୍ୟାରେ ଶେଷ କରିବାକୁ ପଡ଼ିବ । ପ୍ରାକ୍-ଦଶହରା ସମୟ, ବଙ୍ଗୀୟ ସାହିତ୍ୟିକମାନଙ୍କ ପରି ଓଡ଼ିଶାରେ ମୋ ଭଳି ଅନେକ ଲେଖକଙ୍କ ପାଇଁ ଏକ ବ୍ୟସ୍ତ-ସମସ୍ତ ସମୟ । ମୁଁ ସେତେବେଳେ ଏତେ ବ୍ୟସ୍ତ ଥିଲି ଯେ ମୋର ନୂଆ ଉପନ୍ୟାସ ଲେଖା କଳ୍ପନା ମନକୁ ଆଣିବା ଅସମ୍ଭବ ହେଲା । ଲେଖାଲେଖି ଯୋଗୁ କ୍ରମାଗତ ରାତ୍ରି ଜାଗରଣ ଫଳରେ ମୋ ସ୍ୱାସ୍ଥ୍ୟ ମଧ୍ୟ ଭାଙ୍ଗିବାକୁ ଆରମ୍ଭ କରିଥିଲା । ଏହିଭଳି ମାନସିକ ସଂକଟ, ଶାରୀରିକ ଅସୁସ୍ଥତା ମଧ୍ୟରେ ‘ତୁମେ ତୃଷ୍ଣାର ଜଳ’ର ଅବଶିଷ୍ଟାଂଶକୁ କୌଣସି ମତେ ଲେଖି ମୁଁ ସଂପାଦକଙ୍କ ପାଖକୁ ପଠାଇ ଦେଇଥିଲି-। ଫଳରେ ଉପନ୍ୟାସ ରଚନାର ସମସ୍ତ ସ୍ଵାଭାବିକ ଶୃଙ୍ଖଳା ଯେ ସେହି ଅବଶିଷ୍ଟାଂଶରେ ନଷ୍ଟ ହୋଇ ଯାଇଥିବ, ‘ଆସନ୍ତାକାଲି’ ପୂଜାସଂଖ୍ୟା ପ୍ରକାଶ ପାଇବା ପର୍ଯ୍ୟନ୍ତ, ସେହି ଆଶଙ୍କାରେ ମୁଁ ଶଙ୍କିତ ହୋଇ ରହିଥିଲି ।

 

‘ଆସନ୍ତାକାଲି’ ପୂଜାସଂଖ୍ୟା ପ୍ରକାଶ ପାଇବା ପରେ ବହୁ ପାଠକ, ପାଠିକାଙ୍କ ମନରେ ଉପନ୍ୟାସଟି ଆଲୋଡ଼ନ ସୃଷ୍ଟି କରିଥିଲା । କିନ୍ତୁ ଉପନ୍ୟାସର ଶେଷାଂଶର ଘଟଣା ସମାବେଶ ଖୁବ୍ ଦ୍ରୁତ ହୋଇଯାଇଥିବାରୁ ବହୁ ବନ୍ଧୁ ଏଥିପାଇଁ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ସେଥିପାଇଁ ଏହା ପୁସ୍ତକ ଆକାରରେ ପ୍ରକାଶ ପାଇବାବେଳେ ମତେ ଏହାକୁ ଆଉ ଥରେ ସମ୍ପୂର୍ଣ୍ଣ ଲେଖିବାକୁ ହେଲା । ଫଳରେ ଉପନ୍ୟାସଟିର ଆକାର ପ୍ରାୟ ଅନେକ ବଢ଼ି ଯାଇଚି ।

 

ମୋର ବିଶ୍ଵାସ, ‘ତୁମେ ତୃଷ୍ଣାର ଜଳ’ ସଂକ୍ଷିପ୍ତ ଆକାରରେ ‘ଆସନ୍ତାକାଲି’ରେ ପ୍ରକାଶ ପାଇବାବେଳେ ଯେଉଁମାନେ ଏହାକୁ ଆଗ୍ରହର ସହ ପଢ଼ିଥିଲେ, ବର୍ତ୍ତମାନ ସେମାନେ ପୂର୍ଣ୍ଣାଙ୍ଗ ଉପନ୍ୟାସଟି ପଢ଼ି ଆନନ୍ଦିତ ହେବେ ।

 

‘ଆସନ୍ତାକାଲି’ରେ ପ୍ରକାଶ ପାଇବାବେଳେ ଉପନ୍ୟାସଟିର ଗୋଟିଏ ପରିଚ୍ଛେଦ ପଢ଼ି ଅନ୍ୟ ପରିଚ୍ଛେଦଟି ପଢ଼ିବାପାଇଁ ଯେଉଁ ବନ୍ଧୁମାନେ ସେଦିନ ଅଧୀର ଆଗ୍ରହରେ ଅପେକ୍ଷା କରିଥିଲେ, ଆଜି ପୂର୍ଣ୍ଣାଙ୍ଗ ଉପନ୍ୟାସଟି ପ୍ରକାଶ ପାଇବା ଅବସରରେ ମୁଁ ସେମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା ନିବେଦନ କରୁଚି ।

 

ତା ୧୫। ୮ । ୬୨

ବିଭୂତି ପଟ୍ଟନାୟକ

କାଳିଗଳି, କଟକ-୨

 

★★★

 

ଏଇ ଲେଖକଙ୍କର

 

ଉପନ୍ୟାସ

ଗଳ୍ପ ସଞ୍ଚୟନ

ଛାୟା ଚନ୍ଦ୍ରିକା

କେତେ ଯେ ବସନ୍ତ ସତେ !

ନାୟିକାର ନାମ ଶ୍ରାବଣୀ

ରାଜକନ୍ୟା କୃଷ୍ଣସର୍ପ କଥା

ତୃତୀୟ ପୁରୁଷ

ଲଳିତ-ଲବଙ୍ଗ-ଲତା

ଚତୁର୍ଥୀ

ନିମ୍ନଗାମୀ ମନ

ଏକତ୍ର

ଉପନଗରୀର ରୂପକଥା

ଚପଳ ଛନ୍ଦା

୧୯୫୫

ବଧୂ ନିରୁପମା

ନୂତନ-ପୃଥିବୀ

 

ଗାରେ କଜ୍ଜଳ-ଧାରେ-ଲୁହ

କବିତା ସଂକଳନ

ଦିନ ଯାଏ, ଚିହ୍ନ ରହେ

ସେ ଏକ ପ୍ରଗଳ୍‍ଭା ନଦୀ

ଏଇ ଗାଁ ଏଇ ମାଟି

 

କେଶବତୀ କନ୍ୟା

 

ହେ ବନ୍ଧୁ ବିଦାୟ !

 

ଚହଲା ପାଣିର ଢେଉ

 

ଉଜାଣି ଯମୁନା

 

ଏଇ ମନ, ବୃନ୍ଦାବନ

 

ଟୋପାଏ ସିନ୍ଦୂର ଦିପଟ ଶଙ୍ଖା

 

ରଙ୍ଗ ନଟୀ

 

ସୁଲତାନା

 

★★★

 

ସୀତାରର କେଉଁ ଏକ ସୂକ୍ଷ୍ମ ତନ୍ତ୍ରୀରେ ସତେ ଯେମିତି ଗୋଟିଏ କରୁଣ ରାଗିଣୀର ମୃଦୁ ଆଳାପ ଚାଲିଛି ! ବର୍ଷର ଛନ୍ଦପାତ ସେମିତି ସଜଳ ଆଉ ସକରୁଣ ହୋଇ ଉଠିଥିଲା । ଝୁମୁରୁ ଝୁମୁରୁ ଝୁମ୍..... !

 

ସକାଳ ପହରୁ ବର୍ଷାଟା ଆରମ୍ଭ ହୋଇଛି ଯେ ଆଉ ଶେଷ ହେବାକୁ ନାହିଁ । ଦିନର କୋଳାହଳ ଭିତରେ ଯେଉଁ ବର୍ଷାଛନ୍ଦ କେମିତି ଗଦ୍ୟମୟ ମନେ ହେଉଥିଲା, ଗଭୀର ରାତ୍ରିର ସୁଷୁପ୍ତି ଭିତରେ ବର୍ଷାର ସେଇ ଛନ୍ଦରେ କବିତ୍ଵମୟ ପରିବେଶ କେମିତି ନିବିଡ଼ ଭାବରେ ଅନୁଭୂତି ହେଉଛି ।

 

ନୀଳକଣ୍ଠ ବର୍ଷାର ଏଇ ଛନ୍ଦପାତକୁ ସକାଳ ପହରୁ ଲକ୍ଷ୍ୟ କରିଆସିଛି । ଏଇ କେଇ ମିନିଟ୍ ହେଲା ସେ ଝରକାର ପରଦାକୁ ମଧ୍ୟ ଅପସାରଣ କରିନେଇଛି । ସେ ଖୋଲା ଝରକାର ରେଲିଂ ଡେଇଁ ବର୍ଷା ଛିଟିକାର କେଇ ବିନ୍ଦୂ ଜଳ ତାର ଶଯ୍ୟାକୁ ସାମାନ୍ୟ ଆର୍ଦ୍ର କରିଦେଇଛି ମଧ୍ୟ ।

 

ନୀଳକଣ୍ଠକୁ ବେଶ୍ ଲାଗିଥିଲା ଏଇ ଅଦିନ-ମେଘର ଶୀତଳ କୋମଳ ଜଳ । ମିନିଟ୍ କେତୋଟି ଆଗରୁ ସେ ଉଦ୍ୟାନ ଭ୍ରମଣ ବାହାନାରେ ମଧ୍ୟ-ଚୈତ୍ରର ଏଇ ବର୍ଷାଜଳରେ ନିଜେ ସାମାନ୍ୟ ଭିଜି ଆସିଥିଲା ।

 

ଚାକର ନିଧିଆ ସ୍ମରଣ କରାଇ ଦେଇଥିଲା, ବର୍ଷାପାଣିରେ ଭିଜିଲେ ଦେହ ଅସୁସ୍ଥ ହେବ, ବାବୁ......

 

ନିଧିଆର କଥାକୁ ଭ୍ରୂକ୍ଷେପ କରି ନ ଥିଲା ନୀଳକଣ୍ଠ । ତା କଥାକୁ ଭ୍ରୂକ୍ଷେପ କରିବାର କିଛି ମାନେ ହୁଏନା । ବରଂ ତା’ର ଧାରଣା ହୋଇଥିଲା, ସେ ଯଦି ବର୍ଷାର ସେଇ ଚବର୍ ଚବର୍ ପାଣିରେ କିଛି ସମୟ ଇତସ୍ତତଃ ଭାବରେ ବୁଲି ଆସିପାରନ୍ତା !

 

ନା—କିଶୋର ଜୀବନର ଏଇ ବର୍ଷାବିଳାସ, ଏଇ ଅତୀତପ୍ରାୟ ତରୁଣ ଜୀବନରେ କିଛି ରୋମାନସ ସୃଷ୍ଟି କରିପାରିବ ନାହିଁ । ଅଯଥା ସ୍ୱାସ୍ଥ୍ୟହାନି....... ମୁଣ୍ଡବ୍ୟଥା..... ଔଷଧ...... ଡାକ୍ତର..... ପଥ୍ୟ....... !

 

ବାଜେ....ଏକାନ୍ତ ଭାବରେ ବାଜେ ।

 

ଜୀବନର ସେଇ ଲଘୁ ପରିବେଶକୁ ପୁଣି ଏ ଗୁରୁତର ଜୀବନ ଜଞ୍ଜାଳ ଭିତରକୁ ଫେରାଇ ଆଣି କିଛି ଲାଭ ନାହିଁ । ନିଜ ଅନିଚ୍ଛା ସତ୍ତ୍ୱେ ଯେଉଁ ଜୀବନ ତାର ଗୁରୁତର ହୋଇଉଠଛି, ତାକୁ ଲଘୁ କରିଦେବା ଆଉ ସହଜ ନୁହେଁ.....

 

ଅଗତ୍ୟା ନୀଳକଣ୍ଠକୁ ଝରକା ବନ୍ଦ କରିଦେବାକୁ ହେଲା ।

 

ବର୍ତ୍ତମାନ ରାତି କେତେ ହେବ ?

 

ପାଖରେ ରିଷ୍ଟ୍‍ୱାଚ୍‍ଟା ଥୁଆ ହୋଇଥିଲେ ବି ସମୟ ନ ଦେଖି ନୀଳକଣ୍ଠ ରାତ୍ରିର ବୟସକୁ ଅନୁମାନ କରିବାକୁ ଚେଷ୍ଟା କଲା....ଏଗାରଟାରୁ ରାତି କିଛି କମ୍ ହେବାର କୌଣସି କାରଣ ନାହିଁ । ରାତ୍ରି ତାର ସେଇ ଚପଳ କୈଶୋରକୁ ଅତିକ୍ରମ କରି ଆସିଲାଣି....ରାତ୍ରିର ଜୀବନରୁ କୋଳାହଳ ନିସ୍ତଧ ହୋଇଆସିଛି ।

ରୂପସୀ, ତରୁଣୀ ରାତ୍ରି ବର୍ତ୍ତମାନ ଶାନ୍ତ, ନିର୍ବାକ୍ । ବର୍ଷାର ଛନ୍ଦରେ ଯାହା ତା’ର ସେଇ ଅତୀତ ସ୍ମୃତିକୁ ସେ ମନେ ମନେ ଖୋଜି ହେଉଥିବ !

ଏଗାରଟା ପରେ ବାରଟା, ଗୋଟାଏ, ଦୁଇଟା.....

ରାତ୍ରିର ବୟସ ଦୀର୍ଘ ହେବ । ତରୁଣୀ ରାତ୍ରି ହେବ ପ୍ରୌଢ଼ା ବୃଦ୍ଧା.....ସକାଳର ପାଂଶୁଳ ଆଲୋକରେ ରାତ୍ରିର ସେଇ କାକକୃଷ୍ଣ କବରୀର କେଶସବୁ ପାଚି ଝୋଟ ହୋଇଯିବ....ସକାଳେ ନବଜାତ ଶିଶୁକୁ ଜନ୍ମ ଦେଇ ବୃଦ୍ଧା ରାତ୍ରି ଅସ୍ତ ଯିବ.....ଅଥଚ ବର୍ତ୍ତମାନର ଏଇ ତରୁଣୀ, ରୂପସୀ ରାତ୍ରି କେଡ଼େ ଲାବଣ୍ୟମୟୀ ମନେ ହେଉଛି !

ନୀଳକଣ୍ଠର ସେଇ ବ୍ୟର୍ଥ ଯୌବନ ଭଳି...... !

ହଜିଗଲା ଦିନର ସ୍ମୃତି କେତୋଟି ନୀଳକଣ୍ଠର ହଠାତ୍ ସ୍ମରଣ ହୋଇଗଲା । ଏକୁଟିଆ କିଛି ସମୟ କୌଣସି ବିଷୟ ଚିନ୍ତା କଲେ ନୀଳକଣ୍ଠର ମନ ଭିତରକୁ ସେଇ ମୃତ ଅତୀତ ପୁଣି ଫେରିଆସେ ନୂତନ ରୂପ ନେଇ.....

ସେଇ କଥା ଭାବି ଭାବି ତ ଏତେଦିନ ଚାଲିଗଲା ।

କାହିଁ, ସେ ଆସିଲା ନାହିଁ ତ !

ବର୍ଷା ପୁଣି ଜୋରରେ ପକାଉଛି ବୋଧହୁଏ । କିଛି ସମୟ ଆଗର ସେଇ ନିସ୍ତଧ ସମୀରଣ ପୁଣି ପ୍ରଗଳ୍‍ଭ, ସଚଞ୍ଚଳ ହୋଇଉଠୁଛି.......ନା—ଆଉ ଅପେକ୍ଷା କରି କିଛି ଲାଭ ନାହିଁ । ଆଲୁଅ ନିଭାଇ ପଲଙ୍କର ସେଇ ସେଇ ତୁଳାଶେଯରେ ଏକ ଅସହାୟ, କ୍ଳାନ୍ତ, ପରାସ୍ତ ସୈନିକଭଳି ଲୋଟିପଡ଼ିଲା ନୀଳକଣ୍ଠ....

ତେବେ ସେ କଣ ଏତେ ସମୟ ଧରି ତା’ର ଅପେକ୍ଷା କରୁଥିଲା !

କଥାଟା ଚିନ୍ତା କଲେ ନୀଳକଣ୍ଠର ମନ ଭିତରଟା ଲାଜରେ ମ୍ରିୟମାଣ ହୋଇଯାଏ....ଛି.....ଛି....କି ଲାଜ କଥା !

ସୁନନ୍ଦାର କଥା ଭାବି ଆଉ କିଛି ଅର୍ଥ ନାହିଁ ।

ସୁନନ୍ଦା ମରିଯାଇଛି । ତନ୍ନୀ, ରୂପସୀ, ମାନସୀ ସୁନନ୍ଦା ହଜିଯାଇଛି । ସମୟ-ସମୁଦ୍ରର ସେଇ ଲବଣାକ୍ତ ଜଳରେ ସୁନନ୍ଦାର ଅସ୍ଥି କେତେଖଣ୍ଡ ହୁଏତ ପଡ଼ି ରହିଥିବ, କିନ୍ତୁ ତାର ସେଇ ଚଳଚଞ୍ଚଳ ଚାହାଣୀ, ପୁଷ୍ପ-କୋମଳ ଦେହଶ୍ରୀ, ସବୁ ହଜି ନଷ୍ଟ ହୋଇ ଯାଇଥିବ ସମୟ-ସମୁଦ୍ରର ଉଜାଣି ଢେଉରେ....

ସୁନନ୍ଦା କଣ ସୁଖରେ ନଥିବ ?

ସ୍ଵାମୀ, ପୁତ୍ର, କନ୍ୟାର ସଂସାରରେ ସୁନନ୍ଦାର ଦିନଗୁଡ଼ିକ କଣ ଝରଣାର ଜଳ ଭଳି କଳକଳ, ଛଳଛଳ ହୋଇ ବହି ଯାଉ ନଥିବ !

 

ହୁଏତ ଯାଉଥିବ । ଏହି କଥାଟା ଚିନ୍ତା କଲାବେଳକୁ ନୀଳକଣ୍ଠର ଛାତି ଭିତରେ କେମିତି ଏକ ଭୂମିକମ୍ପ ସୃଷ୍ଟି ହୋଇଗଲା ଭଳି ସେ ଅନୁଭବ କରେ । ସୁନନ୍ଦା ସୁଖରେ ଅଛି—ଜାଣି ସେ ଏ କଥାଟାକୁ ବିଶ୍ଵାସ କରିବାକୁ ସାହସ କରେ ନାହିଁ । ସୁନନ୍ଦା ସୁଖରେ ଆଉ—ସେକଥା ଯେପରି ଏକ ହୀନ, ଈର୍ଷାପର ଲୋକଭଳି ନୀଳକଣ୍ଠ ଚାହେଁନି !

 

ବ୍ୟର୍ଥପ୍ରେମିକ ନୀଳକଣ୍ଠ । ଏହାଠାରୁ ଅଧିକ କିଛି ସେ ଆଶା କରିପାରେ ନାହିଁ । ତା ଜୀବନରେ ଅନେକ ଦୁଃଖର ବୋଝ ନଦିଦେଇ ସୁନନ୍ଦା ଦିନେ ଆଉ ଏକ ଅନ୍ୟ-ପୁରୁଷର ହାତ ଧରିବ ବୋଲି ନିଷ୍ପତ୍ତି କରିଥିଲା । ସେଇ ଦିନୁ ଆଶାହତ ନୀଳକଣ୍ଠ କେବଳ ଅନେକ ଦୁଃସ୍ଵପ୍ନକୁ ଆପଣାର କରି ଅର୍ଥହୀନ ଭାବରେ ବଞ୍ଚି ରହିବାକୁ ଚେଷ୍ଟା କରିଆସୁଛି ।

 

ତେଣୁ ସୁନନ୍ଦା ସୁଖରେ ରହିବ—ଏକଥା ସେ କାମନା କରିପାରେନା । ରାତ୍ରି ଗଭୀର ହୋଇଛି । ବର୍ଷାର ଗତି ମଧ୍ୟ ମନ୍ଥର ହେବାର କିଛି ଲକ୍ଷଣ ଦେଖାଯାଉ ନାହିଁ । ହୁ’ ହୁ ପବନରେ ଯନ୍ତ୍ରଣା ଦାୟକ ହାହାକାର । ଅନ୍ଧକାରଟା ମଧ୍ୟ କେମିତି ନିଷ୍ଠୁର ଆଉ ଅସହ୍ୟ ବୋଧ ହେଉଛି ।

 

ସେଇ ରାତିର ଅନ୍ଧକାରକୁ ବିଚୂର୍ଣ୍ଣ କରିବା ପାଇଁ ନୀଳକଣ୍ଠ ବିଜୁଳି ବତୀ ନ ଜଳାଇ ଛୋଟ ମହମବତୀଟିଏ ଲଗାଇଲା । ମହାବତୀଟି ଜଳିଉଠିଲା, ପବନରେ ଥରି ଥରି, କମ୍ପି କମ୍ପି । ଠିକ୍ ତାର ମନ ଭିତରର ସେଇ ନିଃସହାୟ ଆଶାଦୀପଟି ଭଳି !

 

ତକିଆ ତଳୁ ଚିଠିଟି କାଢ଼ି ପଢ଼ି ନେଲା ପୁଣି ଥରେ ନୀଳକଣ୍ଠ । ଗୋଟିଏ ଧାଡ଼ି ଲେଖା-। ଦୁଇଟି ଛୋଟ ବାକ୍ୟ । ନୀଳକଣ୍ଠ ଏହାକୁ ଚିଠି ବୋଲି କହୁଛି, କାରଣ ଏହା ଡାକରେ ଲଫାପାରେ ପଶି ଆସିଥିଲା । ନ ହେଲେ ଚିଠିର କୌଣସି ସାଧାରଣ ଶୃଙ୍ଖଳା ଏଥିରେ ମଧ୍ୟ ନାହିଁ-। ନାହିଁ, ସମ୍ବୋଧନ, ନାହିଁ ଇତିଶ୍ରୀ ।

 

କେବଳ ଗୋଟିଏ ଧାଡ଼ି ଲେଖା ।

 

ବାଇଶ ତାରିଖ ରାତିରେ ପହଞ୍ଚିବ । ଥିବ, କୁଆଡ଼େ ଯାଇ ନ ଥିବ ।

 

ବାସ୍, ଏତିକି । ନୀଳକଣ୍ଠ ଜୀବନର ଏଇ ସର୍ବ-ସଂକ୍ଷିପ୍ତ ଚିଠି । ଡାକଘର ମୋହରରୁ ନୀଳକଣ୍ଠ ଅନୁମାନ କଲା, ଚିଠିଟି କଲିକତାରୁ ପଠାଯାଇଛି । କଲିକତାରୁ ବୋଧହୁଏ କୌଣସି ଜରୁରୀ କାମରେ କଟକ ଆସୁଛି ସୁନନ୍ଦା । ହୁଏତ ସପରିବାରେ । ସ୍ଵାମୀ, ଶଶୁର, ନଣନ୍ଦ, ସମସ୍ତେ-

 

ନୀଳକଣ୍ଠକୁ ହସ ମାଡ଼ିଲା ।

 

ଚିଠିରେ ଗୋଟିଏ ଧାଡ଼ି ଲେଖା । ପ୍ରେରକର ନାମ ନାହିଁ, ତଥାପି ସୁନନ୍ଦା ଚିଠି ଲେଖିଛି ବୋଲି ସେ ହଠାତ୍ ଜାଣିପାରିଲା । କେମିତି ?

 

ନିଜ ମନର ଦୁର୍ବଳତାକୁ ନିଜେ ପରିହାସ କରି ଉଠିଲା ନୀଳକଣ୍ଠ ।

 

ଦୀର୍ଘ ତିନିବର୍ଷର ବ୍ୟବଧାନ ହୋଇ ଯାଇଥିଲେ ବି ସୁନନ୍ଦା ହାତରେ ସେଇ ଛଟାଛଟା, ଚେପ୍‍ଟା ଅକ୍ଷରଗୁଡ଼ିକୁ ଭୁଲିପାରି ନାହିଁ ନୀଳକଣ୍ଠ । ସେଇ ଅକ୍ଷରଗୁଡ଼ାକ ତାର ସେଦିନଗୁଡ଼ିକରେ କେତେ ଆପଣାର ଥିଲା ସତେ ! ପ୍ରତିଦିନ ଡାକରେ ଆସୁଥିବା ଅନେକ ଚିଠି ଭିତରୁ ସେଇ ଚେପ୍‍ଟା, ଛଟା ହସ୍ତାକ୍ଷରର ଯଦି ସନ୍ଧାନ ନ ପାଏ, ଅସୀମ ବିରକ୍ତିରେ ଜର୍ଜରିତ ହୋଇପଡ଼େ ତାର ମନ । ଦୀର୍ଘ ତିନିବର୍ଷ ପରେ ପୁଣି ସେଇ ଅକ୍ଷର । ସଂଖ୍ୟା ଯେତେ ଅଳ୍ପ ହେଲେ ବି ତାର ଅତି ଆପଣାର ଅକ୍ଷର ସେଗୁଡ଼ିକ । ସେ ତାକୁ ଚିହ୍ନି ପାରନ୍ତା ନାହିଁ !

 

ସୁନନ୍ଦା ଆସୁଛି.....

 

ତାର ମାନସୀ ସୁନନ୍ଦା ନୁହେଁ.....ତଥାପି ନୀଳକଣ୍ଠର ମନରେ ଚମକ ଲାଗିଛି । ଅନେକ ଦିନ, ଅନେକ ମାସ ପରେ ।

 

ସୁନନ୍ଦା ନିଶ୍ଚୟ ବିବାହ କରିଥିବ । ସୀମନ୍ତରେ ସିନ୍ଦୁରର ଠୋପା । ଆଖିର ଦୁଇ ଧାରରେ କଜ୍ଜଳର ଗାର । ମୁହଁରେ ଚେନାଏ ମନକିଣା ହସ । ଇସ୍, ଆଉ କଣ ହୋଇପାରେ !

 

ନୀଳକଣ୍ଠ ଆଖି ବୁଜିଲା । ମନେ ମନେ ସୁନନ୍ଦାର ସେ ତିନିବର୍ଷ ତଳର ଶାନ୍ତ, ସୁନ୍ଦର ମୁହଁଟିକୁ ସ୍ମରଣ କରିବାକୁ ଚେଷ୍ଟା କଲା । ସୁନନ୍ଦା ଅନ୍ୟ ଜଣେ ପୁରୁଷକୁ ବିବାହ କରିବ ବୋଲି ସ୍ଥିର କରି ଚିଠି ଲେଖିବା ପରେ ସେ ଭୁଲି ଯାଇଥିଲା ସେ ମୁହଁଟିକୁ । ଆଜି ସବୁ ମନେପଡ଼ୁଛି । ଆଜି ସବୁ ଆଖି ଆଗରେ ଦିଶିଯାଉଛି ।

 

ନୀଳକଣ୍ଠ ଆଖି ଖୋଲିଲା । ହସିଲା ମନେ ମନେ ।

 

ସୁନନ୍ଦା କାହିଁକି ଆସୁଛି, ସେକଥା ଲେଖିନି । ଲେଖିବା ପାଇଁ ତାର ସାହସ ହୋଇ ନାହିଁ-। ଯେଉଁ କଲମରେ ସେ ତାକୁ ଦିନେ ବିବାହ କରିପାରିବ ନାହିଁ ବୋଲି ଲେଖିଥିଲା, ସେଇ କଲମରେ ତାର ଆସିବାର କାରଣ ଲେଖିବାକୁ ସେ ଭୟ କରିଛି ।

 

ସୁନନ୍ଦା ମନର ଏଇ ପରିକଳ୍ପିତ ଭୟଟିକୁ ନୀଳକଣ୍ଠ ମନେ ମନେ ତାରିଫ୍ କଲା । ସୁନନ୍ଦା ମନର ଭୟ ହିଁ ତାର ବିଜୟର ଚିହ୍ନ ।

 

ବାହାରେ କବାଟ ଜଞ୍ଜିର ଝଣ ଝଣ ହେଲା ।

 

ହଠାତ୍ ଉଠିଯାଇ କବାଟ ଖୋଲିଦେବାକୁ ନୀଳକଣ୍ଠର ସାହସ ହେଲା ନାହିଁ । ପଚାରିଲା, କିଏ ସେ ?

 

ପୁଣି ସେଇ ଜଞ୍ଜିର ଝଣ ଝଣ ହେବାର ଶବ୍ଦ ।

 

ଖୁବ୍ ସତର୍ପଣରେ ଉଠି କବାଟ ଖୋଲିଲା ନୀଳକଣ୍ଠ ।

 

ବାହାରେ ମେଘ ଅନ୍ଧକାର ଆଚ୍ଛନ୍ନ କରି ରଖିଛି । ସେଇ ଛାୟାଚ୍ଛନ୍ନ ଅନ୍ଧକାର ଭିତରେ ପ୍ରେତିନୀ ଭଳି ଠିଆ ହୋଇଛି ଏକ ନାରୀ—ସୁନନ୍ଦା !

 

ସୁନନ୍ଦା ଆସିଛି ।

 

ଆଉ କେହି ନାହାନ୍ତି । ଏକାକିନୀ !

 

ବିଜୁଳି ବତୀଟିକୁ ଜାଳିଦେବା ପାଇଁ ନୀଳକଣ୍ଠର ସାହସ ହେଲା ନାହିଁ । ବର୍ଷାର ଓଦା ପବନରେ ମହମବତୀର ଆଲୋକ ଥରି ଥରି ନାଚୁଛି । ସତେ ଯେମିତି ସେଇ ଆଲୋକ ଶିଖା ମୁଣ୍ଡ ହଲାଇ ଧମକ ଦେଉଛି, ମୁଁ ନିଭିବି....ମୁଁ ନିଭିବି.....

 

ବିସ୍ମୟ-ବିମୁଢ଼ କଣ୍ଠରେ ନୀଳକଣ୍ଠ କହିଲା, କିଏ ? ନନ୍ଦା ? ଏକା ?

 

ସୁନନ୍ଦାର କାନକୁ ନୀଳକଣ୍ଠର ଶବ୍ଦ ତିନୋଟି ଆର୍ତ୍ତନାଦ ଭଳି ଶୁଣାଗଲା ।

 

ସୁନନ୍ଦା ଆସିଛି ।

 

ବର୍ଷାରେ ଭିଜି ଭିଜି । ଗୋଟି ସୁଦ୍ଧା ଓଦା ହୋଇ । ଏକାକିନୀ । ସାଙ୍ଗରେ ସ୍ଵାମୀ ନାହିଁ । ନଣନ୍ଦ ନାହିଁ । ଶାଶୁ, ଶଶ୍ୱୁର କେହି ନାହାନ୍ତି । ଏଇ ଝଡ଼ଜଳର ରାତିରେ ଭିଜି ଭିଜି ଏକାକିନୀ ନୀଳକଣ୍ଠ ପାଖକୁ ଆସିବା ଲାଗି ସୁନନ୍ଦା ସାହସ ସଂଗ୍ରହ କଲା କେଉଁଠୁ ?

 

ନୀଳକଣ୍ଠ ନିର୍ବାକ୍ ହୋଇ ଠିଆ ହୋଇଛି । ଭାବୁଛି । ମନରେ ତାର ଅସୁମାରି ପ୍ରଶ୍ନ । କିନ୍ତୁ ତୁଣ୍ଡ ଖୋଲି ପଚାରିବାକୁ ସେ ଭରସା କରିପାରୁ ନାହିଁ । ଛାତି ଭିତରଟା ତାର ଦପ୍ ଦପ୍ ହେଉଛି । ଥରୁଛି !

 

ଝଲକାଏ ବିଜୁଳି ଆଲୁଅ ଝଲସି ଉଠିଲା ।

 

ସେଇ ଆଲୁଅରେ ନୀଳକଣ୍ଠ ଦେଖିଲା ସୁନନ୍ଦାର ସୀମନ୍ତରେ ସିନ୍ଦୂରର ଚିହ୍ନ ନାହିଁ, ଅଥଚ ଦୁଇ ହାତରେ ରହିଛି ସୁନାର ଦୁଇ ଦୁଇ ପଟ କାଚ ! ତେବେ ସୁନନ୍ଦା କଣ ଏ ତିନି ବର୍ଷ ଭିତରେ ବିବାହ କରିନାହିଁ !

ନୀଳକଣ୍ଠର ମନଟା ଏଇ ଗୋଟିକ ସନ୍ଦେହରେ ଭାରାକ୍ରାନ୍ତ ହୋଇଉଠିଲା ।

ସେ ଶୁଣିଲା, ସୁନନ୍ଦା କହୁଛି, କଣ ଏମିତି ବାହାରେ ଠିଆ ହୋଇଥିବା ! ଭିତରକୁ ଯିବା ନାହିଁ ! ଇସ୍ ଆଜି କି ଝଡ଼.....

ବାହାରେ ମାତିଛି ଭୀଷଣ ଝଡ଼ । ପବନରେ ତୁମୂଳ ହାହାକାର ।

ଯନ୍ତ୍ରଚାଳିତ ଭଳି ନୀଳକଣ୍ଠ କକ୍ଷ ଭିତରକୁ ଠେଲି ହୋଇଗଲା । ହାତ ମାରି ଜାଳିଦେଲା ବିଜୁଳିବତୀ । ନୀଳ, କୋମଳ ଆଲୋକ । ଶାନ୍ତ ସୁନ୍ଦର । କକ୍ଷ ଆଲୋକିତ ହେଲା । ପବନର ଆଘାତରେ ଛୋଟ ମହମବତୀଟି କେତେବେଳୁ ନିଭିଯାଇଛି ।

ସେଇ ବିଜୁଳି ଆଲୁଅରେ ନୀଳକଣ୍ଠ ଦେଖିଲା, ବର୍ଷା, ପବନର ଏ ଭୀଷଣ ଶୀତଳତା ଭିତରେ ବି ସୁନନ୍ଦାର ମୁହଁରେ ଟୋପି ଟୋପି ଝାଳ ଜମିଯାଇଛି । ତାର ମନ ଭିତରେ ତାହାହେଲେ ବି ଝଡ଼ ଉଠିଛି !

କିଛି ସମୟ କାହାରି ତୁଣ୍ଡରେ କିଛି କଥାବାର୍ତ୍ତା ନାହିଁ । ଦୀର୍ଘ ତିନି ବର୍ଷ ପରେ ଏ ଆକସ୍ମିକ ସାକ୍ଷାତ । ଅନାହୂତ, ଅଭାବିତା ମନ ଭିତରେ ଅନେକ କଥା ଜମି ରହିଥିଲେ ବି କୌଣସି ଗୋଟିଏ କଥା ଆତ୍ମପ୍ରକାଶ କରିବାକୁ ରାହା ଖୋଜି ପାଉନି । କୌଣସି ବ୍ୟକ୍ତିଗତ ପ୍ରଶ୍ନ ପଚାରିବାକୁ ନୀଳକଣ୍ଠର ସାହସ ହେଲା ନାହିଁ । ଏକୁଟିଆ ଏଭଳି ଏକ ରାତିରେ ସୁନନ୍ଦା ସହିତ ରହିବାକୁ ସେ ଭୟ କରୁଥିଲା । ଉପର ମହଲାରେ ଚାକର, ପୁଝାରୀ ଶୋଇଛନ୍ତି । କାହାକୁ ଜଣେ ହେଲେ ଡାକିବାକୁ ହେବ ।

 

ସେ ଚାପା କଣ୍ଠରେ କହିଲା; ତୁ ଏଠି ଟିକିଏ ବସିଥାଆ ନନ୍ଦା ! ମୁଁ ପୁଝାରୀକୁ ଡାକିଦିଏ.....କପେ ଓଭାଲଟିନ୍ କରି ଦେଇଯିବ.....

 

ବିଚଳିତ ହେଲାପରି, ସୁନନ୍ଦା କହିଲା, ଏତେ ରାତିରେ ସେମାନଙ୍କୁ ନିଦରୁ ଉଠାଇ ଲାଭ କଣ ? ଏଇତ ଷ୍ଟୋଭ୍, ଚିନି, ଓଭାଲ୍‍ଟିନ୍ ସବୁ ଥୁଆହୋଇଛି ! ତମେ ବସ....ମୁଁ ଓଭାଲ୍‍ଟିନ୍ କରି ଆଣୁଛି......

 

ସୁନନ୍ଦା ଆଉ ନୀଳକଣ୍ଠର ଆଦେଶ, ଉପଦେଶକୁ ଅପେକ୍ଷା କଲା ନାହିଁ । ଦ୍ରୁତ ପଦକ୍ଷେପରେ ଉଠିଯାଇ ଡିଆସିଲି ମାରି ଷ୍ଟୋଭ୍ ଜାଳିଦେଲା । ଷ୍ଟୋଭ୍‍ ଜଳିବାର ସେଁ ସେଁ ଶବ୍ଦ ଭିତରେ ସେଇ ନୈଶ ନୀରବତା ଆସ୍ତେ ଆସ୍ତେ କଟିଯିବାକୁ ଲାଗିଲା ।

 

ନୀଳକଣ୍ଠ ଆଶ୍ଵସ୍ତ ହେଲା ଅନେକ ପରିମାଣରେ । ସଂକୁଚିତ କଣ୍ଠରେ-ସେ ପ୍ରଶ୍ନ କଲା, ତୁ କଣ ଏକୁଟିଆ ଆସିଚୁ ନନ୍ଦା ?

 

ସୁନନ୍ଦା ହସିଲା । କହିଲା, ତମେ କଣ ଅବିଶ୍ଵାସ କରୁଚ ? ତମେ କଣ ଭାବୁଚ ଆଉ କାହାରିକୁ ସାଙ୍ଗରେ ଆଣି ମୁଁ ତାକୁ ମେଘ ଅନ୍ଧାର ବର୍ଷାଜଳରେ ବାହାରେ ଠିଆ କରିଦେଇ ଆସିଚି–

 

ନୀଳକଣ୍ଠ ଲଜ୍ଜାରେ ଅପ୍ରତିଭ ହେଲା । ସୁନନ୍ଦା ଠିକ୍ କହିଚି । ସେ ଯେ ଏକୁଟିଆ ଆସିଚି, ଏଥିରେ ଆଉ ସନ୍ଦେହ କରିବାର କିଛି ନାହିଁ । କିନ୍ତୁ ନୀଳକଣ୍ଠ ଏହି ସିଦ୍ଧାନ୍ତରେ ପହଞ୍ଚିବା ମାତ୍ରେ ଏକ ଗଭୀର ଆସ୍ଵସ୍ତିରେ ଅସ୍ଥିର ହୋଇ ଉଠୁଥିଲା । ସୁନନ୍ଦା ତା’ ପାଖକୁ ଏକାକିନୀ ଆସିଚି, ଏ କଥା ବିଶ୍ଵାସ କରିବାକୁ ତାକୁ ଭୟ ଲାଗୁଥିଲା ।

 

ଭୟ !

 

ହଁ, ଭୟ । ତା’ ଛଡ଼ା ଆଉ କଣ ହୋଇପାରେ ?

 

ସୁନନ୍ଦା ଓଭାଲ୍‍ଟିନ୍ କପ୍‍ଟା ନେଇଆସି ଆଗରେ ଠିଆହେଲା । କହିଲା, ନିଅ, ପିଅ, ଆସ୍ତେ ପିଇବ—ଖୁବ୍ ଗରମ ଅଛି ।

 

ଓଭାଲ୍‍ଟିନ୍‍ଠାରୁ ସୁନନ୍ଦା କଥା ଆହୁରି ବେଶୀ ମିଠା ଲାଗୁଥିଲା । ସେ ଅନୁଭବ କରୁଥିଲା ସୁନନ୍ଦା ହାତର ଓଭାଲଟିନରେ ବିଚିତ୍ର ଏକ ସ୍ଵାଦ । ଅଦ୍ଭୁତ ଏକ ବାସ୍ନା । ଭାରି ଭଲ, ଭାରି ସୁନ୍ଦର ଲାଗୁଛି ଏଇ ଓଭାଲଟିନ୍ ।

 

ନୀଳକଣ୍ଠ ଓଭାଲ୍‍ଟିନ୍ ପିଉଥିଲା । ସୁନନ୍ଦା କହିଲା, ମନେ ଅଛି ତମର, ନୀଲୁଭାଇ ! ସେ ବର୍ଷ ଗାର୍ଡନ-ପାର୍ଟିରେ ଏଇ ଗରମ ଓଭାଲ୍‍ଟିନ୍ ତମ ଗୋଡ଼ରେ ଢାଳିଦେଇ ଫୋଟକା କରିଦେଇଥିଲି ବୋଲି ମୋ କାନମୋଡ଼ି ତମେ ଯାହା କରିଥିଲ !

 

ସେ ବର୍ଷର ସେଇ ଗାର୍ଡନ-ପାର୍ଟି !

 

ହଠାତ୍ ଗୋଟିଏ କଙ୍କଡ଼ାବିଛା ସତେ ଯେମିତି ନୀଳକଣ୍ଠକୁ କାମୁଡ଼ିଦେଇଛି, ସେମିତି ସେ ଯନ୍ତ୍ରଣା-ଜର୍ଜରିତ ହୋଇପଡ଼ିଲା ! ହାତରେ ଧରିଥିବା ଓଭାଲ୍‍ଟିନ୍ କପ୍‍ଟା ଥରିଉଠିଲା । ପୂରନ୍ତା କପରୁ କିଛି ଓଭାଲ୍‍ଟିନ୍ ଚହଲିଯାଇ ତଳେ ଢାଳିହୋଇଗଲା ମଧ୍ୟ । ଅତୀତର ସେଇ ସ୍ମୃତିର ଦଂଶନରେ ଅସ୍ଥିର ହୋଇଉଠିଲା ନୀଳକଣ୍ଠ । ତା’ର ମନେ ହେଲା ତିନି ବର୍ଷ ତଳର ସେଇ ଗୋଡ଼ର ଫୋଟକାରୁ ଏବେ ସୁଦ୍ଧା ଯେମିତି ଯନ୍ତ୍ରଣା ନିଭି ନାହିଁ !

 

ତିନି ବର୍ଷ ତଳେ ।

 

ସେଇ ଗାର୍ଡନ୍-ପାର୍ଟି । ନୀଳକଣ୍ଠର ଜନ୍ମଦିନ । ଏଇ ଆଗ ବଗିଚାରେ ସହରର ବହୁ ନିମନ୍ତ୍ରିତ ଅତିଥିଙ୍କର ଆସର ଜମିଥିଲା । ସହରରେ କେତେ ଭଦ୍ରଲୋକ ଘରର ଝିଅ ଆସି ପ୍ରଜାପତି ଭଳି ଉଡ଼ି ବୁଲୁଥିଲେ । କିନ୍ତୁ ଉଡ଼ନ୍ତା ପ୍ରଜାପତିଙ୍କ ଗହଣରୁ ଉଡ଼ିଯାଇ ନୀଳକଣ୍ଠ ବସିଥିଲା ସୁନନ୍ଦା ପାଖରେ—ଗୋଟିଏ କଣ ଘରେ । ସେଇ ଘରେ ଓଭାଲ୍‍ଟିନ୍ ଦେଉ ଦେଉ ଗୋଡ଼ରେ ଢାଳିଦେଇ ସୁନନ୍ଦା ଫୋଟକା କରି ଦେଇଥିଲା ତା’ର ଗୋଡ଼ ।

 

କିନ୍ତୁ ସେ ଫୋଟକା ହେବାରେ କିଛି ଯନ୍ତ୍ରଣା ଅନୁଭବ କରି ନ ଥିଲା ନୀଳକଣ୍ଠ, କାରଣ ସେଦିନ ସୁନନ୍ଦାକୁ ପାଇବାଲାଗି ତା’ ମନରେ ଥିଲା ପ୍ରଚୁର ସମ୍ଭାବନା । ସେ ସମ୍ଭାବନାଟା ସମ୍ଭାବନାରେ ହିଁ ରହିଯିବା ପରେ ନୀଳକଣ୍ଠ ମୂହ୍ୟମାନ ହୋଇପଡ଼ିଥିଲା ।

 

ସେଇ କଥାଟାକୁ ସ୍ମରଣ କରାଇଦେଇ ସୁନନ୍ଦା ତା’ ମନର କ୍ଷତଟାକୁ ପୁଣି ଉଖୁରାଇ ଦେଇ ରକ୍ତାକ୍ତ କରିଦେଲା ।

 

ସୁନନ୍ଦା ଠିଆହୋଇ । ନୀଳକଣ୍ଠ ଆଡ଼କୁ ଅନାଇ ହସୁଚି । ମୁହଁ ଉପରେ ଉଡ଼ନ୍ତା କେଶ କେତୋଟି ଝୁଙ୍କି ପଡ଼ିଛି । ଆଖିର ଘନନୀଳ ତାରକା ଦୁଇଟି ଢଳ ଢଳ ହେଉଛି । ସୁନନ୍ଦା ଆଖିର ଡୋଳା କାଚରେ ଦିଶୁଚି ନୀଳକଣ୍ଠର ମୁହଁ.....

 

କିନ୍ତୁ ସୁନନ୍ଦାର ଏଇ ମୁହଁଟି ଏତେଦିନଯାଏ ଛପି ଯାଇଥିଲା କୁଆଡ଼େ ?

 

ନୀଳକଣ୍ଠର ଠିକ୍ ମନେ ଅଛି ।

 

ସେଇ ଗାର୍ଡନ୍ ପାର୍ଟି । ପରେ ଆର୍ଟ ପଢ଼ିବା ପାଇଁ ସୁନନ୍ଦା ଯାଇଥିଲା ଶାନ୍ତିନିକେତନ । ଗଲାବେଳେ କହି ଯାଇଥିଲା, ଆସିବି....ପୁଣି ଫେରି ଆସିବି ନୀଲୁଭାଇ । ମୁଣ୍ଡରେ ସିନ୍ଦୂର ନାଇଦେବ । ହାତରେ ଶଙ୍ଖା ପିନ୍ଧାଇଦେବ । ତମେ ହେବ ବର, ମୁଁ ହେବି କନିଆ । ଏଇ ବଗିଚାରେ ଦୁହେଁଯାକ ବୋହୂବୋହୂକା ଖେଳିବା.....ଏଁ.....

 

ତା’ପରେ ଅପର୍ଯ୍ୟାପ୍ତ ହସିଥିଲା ସୁନନ୍ଦା । ସୁନନ୍ଦାର ସେ ହସକୁ ମୁଠାମୁଠା କରି ଧରି ହୃଦୟର ସିନ୍ଦୁକ ଭିତରେ ସାଇତି ରଖିବା ପାଇଁ ସେ ବ୍ୟର୍ଥ ଚେଷ୍ଟା କରିଥିଲା । ଶାନ୍ତିନିକେତନ ଗଲାପରେ ବେଶ୍ କେତେଦିନ ଚିଠି ଦେଇଥିଲା ସୁନନ୍ଦା । ସବୁ ଚିଠି ଉପରେ ତା’ ହାତର କାରୁକାମ । ବିଚିତ୍ର ଛବି । ସେଇ ଛବିର ଫାଙ୍କରେ ଅଳ୍ପ କେଇଧାଡ଼ି ମନକିଣା ହୃଦଜିଣା ଭାଷା ।

 

ସୁନନ୍ଦା ସହିତ ବିବାହ କରିବା ପାଇଁ ବାପାଙ୍କ ପାଖରେ ପ୍ରସ୍ତାବ ବାଢ଼ିଥିଲା ନୀଳକଣ୍ଠ । ବାବା ହାଇକୋର୍ଟର ଜଜ୍ । ସୁନନ୍ଦା ଭଳି ଏକ ଗରିବଘରର ଝିଅକୁ ବୋହୁକରି ଆଣିବାପାଇଁ ସେ ପ୍ରବଳ ଆପତ୍ତି ତୋଳିଥିଲେ ପ୍ରଥମେ । କିନ୍ତୁ ନୀଳକଣ୍ଠର ଯୁକ୍ତି ପାଖରେ ତାଙ୍କର ଅଭିଜାତ୍ୟର ଅହଂକାର ହାର ମାନିଥିଲା। ସେ ହଁ ଭରିଥିଲେ ।

 

ସେଇ ସୁସଂବାଦ ଜଣାଇ ନୀଳକଣ୍ଠ ଚିଠି ଲେଖିଥିଲା ସୁନନ୍ଦାକୁ । କିନ୍ତୁ ପାଇଥିଲା ବିଚିତ୍ର ଏକ ଉତ୍ତର ।

 

ସୁନନ୍ଦା ଲେଖିଥିଲା, ନିଲୁଭାଇ ! ମତେ ଭୁଲ୍ ବୁଝିବ ନାହିଁ । ତମେ ବଡ଼ଲୋକ ଘରର ପୁଅ । ମତେ ନ ହେଲେ ଆଉ ଗୋଟିଏ ଅପୂର୍ବ ସୁନ୍ଦରୀ କେଶବତୀ କନ୍ୟାକୁ ତମେ ବିବାହ କରିପାର । କିନ୍ତୁ ମତେ ଏଠାରେ ଜଣେ ଭଲ ପାଇବାକୁ ଆରମ୍ଭ କରିଛନ୍ତି, ଯିଏ ମତେ ବିବାହ ନ କଲେ ଜୀବନରେ ଆଉ କାହାରିକୁ ହେଲେ ବିବାହ କରିପାରିବେ ନାହିଁ । ମୁଁ ତାଙ୍କୁ ଏ ପର୍ଯ୍ୟନ୍ତ ଭଲପାଇନି; ସେ କିନ୍ତୁ ମୋ ଅଜାଣତରେ ମତେ ଭୀଷଣ ଭାବରେ ଭଲ ପାଇବାକୁ ଆରମ୍ଭ କରିଛନ୍ତି । ସୁନା ଭାଇଟା ପରା ! ମନକଷ୍ଟ କରିବ ନାହିଁ । ତାଙ୍କ ଜୀବନକୁ ମୁଁ ନଷ୍ଟ କରିଦେଇ ପାରିବି ନାହିଁ.....

 

ସୁନନ୍ଦା ଆଉ କଣ ଲେଖିଥିଲା, ସେ’ କଥା ଆଜି ଆଉ ନୀଳକଣ୍ଠର ମନେ ନାହିଁ; କିନ୍ତୁ ଚିଠିଟାପଢ଼ି ସେଦିନ ସେ ହତରକିତ ହୋଇଯାଇଥିଲା । ଦିନେ ଦୁଇ ଦିନ ରାତିରେ ତକିଆ ଦେହରେ ମୁଣ୍ଡମାଡ଼ି କାନ୍ଦିଥିଲା ଭଲ ତାର ମନେ ପଡ଼ୁଛି । ଆଉ କିଛିଦିନ ସୁନନ୍ଦାର ମନର ଏଇ ବିଚିତ୍ର ଗତିକୁ ବୁଝିବାକୁ ସେ ଚେଷ୍ଟା କରିଥିଲା ତା’ପରେ ସୁନନ୍ଦାକୁ ଚିଠି ଲେଖିଥିଲା, ତୁ ମତେ ହତାଶ କଲେ ବି ମୁଁ ଆଶା ହଜାଇ ନାଇଁ ନନ୍ଦା ! ମୁଁ ତତେ ଭୁଲ ବୁଝୁନାହିଁ । ଜୀବନରେ ଯଦି ମୁଁ ଆଉ କେବେ ତୋର ଦରକାରରେ ଆସେ, ନିଃସଂକୋଚରେ ଲେଖିବୁ । ପୃଥିବୀର ଯେଉଁ ଉପାନ୍ତରେ ଯେମିତି ଥିଲେ ବି ମୁଁ ତତେ ସାହାଯ୍ୟ କରିବାକୁ ଚେଷ୍ଟା କରିବି । ତୋ’ ବୈବାହିକ ଜୀବନ ସୁଖମୟ ହେଉ—ଏତିକି କାମନା ।

 

ତା’ ପରେ ଦୀର୍ଘ, ଦୀର୍ଘ ତିନି ବର୍ଷ କଟିଯାଇଛି ।

 

ସୁନନ୍ଦା ନିରୁତ୍ତର । ହୁଏତ ତାର ନୂତନ ବୈବାହିକ ଜୀବନର ଜଞ୍ଜାଳ, କୋଳାହଳ ଭିତରେ ସେ ନୀଳକଣ୍ଠକୁ ଭୁଲିଯାଇଥିଲା ।

 

ଆଜି ପୁଣି ତିନି ବର୍ଷ ପରେ ।

 

ଓଃ, ଦୀର୍ଘ ତିନି ବର୍ଷ !

 

ସୁନନ୍ଦା ଝରକା ପାଖରେ ଠିଆହୋଇ ବାହାରକୁ ଚାହିଁଛି । ବାହାରେ ସେଇ ବର୍ଷାର ରାଣୀ ତାଣ୍ଡବ । ହୁ’ ହୁ ପବନ । ଚକ୍ ଚକ୍ ବିଜୁଳି । ଅଶ୍ରାବ୍ୟ ଘଡ଼ଘଡ଼ି । ସେଇଆଡ଼କୁ ଚାହିଁ ସୁନନ୍ଦା କଣ ଭାବୁଛି ।

 

ନୀଳକଣ୍ଠ ଭବିଲା, ଚାକର କିମ୍ବା ପୁଝାରୀ କାହାରିକୁ ଜଣେ ହେଲେ ଡାକିବାକୁ ହେବ । ସୁନନ୍ଦାର ଶୋଇବା ବ୍ୟବସ୍ଥା କରିବା ଦରକାର । ରାତି ବୋଧହୁଏ ଗୋଟାଏରୁ ବେଶି ହେବ । ଟ୍ରେନରେ ଆସିଛି ସୁନନ୍ଦା । କ୍ଳାନ୍ତ ହୋଇପଡ଼ିଥିବ । ତାର ବିଶ୍ରାମ ଲୋଡ଼ା ।

 

ନୀଳକଣ୍ଠ ସୁନନ୍ଦାକୁ ଶୁଣାଇ ଶୁଣାଇ କହିଲା, ମୁଁ ଚାକରକୁ ଡାକୁଛି ନନ୍ଦା ! ତୋର ଶୋଇବା ବ୍ୟବସ୍ଥା ସେ କରିଦେଉ.....

 

ନୀଳକଣ୍ଠ ଉଠି ଯାଉଥିଲା । ସୁନନ୍ଦା ତେଣୁ ଏକପ୍ରକାର ଧାଇଁଆସି ତା’ ହାତ ଧରି ସେଠାରେ ତାକୁ ବସାଇଦେଇ କହିଲା, କିଛି ଲୋଡ଼ା ନାହିଁ....ରାତିଟା ଏମିତି ଗପରେ କଟିଯାଉ । ଗତ ତିନି ବର୍ଷ ହେଲା ମୁଁ ଅନେକ ଶୋଇଚି । ତମକୁ ମୋର କେତୋଟି ଗୁରୁତର କଥା କହିବାକୁ ଅଛି । ଆଜି ରାତିରେ ମୁଁ ତୁମକୁ ଏକୁଟିଆ ଚାହେଁ.....ଏକାନ୍ତ ଏକୁଟିଆ.....

 

ସୁନନ୍ଦାର ଓଠ ଦୁଇଟି ଆସ୍ତେ ଆସ୍ତେ ଥରୁଥିଲା । ମୁହଁରେ ରହସ୍ୟମୟ ଏକ ଭାବ । ଆଖିରେ ଅଜସ୍ର ରାତିର ଯାଦୁକାରୀ ମାୟା ।

 

ନୀଳକଣ୍ଠ ବାଧ୍ୟ ହୋଇ ବସିପଡ଼ିଲା ।

 

ସୁନନ୍ଦାର ଅନେକ ଗୁରୁତର କଥା କହିବାକୁ ଅଛି !

 

ଏକ ନିଛାଟିଆ ନିର୍ଜନ ରାତିରେ ଏକାକିନୀ..... !

 

ବାହାରେ ବର୍ଷା, ପବନ, ବିଜୁଳି, ଘଡ଼ଘଡ଼ି....

 

ଆଉ ଭିତରେ..... ।

 

ସୁନନ୍ଦା କହିବ କହିବ ବୋଲି ଓଠ ଖୋଲିଲା । କିନ୍ତୁ ହଠାତ୍ କିଛି କହିପାରିଲା ନାହିଁ । ଫୁଲର ପାଖୁଡ଼ା ଭଳି ନରମ ନାଲି ଓଠ ଦୁଇଟି ତାର ଆସ୍ତେ ଥରିଉଠି ଆପେ ଆପେ ସ୍ଥିର ହୋଇଗଲା । ଏକ କରୁଣ ଚାହାଣୀ ଆଖିରେ ଭରି ସେ ଅନେଇ ରହିଲା ନୀଳକଣ୍ଠ ଆଡ଼କୁ ।

ସତେ ଯେମିତି ନୀଳକଣ୍ଠଠାରୁ ସେ ଅଭୟ ଭିକ୍ଷା କରୁଛି !

କାଳର ବ୍ୟବଧାନ ଏଥିମଧ୍ୟରେ ଦୀର୍ଘ ତିନି ବର୍ଷ ହୋଇଯାଇଥିଲେ ବି ସୁନନ୍ଦାଠି ବିଶେଷ କିଛି ପରିବର୍ତ୍ତନ ହୋଇଛି ବୋଲି ନୀଳକଣ୍ଠ ଲକ୍ଷ୍ୟ କରିପାରିଲା ନାହିଁ । ସେ ସେମିତି ପାହାଡ଼ ଝରଣାଟି ଭଳି ମୁକୁଳା, ଖୋଲା । ତା’ ମନରେ କପଟର ବୁଢ଼ିଆଣୀ ଜାଲ ଘେରେଇ ହୋଇଯାଇ ନାହିଁ । କଥାରେ ଆଗଭଳି ଆନ୍ତରିକତା ପ୍ରକାଶଭଙ୍ଗୀରେ ସେଇ ମଧୁର ଲାଳିତ୍ୟ ।

ନୀଳକଣ୍ଠ କହିଲା; କଣ ମତେ ଆପଣାର ବୋଲି ଭାବି ପାରୁନାହୁଁ ? କଣ କହିବୁ କହିବୁ ହୋଇ ତୁଣ୍ଡ ଖୋଲି କହୁନୁ ଯେ !

ବିକ୍ଷୁବ୍ଧ ଝଡ଼ରେ ପଥହରା ପୋତଟି ବନ୍ଦରର ନିଶ୍ଚିତ ଆଶ୍ରୟ ଖୋଜି ପାଇଲା ଭଳି ସୁନନ୍ଦା ଉଲ୍ଲସିତ ହେଲା । ହସର ଛୋଟ ଏକ ଢେଉ ଉଠି ଓଠ ଉପରେ ତାର ସ୍ଥିର ହୋଇଗଲା । ଦୃଷ୍ଟି ଆନତ କରି ସେ ନିମ୍ନକଣ୍ଠରେ କହିଲା, ସେଇ ଭରସାରେ ତ ଏକୁଟିଆ ଏ ଝଡ଼ ରାତିରେ କଲିକତା ଛାଡ଼ି ଏଠିକି ଧାଇଁଆସିଛ !

ନୀଳକଣ୍ଠ ମନରେ ବିଚଳନ ସୃଷ୍ଟି ହେଲା । ସୁନନ୍ଦା ତାଠୁଁ କିଛି ଚାହେଁ । ହୁଏତ କିଛି ଅପ୍ରତ୍ୟାଶିତ ପଦାର୍ଥ । ସେ ନିଜ ମନକୁ ସ୍ଥିର କରିନେଇ କହିଲା, ତୁ ଜାଣୁ ନାଇଁ ନନ୍ଦା ! ଅନ୍ୟ ଏକ ପୁରୁଷକୁ ବିବାହ କରିବୁ ବୋଲି ସ୍ଥିର କରି ଚିଠି ଲେଖିଦେଲା ପରେ ମୁଁ ଆଦୌ ତୋ ଉପରେ ଅସନ୍ତୁଷ୍ଟ ହୋଇ ନାଇଁ । ତତେ ଭୁଲ୍‍ ବୁଝି ନାଇଁ । ଏଇ ଅସହ୍ୟ ଦୀର୍ଘ ଦିନଗୁଡ଼ିକ ତୋରି ପାଇଁ ନୀରବ ପ୍ରତୀକ୍ଷାରେ କଟାଇଦେଇଛି । ତତେ ଯଦି କିଛି ଦେବାର ଯୋଗ୍ୟତା ମୋର ଥାଇପାରେ, ମୁଁ ଧନ୍ୟ ହେବି ।

ସୁନନ୍ଦାର ଆଖିରେ କୃତଜ୍ଞତାର ଜଳ କେତେବିନ୍ଦୁ ନଇଁ ଆସି ତାର ଚକ୍ଷୁ-ତାରକା ଦୁଇଟିକୁ ଅଶ୍ରୁ ସଜଳ କରିଦେଲା । ବହୁଦିନର ସେଇ ସଞ୍ଚିତ ବେଦନା ଲୁହର ମେଘରୂପେ ଘୋଟିଆସି ସାରା ମୁହଁକୁ ତା’ର କରିଦେଲା ଆଚ୍ଛନ୍ନ ।

ନୀଳକଣ୍ଠ ବୁଝିଲା ସୁନନ୍ଦା ନିଜ ଉପରୁ ନିଜର କର୍ତ୍ତୃତ୍ଵ ହରାଇବସିଛି । ସେ ଆଉ ସହଜରେ କିଛି କହିପାରିବ ନାହିଁ । ତେଣୁ ସେହି ଅସ୍ଵସ୍ତିକର ପରିସ୍ଥିତିର ଉଷ୍ଣତାକୁ ଲାଘବ କରିଦେବା ପାଇଁ କଥା କହିବାର ଦାୟିତ୍ଵ ସେ ନିଜେ ଗ୍ରହଣ କରିନେଲା ।

ନୀଳକଣ୍ଠ ପଚାରିଲା, ତୋର କଣ ବିବାହ ଏପର୍ଯ୍ୟନ୍ତ ହୋଇନି ନନ୍ଦା !

ସୁନନ୍ଦା ଚମକିଉଠିଲା ଭଳି ବିବ୍ରତ ହୋଇ କହିଲା, ସେ କଥା ଆଉ ହୋଇପାରିଲା କେଉଁଠି ନୀଲୁଭାଇ ! ତାଙ୍କର ସେଇ ଉତ୍କଟ ଦାରିଦ୍ର୍ୟ ମତେ ତ ଆଣି ଏଇ ଅତଳ ସାଗର ଭିତରକୁ ଠେଲି ଦେଇଛି.....

ସୁନନ୍ଦା ଯାହାକୁ ବିବାହ କରିବାକୁ ସ୍ଥିର କରିଛି, ସେ ଯେ ଅତି ଗରିବ, ଏକଥା ନୀଳକଣ୍ଠ ବୁଝିପାରିଲା । ଖୁବ୍ ସମ୍ଭବତଃ କିଛି ଆର୍ଥିକ ସାହାଯ୍ୟ ପାଇଁ ସୁନନ୍ଦା ଏଭଳି ଭାବରେ ତା ପାଖକୁ ଧାଇଁ ଆସିଛି ।

 

କଥା ଅନୁମାନ କରି ନୀଳକଣ୍ଠ ଖୁସି ହେଲା । ତାର ଅପର୍ଯ୍ୟ।ପ୍ତ ଧନ । ସୁନନ୍ଦାକୁ ସେ ନିରାଶ କରିବ ନାହିଁ । ସେଦିନ ସୁନନ୍ଦାକୁ ନିଜେ ବିବାହ କରିବ ବୋଲି ସବୁ ସ୍ଥିର କରି ବସିଥିଲା । ଭଲ ପାଇବାର ସେଇ ଧୂପ ଧୂଆଁ ଏବେ ବି ତାର ପ୍ରାଣକୁ ଆଚ୍ଛନ୍ନ କରିରଖିଛି । କିନ୍ତୁ ଚଳଚିତ୍ରର ଛବି ଭଳି ସେ ଦୃଶ୍ୟ କେତୋଟି ହଠାତ୍ ଓଲଟ ପାଲଟ ହୋଇଗଲା । ସେ ଆଜି ଅନ୍ୟକୁ ବିବାହ କରିବ । ସେଥିପାଇଁ ଆର୍ଥିକ ସାହାଯ୍ୟ ଦେବ ସେ ନିଜେ ।

 

କଥାଟାକୁ ମନେ ମନେ ହେଜି ନୀଳକଣ୍ଠ ଉତଫୁଲ୍ଲ ହେଲା ।

 

ସୁନନ୍ଦାକୁ ସେ କହିଲା, ତୁ ବ୍ୟସ୍ତ ହେବା କିଛି ଦରକାର ନାହିଁ । ତୁ ବିବାହ ବ୍ୟବସ୍ଥା କର-। ଆର୍ଥିକ ଦୂରବସ୍ଥା କାହାରି ଚିରଦିନ ଲାଗି ରହେ ନାଇଁ । ମୁଁ ତତେ ସାହାଯ୍ୟ କରିବି ।

 

ସୁନନ୍ଦା ପୁଣି ହତଚକିତ ହୋଇପଡ଼ିଲା ।

 

ଅନୁଚ୍ଚ କଣ୍ଠରେ କହିଲା, ସେ କେବଳ ଧନରେ ଗରିବ ନୁହନ୍ତି ନିଲୁଭାଇ ! ତାଙ୍କ ମନଟା ମଧ୍ୟ ଭାରି ଦରିଦ୍ର । ଧନର ଦାରିଦ୍ର୍ୟ ସିନା ତମେ ପୂରଣ କରିଦେବ, କିନ୍ତୁ ମନର ଦାରିଦ୍ର୍ୟ..... !

 

ନୀଳକଣ୍ଠକୁ ସୁନନ୍ଦାର କଥା ଭାରି ରହସ୍ୟମୟ ବୋଧ ହେଲା । ସେ କହିଲା, ମୁଁ ଆଦୌ କିଛି ବୁଝିପାରୁ ନାହିଁ । ମତେ ସବୁ ବୁଝେଇ ସୁଝେଇ କହ, ସେ ଲୋକଟି କିଏ ? ତା ସହିତ ତୋର ପରିଚୟ ହେଲା କେମିତି ?

 

ସୁନନ୍ଦାର ଆଖି ସଜଳ ହୋଇ ଆସିଥିଲା । ସେ କହିଲା, ତାର ପରିଚୟ ପଚାରି ମତେ ଆଘାତ ଦିଅନି ନିଲୁଭାଇ । ସେ ଏକ ହୃଦୟହୀନ ପାଷାଣ ଲୋକ, ସେ ନିଷ୍ଠୁର, ସେ ସେ....

 

ଆଉ କିଛି କହିପାରିଲା ନାହିଁ ସୁନନ୍ଦା । କେବଳ କଣ୍ଠ ତାର ଥରି ଉଠିଲା । ନୀଳକଣ୍ଠର ମନେହେଲା ସତେ ଯେମିତି ଥିଏଟରର ଗୋଟିଏ ଦୃଶ୍ୟ ସେ ଦେଖୁଛି । ଏହା ପରେ ଆହୁରି ଅନେକ ଦୃଶ୍ୟ ଅଭିନୀତ ହେବ । ସେସବୁ ଦୃଶ୍ୟକୁ ସେ ଜଣେ ବିଶିଷ୍ଟ ଦର୍ଶକ ଭଳି ଦେଖିଯିବ ।

 

କିଛି ସମୟ ପରେ ସୁନନ୍ଦା ନିଜ କଥା କହିବା ଆରମ୍ଭ କଲା । ଯେଉଁ ହୃଦୟହୀନ ପାଷାଣ ପ୍ରେମିକର ପରିଚୟ ଦେବାପାଇଁ ସେ ପ୍ରଥମେ ନିଜେ କୁଣ୍ଠିତ ହୋଇଥିଲା, ସେହି ନିଷ୍ଠୁର ପ୍ରେମିକର ପରିଚୟ ଦେଇଗଲା ସେ ନିଜେ ।

 

ଭଦ୍ରବ୍ୟକ୍ତି ଓଡ଼ିଆ ନୁହନ୍ତି, ଆସାମୀ । କିନ୍ତୁ ପଚାଶ ବର୍ଷ ତଳେ ସେମାନେ ଓଡ଼ିଆ ଥିଲେ । ଆସାମର ଚା ବଗିଚାରେ କାମ କରିବାକୁ ଯାଇଥିଲେ ତାଙ୍କର ପ୍ରପିତାମହ । ରହୁ ରହୁ ସେ ସେଇ ଆସାମ ମାଟିରେ ରହିଗଲେ । ଜନନୀ ତାଙ୍କର ମେଖଳାପିନ୍ଧା ଆସାମୀ ଝିଅ । ବଡ଼ ଗରିବ ସେମାନେ । ସେ ଦାରିଦ୍ର୍ୟର ପଙ୍କ ଭିତରୁ ପ୍ରତିଭାର ଆଲୋକ-ଶିଖା ନେଇ ଜନ୍ମ ହୋଇଥିଲା ପଙ୍କଜ ପଙ୍କଜ ଦାସ ।

 

ଶାନ୍ତିନିକେତନର ପ୍ରତ୍ନତତ୍ତ୍ଵ ବିଭାଗର ଗବେଷକ ପଙ୍କଜ ଦାସ ।

 

ପ୍ରପିତାମହଙ୍କ ଓଡ଼ିଆ ରକ୍ତର ଟାଣ ଫଳରେ ପଙ୍କଜ ହୁଏତ ଭଲ ପାଇ ବସିଥିଲା ସୁନନ୍ଦାକୁ—ସୁନନ୍ଦାର ଏକାନ୍ତ ଅଜ୍ଞାତରେ । ଶେଷରେ ସୁନନ୍ଦା ପାଖରେ, ସେ ଅଳି କରିଥିଲା, ତୁମେ ଯଦି ମତେ ଦୟାକରି ବିବାହ ନ କର, ତେବେ ମୋ ସାରା ଜୀବନଟା ଛାରଖାର ହୋଇଯିବ ସୁନନ୍ଦା !

 

ଗୋଟିଏ ରୋମାଣ୍ଟିକ ଉପନ୍ୟାସର କାହାଣୀ ଭଳି ତାପରେ ଗଢ଼ି ଉଠିଥିଲା ସେମନଙ୍କର ଜୀବନ । ସୁନନ୍ଦା ମନା କରିପାରି ନ ଥିଲା—ପ୍ରତ୍ୟାଖାନ କରି ଦେଇପାରି ନ ଥିଲା ପଙ୍କଜ ଦାସର ପ୍ରେମକୁ ।

 

ଗୋଟିଏ ଚମତ୍କାର ଛୋଟ ଗଳ୍ପ ପଢ଼ିଲା ଭଳି ସୁନନ୍ଦାର କଥା ଶୁଣିଯାଉଥିଲା ନୀଳକଣ୍ଠ-। ତା ମନ ଭିତରୁ ପ୍ରଶ୍ନର ଝଙ୍କାର ଉଠି ଆସୁଥିଲା, ତାପରେ ? ତାପରେ ?

 

ତାପରେ ସେଇ ଗତାନୁଗତିକ ହସ, ଅଶ୍ରୁ, ମାନ, ଅଭିମାନ ।

 

ସୁନନ୍ଦା ହୁଏତ ତାପରେ ନିବିଡ଼ ଭାବରେ ଭଲ ପାଇ ବସିଥିଲା ପଙ୍କଜକୁ । ଗବେଷଣା ସାରି ଚାକିରି କଲେ ସୁନନ୍ଦାକୁ ବିବାହ କରିବ ବୋଲି ସ୍ଥିର କରିଥିଲା ପଙ୍କଜ । କିନ୍ତୁ ହଠାତ୍, ହଠାତ୍....

 

ସୁନନ୍ଦା ଚୁପ୍ ହୋଇଗଲା । କିଛି କହିପାରିଲା ନାହିଁ ।

 

ନୀଳକଣ୍ଠ ନିର୍ବାକ୍ ହୋଇଗଲା ତାପରେ...

 

କିଛି ନ କହି ସୁନନ୍ଦା ଖଣ୍ଡେ ଚିଠି ବଢ଼ାଇଦେଲା ନୀଳକଣ୍ଠ ହାତକୁ । ବଙ୍କା ବଙ୍କା ଓଡ଼ିଆ ଅକ୍ଷରରେ ଲେଖା ଛୋଟ ଖଣ୍ଡେ ଚିଠି ।

 

ମୁଁ ଅଯୋଗ୍ୟ । ତମକୁ ବିବାହ କରିପାରିଲି ନାହିଁ ସୁନନ୍ଦା । ମତେ କ୍ଷମା କରିବ । —ପଙ୍କଜ ।

 

ସୁନନ୍ଦା କହିଲା—ତାପରେ ସେ ହଠାତ୍ ଶାନ୍ତିନିକେତନ ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି-। ଘରୁ ତାଙ୍କର ସନ୍ଧାନ ନେଇଥିଲି । ସେଠାରେ ସେ ନାହାନ୍ତି ।

 

ସୁନନ୍ଦା ମୁଣ୍ଡ ତଳକୁ କଲା ।

 

ନୀଳକଣ୍ଠର ମନେହେଲା, ବାହାରର ଝଡ଼ଟା ହଠାତ୍ ଯେମିତି କକ୍ଷ ଭିତରକୁ ପଶି ଆସି ସବୁକିଛି ବିପର୍ଯ୍ୟସ୍ତ କରିଦେଇଛି ।

 

ସୁନନ୍ଦା ଅଶ୍ରୁ ବିଗଳିତ କଣ୍ଠରେ କହିଲା—ମୋର ସବୁ ସ୍ଵପ୍ନ ଯେତେବେଳେ ଚୂନା ହୋଇଗଲା, ତମରି କଥା ମନେ ପଡ଼ିଲା ନିଲୁଭାଇ । ପୃଥିବୀର ଯେଉଁ ଉପାନ୍ତରେ ଯେମିତି ଭାବରେ ଯେଉଁଠି ଥିଲେ ବି ମତେ ସାହାଯ୍ୟ କରିବାକୁ ତମେ ପ୍ରତିଶ୍ରୁତି ଦେଇଥିଲ ।

 

ସୁନନ୍ଦା ବିବାହ କରିବ ନାହିଁ ବୋଲି ସ୍ପଷ୍ଟ ଉତ୍ତର ଦେଲା ପରେ ହତାଶ ଭାବରେ ନୀଳକଣ୍ଠ ତାକୁ ଯେଉଁ ଚିଠି ଲେଖିଥିଲା, ସେ ଚିଠିର ଭାଷା ହଠାତ୍ ତାର ସ୍ମରଣ ହୋଇଗଲା । ସେଦିନ ସୁନନ୍ଦାକୁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସେ ପ୍ରତିଶ୍ରୁତିକୁ ତାକୁ ଯେ ଅସମୟରେ ଦିନେ ରକ୍ଷା କରିବାକୁ ହେବ, ଏକଥା କଳ୍ପନା କରି ବିଚିତ୍ର ଏକ ଆମୋଦ ଅନୁଭବ କଲା ନୀଳକଣ୍ଠ ।

 

ସୁନନ୍ଦା ଅଶ୍ରୁ ଉଚ୍ଛ୍ୱସିତ କଣ୍ଠରେ କହିଲା, ମୁଁ କିଛି ନୁହେଁ—କେବଳ ତମଠୁଁ ଗୋଟିଏ ପରିଚୟ ଚାହେଁ ନିଲୁଭାଇ ! ତମେ ମତେ ଗୋଡ଼ତଳୁ ଫିଙ୍ଗିଦିଅ ନାହିଁ । ତମେ ଦିନେ ମତେ ଭଲ ପାଇଥିଲ, ସେଇ ଭରସାରେ ମୁଁ ତମକୁ ଯେତିକି ମାଗୁଛି....

 

ସ୍ଵଗତୋକ୍ତି କରି କହିଉଠିଲାଭଳି ନୀଳକଣ୍ଠ କହିଲା,ପରିଚୟ !

 

ସୁନନ୍ଦା ଅଧୈର୍ଯ୍ୟ ଭାବରେ କହିଲା, ହଁ—ପରିଚୟ, ସେ ନିଷ୍ଠୁର ହୃଦୟହୀନ ମୋ ଗର୍ଭରେ ସଂଚାର କରି ଯାଇଛନ୍ତି ଏକ ପରିଚୟହୀନ ସମ୍ଭାବନା—ତମେ ଯଦି ନାହିଁ କରିବ, ସେ ଅନାଗତ ନିଷ୍ପାପ ଶିଶୁ କି ପରିଚୟ ନେଇ ଦିନର ଆଲୋକ ଭିତରକୁ ଆସିବ !

 

ହଠାତ୍ ଯେମିତି ପ୍ରଚଣ୍ଡ ଏକ ଭୂମିକମ୍ପ ହେଇଗଲା, ସେହିଭଳି ଅନୁଭବ କଳା ନୀଳକଣ୍ଠ । ସୁନନ୍ଦା-କଣ୍ଠର ସେଇ ଶେଷ କେତେ ଧାଡ଼ି କଥା ତା କାନକୁ ଭାରି କର୍କଶ ଶୁଣାଗଲା ।

 

ସୁନନ୍ଦା ଗର୍ଭରେ ଶିଶୁ ସଞ୍ଚାର ହୋଇଛି !

 

ନୀଳକଣ୍ଠ ସେ ଶିଶୁର ପରିଚୟ ଦେବ ବାହାର ଦୁନିଆକୁ, ତାର ସନ୍ତାନ ବୋଲି !

 

ବାହାରେ ହୁଏତ ଝଡ଼ ଶାନ୍ତ ହୋଇଯାଇଛି । ପବନର ଗତି ମନ୍ଥର । ରାତ୍ରି ବୋଧହୁଏ ବିଗତ ହୋଇଯାଇଛି ଏଥିମଧ୍ୟରେ । ଝରକାର ପରଦା ବାଟେ ସକାଳର ପାଂଶୁଳ ଆଲୋକ ରେଖା କେତୋଟି ଆସି ପଡ଼ିଛି କକ୍ଷ ଭିତରେ । କିନ୍ତୁ ସୁନନ୍ଦାର କଥା ଶୁଣି ନୀଳକଣ୍ଠର ମନେହେଲା, ଆଲୋକିତ କକ୍ଷ ଭିତରେ ସୁନନ୍ଦା ଯେଉଁ ରହସ୍ୟମୟୀ ରାତ୍ରିକୁ ଜନ୍ମ ଦେଇଛି, ସେ ରାତିର ଶେଷ ନାହିଁ । ସେ ଅନ୍ଧକାରର ବିନାଶ ନାହିଁ ।

 

ସୁନନ୍ଦା ମୁହଁ ତଳକୁ କରି ବସିଛି । ମୁହଁରେ ତାର ବ୍ୟାପୀ ରହିଛି ଗଭୀର ପ୍ରଶାନ୍ତି । କଥାତକ କହି ଦେଇସାରି ନିଜ ମୁଣ୍ଡ ଉପରୁ ବଡ଼ ଗୋଟିଏ ବୋଝ ଓହ୍ଲାଇ ଦେଲାଭଳି ସେ ହାଲୁକା ବୋଧ କରୁଛି । ବହୁଦିନର ସଞ୍ଚିତ ବ୍ୟଥା ସତେ ଯେମିତି ସେ ଏତେଦିନକେ ନିଜ ମନରୁ ଖାଲି କରିଦେଇଛି । ଏଣିକି ଝଡ଼ ଆସିଲେ ଆସୁ । ତାର କିଛି ଭୟ ନାହିଁ, ଆଶଙ୍କା ନାହିଁ ।

 

ଆଉ ନୀଳକଣ୍ଠ !

 

ସୁନନ୍ଦା ମନର ଓଜନିଆ ଦୁଃଖର ବୋଝ ଏଥର ଲଦି ହୋଇଯାଇଛି ନୀଳକଣ୍ଠର ମୁଣ୍ଡ ଉପରେ । ସେ ବୋଝର ଅସହ୍ୟ ଯନ୍ତ୍ରଣା, ଅସୀମ ଦୁଃଖରେ ତାର ସଦାଶାନ୍ତ ମୁଖମଣ୍ଡଳ ବେଦନାରେ ବିକୃତ ହୋଇଯାଇଛି ।

 

ସୁନନ୍ଦାକୁ ସେ ଅପେକ୍ଷା କରୁଥିଲା କଣ ଏଇ ସମ୍ବାଦ ଶୁଣିବା ପାଇଁ ! ତା ମନର ଆଗ୍ରହ ଅଭିଳାଷର ପରିଣତ କଣ ଏଇଆ ! ଆଃ.....ନୀଳକଣ୍ଠର ମନ ବେଦନାରେ ଆର୍ତ୍ତନାଦ କରି ଉଠୁଛି । ବିଚଳିତ ହୋଇ ପଡ଼ୁଛି ।

 

ସକାଳ ହୋଇଆସିଛି । ସକାଳର ଫରଚା ଆଲୁଅ କକ୍ଷ ଭିତରକୁ ଠେଲିହୋଇ ଆସୁଛି ଆସ୍ତେ ଆସ୍ତେ । ସକାଳର ଶୁକ୍ଳମା ନେସି ହୋଇଗଲାଣି ଝରକାର କାଚବାଡ଼ା ଦେହରେ । ବାହାରର ପୃଥିବୀ ବର୍ଷା ଜଳରେ ଭିଜି ଭିଜି କେମିତି ସଜଳ ସୁନ୍ଦର ଦିଶୁଛି । ଅଝଟ ହୋଇ କାନ୍ଦି କାନ୍ଦି ଆପେ ଆପେ ଶାନ୍ତ ହୋଇ ଯାଇଥିବା ଛୋଟ ଝିଅଟିର ମୁହଁ ଭଳି ଆକାଶର ମୁହଁ ଦିଶୁଚି ବିଚିତ୍ର ଭାବରେ କରୁଣ ।

 

ସୁନନ୍ଦା ଆଉ ନୀଳକଣ୍ଠ ଚାହିଁ ରହିଛନ୍ତି ବାହାରକୁ । କକ୍ଷ ଭିତରେ ତାଙ୍କର ସ୍ଥିରହୋଇ ରହିଛି ତାଙ୍କ ଦେହ ଦୁଇଟି ସତ, ଦୃଷ୍ଟି କିନ୍ତୁ ଲମ୍ବିଯାଇଛି କକ୍ଷର ବାହାରଆଡ଼କୁ.....

 

କିଛିକ୍ଷଣ ପରେ ନୀଳକଣ୍ଠ ସୁନନ୍ଦାର ମୁହଁକୁ ଚାହିଁଲା । ତାର ଆଖି ଦୁଇଟି ପଦ୍ମ ପୋଖରୀର ଗଭୀର ଜଳ ଭଳି ନିଶ୍ଚଳ, ଢଳ ଢଳ । ପ୍ରତ୍ୟାଖାନ କରି ଯାଇଥିବା ପ୍ରେମିକର ସନ୍ତାନକୁ ଗର୍ଭରେ ଧରିଛି ବୋଲି ମନରେ ତାର ଦୁଶ୍ଚିନ୍ତା ନାହିଁ । ଆଖି ଦୁଇଟିରେ ଧରାପଡ଼ୁ ନାହିଁ ତାର କୌଣସି ଚିହ୍ନ....ନୀଳକଣ୍ଠ ପାଖକୁ ଫେରିଆସି ସତେ ଯେମିତି ସେ ଅଭୟ ପାଇଛି, ସାହସ ପାଇଛି !

 

ଆହା ! ବିଚାରୀ ହତଭାଗିନୀ ସୁନନ୍ଦା ! ନିଜର କେଉଁ ଦୂରନ୍ତ ପ୍ରେମିକକୁ ସନ୍ତୁଷ୍ଟ କରିବାକୁ ଯାଇ ନିଜେ ବରଣ କରି ଆଣିଛି ନିର୍ମମ ଅଭିଶାପ । ସୁନନ୍ଦାର ଜୀବନରେ କଣ ଏଇ ଅଭିଶାପ ଚିରସ୍ଥାୟୀ ହୋଇ ରହିବ ?

 

ନୀଳକଣ୍ଠ ମନରେ ଚାଞ୍ଚଲ୍ୟ ଜାଗିଲା ।

 

ସୁନନ୍ଦା; ତାର ମାନସୀ ସୁନନ୍ଦା । ପ୍ରାଣଠାରୁ ବଳି ଯାହାକୁ ସେ ଭଲ ପାଉଥିଲା, ନିଜଠାରୁ ବଳି ଯାହାକୁ ସେ ବେଶି ଆଦର କରୁଥିଲା, ତାକୁ କଣ ସେ ଏଇ ଚିରସ୍ଥାୟୀ ଦୁଃଖର ନର୍କ ଭିତରକୁ ଠେଲିଦେବ !

 

ନା....ନା......ନା....

 

ନୀଳକଣ୍ଠ ମନ ଭିତରୁ ସତେ ଯେମିତି କିଏ ବଡ଼ ପାଟିରେ ନା’ନା ବୋଲି ଚିତ୍କାର କରି ଉଠିଲା । ଅବସାଦରେ ଭାଙ୍ଗିପଡ଼ିଲା ନୀଳକଣ୍ଠ । ଟେବୁଲ ଉପରେ ମୁଣ୍ଡ ରଖି ସେ ଭାବିବାକୁ ଲାଗିଲା....ବାବା ତାର ସମାଜର ପ୍ରତିଷ୍ଠିତ ବ୍ୟକ୍ତି......ସୁନନ୍ଦାକୁ ଗ୍ରହଣ କଲେ କୂଳରେ ତାର କଳଙ୍କ ଲାଗିବ । ଯେଉଁମାନେ ସମ୍ମାନରେ ଆଜି ତାକୁ ମୁଣ୍ଡରେ ବସାଇଛନ୍ତି, ସୁନନ୍ଦା କୁଳଟା ବୋଲି ଜାଣିଲାପରେ ସେମାନେ ତାକୁ ଘୃଣାରେ ଛି ଛିକାର କରିବେ । ମୁଣ୍ଡଟେକି ରାଜପଥରେ ହୁଏତ ସେ ଚାଲିପାରିବ ନାହିଁ ।

 

କିନ୍ତୁ ନାହିଁ ବୋଲି କହି ସୁନନ୍ଦାକୁ ସେ ଶୂନ୍ୟ-ମନରେ ଫେରାଇ ପାରିବ କିପରି ?

 

କେତେ ଆଶା, କେତେ ଭରସା ନେଇ ସୁନନ୍ଦା ଆସିଛି ତା’ ପାଖକୁ । ଚିଠିରେ ଦିନେ ତାକୁ ଏଇ ଭରସା ଦେଇଥିଲା ନୀଳକଣ୍ଠ । ଆଜି ତାକୁ ପାରିବ ନାହିଁ ବୋଲି କହି ସେ ତାକୁ ଫେରାଇଦେବ କେଉଁ ମୁହଁରେ ?

 

ନିଜ ମନକୁ ନିଜେ ବିଶ୍ଳେଷଣ କରିବାକୁ ଲାଗିଲା ନୀଳକଣ୍ଠ !

 

ସେ ଯଦି ଆଜି ସୁନନ୍ଦାକୁ ନାସ୍ତି ବାଣୀ ଶୁଣାଇ ଫେରାଇଦିଏ, ସୁନନ୍ଦା ହୁଏତ ତାକୁ ଦୋଷ ଦେଇପାରିବ ନାହିଁ । କାରଣ ସୁନନ୍ଦା ଆଜି ନିଜେ ଅପରାଧିନୀ । ଅପରାଧର ପ୍ରତୀକକୁ ନିଜ ଭିତରେ ନିଜର ରକ୍ତ-ମାଂସ ଦେଇ ସେ ପୋଷି ରଖିଛି । ଆଉ ମାସ କେତେଟା ପରେ ସେ ଅପରାଧର ବ୍ୟାଘ୍ରଶିଶୁକୁ ସେ ନିଜେ ଜନ୍ମଦେବ । ନିଜ ଦେହର ରକ୍ତଦେଇ ସେ ଯେଉଁ ଶିଶୁକୁ ନିଜ ଭିତରେ ପ୍ରତିଦିନ ବଢ଼ାଇଚାଲିଛି, ସେ ଶିଶୁ ଭୂମିଷ୍ଠ ହେଲାପରେ ହେବ ତାର ଭକ୍ଷକ । ସୁନ୍ଦରୀ ସୁନନ୍ଦା ହୋଇଯିବ ନିଃସ୍ଵ, ସର୍ବହରା ।

 

ନୀଳକଣ୍ଠ ମନରେ ଆଉ ଏକ ପ୍ରଶ୍ନ ମୁଣ୍ଡ ଟେକି ଉଠୁଥିଲା, ସେ ଭାବୁଥିଲା ନିଜ କଳଙ୍କର କାଳିମାକୁ ଗର୍ଭ ମଧ୍ୟରୁ ନିଃଶେଷ କରି ଦେଇ ସୁନନ୍ଦା ସତୀ ହୋଇପାରନ୍ତା ତ ! ଆମ ସମାଜରେ ବହୁ ସନ୍ତାନକୁ ଜନ୍ମଦେଇ ସତୀ ସତୀ କୁମାରୀ କନ୍ୟା ତ ଅଳ୍ପ ନାହାନ୍ତି ! କିନ୍ତୁ ତା କରିବାକୁ ସୁନନ୍ଦା ପଛାଇଲା କାହିଁକି ?

 

ସକାଳର ସଫା ଆଲୁଅ ରଙ୍ଗ ଧରି ଆସିଲାଣି । ସେଇ ରଙ୍ଗିନ୍ ଖରା କହରୀ ଛଉକି ବିଲେଇ ଭଳି-ଝରକାର କାଚବାଡ଼ରେ ଆସି ପିଠି ଘଷୁଛି । ସୁନନ୍ଦାର ଆଖିରେ ରାତିର ନିଦ ଆସି ଜମା ହୋଇଗଲାଣି । ଆଖିପତା ଦୁଇଟି ତାର ଯୋଡ଼ିହୋଇ ଆସୁଛି । କାନ୍ତ, କୋମଳ ନିଦ୍ରା ଘେରି ଆସୁଛି ତାର ଦୁଇ ଆଖିର ଧାରେ ଧାରେ ।

 

ନୀଳକଣ୍ଠ ଆଖିରେ କିନ୍ତୁ ନିଦ ନାହିଁ ।

 

ସେ କେବଳ ଭାବୁଛି, ଚିନ୍ତା କରୁଛି ! ସେ କଣ କେବଳ ସୁନନ୍ଦାର ଦେହକୁ ସେଦିନ ଭଲ ପାଇଥିଲା ! ସୁନନ୍ଦାର ଦେହରେ ଯେଉଁ ଲାସ୍ୟମୟୀ ଯୌବନର ଲୀଳା, ସେଇ କଣ ମାୟା ରଚିଥିଲା ତାର ମନରେ । ଆଜି ତା ନହେଲେ ସୁନନ୍ଦାର କଳଙ୍କିତ ଦେହକୁ ଲକ୍ଷ୍ୟ କରି ଆତଙ୍କରେ ଶିହରି ଉଠୁଛି କାହିଁକି ତାର ମନ ?

 

ଶିମୂଳିର ତୂଳାଭଳି, ପଥଚାରୀ ଲଘୁ ମେଘଖଣ୍ଡ ଭଳି ନୀଳକଣ୍ଠର ପ୍ରେମ କଣ ଏଡ଼େ ଲଘୁ, ଏଡ଼େ ହାଲୁକା ! ସେଇ ପ୍ରଣୟସାଧନା କରି ଆଜିଯାଏ କଣ ଏମିତି ଏକ ଦୁର୍ବିସହ ଜୀବନ କଟାଇ ଆସିଥିଲା ନୀଳକଣ୍ଠ !

 

ନୀଳକଣ୍ଠ ନିଜ ମନର ସେ ଅନ୍ଧକାର ଗହ୍ଵରକୁ ଯେତେ ଚାହୁଁଥିଲା, ତା ପାଖରେ ନିଜ ମନର ରହସ୍ୟ ସେତେ ଦୁର୍ବୋଧ ମନେ ହେଉଥିଲା । ଶାନ୍ତଶିଷ୍ଟ ଶିଶୁଟି ଭଳି ସୁନନ୍ଦା ଆଜି ତା ପାଖରେ ବସିଛି । ତୁଣ୍ଡରେ କଥା ନାହିଁ, ଅନୁଯୋଗ ନାହିଁ । କିନ୍ତୁ ଗତ ଦିନଗୁଡ଼ିକରେ ସେ ଥିଲା ଅସମ୍ଭବ ଭାବରେ ପ୍ରଖର ଆଉ ପ୍ରଚଣ୍ଡ । ସେଇ ପ୍ରଖର ପ୍ରଚଣ୍ଡ ସ୍ରୋତ ଭିତରେ ନିଃସହାୟ କୁଟାଖଣ୍ଡିକଭଳି ସେଦିନ ଭାସି ଯାଉଥିଲା ନୀଳକଣ୍ଠ ।

 

ସୁନନ୍ଦା ପଚାରୁଥିଲା, ତମେ ମତେ କିପରି ଭଲପାଅ ନିଲୁଭାଇ ! ଦେହ, ମନ, ପ୍ରାଣ, ହୃଦୟ—ଏ ଚାରିଟା ଭିତରୁ କେଉଁଟା ଦେଇ ମତେ ଭଲପାଅ ?

 

ଅ, ଆ, କ, ଖ ପଢ଼ି ନଥିବା ନିର୍ବୋଧ ଶିଶୁଟିଭଳି ପାଟି ପାକୁ ପାକୁ କରି ନୀଳକଣ୍ଠ ତାକୁ ଉତ୍ତର ଦେଇଥିଲା, ମୁଁ ମୋର ସର୍ବସ୍ଵଦେଇ ଭଲପାଏ ନନ୍ଦା ! ତତେ ବାଦଦେଲେ ମୋର ଆଉ କୌଣସି ଐଶ୍ଵର୍ଯ୍ୟ ଅବଶିଷ୍ଟ ନାହିଁ ।

 

ଅବିଶ୍ଵାସ କଲାଭଳି ସୁନନ୍ଦା । ଯଦି ପ୍ରଶ୍ନ କରେ, କଣ କହିଲି ? ଆଉ ଥରେ କୁହ ତ ଦେଖି ! ତମ କଣ୍ଠରେ ଏ ଭଲପାଇବା କଥାଟା କେମିତି ଶୁଭୁଛି ମୁଁ ଆଉଥରେ ଶୁଣେ!

 

ଶିକ୍ଷକଙ୍କ ପ୍ରଶ୍ନର ଭୁଲ୍ ଉତ୍ତର ଦେଇ ତିରସ୍କାର ଶୁଣୁଥିବା ନିର୍ବୋଧ ଛାତ୍ରଟି ଭଳି ଆଉ କିଛି ଉତ୍ତର ନ ଦେଇ ନୀରବ ହୋଇଯାଏ ତା’ ହେଲେ ନୀଳକଣ୍ଠ । ବେଳେବେଳେ ଦାନ୍ତ ଦେଖାଇ ନିର୍ବୋଧଙ୍କ ଭଳି ହସେ । ସୁନନ୍ଦାର ପ୍ରେମ ପାଖରେ ସେ ନିଜକୁ ମନକରେ ଛୋଟ ଏକ ଶିଶୁ । ଯାହାର ବିଚାର କରିବାର ଶକ୍ତି ନାହିଁ, ଦାବୀ ହାସଲ କରିବାର ସାମର୍ଥ୍ୟ ନାହିଁ, ଅଳିକରି ଯିଏ ଖାଲି କିଛି ଅନୁକମ୍ପା ଭିକ୍ଷା କରିଜାଣେ !

 

ହାତରେ ଖଡ଼ି ଧରାଇ ଅକ୍ଷର ଲେଖା ଶିଖାଇ ଦେଲାଭଳି ଏଇ ସୁନନ୍ଦା ତାକୁ ଭଲ ପାଇବାର ପାଠ ପ୍ରଥମେ ଶିଖାଇ ଦେଲାଭଳି ଏକ ସୁନନ୍ଦା ତାକୁ ଭଲ ପାଇବାର ପାଠ ପ୍ରଥମେ ଶିଖାଇ ଦେଇଥିଲା । ସେ ପାଠ ଭାରି ମିଠା ମିଠା ଲାଗିଥିଲା ନୀଳକଣ୍ଠକୁ । ଅଳ୍ପ ସମୟ ଭିତରେ ସେ ପାଠପଢ଼ାରେ ଅନେକ ଅଗ୍ରଗତି କରି ଯାଇଥିଲା । ଦିନେ ତାର ମନେ ହୋଇଥିଲା ଏଇ ପ୍ରଣୟ ପାଠପଢ଼ାରେ ସେ ତାର ଶିକ୍ଷୟିତ୍ରୀକୁ ଅନେକ ପଛରେ ପକାଇ ଦେଇଛି ।

 

କିନ୍ତୁ ସୁନନ୍ଦାଠାରୁ ଏକଥା ଶୁଣିଲା ପରେ ନୀଳକଣ୍ଠର ଆଜି ମନେହେଲା ତାର ସେ ଅହଙ୍କାର ବୃଥା । ସୁନନ୍ଦାଠାରୁ ତାର ଏ ଭଲ ପାଇବା ସମ୍ପର୍କରେ ଆହୁରି ଅନେକ କଥା ଶିଖିବାର ଅଛି । ସୁନନ୍ଦାକୁ ସେ ସେଥିପାଇଁ ପ୍ରତ୍ୟାଖ୍ୟାନ କରିଦେବ ନାହିଁ । ସେ ତାହା କରିବାକୁ ଅକ୍ଷମ । ସେ ଦେବ ସୁନନ୍ଦାର ଗର୍ଭଜାତ ସନ୍ତାନର ନୂତନ ପରିଚୟ । ସେ ହେବ ସୁନନ୍ଦାର ସ୍ଵାମୀ !

 

ସୁନନ୍ଦା ଶୋଇ ଯାଇଥିଲା । ତାକୁ ହଲେଇଦେଇ ନୀଳକଣ୍ଠ ଛୋଟ ପାଟିରେ କହିଉଠିଲା, ନନ୍ଦା....ନନ୍ଦା !

 

ନିଦ ମଳମଳ ଆଖି ଦୁଇଟାକୁ ହାତପାପୁଲିରେ ପୋଛୁ ପୋଛୁ ସୁନନ୍ଦା କହିଲା, ମତେ ଡାକୁଛ !

 

ନୀଳକଣ୍ଠ କହିଲା ହଁ, ତତେ ଡାକୁଛି । ସକାଳ ହେଲାଣି କେତେବେଳୁ । ଚାକର ପୂଝାରୀ କେହି ଆସିଯାଇ ପାରନ୍ତି।

 

ନୀଳକଣ୍ଠ ମୁହଁକୁ ସିଧା ଚାହିଁ ସୁନନ୍ଦା ପଚାରିଲା, ସେଥିରେ ଭୟ କରିବାର କଣ ଅଛି ? ଏଇ ଘରେ ଏମିତି ଭାବରେ ସେମାନେ ତ ମତେ ଅନେକ ସହସ୍ର ଥର ଆଗରୁ ଦେଖିଛନ୍ତି !

 

ମୃଦୁ ହସି ନୀଳକଣ୍ଠ କହିଲା, କିନ୍ତୁ ଆଜି ତତେ ହଠାତ୍ ଦେଖିଲେ ସେମାନଙ୍କର ହୁଏତ ମନେହେବ, ସେମାନେ କୁହୁକ ଦେଖୁଛନ୍ତି । ଭାନୁମତୀ ପେଡ଼ିରୁ ବାହାରିଲା ଭଳି ଏକ ଆଶ୍ଚର୍ଯ୍ୟ ସୁନ୍ଦରୀ କେଶବତୀ ରାଜକନ୍ୟାକୁ ମୋ ଟେବୁଲ ପାଖରେ ଦେଖି ସେମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

 

ସୁନନ୍ଦାର ଚନ୍ଦ୍ରବିଭୋର ମୁଖମଣ୍ଡଳଟି ହଠାତ୍ ଅପ୍ରତିଭ ହୋଇପଡ଼ି ଆରକ୍ତ ହୋଇଗଲା-। ଟେବୁଲ ଉପରେ ଆଙ୍ଗୁଠିରେ ଗାର ଟାଣୁ ଟାଣୁ ସେ କହିଲା, ସତେ ! ଏଇ ବର୍ଷ କେତେଟା ଭିତରେ ତମେ ସମସ୍ତେ ମତେ ଏତେ ପର କରିଦେଇଛ ? ଏ ଘରକୁ ମୁଁ ଯେ ଦିନେ ପୁଣି ଫେରି ଆସିପାରେ, ଏ କଥା ସମସ୍ତେ ମନରୁ ତାହାହେଲେ ପୋଛି ଦେଇଥିଲ !

 

ସୁନନ୍ଦାର କଣ୍ଠରେ ଅହେତୁକ ଅଭିମାନର ସ୍ପର୍ଶ ଲାଗି ରହିଥିଲା । କିନ୍ତୁ ତାର କଥା ଶୁଣି ବିସ୍ମୟରେ ବିମୂଢ଼ ହୋଇଗଲା ନୀଳକଣ୍ଠ । ଏ କଣ କହୁଛି ସୁନନ୍ଦା !

 

ଅନ୍ୟ ଏକ ପୁରୁଷକୁ ବିବାହ କଲାପରେ ମଧ୍ୟ ତାର ଯେ ଏଠାକୁ ଆସିବା ପାଇଁ ସେମାନେ ସମସ୍ତେ ଅପେକ୍ଷା କରିଥିବେ; ଏ କଥା ସେ ଭାବିପାରୁଥିଲା କିପରି ?

 

ନୀଳକଣ୍ଠର ବିସ୍ମୟବିମୂଢ଼ ମୁଖମଣ୍ଡଳକୁ ଚାହିଁ ସୁନନ୍ଦା କହିଲା, କଣ ଏତେ ଭାବୁଛ । ମୁଁ କଣ ତମର ପର ବୋଲି ମନେ ହେଉଛି ? ତା’ହେଲେ ନାହିଁ କରିଦିଅ । ମୁଁ ପୁଣି ଉପରଓଳି ଟ୍ରେନରେ କଲିକତା ଫେରିଯିବି....ଇସ୍ ମୋ ଉପରେ ତମେ ରାଗିଛ କି ?

 

ଗମ୍ଭୀର ହେବାକୁ ଚେଷ୍ଟାକରି ମଧ୍ୟ ନୀଳକଣ୍ଠ ହସି ପକାଇଲା । କହିଲା, ରାଗିଲେ କଣ ତୁ ମତେ ସେଥିପାଇଁ ମନା କରିଦେଇ ପାରିବୁ ? ତୁ’ ତ ପୁଣି ମତେ ପର କରିଦେଇ ଏତେଦିନ ଦୂରରେ ରହିଥିଲୁ !

 

ସୁନନ୍ଦା ଏଥର ତଳକୁ ଦୃଷ୍ଟି ନୁଆଇଁ ଦେଲା । କଣ କହିବ କହିବ ବୋଲି ଚେଷ୍ଟାକଲା; କିନ୍ତୁ କିଛି କହିଲା ନାହିଁ । ସେ ହୁଏତ କହିବାକୁ ଚାହୁଁଥିଲା ଯେ । ତମକୁ ଏ ଦିନଗୁଡ଼ାକ ଭିତରେ ପରବୋଲି ଭାବିଥିଲେ ଏତେ ସାହାସରେ ଏ ଅବଳେରେ ପୁଣି ତମ ପାଖକୁ ଫେରି ଆସି ନ ଥାନ୍ତି-

 

ସେ କିନ୍ତୁ ସେ ସବୁ କିଛି କହିଲା ନାହିଁ ।

 

ନୀଳକଣ୍ଠ କହିଲା, ତୁ କିଛି ଭାବ ନାହିଁ ନନ୍ଦା । ବିଶ୍ଵାସ କର, ଏବେ ବି ମୁଁ ତତେ ଭଲପାଏ । ତୋ ଗର୍ଭରେ ପଙ୍କଜ ଦାସ ଯେଉଁ ଶିଶୁକୁ ସୃଷ୍ଟି କରିଯାଇଛି, ମୁଁ ହେବି ସେ ସନ୍ତାନର ଜନକ ।

 

ସୁନନ୍ଦାର ଆଖିରେ ବିଜୁଳି ଝଲସି ଉଠିଲା ଭଳି ଏକ ଆଲୋକରେଖା ହଠାତ୍ ଉଇଁ ଆସି ପୁଣି ଅସ୍ତ ହୋଇଗଲା । ବଡ଼ କରୁଣ ଭାବରେ ନୀଳକଣ୍ଠ ଆଡ଼କୁ ସେ ଅନେକ ସମୟଧରି ଚାହିଁରହି କହିଲା, ମନର ଦାବୀ ନେଇ ତମ ପାଦତଳକୁ ଫେରି ଆସିଥିଲେ ବି ତମେ ଯେ ମତେ ଦୂରକୁ ଠେଲିଦେବ ନାହିଁ, ଏ ଧାରଣା ମୋର କେବେ ହୋଇ ନ ଥିଲା । ନିଲୁଭାଇ ମତେ ତମେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ହୁଏତ ଭଲ ହୋଇଥାନ୍ତା । ମୁଁ କରିଥିବା ପାପକୁ ନିଜେ ବରିନେଇ ମତେ ତୁମେ କଳଙ୍କମୁକ୍ତ କରୁଛ କାହିଁକି ? ତୁମର ଏ ଋଣ ଶୁଝିବାପାଇଁ ମୋର ସାମର୍ଥ୍ୟ କାହିଁ ?

 

ନୀଳକଣ୍ଠ କହିଲା ତୋ ଦେହର ସବୁ ବିଷକୁ ଆକଣ୍ଠ ପାନ କରି ମୁଁ ନୀଳକଣ୍ଠ ହେବି ନନ୍ଦା ! ନାମ ମୋର ସାର୍ଥକ ହେବ । ତୁ, ତୁ ମତେ ନାହିଁ କରନାଇଁ......

 

ବାହାରେ କବାଟ ଜଞ୍ଜିର ଝଣ ଝଣ ହେଲା ।

 

ନୀଳକଣ୍ଠ କବାଟ ଖୋଲିଦେଇ କହିଲା ପୂଝାରୀ ବେଡ଼-ଟି ନେଇଆସି ଠିଆ ହୋଇଛି । ସେ ଚା କପଟା ସୁନନ୍ଦା ହାତକୁ ବଢ଼ାଇଦେଇ ନୀଳକଣ୍ଠ କହିଲା ଆଉ କପେ ଚା’ ଆଣ ତ ନନା । ଏଇ, ତମର ମାଆ ଆସିଚନ୍ତି ।

 

ପୂଝାରୀ ବୁଝି ବି କିଛି ବୁଝିପାରିଲା ନାହିଁ ।

 

ଝଡ଼ଟା ଠିକ୍ ମୁଣ୍ଡ ଉପର ଦେଇ ଚାଲିଗଲା । ସୁନନ୍ଦାର ବିଶେଷ କିଛି କ୍ଷତି ହୋଇ ନାହିଁ-। ଯେଉଁ ଝଡ଼ର ଆତଙ୍କରେ ସେ ମ୍ରିୟମାଣ ହୋଇପଡ଼ିଥିଲା, ସେ ଝଡ଼ଟା ଏଇ ସାମାନ୍ୟ ଆଘାତ ଦେଇ ଚାଲିଗଲା ପରେ ଶ୍ଵସ୍ତିର ଏ ଦୀର୍ଘ ନିଶ୍ଵାସ ତ୍ୟାଗ କଲା ସୁନନ୍ଦା ।

 

ନୀଳକଣ୍ଠ ମନେହେଲା ତା ପାଖରେ ଏକ ଦେବତାଭଳି ।

 

ନୀଳକଣ୍ଠ ସହିତ ତାର ପରିଚୟ ଅନେକ ଦିନର, ଅତି ଭଲକରି ସେ ଜାଣେ ତାକୁ, କିନ୍ତୁ ସେ ଏତେ ଭଲବୋଲି ସୁନନ୍ଦା ଏଇ ପ୍ରଥମ ଜାଣିଲା । ଜାଣିଲା ଦିନୁ ମନ ଭିତରେ ତାର ଏକ ଅଜ୍ଞାତ ଆତଙ୍କ ଜନ୍ମ ନେଇଛି । ଆଗରୁ ନୀଳକଣ୍ଠ ତାର ମନେ ହୋଇଥିଲା ଜଣେ ଶୁଭାକାଙ୍‍କ୍ଷୀ, ପ୍ରେମାସ୍ପଦ ବନ୍ଧୁ ଭଳି । ବର୍ତ୍ତମାନ ସେଇ ନୀଳକଣ୍ଠ ମନେ ହେଲାଣି ଜଣେ ପରମ ପୂଜ୍ୟ ଦେବତାଭଳି । ସ୍ନେହ, ପ୍ରେମର ବଦଳରେ ନୀଳକଣ୍ଠ ପାଇଁ ଅସୀମ ଭକ୍ତି ତା’ ମନରେ ଆସନ ଜମାଇ ବସିଲାଣି ।

 

ନୀଳକଣ୍ଠ ଏଡ଼େ ଉଦାର, ଏଡ଼େ ମହତ୍ !

 

ବାବା ତାର ପ୍ରତିରୋଧ କଲେ ।

 

ସୁନନ୍ଦା କଳଙ୍କିନୀ । ଗୃହରେ ତାର ସ୍ଥାନ ନାହିଁ । ସେ ସୁନନ୍ଦାକୁ ବଧୁରୂପେ ଗ୍ରହଣ କରିପାରିବେ ନାହିଁ । ସୁନନ୍ଦା ତାଙ୍କର ବଧୂ ହୋଇପାରେନା ।

ସମସ୍ତ ଲଜ୍ଜାକୁ ଜଳାଞ୍ଜଳି ଦେଇ ନୀଳକଣ୍ଠ କହିଲା, ସୁନନ୍ଦା ସୀମାନ୍ତରେ କଳଙ୍କର ସେ କାଳିମାର ଟୀକା ମୁଁ ପିନ୍ଧାଇ ଦେଇଛି ବାବା ! ମୋରି ସନ୍ତାନକୁ ସୁନନ୍ଦା ଗର୍ଭରେ ଧାରଣ କରିଛି । ସୁନନ୍ଦାର କଳଙ୍କ ପାଇଁ ଦାୟୀ ମୁଁ । ସେ କଳଙ୍କ ପାଇଁ ଯାହାକିଛି ଶାସ୍ତି, ସେ ଶାସ୍ତି ମତେ ଦିଅ । କିନ୍ତୁ ସୁନନ୍ଦାକୁ ଘୃଣା କରନାହିଁ ।

ଆତ୍ମୀୟ ବନ୍ଧୁପରିଜନ ଅବାକ୍ ହେଲେ । ସୁନନ୍ଦାର ଗର୍ଭରେ ନୀଳକଣ୍ଠର ସନ୍ତାନ, ନୀଳକଣ୍ଠ ଏ କଅଣ କହୁଛି ! ଏ’ କି ସୃଷ୍ଟି ଛଡ଼ା କଥା ! ଛି....ଛି.....

ନୀଳକଣ୍ଠ ବାବାଙ୍କର ଆଭିଜାତ୍ୟର ଅହଙ୍କାର ଭୂଲୁଣ୍ଠିତ ହେଲା । ଆକଣ୍ଠ ଲଜ୍ଜାରେ ମସ୍ତକ ଅବନତ କରି ସେ ନିର୍ବାକ ହୋଇଗଲେ । ସୁନନ୍ଦାର ଗର୍ଭରେ ନୀଳକଣ୍ଠ ସନ୍ତାନ...ସୁନନ୍ଦା ଗର୍ଭରେ ଧରିଛି ତାଙ୍କ ବଂଶର ଭବିଷ୍ୟତ ବଂଶଧରକୁ.....କେଉଁ ସାହାସରେ ସୁନନ୍ଦାକୁ ସେ ପ୍ରତ୍ୟାଖାନ କରିବେ !

ସେଇଦିନ ସେଇକଥା ଶୁଣି ନୀଳକଣ୍ଠର ବାବା ସହର ଛାଡ଼ି ଗ୍ରାମକୁ ଚାଲିଗଲେ । ଗ୍ରାମରୁ ଚିଠି ଲେଖିଥିଲେ, ଏକ କୁମାରୀ କନ୍ୟାର ଗର୍ଭରେ ଶିଶୁ ସଂଚାର କରିବା ପାପଠାରୁ ତାକୁ ପ୍ରତ୍ୟାଖ୍ୟାନ କରିବା ଆହୁରି ମହାପାପ ନୀଳକଣ୍ଠ ! ସୁନନ୍ଦାକୁ ଗୃହବଧୂ କରି ଆଣିବାରେ ମୋର ଆପତ୍ତି ନାହିଁ । କିନ୍ତୁ ମୁଁ ଆଉ ସହରକୁ ଫେରିବି ନାହିଁ...

ସୁନନ୍ଦା ଶୁଣିଥିଲା, ନୀଳକଣ୍ଠର ବାବା ଗ୍ରାମରେ ଧର୍ମ ଅନୁଷ୍ଠାନ କରି ସେଇଥିରେ ନିମଜ୍ଜିତ ଅଛନ୍ତି । ତାକୁ ଗୃହବଧୂ କରିବାର ଅନୁମତି ଦେଇ ସେ ଆଉ ସହରକୁ ଫେରିବେ ନାହିଁ ବୋଲି ସ୍ଥିର କରିଛନ୍ତି.......

 

ଘଟଣାଗୁଡ଼ିକ ସୁନନ୍ଦାକୁ କିପରି ନାଟକୀୟ ମନେ ହେଉଥିଲା । ଅନୁତାପ, ଦୁଃଖ ଓ ବେଦନାରେ ସୁନନ୍ଦା ଭାଙ୍ଗି ପଡ଼ିଥିଲା ଏକାବେଳକେ । ନୀଳକଣ୍ଠକୁ ବେଦନାଜଡ଼ିତ କଣ୍ଠରେ ପ୍ରଶ୍ନ କରି ଉଠିଥିଲା, ବାବାଙ୍କୁ ତମେ ଏଭଳି ମିଥ୍ୟା କହିପାରିଲ କିପରି ? ବରଂ ମତେ ପାଦରେ ଠେଲି ଦେଇଥିଲେ......

 

ଆଉ କିଛି କହି ନ ପାରି ଫୁଲି ଫୁଲି କାନ୍ଦି ଉଠିଥିଲା ସୁନନ୍ଦା । ନୀଳକଣ୍ଠ ସୁନନ୍ଦାର ଆଖିରୁ ଲୁହ ପୋଛିଦେଇ ବଡ଼ ନିର୍ଲିପ୍ତ ଭାବରେ ହସିଥିଲା । ସେହି ଦେବସୁଲଭ ହସ ଦେଖି ସୁନନ୍ଦାର ଛାତି ଭିତରେ ଏକ ପ୍ରବଳ ଭୂମିକମ୍ପ ସୃଷ୍ଟି ହୋଇଥିଲା । ସୁନନ୍ଦା ଆଖିରେ ନୀଳକଣ୍ଠ ସେଇ ମୁହୂର୍ତ୍ତରୁ ହୋଇ ଉଠିଥିଲା ଏକ ଦେବତା......

 

ନୂଆ ଘର, ନୂଆ ପରିବେଶ ।

 

ଏଣେତେଣେ ଅଥାନି ହୋଇ ପଡ଼ିଥିବା ଜିନିଷକୁ ସଜାଡି ରଖି ସୁନନ୍ଦା ତାର ଘରକରଣା ଆରମ୍ଭ କରି ଦେଇଥିଲା । ଚଣ୍ଡୀ ମନ୍ଦିରରେ ଯାଇ ଏକ ଗାଢ଼ ରକ୍ତରଙ୍ଗର ସିନ୍ଦୂରଟୋପା ନୀଳକଣ୍ଠ ପିନ୍ଧାଇ ଦେଇଥିଲା ସୁନନ୍ଦାର ସୀମାନ୍ତରେ...କଳଙ୍କିନୀ ସୁନନ୍ଦା ହେଲା ସୀମନ୍ତିନୀ ଗୃହବଧୂ....ତାର ସମସ୍ତ କୃଷ୍ଣକାୟ କଳଙ୍କକୁ ନୀଳକଣ୍ଠ ନିଜ ଉଦାରତାର ଛତ୍ରଛାୟା ତଳେ ଘୋଡ଼ାଇ ରଖିଲା.....

 

ଝଡ଼ଟା ଠିକ୍ ମୁଣ୍ଡ ଉପର ଦେଇ ଚାଲିଗଲା । ସୁନନ୍ଦାର ବିଶେଷ କିଛି କ୍ଷତି କରିପାରିଲା ନାହିଁ । କିନ୍ତୁ ବିବେକରେ ଅନୁତାପର ଝଡ଼ ସୁନନ୍ଦାର ପ୍ରବଳ ହୋଇ ଉଠିଲା । ତାର ଅପରାଧକୁ ନୀଳକଣ୍ଠ ଏକ ପୁରୁଷ ହୋଇ ସିନା ମହାପୁରୁଷ ଭଳି କ୍ଷମା କରିଗଲା, କିନ୍ତୁ ନିଜ ବିବେକ ପାଖରେ ବହୁ ସହସ୍ର ଗୁଣରେ ଅପରାଧିନୀ ହୋଇ ଉଠିଲା ସୁନନ୍ଦା.....

 

ନୀଳକଣ୍ଠ ଯେତେ କହୁ ସୁନନ୍ଦାର ଗର୍ଭରେ ତା’ରି ରକ୍ତ ମାଂସର ସନ୍ତାନ, ଦୁନିଆ ଯେତେ ବିଶ୍ଵାସ କରୁ ସେ କଳଙ୍କିନୀ ନୁହେଁ, ତାର ନିଜ ମନ ଓ ବିବେକକୁ ସେ ଏ କଥା ବୁଝାଇ ପାରିବ କିପରି ?

 

ନୀଳକଣ୍ଠ ଛାତିରେ ମୁଣ୍ଡ ଗୁଞ୍ଜି ଶୋଇରହିଥିବା ବେଳେ ସୁନନ୍ଦା ମନ ଭିତରର ସେଇ ବିବେକଟି ହଠତ୍ ନାଗସାପ ପରି ଫଣା ଢୋଳିଉଠେ । ତାର ମନ, ସେ ଜାଣି ଜାଣି କୃତଜ୍ଞତାର ଏକ କଳା ନାଗସାପକୁ ସେ ନିଜ ବେକ ଚାରି ପଟେ ଗୁଡ଼େଇ ଦେଇଚି । ସେ ନାଗସାପ ଯେ କେତେବେଳେ ତାକୁ ଦଂଶନ କରିବ ତାର କିଛି ଠିକଣା ନାହିଁ....

 

ଯାହାକୁ ସେ ଦିନେ ଅତି ନିର୍ମମ ଭାବରେ ପ୍ରତ୍ୟାଖ୍ୟାନ କରି ଦେଇଥିଲା, ଯାହାର ପ୍ରେମ, ଭଲ ପାଇବାକୁ ସେ ହୃଦୟହୀନ ଭାବରେ ଉପେକ୍ଷା କରି ଦେଇଥିଲା, ସେଇ ନୀଳକଣ୍ଠ ଆଜି ତାକୁ ତାର ଚରମ ଦୁର୍ଦ୍ଦିନରେ ମାଟି ଉପରୁ ବୁକୁ ଉପରକୁ ତୋଳି ନେଇଛି....ଅଥଚ ଯାହାକୁ ସେ ଭଲ ପାଇବାର ଅନୁକମ୍ପା ଦେଖାଇ ଘର ସଂସାର କରିବ ବୋଲି ମନରେ ବଡ଼ ଆଶା ବାନ୍ଧିଥିଲା, ସେ....

 

‘ପଙ୍କଜ ଦାସର କଥା ଆପେଆପେ ମନେ ପଡ଼େ ଆସି ସୁନନ୍ଦାର....

 

ପଙ୍କଜ ଦାସର ସେଇ ଗଭୀର ଭାବବ୍ୟଞ୍ଜକ ଆଖି ଦୁଇଟା ଏବଂ ରୁକ୍ଷ ଟାଆଁସା ଟାଆଁସା ମୁଣ୍ଡ ବାଳଗୁଡ଼ାକ ତା ଆଖି ଆଗରେ ଭାସି ଉଠେ....ନୀଳକଣ୍ଠ କୋଳରେ ଶୋଇ ମଧ୍ୟ ସୁନନ୍ଦା ଅନୁଭବ କରେ ପଙ୍କଜ ଦାସର ଝାଳୁଆ ଦେହର ସେଇ ଅମୃତ ଆଘ୍ରାଣ...

 

ତିଥି, ବାର, ତାରିଖ, ମାସ, ମସିହା ସବୁ ପାଶୋର ଗଲାଣି ସୁନନ୍ଦାର । ସେ ଦିନଗୁଡ଼ିକୁ ଆଉ ମନେ ମନେ ଗୁଣିହୋଇ ସ୍ମରଣ ରଖିପାରି ନ।ହିଁ ସେ । ତଥାପି ସେ ଦିନଗୁଡ଼ିକର କଥା ଆଜି ମଧ୍ୟ ସୁନନ୍ଦାର ମନେ ପଡ଼ୁଛି....

 

ବିଶ୍ୱଭାରତୀ ତରଫରୁ ସେ ବର୍ଷ ଗୋଟିଏ ଚିତ୍ର ଶିଳ୍ପର ପ୍ରଦର୍ଶନୀ ହେଉଥାଏ । ସେ ନିଜେ ପ୍ରଦର୍ଶନୀ ପାଇଁ ପଠାଇଥିଲା ତାର କେତୋଟି ହାତଅଙ୍କା ଛବି । ଭାରତର ବିଖ୍ୟାତ ଶିଳ୍ପୀମାନଙ୍କ ଛବି ମଧ୍ୟରେ ତାର ଛବିର ଯେ କିଛି ମହତ୍ତ୍ଵ ଥିବ, ଏ କଳ୍ପନା ମନକୁ ତାର କେବେ ସ୍ପର୍ଶ କରି ନ ଥିଲା । କେବଳ ଏକ ଖିଆଲରେ ସେ ଛବି କେତୋଟିକୁ ପଠାଇ ଦେଇଥିଲା ସେ ଦିନ-। ନିଜର ଛବି ପ୍ରଦର୍ଶନୀରେ ଥିଲେ ସୁଦ୍ଧା ସେ ନିଜେ କେବେ ଯାଇ ନଥିଲା ପ୍ରଦର୍ଶନୀ ଦେଖିବାକୁ, ତା ମନରେ କେବେ ଆଗ୍ରହ ସୁଦ୍ଧା ନଥିଲା...

 

ସେଦିନ ସେ ନିଜ କକ୍ଷରେ ଶୋଇ ଆକାଶପାତାଳ କେତେ କଣ ଭାବୁଥିଲା । ନିଜ କଥା, ଭବିଷ୍ୟତ କଥା ଏବଂ ତା ସହିତ ନୀଳକଣ୍ଠର କଥା....

 

ଚାକରାଣୀ ଆସି ଖବର ଦେଲା, ବାବୁ ଜଣେ କିଏ ଖୋଜୁଛନ୍ତି । ଶେଯରୁ ଉଠି ବାହାରକୁ ଯିବାକୁ ଆଦୌ ଇଚ୍ଛା ନଥିଲା ତାର....ନିଜର ଅସଂଯତ ବେଶବାସକୁ ସାମାନ୍ୟ ସଜାଡ଼ି ନେଇ ସେ ଚାକରାଣୀ ହାତରେ ଡକାଇ ପଠାଇଥିଲା ଭଦ୍ର ବ୍ୟକ୍ତିଙ୍କୁ....ଭାବିଥିଲା କେହି ତାର ସହପାଠୀ କିମ୍ବା ଅଧ୍ୟାପକ ହେବେ ସମ୍ଭବତଃ...କିନ୍ତୁ ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କୁ ସେ ଆଦୌ ଚିହ୍ନିପାରିଲା ନ।ହିଁ....ଆଗରୁ ତାଙ୍କୁ କେବେ କେଉଁଠି ଦେଖିଥିଲା ଭଳି ମଧ୍ୟ ତାର ମନେପଡ଼ିଲା ନ।ହିଁ.....

 

ସେଇ ଭାବବ୍ୟଞ୍ଜକ ଆଖି, ରୁକ୍ଷ ଟାଆଁସା ମୁଣ୍ଡ ବ।ଳ ଆଉ ଅଭୁତ ଏକ ଶୁଖିଲା ଚେହେରା । ପରିଧେୟ ଧୋତି ପଞ୍ଜାବୀ ମଧ୍ୟ ଅବ।ଞ୍ଛିତ ଭାବରେ ମଇଳା । ସୁନନ୍ଦା ସାମାନ୍ୟ ଅପ୍ରତିଭ ହୋଇଥିଲା ଭଦ୍ର ବ୍ୟକ୍ତିଙ୍କୁ ଦେଖି....ମନେ ମନେ ଭାବିଥିଲା ଭଦ୍ର ବ୍ୟକ୍ତି ହୁଏତ ଭୁଲରେ ଅନ୍ୟ କହାରିକୁ ଖୋଜି ତା କକ୍ଷକୁ ଚାଲି ଆସିଛନ୍ତି.....

 

ସୁନନ୍ଦା ନିଜ ଅଜାଣତରେ କେତେବେଳେ କହି ଉଠିଲା, ଆପଣ ବୋଧହୁଏ ଅନ୍ୟ କାହାରିକୁ ଖୋଜୁଛନ୍ତି । ମୋ, ନା ସୁନନ୍ଦା ରାୟ ଚୌଧୁରୀ....

 

ଦୁଇ ହାତ ତୋଳି ନମସ୍କାର କରି ଭଦ୍ର ବ୍ୟକ୍ତି ଜଣକ କହି ଉଠିଲେ, ପ୍ରଥମେ ମୋର ଧାରଣା ହୋଇଥିଲା ମୁଁ ହୁଏତ ଭୁଲରେ ଅନ୍ୟ କାହାରି କକ୍ଷକୁ ଆସିଯାଇଛି । କିନ୍ତୁ ନାମ ଶୁଣିଲା ପରେ ମୋର ସେ ଭୁଲ ଧାରଣା ଭାଙ୍ଗିଗଲା....ମୁଁ ଠିକ୍ ସ୍ଥାନରେ ଆସି ପହଞ୍ଚିଚି....

 

ତାପରେ ଆଉ ଭଦ୍ର ବ୍ୟକ୍ତିକୁ ଅପେକ୍ଷା କରିହୁଏନା । ସୁନନ୍ଦା ତାଙ୍କୁ ବସିବାକୁ କହିଥିଲା-। ଚାକରାଣୀକୁ ଚା ‘ଆଣିବାକୁ ବରାଦ ଦେଇଥିଲା । ତାର ଏସବୁ ବ୍ୟସ୍ତଭାବ ଦେଖି ଭଦ୍ରବ୍ୟକ୍ତି ହସିଥିଲେ ସେଦିନ । ବ୍ୟସ୍ତ ହୋଇ ଉଠିଥିଲେ । ସୁନନ୍ଦାର ସେ ସବୁ କଥା ଆଜି ଠିକ୍ ମନେ ଅଛି ।

 

ତାପରେ ନିଜର ପରିଚୟ ଦେଇ ଭଦ୍ର ବ୍ୟକ୍ତି ଜଣକ କହିଥିଲେ, ମୋ ନାମ ହେଉଛି ପଙ୍କଜ ଦାସ । ଘର ଆସାମ । କଲିକତାରେ ପ୍ରତ୍ନତତ୍ତ୍ଵ ବିଷୟରେ ଗବେଷଣା କରୁଛି । ହଜାର ହଜାର ବର୍ଷ ଧରି ମାଟି ତଳେ ପୋତି ହୋଇଥିବା ପଦାର୍ଥକୁ ନିରୀକ୍ଷଣ କରି ବିଶ୍ଳେଷଣ କରୁଛି ସେ ଫସିଲରେ ଇତିହାସର କେଉଁ ସ୍ଵର୍ଣ୍ଣଯୁଗ କଥା ଲେଖା ହୋଇ ରହିଛି.....

 

ପଙ୍କଜ ଦାସର କଥା ସେଦିନ ବେଶ୍ ମିଠା ମିଠା ଶୁଭିଥିଲା ସୁନନ୍ଦାର କାନକୁ । ଉତ୍‍ଫଣ ନାଗୁଣୀ ଭଳି ମଥା ତୋଳି ସେ ପ୍ରଶ୍ନ କରି ଉଠିଥିଲା, କିନ୍ତୁ ମୋ କକ୍ଷରେ କିଛି ପ୍ରତ୍ନତାତ୍ତ୍ଵିକ ଫସିଲ୍ ଅଛି ବୋଲି ଆପଣକୁ ସମ୍ବାଦ ଦେଲା କିଏ ?

 

ପଙ୍କଜ ଦାସ ସେ ପ୍ରଶ୍ନ ଶୁଣି ଲଜ୍ଜିତ ହୋଇ ପଡ଼ିଥିଲା । କହିଥିଲା, ନାଇଁ....ଏଇ ପ୍ରଦର୍ଶନୀ ଦେଖି ଯାଇଥିଲି । ସିଧା ପ୍ରଦର୍ଶନୀରୁ ଫେରୁଛି । ଆପଣଙ୍କର ଗୋଟିଏ ଛବି ଦେଖିଲି ସେଠାରେ । ଗୋଟିଏ ମଲା ଥୁଣ୍ଟା ଆମ୍ବ ଗଛର ପ୍ରଶାଖାରେ ବସିଛି ଗୋଟିଏ କୁଣ୍ଡାଖିଆ ଚଢ଼େଇ । ତଳକୁ ଥଣ୍ଟ ବଢ଼ାଇ ଚାହିଁଛି.....ତଳେ ଶ୍ୟାମଳ କୋମଳ ଘାସ । ଅନାବନା କେତୋଟି ଫୁଲ ଗଛ ମଧ୍ୟ ଛବିରେ ଦେଖା ଯାଉଛି । ଚଢ଼େଇଟିକୁ ସେ ସବୁଜ ଶାଦ୍ଦଳ ଘାସ କଅଣ କହୁଛନ୍ତି କିଛି ଚିତ୍ରଟିରେ ସୂଚେଇ ଦିଆଯାଇ ନ ଥିଲେ ବି ବେଶ୍ ବୁଝି ହେଉଛି ସେ କଥା.....

 

ଉତ୍ସାହିତ ହେଲାଭଳି ସେଦିନ ମନରେ ଅସୀମ ଆଗ୍ରହ ଭରି ସୁନନ୍ଦା ପଚାରିଥିଲା—ସେ ଘାସ ଚଢ଼େଇଟିକୁ କଅଣ କହୁଛି, ଆପଣ କହିଲେ ଦେଖି !

 

ପଙ୍କଜ ଦୁଃଖର ଏକ ଦୀର୍ଘଶ୍ଵାସ ଛାଡ଼ିଥିଲା ।

 

ମୁହଁ ତଳକୁ କରି କହିଥିଲା, ମଲା ଥୁଣ୍ଟା ଗଛକୁ ଆଶ୍ରାକରି ଯିଏ ବସିଛି, କୋମଳ-ଶ୍ୟାମଳ ଘାସର ବ୍ୟଥା ସେ ଆଦୌ କିଛି ବୁଝି ନଥିବ ମିସ୍ ରାୟ ଚୌଧୁରୀ ! ଚିତ୍ରଟା ସତରେ ଭାରି ଚମତ୍କାର ହୋଇଛି.....

 

ଛବିଟା କଲାବେଳେ ସୁନନ୍ଦା ଏତେ ନିବିଡ଼ ଭାବରେ ବୁଝି ନଥିଲା ତା ନିଜ ଛବିର ଏହି ଅଜ୍ଞାତ ରହସ୍ୟ । ପଙ୍କଜ ଦାସ ମୁହଁରୁ କଥାତକ ଶୁଣି ସେ ବୁଝିଲା ଛବି ତାର ସାର୍ଥକ ହୋଇଛି । ପଙ୍କଜକୁ ମନେ ମନେ ଧନ୍ୟବାଦ ଜଣାଇ ସୁନନ୍ଦା ସେଦିନ କହିଥିଲା, ଆପଣଙ୍କ ପ୍ରଶଂସା ପାଇଁ ବହୁ ଧନ୍ୟବାଦ !

 

ପଙ୍କଜ ପୁଣି କଣ୍ଠ ନରମ କରି କହିଥିଲା, ମୁଁ ଚାହେଁ ସେ ଛବିଟି କିଣିବାକୁ ମିସ୍ ରାୟଚୌଧୁରୀ । ସେ ଛବିଟି ମୋତେ ଏତେ ଆକୃଷ୍ଟ କରିଛି ଯେ....

 

ସୁନନ୍ଦା ହସି ହସି କହିଥିଲା, ମୋର ସେଥିରେ ଆଦୌ ଆପତ୍ତି ନ।ହିଁ । ଆପଣ ସେ ଛବିଟା କିଣି ନେଇ ପାରନ୍ତି ।

 

ପଙ୍କଜ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲା, କିନ୍ତୁ ସେ ଛବିଟାର ମୂଲ୍ୟ ପ୍ରଦର୍ଶନୀ କର୍ତ୍ତୃପକ୍ଷ ବାର ଶହ ଟଙ୍କା ରଖିଛନ୍ତି ମିସ୍ ରାୟ ଚୌଧୁରୀ ! ଏତେ କମ୍ ସମୟ ଭିତରେ ଏତେ ଟଙ୍କା ମୁଁ ଯୋଗାଡ଼ କରିପାରିବି ନ।ହିଁ । ସେ ଛବିଟା ପାଖରେ ବହୁ ଲୋକ ରୁଣ୍ଡ ହୋଇଛନ୍ତି । ଯଦି ଛବିଟା ବିକ୍ରି ହୋଇଯାଏ...

 

ଶେଷ ଆଡ଼କୁ ପଙ୍କଜର କଣ୍ଠ ବେଦନାରେ କାତର ହୋଇ ପଡ଼ିଥିଲା । ସୁନନ୍ଦା ଅବାକ୍ ଆଖିରେ ଚାହିଁ ରହିଥିଲା ପଙ୍କଜର ଆଡ଼କୁ । ପଙ୍କଜ ଗରିବ । ପାଖରେ ତାର ଟଙ୍କା ନ।ହିଁ । କିନ୍ତୁ ସେ ଛବି କିଣିବାକୁ ଚାହେଁ । ବାରଶହ ଟଙ୍କାର ଛବି !

 

ସୁନନ୍ଦା ମନରେ କୌତୂହଳ ଅତି ନିବିଡ଼ ହୋଇ ଆସିଥିଲା । ପଙ୍କଜର କଥା ଶୁଣି ବିସ୍ମୟ ଓ ଆନନ୍ଦରେ ଅଭିଭୂତ ହୋଇ ପଡ଼ିଥିଲା । କିଛି ସମୟ ନୀରବ ରହିବା ପରେ ସେ ନିର୍ଲିପ୍ତ କଣ୍ଠରେ କହିଲା, ମୁଁ ସେ ଛବିଟାକୁ ଆଜି ପ୍ରଦର୍ଶନୀରୁ ନେଇ ଆସୁଛି ମି:ଦାସ ! ଆପଣଙ୍କୁ ମୁଁ ସେ ଛବିଟା ଉପହାର ଦେଇ ଦଉଛି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ.....

 

ବସ୍, ଏଇ ପଦିଏ କଥା ।

 

ପଙ୍କଜ କୃତଜ୍ଞତାରେ ଗଦ୍‍ଗଦ୍ ହୋଇପଡ଼ିଲା । ଅସ୍ଥିର ହୋଇ ଉଠିଲା ଆନନ୍ଦରେ । ସେଇ ଅସ୍ଥିର ଆନନ୍ଦ, ଗଭୀର କୃତଜ୍ଞତା ପରେ ପରିଣତ ହୋଇଥିଲା ଗଭୀର ଆନ୍ତରିକତାରେ । ସେଇ ଆନ୍ତରିକତାର ସୁଯୋଗ ନେଇ ସୁନନ୍ଦା ପାଖରେ ପଙ୍କଜ ଦାବି କରିଥିଲା ବିବାହ କରିବା ପାଇଁ । ସୁନନ୍ଦା ଦ୍ଵନ୍ଦ୍ୱର ଜାଲରେ ଛନ୍ଦି ହୋଇପଡ଼ିଥିଲା । ନୀଳକଣ୍ଠ ଭଲପାଏ ତାର ଦେହକୁ, ଆଉ ପଙ୍କଜ ଭଲପାଏ ତାର ଚିତ୍ରଶିଳ୍ପକୁ । ସେ ଶିଳ୍ପୀ । ସେ କାହାକୁ ଭଲ ପାଇବ ?

 

ଶିଳ୍ପୀ ନିଜଠାରୁ ବେଶୀ ଭଲପାଏ ତାର ସୃଷ୍ଟି କଳାକୁ । ନୀଳକଣ୍ଠକୁ ପ୍ରତ୍ୟାଖ୍ୟାନ କରି ପଙ୍କଜକୁ ବିବାହ କରିବା ପାଇଁ, ସେଇଥି ଲାଗି ସ୍ଥିର କରିଥିଲା ସୁନନ୍ଦା । ପଙ୍କଜ ସହିତ କଲିକତା ଭିକ୍ଟୋରିଆ ମେମୋରିଆଲ୍ ହଲ୍‍ର ସେଇ ସବୁଜ ପ୍ରାନ୍ତର, ଗଙ୍ଗାର ଚଳଚଞ୍ଚଳ ଜଳଧାରର ପାର୍ଶ୍ଵଭାଗରେ ସେ କଟାଇଥିଲା କେତେ ସ୍ମୃତିସଜଳ ପ୍ରଣୟମଧୁର ମୁହୂର୍ତ୍ତ .. ଚାକିରି କଲାପରେ ବିବାହ କରିବ ବୋଲି ତାକୁ ଆଶ୍ଵାସନା ଦେଇଥିଲା ପଙ୍କଜ....ତାକୁ ସେ କେବେ ଅବିଶ୍ଵାସ କରିପାରି ନଥିଲା । କିନ୍ତୁ ଯେଉଁଦିନ ସୁନନ୍ଦା ନିଜ ଭିତରେ ଆବିଷ୍କାର କଲା ଆଉ ଏକ ନୂତନ ସୃଷ୍ଟିର ସୂଚନା, ସେଦିନ ପଙ୍କଜକୁ ଅନୁନୟ କରି କହିଥିଲା ସୁନନ୍ଦା ବିବାହ କରିବା ପାଇଁ....କିନ୍ତୁ ପଙ୍କଜ ସମ୍ବଳହୀନ, ନିଃସ୍ଵ । ବିବାହ ପାଇଁ ସେ ନିଜକୁ ପ୍ରସ୍ତୁତ କରିବ କିପରି ?

 

ପଙ୍କଜ ପାରିଲା ନାହିଁ । ସାଧାରଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ ସୁନନ୍ଦା ହୁଏତ ଏତେ ଦୁଃଖିତ ହୋଇ ନ ଥାନ୍ତା । କିନ୍ତୁ ସେ ଯେଭଳି ଦୁର୍ବଳ, ଭୀରୁ, କାପୁରୁଷ ଭଳି ଖଣ୍ଡେ ଚିଠି ଲେଖି ପଳାଇଲା....

 

ଦୁଃଖ ଲଜ୍ଜାରେ ମ୍ରିୟମାଣ ହୋଇଥିଲା ସୁନନ୍ଦା......

 

ଅପମାନ ଅନୁଶୋଚନାରେ ସେ ମୂହ୍ୟମାଣ ହୋଇ ପଡ଼ିଲା ।

 

ପଙ୍କଜ ଭଣ୍ଡ, ପ୍ରତାରକ, କାପୁରୁଷ ।

 

ଆଉ ନୀଳକଣ୍ଠ..... ।

 

ନୀଳକଣ୍ଠ ଖାଲି ହସେ । ଖୁସି ହୁଏ ସୁନନ୍ଦାକୁ ଭାବବିହ୍ଵଳ ଦେଖିଲେ କହେ—ଦେଖ୍ ଆକାଶରେ କେତେ ରଙ୍ଗ । କେତେ ଛବି । ଅମର ସେ ନାନା ରଙ୍ଗର ଦିନଗୁଡ଼ିକ କଥା ଏଇ ଆକାଶକୁ ଚାହିଁଲେ ହିଁ ମନେ ପଡ଼େ । ଏଥର ଆ’, ହାତ ଧରାଧରି ହୋଇ ସେଇ ହଜିଲା ଦିନକୁ ଆମେ ଖୋଜି ହେବା । ସେଇ ମିଠା ମିଠା ଦିନ ଗୁଡ଼ିକ ପୁଣି ଯଦି ଫେରି ଆସେ କେଡ଼େ ଭଲ ହେବ ସତେ ନନ୍ଦା !

 

ସୁନନ୍ଦା ନୀଳକଣ୍ଠକୁ ନିରୀକ୍ଷଣ କରି ଚାହେଁ ।

 

ତାକୁ ପାଇଁ ତା’ହେଲେ ଖୁବ୍ ଖୁସି ହୋଇଛି ନୀଳକଣ୍ଠ ! ସେ ସବୁଜ ସବୁଜ ଅତୀତ ଦିନଗୁଡ଼ିକୁ ସେ ପୁଣି ଫେରିପାଇଛି । ସେ ମୁଗ୍ଧ ହୁଏ । ଉଲ୍ଲସିତ ହୁଏ । ଓଠ ଥରାଇ ହସି ହସି କହେ ତମେ ମୋତେ ପାଇ ସତରେ ଖୁସି ହୋଇଛ ନିଲୁ ଭାଇ !

 

ବିବାହ କଲାପରେ ନିଲୁ ଭାଇ ବୋଲି ଆଉ ଡାକିବା ସୁନ୍ଦର ଶୁଭୁ ନାହିଁ । ହଠତ୍ କଥାଟି ସ୍ମରଣ କରି ନିଜ ଭୁଲ ଯୋଗୁଁ ଜିଭ କାମୁଡ଼ି ପକାଏ ସୁନନ୍ଦା । ସୁନନ୍ଦାର ସେ ଅପ୍ରତିଭ ଭାବକୁ ଲକ୍ଷ୍ୟ କରି ନୀଳକଣ୍ଠ କୁହେ, ସ୍ଵାମୀ ଦେବତାକୁ ଆଉ ଭାଇ ଡାକିଲେ ଭଲ ଶୁଭିବ ନାହିଁ ନନ୍ଦା ! ଜିଭଟାକୁ ଅକ୍ତିଆର ଭିତରେ ରଖ....

 

ସ୍ଵାମୀ ଆଉ ଦେବତା !

 

ସୁନନ୍ଦାର ମନେହୁଏ ନୀଳକଣ୍ଠ ଯେପରି ତାର ସ୍ଵାମୀ ନୁହେଁ, କେବଳ ଦେବତା । ନୀଳକଣ୍ଠ କଥା ଭାବିଲେ ଅଗ।ଧ ଭକ୍ତି, ଅମ।ପ ଭୟରେ ହୃଦୟଟା ତାର ଜଡ଼ ପାଲଟି ଯାଏ । ଚେତନା ଶକ୍ତି ଦୁର୍ବଳ ହୋଇ ପଡ଼େ । ଇଚ୍ଛା ହୁଏ, ନୀଳକଣ୍ଠର ପାଦଧୂଳି ଆଣି ସେ ଯଦି କେବଳ ମୁଣ୍ଡରେ ମାରି ଆଖି ବୁଜି ଦିଅନ୍ତ। !

 

ନୀଳକଣ୍ଠ ଖୁସି ହୋଇଛି । ବିବାହ ପରେ ଜୀବନ ତାର ସାର୍ଥକ ହୋଇଚି ବୋଲି ସେ ଭାବି ନେଇଛି । ନୀଳକଣ୍ଠର ଏଇ ଆନନ୍ଦ; ସୁନନ୍ଦା ପାଇଁ ଏକ ଆତଙ୍କ । ନୀଳକଣ୍ଠର ଏଇ ସ୍ନେହ, ତା ପାଇଁ ଏକ ଭୟର କାରଣ ।

 

ସୁନନ୍ଦାର ମୁହଁ ଶୁଖିଲା ଦେଖିଲେ ନୀଳକଣ୍ଠ ବିବ୍ରତ ହୋଇ ପଡ଼େ । କହେ, ମତେ ପାଇ କଣ ତୁ ସୁଖୀ ହୋଇ ନାହୁଁ ନନ୍ଦା ! ଅସୁବିଧାରେ ପଡ଼ି ବିବାହ କଲୁ ବୋଲି କଅଣ ତୋର ସ୍ନେହ ସୋହାଗ ମୁଁ ପାଇବି ନାଇଁ ?

 

ଝାଉଁଳିପଡ଼େ ସୁନନ୍ଦାର ମୁହଁ ଲାଜ୍ଜ, ଅପମାନ ଓ କ୍ଷୋଭରେ । ଭାବେ, ଆଉ ଗୋଟିଏ ଦୁରନ୍ତ ପୁରୁଷର ମନକୁ ସ୍ନେହସ୍ନାତ କରିବା ପାଇଁ ତାଆର କ’ଣ ଅଛି ଐଶ୍ଵର୍ଯ୍ୟ ଆଉ ଅବଶିଷ୍ଟ ଅଛି-? ପଙ୍କଜ ଦାସ କଣ ତା ମନକୁ ଚିପୁଡ଼ି ସବୁ ରସ ନେଇପାରି ନାହିଁ !

 

ନାଇଁ—ପାରି ନ।ହିଁ । ଜୀବନ ଭୀରୁ ପଙ୍କଜ ଦାସ ତା ପ୍ରଣୟର ଫୁଲବନରୁ ଛତ୍ରଭଙ୍ଗ ଦେଇ ପଳାୟନ କରିଛି । କେବଳ ତା ଜୀବନର ପାତ୍ରରେ ଭରି ଦେଇ ଯାଇଛି ଶେଷ ହୀନ ହାହାକାର, ଅନ୍ତହୀନ କଳଙ୍କର କାଳିମା.....ଯାହାକୁ ସେ ନିଜ ପ୍ରଣୟର ଅମୃତ ଦେଇ ଭଲ ପାଇଥିଲା, କୃତଘ୍ନତା କରି ସେ ତା ଜୀବନକୁ ବିଷାୟିତ କରିଦେଇ ଚାଲିଗଲା ।

 

ଏଥିପାଇଁ ସେ କଣ ପଙ୍କଜ ଦାସକୁ କ୍ଷମା କରିପାରିବ ?

 

କ୍ଷମା !

 

କଥାଟା ଚିନ୍ତା କଲାକ୍ଷଣି ସୁନନ୍ଦାର ସର୍ବାଙ୍ଗରେ ଏକ ନୂତନ କମ୍ପନ ଜାଗ୍ରତ ହୁଏ । ଆଖିଆଗରେ ଭାସି ଉଠେ ପଙ୍କଜ ଦାସର ସେଇ ରୁକ୍ଷ କେଶ, ଶୁଖିଲା ମୁହଁଟିର ଛବି......ସେଇ ସୁନ୍ଦର ଶାନ୍ତ ନିଶ୍ଚଳ ଆଖି ଦୁଇଟିର ଦୃଶ୍ୟ....ଯେଉଁ ଆଖି ଦୁଇଟା ସାମାନ୍ୟ ଆଘାତରେ ଲୁହରେ ଛଳ ଛଳ ହୋଇ ଆସେ..…

 

ପଙ୍କଜ ସେଦିନ କହୁଥିଲା, ତମେ ଅପାତ୍ରରେ ପ୍ରେମଦାନ କଲ ସୁନନ୍ଦା ! ତମେ ଆଗରୁ ଜଣକୁ ଭଲ ପାଇଥିଲ ବୋଲି ଜାଣି ଥିଲେ ମୁଁ କଦାପି ତମ ମନର ଉପାନ୍ତ ସ୍ପର୍ଶ କରି ନଥାନ୍ତି.....

 

ଆକାଶରୁ ଖସିପଡ଼ିଲା ଭଳି ଆଶ୍ଚର୍ଯ୍ୟ ହୋଇ ସୁନନ୍ଦା ପଚାରିଲା, ମୁଁ ଆଉ ଜଣେ ପୁରୁଷକୁ ଭଲ ପାଉଥିଲି ବୋଲି ଆପଣ ଜାଣିଲେ କେମିତି ?

 

ସୁନନ୍ଦାର କଥା ଶୁଣି ପଙ୍କଜ ଦାସର ଆଖି ଦୁଇଟା ଆନନ୍ଦର ଆଲୋକରେ ଚିକ୍ ଚିକ୍ କରି ଉଠିଲା । ସେ କହିଲା, ତମ ଅଜାଣତରେ ତମ ଚିଠି ପଢ଼ି ମୁଁ ଅନ୍ୟାୟ କରିଛି ସୁନନ୍ଦା ! କିନ୍ତୁ ମୁଁ ସେ ପ୍ରଲୋପନ ସମ୍ବରଣ କରିପାରିଲି ନ।ହିଁ । ନୀଳକଣ୍ଠ ବାବୁଙ୍କୁ ତୁମେ ଭଲ ପାଉଥିଲେ.....ଏବେ ବି ସେ ତୁମକୁ ଭଲ ପାଆନ୍ତି । ନାଇଁ ?

 

ସୁନନ୍ଦା ଅଳ୍ପ ହସି ମୁଣ୍ଡ ତଳକୁ ତଳକୁ କରିଦେଇଥିଲା ସେଦିନ । ଅନତ ଦୃଷ୍ଟିରେ ପଙ୍କଜକୁ ଚାହିଁ ସେ କହିଥିଲା, ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନ।ହିଁ । ନିଲୁ ଭାଇ ଭଲ ଲୋକ । ମୁଁ ତାକୁ ସବୁ କଥା ଲେଖି ଜଣାଇଚି । ଆପଣଙ୍କ ସହିତ ବିବାହ ପାଇଁ ସେ ଅନୁମତି ଦେଇଛନ୍ତି......

 

ସୁନନ୍ଦାର କଥା ଶୁଣି ପଙ୍କଜ ଦାସ ସେଦିନ ବିପୁଳ ବିସ୍ମୟରେ ବିମୁଢ଼ ହୋଇଯାଇଥିଲା-। ଜଣେ ପୁରୁଷ ନିଜର ପ୍ରେମିକାକୁ ଆଉ ଜଣେ ପୁରୁଷ ସହିତ ବିବାହ କରିବା ପାଇଁ ଅନୁମତି ଦେଇପ।ରେ ! ଏ କଥାକୁ ବହୁ ଚେଷ୍ଟା କରି ସୁଦ୍ଧା ସମ୍ଭବତଃ ସେ ବିଶ୍ଵାସ କରି କରିପାରୁ ନଥିଲା । ସେଥିପାଇଁ ନିଜ କଣ୍ଠରେ ଅସୀମ ଅବିଶ୍ଵାସର ଚିହ୍ନ ଫୁଟାଇ ସେ କହିଲା—ନୀଳକଣ୍ଠ ବାବୁ ବଡ଼ଲୋକ...ତମେ ତାଙ୍କୁ ବିବାହ ନକରି....

 

କଥା ଅଧାରୁ ତୀବ୍ର ପ୍ରତିବାଦ କରି ସୁନନ୍ଦା ସେଦିନ ଚିତ୍କାର କରି ଉଠିଥିଲା, ଆପଣ କଣ ନାରୀକୁ ଟଙ୍କାର ଏକ ଖେଳନା ବୋଲି ବୋଲି ମନେ କରନ୍ତି ପଙ୍କଜ ବାବୁ ! ଟଙ୍କା କଣ ନାରୀ ପକ୍ଷରେ ସର୍ବସ୍ଵ !

 

ସୁନନ୍ଦାର କଥାର ଉତ୍ତର ନଦେଇ ନୀରବ ହୋଇଯାଇଥିଲା ପଙ୍କଜ । ଜଣେ ନାରୀ ପ୍ରଥମେ ଜଣେ ପୁରୁଷକୁ ଭଲ ପାଇଲା ପରେ ଆଉ ଜଣେ ପୁରୁଷକୁ ବିବାହ କରିବା ପାଇଁ ନିଜ ପ୍ରଥମ ପ୍ରଣୟୀଠାରୁ ଅନୁମତି ଆଣିପ।ରେ, ଏକଥା ତାକୁ ଖୁବ୍ ଦୁର୍ବୋଧ୍ୟ ମନେ ହେଉଥିଲା । ବୁଝିବାକୁ ବହୁ ଚେଷ୍ଟା କରି ମଧ୍ୟ ସୁନନ୍ଦା ମନର ସେଇ ଗଭୀର ରହସ୍ୟକୁ ବୁଝିପାରୁ ନଥିଲା ପଙ୍କଜ-। ବହୁ ସମୟ ନୀରବ ରହିଲା ପରେ ପଙ୍କଜ ସେଦିନ ତାକୁ ନିର୍ଲିପ୍ତ କଣ୍ଠରେ କହିଥିଲା, ତମର ଏ ଭଲପାଇବାକୁ ଯଦି ମୁଁ ଉପଯୁକ୍ତ ସମ୍ମାନ ଦେଇ ନ ପ।ରେ ତାହେଲେ ତୁମେ ମୋତେ କ୍ଷମା କରିବ ନାହିଁ ସୁନନ୍ଦା !

 

କ୍ଷମା !

 

ପଙ୍କଜର ସେଇ କଥାପଦିକ ଏବେ ବି ସୁନନ୍ଦାର କାନରେ ଶୁଭିଯାଉଛି । ପଙ୍କଜର ସେ କ୍ଷମା ଭିକ୍ଷା ପଛରେ କୌଣସି ଦୁରଭି ସନ୍ଧିର ଆଭାସ ପାଇଁ ନଥିଲା ସୁନନ୍ଦା ସେଦିନ । ସେକଥା ମୂଳରୁ ସେ ମନକୁ ମୋଟେ ଆଣିନଥିଲା । ସେଦିନ ତାର ମନେ ହୋଇଥିଲା, ଭଲପାଇବାର ଭାବପ୍ରଣୟତାରେ ବିହ୍ଵଳ ହୋଇ ପଙ୍କଜ କ୍ଷମା ଭିକ୍ଷା କଥା କହୁଛି । ପଙ୍କଜ ତାର ପ୍ରେମକୁ ଉପଯୁକ୍ତ ସମ୍ମାନ ଦେବନାହିଁ, ଏକଥା କେବେ କଳ୍ପନା କରି ନଥିଲା ସୁନନ୍ଦା ।

 

କିନ୍ତୁ ଆଜି ସୁନନ୍ଦ।ର ଖିଆଲ ହେଲା ସେଦିନ ପଙ୍କଜର କ୍ଷମା ଭିକ୍ଷା ପଛରେ କୌଣସି ଭାବପ୍ରବଣତା ନୁହେଁ, ଏକ ପରିକଳ୍ପିତ ପ୍ରବଞ୍ଚନା ହିଁ ଲୁଚି ରହିଥିଲା । ନୀଳକଣ୍ଠ ତାକୁ ଆଗରୁ ଭଲ ପାଉଛି ବୋଲି ଜାଣି ମନେ ମନେ ହୁଏତ ଈର୍ଷା କରୁଥିଲା ପଙ୍କଜ । ଶେଷରେ ସେ ତା ସହିତ ବିଶ୍ଵାସଘାତକତା କଲା । ଚରମ ବିଶ୍ଵାସ ଘାତକତା ! ତାକୁ କଳଙ୍କିନୀର ଅପବାଦ ଦେଇ ସେ ଭୀରୁ; କାପୁରୁଷ ଭଳି ଖସି ଚାଲିଗଲା...

 

ପଙ୍କଜ ଦାସକୁ କଣ ସେ କ୍ଷମା କରିପାରିବ !

 

ନିଜ ଦେହକୁ ଅନାଇ ନିଜେ ଚମକି ଉଠେ ସୁନନ୍ଦା ।

 

ପଙ୍କଜ ଦାସ ପ୍ରତି ମନେ ମନେ ତାର କରୁଣା ହେଲା । ମନେ ମନେ ହସିଉଥିଲା ସୁନନ୍ଦା । ଭାବିଲା ପଙ୍କଜ ଦାସ ନିର୍ବୋଧ । ପଙ୍କଜ ଦାସ କାପୁରୁଷ । ତା ପାଖରୁ ଖସି ଚାଲିଯିବାକୁ ଚେଷ୍ଟା କରି ସୁଦ୍ଧା ସେ ଯାଇ ପାରି ନାହିଁ । ତାରି ଗର୍ଭରେ ସେ ଛାଡ଼ି ଯାଇଛି ନିଜ ବିଶ୍ଵାସଘାତକତ।ର ଜୀବନ୍ତ ପ୍ରତୀକ—ସନ୍ତାନ । ପଙ୍କଜ ଦାସର ସେଇ ସନ୍ତାନ ନୀଳକଣ୍ଠର ଆଶ୍ରୟ ପାଇ ବଞ୍ଚିବ । ନୀଳକଣ୍ଠର ଉଦାରତାର ଛତ୍ରଛାୟା ତଳେ ତଳେ ଜୀଇଁ ରହିବ ପଙ୍କଜ ଦାସର ସନ୍ତାନ....

 

ପଙ୍କଜ ଉପରେ ଏହାଠୁଁ ବଳି ବଡ଼ ପ୍ରତିଶୋଧ କଅଣ ନେଇ ନେଇପାରେ ସୁନନ୍ଦା ! ଏହା ଠାରୁ ବଳି ଅଧିକ ଭୀଷଣ ଶାସ୍ତି ତାକୁ କଅଣ ଦେଇପାରେ ! ପଙ୍କଜ ଦାସ ହୁଏତ ଭାବିଥିଲା, ତାର ଆଘାତ ସହି ନ ପାରି ଗଙ୍ଗାକୁ ଝାମ୍ପିଦେଇ ଆତ୍ମହତ୍ୟା କରିବ ସୁନନ୍ଦା । ତାର ବିଶ୍ଵାସଘାତକତାର ଚିହ୍ନ ନିଶ୍ଚିହ୍ନ ହୋଇଯିବ । କିନ୍ତୁ ସୁନନ୍ଦା ତାହା ଘଟିବାକୁ ଦେଲା ନାହିଁ....

 

ସୁନନ୍ଦା ବଞ୍ଚି ରହିଲା....

 

ଜୀଇଁ ରହିଲା ପଙ୍କଜ ଦାସର ବିଶ୍ଵାସଘାତକତା ପ୍ରତୀକ—

 

ନୀଳକଣ୍ଠ ଦେଲା ତାକୁ ଏକ ନୂତନ ପଥର ସନ୍ଧାନ ।

 

ସୁନନ୍ଦା ଆଖି ବୁଜିଲା । ଭାବିବାକୁ ଲାଗିଲା ସେ ରୁଗଣ୍‍, ଅସୁସ୍ଥ ଦିନଗୁଡ଼ିକର ଘଟଣା । ନୀଳକଣ୍ଠ ପାଖରେ ଆଶ୍ରୟ ଭିକ୍ଷାପାଇଁ ତାକୁ ସାହସ ଦେଲା କିଏ, କେଉଁ ଆଶାରେ ନୀଳକଣ୍ଠ ତାକୁ ପାଦରେ ଏଡ଼ାଇ ଦେଲା ନାହିଁ ? ସେ କଥା ବୁଝି ପାରିଲା ନାହିଁ ସୁନନ୍ଦା ।

 

ଘଟଣାଗୁଡ଼ାକ ଏମିତି ଆଶ୍ଚର୍ଯ୍ୟ ଭାବରେ ଘଟିଗଲା ଯେ ସେ କୌଣସି କଥାର କାରଣ ଖୋଜି ପାଇଲା ନାହିଁ....

 

ଦିନ ଗଡ଼ିଚାଲିଲା ।

 

ସୁଅ ମୁହଁରେ ଠେଲି ହୋଇଗଲା ସେ ଅସହ୍ୟ ଦିନ ଗୁଡ଼ିକ ଆଖି ପିଛୁଡ଼ାକେ...ଦିନେ ରାତି ଅଧରେ ସୁନନ୍ଦା ଅନୁଭବ କଲା ନିଜ ଗର୍ଭରେ ଅସହ୍ୟ ଯନ୍ତ୍ରଣା...ତାର ମନେହେଲା ସେ ଆଉ ହୁଏତ ବଞ୍ଚି ରହିପାରିବ ନାହିଁ...

ତାହେଲେ ସେ କଣ ହାରିଯିବ ? ଜିତିଯିବ ପଙ୍କଜ ଦାସ ?

ଉଃ...କି ଯନ୍ତ୍ରଣା !

ପଙ୍କଜ ଦାସ ତାର ଭଲ ପାଇବାର ଏଇ ପ୍ରତିଦାନ ଦେଲା ? ତାକୁ ଏ ପୃଥିବୀରେ ବଞ୍ଚି ରହିବାକୁ ଦେବାକୁ ବି ସେ ବାଟ ଦେଲା ନାହିଁ !

ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ସୁନନ୍ଦା । ଗର୍ଭ ଭିତରେ ପଙ୍କଜ ଦାସର ରକ୍ତମାଂସ ବିଦ୍ରୋହ କରି ଉଠୁଛି...ଚାହୁଁଛି ସେ ମୁକ୍ତିର ପଥ । ପଙ୍କଜ ଦାସର ସେଇ ବିଶ୍ଵାସଘାତକତାର ପ୍ରତୀକକୁ ତା’ହେଲେ ଜନ୍ମଦେବ ସୁନନ୍ଦା !

ସୁନନ୍ଦାର ଯନ୍ତ୍ରଣାରେ ବ୍ୟଥିତ ହେଲା ନୀଳକଣ୍ଠ । ବିଚଳିତ ହେଲା । ମୁହଁରେ ତାର ଫୁଟି ଉଠିଲା ଆତଙ୍କର ଚିହ୍ନ, ଭୟରେ ଛାପ । ସୁନନ୍ଦା କହିଲା, ମୁଁ ଆଉ ବଞ୍ଚିବି ନାହିଁ...ଉଃ ଯନ୍ତ୍ରଣା-!

ନୀଳକଣ୍ଠର ଆତଙ୍କିତ ମୁହଁରେ ବେଦନାର ଛାୟା ଘନୀଭୂତ ହୋଇ ଆସୁଛି । ସେ ଭାବିଲା, କାହାପାଇଁ ସେ ଜୀବନରେ ଏତେ ନିନ୍ଦା, ଅପମାନ ସହିଲା, ଶେଷରେ ସେ କଣ ତାକୁ ବଞ୍ଚାଇ ପାରିବ ନାହିଁ !

 

ମେଡିକାଲକୁ ଫୋନ କଲା ନୀଳକଣ୍ଠ ।

 

କାରରେ ସାଙ୍ଗେ ସାଙ୍ଗେ ସୁନନ୍ଦାକୁ ପଠାଇଲା ମେଡିକାଲ । ଗର୍ଭ ବେଦନାରେ କାତର ହୋଇ ପଡ଼ିଥିବା ସୁନନ୍ଦା କେବଳ ବଲବଲ କରି ଚାହିଁ ରହିଲା ନୀଳକଣ୍ଠ ଆଡ଼କୁ । ପଙ୍କଜ ଦାସକୁ ତାହେଲେ କ୍ଷମା କରିବ । ତା’ ଛଡ଼ା ଆଉ ଉପାୟ କଣ ଅଛି ? ପଙ୍କଜ ଦାସର ବିଶ୍ଵାସଘାତକତାର ବିଷକୁ ପାନକରି ଆଶ୍ଵାସରେ ଅମୃତ ଦାନ କରି ନୀଳକଣ୍ଠ ବାବୁ ଉଦାର ହେବାକୁ ପ୍ରେରଣା ଦେଇଛି ।

 

ସୁନନ୍ଦା ରହିଲା ମେଡିକାଲରେ ।

 

ତା ଆରଦିନ ନୀଳକଣ୍ଠ ସମ୍ବାଦ ପାଇଲା, ସୁନନ୍ଦା ମାଆ ହୋଇଛି । ଏଇ ପୁତ୍ର ସନ୍ତାନର ମାଆ । ଆନନ୍ଦ ଓ ଆବେଗରେ ଅସ୍ଥିର ହୋଇ ଉଠିଲା ନୀଳକଣ୍ଠ । କାର୍ ନେଇ ସେ ଛୁଟିଗଲା ମେଡିକାଲକୁ ।

 

ସୁନନ୍ଦା ଶୋଇଛି କ୍ଳାନ୍ତ, ଅବସନ୍ନ ।

 

ପାଖରେ ରବର କଣ୍ଢେଇ ଭଳି ଛୋଟ ଏକ ଶିଶୁ । ନର୍ସମାନେ ନୀଳକଣ୍ଠକୁ ଅସ୍ଥିର କରି ପକେଇଲେ । ଭଲ ଭଲରେ ପୁଅ ହୋଇଛି । ଫିଷ୍ଟ୍‍ ଦିଅ ।

 

Unknown

ନୀଳକଣ୍ଠର ପୁଅ ହୋଇଛି ।

 

କେରି କେରି ହସର ଆଲୁଅ ଝରି ପଡ଼ୁଛି ନୀଳକଣ୍ଠର ମୁହଁରୁ ।

 

ସୁନନ୍ଦା ମୁହଁରେ ଆହେତୁକ ଗାମ୍ଭୀର୍ଯ୍ୟ । ଚିନ୍ତାର ରେଖାଗୁଡ଼ାକ ତାର କ୍ଳାନ୍ତ ମୁହଁରେ କୁଞ୍ଚିତ ହୋଇ ଆସିଲା ।

 

ନୀଳକଣ୍ଠ ସୁନନ୍ଦାର ମୁହଁକୁ ଚାହିଁ ଚମକି ଉଠିଲା ।

 

ସୁନନ୍ଦା ଯେ କାନ୍ଦୁଛି !

 

ନୀଳକଣ୍ଠ ଗୃହପାର୍ଶ୍ଵ ବଗିଚାରେ କେତେ ବାଳିକା ଫୁଲର ସଭା ବସିଛି । ଅସୁମାରୀ ଅଗଣିତ ନାନା ରଙ୍ଗର ଫୁଲ । ମହକରେ ଉତ୍ତଳା ହୋଇ ଉଠୁଛି ଗଗନ ପବନ । ଗଛ ଧାରରେ ଫୁଟି ହସୁଥିବା କଅଁଳ ଛନଛନ ପାଖୁଡ଼ା ମେଲା ମଲ୍ଲୀ ତରାଟ ସେ ନୁହେଁ । ନୁହେଁ ବି ମନଲୋଭା ରଙ୍ଗଣୀ ହରଗଉରା କି ଅପରିଜିତା, ରଜନୀଗନ୍ଧା ଫୁଲ । ସହରର କେତେ ନାମଜାଦା ବାବୁ ଘରର ସୁକୁମାରୀ ଫୁଲଟିମାନ ସିଏ । ଦେହର ମହକରେ ପବନ ସୁବାସିତ ହୋଇ ଉଠିଛି । ନୀଳକଣ୍ଠର ବଗିଚାରେ ସେମାନେ ଭିଡ଼ ଜମାଇଛନ୍ତି ।

 

ଅସଂଖ୍ୟ ତରୁଣୀ ଝିଅଙ୍କ ଭିଡ଼ ।

 

ନୀଳକଣ୍ଠର ଉଦ୍ୟାନ ଭୋଜି ।

 

ଏପଟେ ଖିଆପିଆର ଧୁମ୍ ଛୁଟିଲା । ସେପଟେ ନାଚ ଗୀତ ର ଆସର ଜମିଛି । ବିଜୁଳି ଆଲୁଅରେ ସଜା ହୋଇଥିବା ନୀଳକଣ୍ଠର ଦ୍ଵିତଳ ପ୍ରାସାଦ ଆଲୁଅରେ ଖାଲି ହେଉଛି ଝଲମଲ । ନାଲି, ନେଳି, ସବୁଜ, ବାଇଗଣୀ ରଙ୍ଗର ଆଲୁଅ ବିଛେଇ ହୋଇପଡ଼ିଛି ସାରା ବଗିଚା ।

 

ସ୍ଥାନୀୟ ବାଳିକା ବିଦ୍ୟାଳୟର ତୃତୀୟ ଶିକ୍ଷୟତ୍ରୀ ନୀଳିମା ଦାସ ଧରିଛି ସଂଗୀତର ଝଙ୍କାର ।

 

‘‘ବୟସର କୃଷ୍ଣଚୂଡ଼ା, ରଙ୍ଗ ତୁମ ମନ୍ଦ ନୁହେଁ...’’

 

ଶିକ୍ଷୟତ୍ରୀ ନୀଳିମା ଦାସର ଜୀବନରୁ ବୟସର କୃଷ୍ଣାଚୂଡ଼ା ଅନେକଦିନୁ ହୁଏତ ରଙ୍ଗ ହରାଇ ବିବର୍ଣ୍ଣ ହୋଇଯିବାକୁ ବସିଲାଣି; କିନ୍ତୁ ତାର କଣ୍ଠରେ ଏ ସଂଗୀତର ସ୍ଵରଟା ଭାରି ମିଠା ଆଉ ନିହାତି ସୁନ୍ଦର ଶୁଭୁଛି ।

 

ପ୍ରଥମେ ନୀଳିମା ଦାସ ନୀଳକଣ୍ଠର ଉଦ୍ୟାନଭୋଜିକୁ ଆସିବା ପାଇଁ ଅମଙ୍ଗ ହେଉଥିଲା-। ଯୁକ୍ତି କରୁଥିଲା, ଏ ବୟସରେ ଆଉ ଏ ଗୀତ ମୋ କଣ୍ଠରେ ସୁନ୍ଦର ଶୁଭିବ ନାହିଁ ଶୋଭାଦି-!

 

ଶୋଭାଦି’ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ନୀଳିମା ଦାସର ନାଟକୀୟ ସଂଳାପ ଶୁଣି ସେ ଏକ ପ୍ରକାର ଚକିତ ହୋଇଉଠିଲେ । ଆଖିର ଡୋଳା ଦୁଇଟାକୁ ଖୁବ୍ ଉପରକୁ ଉଠାଇ ବିସ୍ମୟଭରା କଣ୍ଠରେ କହିଲେ, ନୀଳକଣ୍ଠ ବାବୁ ଏ ବିଦ୍ୟାଳୟର ପ୍ରଧାନ ପୃଷ୍ଠପୋଷକ । ତାଙ୍କର ଅକୁଣ୍ଠିତ ସାହାଯ୍ୟ ଯୋଗୁ ସ୍କୁଲର ନିଅଣ୍ଟ ଟଙ୍କା ପୂରଣ ହୋଇଯାଉଛି । ଏ ବର୍ଷ ଆଉ ଗୋଟିଏ ଶିକ୍ଷୟତ୍ରୀ ଗ୍ରାଣ୍ଟ ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ପୁଅର ଏକୋଇଶା, ଏତେ ଶ୍ରଦ୍ଧାରେ ଡାକିକରି ଯାଇଛନ୍ତି, ନ ଗଲେ ସେ କଣ ଭାବିବେ ?

ନୀଳିମା ଦାସର ପ୍ରତିବାଦ ମୁହଁରେ ଫୁଟି ମୁହଁରେ ମଉଳିଗଲା ।

ନୀଳକଣ୍ଠର ଉଦ୍ୟାନ-ଭୋଜିରେ ସେ ହେଲା ପ୍ରଧାନ ଗାୟିକା ।

ଆଉ ବଗିଚାର ଉଭୟ ପଟେ...

ରଙ୍ଗମଞ୍ଚର ପରଦା ଅପସାରିତ ହୋଇଯାଉଛି...ସନ୍ଧ୍ୟାର ଚମତ୍କାର ଶୀତଳ ପବନରେ ପହଁରି ଭାସିଆସୁଛି ନର୍ତ୍ତକୀ ଅନୁରାଧାର ପଦ ମଞ୍ଜିର ଧ୍ୱନି… ଝୁମୁରୁ...ଝୁମୁରୁ...ଝୁମ ।

କଳାନିକେତନର ସର୍ବଶ୍ରେଷ୍ଠ ଆର୍ଟିଷ୍ଟ ଅନୁରାଧା ରାୟ ।

ପାଦର ଛନ୍ଦରେ ତାର ନୃତ୍ୟର ଲାସ୍ୟଲୀଳା । ପ୍ରଦେଶର ମୁଖ୍ୟମନ୍ତ୍ରୀ କଳା ନିକେତନର ଦୁଇଟି ବାର୍ଷିକ ଉତ୍ସବରେ ଦୁଇଥର ତାକୁ ସ୍ୱର୍ଣ୍ଣ ପଦକ ଉପହାର ଦେଇଛନ୍ତି—ଥରେ ତାକୁ ନିଭୃତରେ ସେ ଡାକି ନେଇଥିଲେ ନିଜ ସଚିବାଳୟକୁ । ପ୍ରଲୋଭନ ଦେଖାଇ ଥିଲେ ମୁଁ ତମକୁ ଉଚ୍ଚାଙ୍ଗ ନୃତଶିକ୍ଷା ପାଇଁ ବିଦେଶ ପଠାଇବି ।

ଅନୁରାଧାକୁ ସେ ପ୍ରଲୋଭନଟା କିପରି ଆମିଷ ମିଶ୍ରିତ ଭଳି ବୋଧ ହୋଇଥିଲା… ତେଣୁ ସ୍ୱଦେଶର ମିଠାମାଟି ଛାଡ଼ି ବିଦେଶ ଯିବାକୁ, ଲବଣାକ୍ତ ସମୁଦ୍ରର ଜଳରେ ଭସିବା ପାଇଁ କିମ୍ବା ନୀଳ ଅନ୍ତରାକ୍ଷର ବକ୍ଷରେ ଉଡ଼ିବା ପାଇଁ ସେ ରାଜି ହୋଇନଥିଲା ।

 

ଲୋକେ କୁହନ୍ତି ନୀଳକଣ୍ଠକୁ ବିବାହ କରିବା ପାଇଁ ଅନେକ ଦିନୁ ସେ ନିଜ ମନ ଭିତରେ ଗୋଟିଏ ବିପୁଳ ଆଶାକୁ ପୋଷି ରଖିଥିଲା । ସୁନନ୍ଦା ସହିତ ନୀଳକଣ୍ଠର ବିବାହ ସରିଲା ପରେ ସେଥିପାଇଁ ଦୁଇ ରାତି ଦୁଇ ଦିନ ନ ଖାଇ ନ ଶୋଇ ତୁଳାର ତକିଆଟାକୁ ନିଜର ଲୁଣି ଲୁହରେ ଓଦା କରି ଦେଇଥିଲା ଅନୁରାଧା ଅକରାଣରେ ।

 

ତେଣୁ ନୀଳକଣ୍ଠର ନିମନ୍ତ୍ରଣ ପାଇ ନାଚିବାକୁ ନ ଆସିବା ଲାଗି ଅଡ଼ି ବସିଥିଲା ଅନୁରାଧା । ଅନୁରାଧାର ଔଦ୍ଧତ୍ୟ ଦେଖି କଳା ନିକେତନର ସଂପାଦକ ଆତଙ୍କିତ ହୋଇ ପଡ଼ିଥିଲେ । ଅନୁନୟ କରି ଅନୁରାଧାକୁ ବୁଝାଇଥିଲେ, ନୀଳକଣ୍ଠ କଳା ନିକେତନର ଅବୈତନିକ ସଭାପତି । କଳାନିକେତନ ଗୃହ ନିର୍ମାଣ ପାଇଁ ପଚିଶ ହଜାର ଟଙ୍କା ଦେଇଥିଲା ନୀଳକଣ୍ଠ । ତାର ପୁଅ ଏକୋଇଶା । ଶ୍ରଦ୍ଧାରେ ସେ ଗୀତ ବୋଲିବାକୁ ଡାକି ଯାଇଛନ୍ତି । ନ ଗଲେ ଆଉ ଆମର ମାନ ସମ୍ମାନ ରହିବ ?

 

ଅନୁରାଧା କହିଲା, ତା’ହେଲେ ସଂଘ ଶରଣ ଗଚ୍ଛାମି ।

 

ନିଜପାଇଁ ନୁହେଁ, ସଂଘ ପାଇଁ ନିଜ ପ୍ରିୟତମ ଅନୁଷ୍ଠାନ ପାଇଁ, ଅନୁରାଧା ଏକ ଦୁରନ୍ତ ଅଭିମାନର ବୋଝକୁ ମନରେ ଲଦି ଆସିଛି ନୃତ୍ୟ ଦେଖାଇବାକୁ ନୀଳକଣ୍ଠର ଉଦ୍ୟାନ ଭୋଜିକୁ ।

 

ନୀଳକଣ୍ଠକୁ ଆଜି କ୍ଷଣ ହେଲେ ତର ନାହିଁ ।

 

ସେ ବ୍ୟସ୍ତ, ଭୀଷଣ ଭାବରେ ବ୍ୟସ୍ତ ।

 

ଗୃହସାରା ବହୁ ମାନ୍ୟଗଣ୍ୟ ନିମନ୍ତ୍ରିତ ଅତିଥି । ପୁଅର ତାର ଆଜି ନାମକରଣ, ଏକୋଇଶା । ନିମନ୍ତ୍ରିତ ବନ୍ଧୁ ଅତିଥିମାନଙ୍କ ପ୍ରଦତ୍ତ ଉପହାରରେ ପ୍ରାଙ୍ଗଣ ଏକ ପାର୍ଶ୍ୱ ପୂର୍ଣ୍ଣ ହୋଇଗଲାଣି । କେତେ ପ୍ରକାର ଉପହାର—କେହି ଦାମି ଖେଳଣା ଆଣିଛି ତ କିଏ ଆଣିଛି ସୁନାର ଅଳଙ୍କାର । ସେ ସବୁକୁ ସାଇତି ରଖିଛି ନୀଳକଣ୍ଠ । ସଜାଡ଼ି ରଖିଛି, ବେଳେବେଳେ ଗୃହମଧ୍ୟକୁ ପ୍ରବେଶ କରି ଶାୟିତ ପୁତ୍ର ସନ୍ତାନ ଏବଂ ସୁନନ୍ଦାର ମୁହଁକୁ ଚାହିଁ ହସିଦେଇ ଯାଉଛି ।

 

ସୁନନ୍ଦା ଥରେ ଆଗ୍ରହରେ ପଚାରିଲା, ବାପାଙ୍କୁ ଟେଲିଗ୍ରାମ୍ କରିଥିଲ, ଗ୍ରାମରୁ ସେ ଆସିଲେ ?

 

ଅଳ୍ପ ହସି ନୀଳକଣ୍ଠ ଉତ୍ତର ଦେଇ ଯାଇଥିଲା, ବ୍ୟସ୍ତ ହୁଅନି । ସେ ନିଶ୍ଚୟ ଆସିବେ । ନିଜର ନାତିର ଏକୋଇଶା । ସେ ସ୍ଥିର ହୋଇ ଗ୍ରାମରେ ବସି ପାରିବେ ।

 

ସୁନନ୍ଦାର ମନଟା ସନ୍ଦେହର ଦୋଳିରେ କିପରି ଦୋହଲିବାକୁ ଆରମ୍ଭ କରିଥିଲା । କିଛି ସମୟ ପରେ ସେ ପୁଣି ଥରେ ସାହସ ସଞ୍ଜୟ କରି ପଚାରିଲା, କହୁଥିଲ ପରା ବାବା ଆସିଲେ...

 

ମୁହଁଟାକୁ ସାମାନ୍ୟ ମ୍ଳାନ କରିଦେଇ ନୀଳକଣ୍ଠ କହିଲା, ନା ସେ ଆସିପାରିବେ ନାହିଁ ବୋଲି ଖବର ପଠାଇଛନ୍ତି । ପୁଅ ପାଇଁ ଉପହାର ପଠାଇଛନ୍ତି ଖଣ୍ଡେ ଭାଗବତ ପୋଥି । ଖବର ଦେଇଛନ୍ତି ପୁଅର ମୁଣ୍ଡରେ ଏ ପୋଥିକୁ ଛୁଆଁଇଦବ । ଅନ୍ୟ କିଛି ମୂଲ୍ୟବାନ ପଦାର୍ଥ ବଦଳରେ ନିଜ କୁଳର ବଂଶଧର ହାତରେ ସେ ଖଣ୍ଡେ ଭାଗବତ ଦେଇଛନ୍ତି । ଉପହାରଟା ଭାରି ସାଙ୍କେତିକ ହୋଇଛି । ନା !

 

ସୁନନ୍ଦା ମୁଣ୍ଡ ହଲାଇ କେବଳ ହସିଲା । କିଛି କହିଲା ନାହିଁ ।

 

ସୁନନ୍ଦାର ଭାବନାରକୁ ଲକ୍ଷ୍ୟ କରିବା ପାଇଁ ନୀଳକଣ୍ଠର କିନ୍ତୁ ସମୟ ନଥିଲା । ତା ମନରେ ଆଜି କେମିତି ଚମ୍ପାଫୁଲର ନିଶା ଲାଗିଛି । ତାର ପୁଅ ହୋଇଛି ବିବାହର ପାଞ୍ଚ ମାସ ପରେ । ଲୋକଙ୍କ ମନରେ ଭୁଲରେ ଯେପରି ଧାରଣା ନ ହେଉ ଯେ ଏଭଳି ଅଘଟଣ ପଛରେ କିଛି ହେଲେ ରହସ୍ୟ ଅଛି । କାହାରି ମନରେ ଏ ସନ୍ଦେହକୁ ସେ ଜନ୍ମ ଦେବାକୁ ଚାହେଁନା…

 

ଆଉ ସୁନନ୍ଦା ... !

 

ମରଣର ଯନ୍ତ୍ରଣାକୁ ନିଜସ୍ୱ କରି ସେ ଯେଉଁ ଶିଶୁ ସନ୍ତାନକୁ ଦୁନିଆର ଆଲୋକକୁ ଆଣିଛି, ସେହି ଶିଶୁ ସନ୍ତାନର ଜନ୍ମ ଉତ୍ସବ ପାଳନ ପାଇଁ ନୀଳକଣ୍ଠ ସବୁ କିଛି କରିପାରେ । ସେଥିପାଇଁ ସେ ଅକାତରେ ଅର୍ଥ ଖର୍ଚ୍ଚ କରିଛି । ଉତ୍ସବର ଆନନ୍ଦ ଭିତରେ ନିଜକୁ ସମ୍ପୂର୍ଣ୍ଣ ବୁଡ଼ାଇ ରଖିଛି । ଘରେ ବାହାରେ ତାର ଉତ୍ସବର ଲୀଳା...

 

ଆଉ ନିଜ ମନ ଭିତରେ.... ।

 

ଫୁରସତ୍ ପାଇବା ମାତ୍ରେ ନୀଳକଣ୍ଠ ନିଜ ମନର ସେହି ଅନ୍ଧାର କୋଠରି ଭିତରକୁ ନିରଖି ଚାହେଁ... ନିଜ ମନର ସେହି ଝାପ୍‍ସା ଅନ୍ଧାର ଭିତରେ ଦିଶିଯାଏ ତା ପ୍ରଥମ ପ୍ରଣୟୀ-ଜୀବନର ସେହି ରଙ୍ଗିନ୍‍ ଦିନ ଗୁଡ଼ିକର ଛବି । ସୁନନ୍ଦାର ଦେହକୁ କଣ ସେ ଭଲ ପାଇଥିଲା ?ଆଉ ତ ମନକୁ !

 

ସୁନନ୍ଦାର ସନ୍ତାନକୁ ମଧ୍ୟ ସେ ଭଲପାଇବା ଉଚିତ । କାରଣ ସେ ସନ୍ତାନର ରକ୍ତରେ ତ ନିଜର ରକ୍ତ ଥାଇ ନପାରେ, କିନ୍ତୁ ସୁନନ୍ଦାର ରକ୍ତ ରହିଛି । ଯେଉଁ ଜନକ ଗୁରୁ ଭାବରେ ନିଜ ଅନ୍ତଃସତ୍ତ୍ଵା ପ୍ରଣୟିନୀକୁ ଏକାକିନୀ ଛାଡ଼ି ପଳାଇଲା, ସେ ଜନକର ରକ୍ତ ସନ୍ତାନର ଦେହରେ ଥିଲେ ପାଣି ଫାଟି ଯାଇଥିବ । ସେହି କାରଣରୁ ସୁନନ୍ଦାର ସନ୍ତାନ ଏକାନ୍ତ ଭାବରେ ତାର ନିଜର...ସେଥିରେ ଆଉ କାହାର ଅଂଶ ନାହିଁ।

 

ସେ କେବଳ ସୁନନ୍ଦାର ସନ୍ତାନ ନୁହେଁ, ତାର ନିଜର ମଧ୍ୟ ସନ୍ତାନ ତାର ନିଜର ସନ୍ତାନ ହୋଇଥିଲେ ନୀଳକଣ୍ଠ କଣ ଏହାଠୁ ବଳି ଅଧିକ କିଛି କରିପାରିଥାନ୍ତା !

 

ଉତ୍ସବର କଳରବରେ ନୀଳକଣ୍ଠ ଗୃହ-ପୁର କଲ୍ଲୋଳିତ ହୋଇ ଉଠୁଛି । ପବନର ତରତରେ ଆନନ୍ଦର ରାଗିଣୀ । ଚାରିଆଡ଼େ ବିଛାଡ଼ି ହୋଇ ପଡ଼ୁଛି ହସ ଆଉ ଆନନ୍ଦର ଆଲୋକ ।

 

ନୀଳକଣ୍ଠ ବ୍ୟସ୍ତ ହୋଇ ରହିଥିଲା । ଜଣେ କେହି ଖବର ଦେଲା, ଘର ଭିତରେ ମା ଡାକୁଛନ୍ତି ।

 

ସୁନନ୍ଦାର ଶୟନକକ୍ଷକୁ ଆଗେଇଗଲା ନୀଳକଣ୍ଠ ।

 

ସୁନନ୍ଦା ଏକାକିନୀ ନୁହେଁ, ଅନୁରାଧା, ମିନତି ଏବଂ ଆଉ କେତେଜଣ ଝିଅ ସେ କକ୍ଷରେ ଲଘୁ ଆଳାପର ଆସର ଜମାଇ ଥିଲେ । ନୀଳକଣ୍ଠକୁ ଦେଖି ଅନୁରାଧା ପଚାରିଲା, କିଛି ମନେ କରିବେ ନାହଁ ନୀଳକଣ୍ଠ ବାବୁ ! ଗୋଟିଏ ଅସୁନ୍ଦର ପ୍ରଶ୍ନ ପଚାରୁଛି....

 

ଅନୁରାଧା କଥା ବନ୍ଦ କରି ମୁହଁ ତୋଳି ନୀଳକଣ୍ଠ ଆଡ଼କୁ ଚାହିଁଲା । ନୀଳକଣ୍ଠର ଆଖି ଦୁଇଟିରୁ ଅଭୟ ପାଇ ସେ କହିଲା ବିବାହର ପାଞ୍ଚମାସ ପରେ ଆପଣଙ୍କର ପୁଅ ହୋଇଛି । ଏ ସୌଭାଗ୍ୟ କେତେ ଜଣଙ୍କର ଅବା ହୁଏ ! କିନ୍ତୁ ଏ ସୌଭାଗ୍ୟ ପଛରେ ଆପଣଙ୍କ ଜୀବନର ଏକ ରୋମାଣ୍ଟିକ୍ ଇତିହାସ ବି ଥିବ ଦୟାକରି ସେ କାହାଣୀଟି ଯଦି କହନ୍ତେ....

 

ନୀଳିମା ବି ଜିଦ୍ କଲା, ସେ କାହାଣୀଟି କୁହନ୍ତୁ...

 

ସୁନନ୍ଦାର ମୁହଁରେ ଆଶଙ୍କ।ର ଛାଇ ଘେରି ଆସିଲା ।

 

ନୀଳକଣ୍ଠ କିନ୍ତୁ ନିର୍ବିକାର ।

 

ଏକ ସୁଦକ୍ଷ ଅଭିନେତା ଭଳି ଅଭିନୟ କରି ସେ କହିଲା ଓଃ, ଏଇକଥା, ଏଇ ତ ମୋ ଆଖି ଆଗରେ ନାଚିଯାଉଛି ସେ ଦିନଟିର ଛବି । କଲିକତା ଫେରନ୍ତି ବାଟରେ ହଠ।ତ୍ ସ୍ମରଣ ହେଲା ନନ୍ଦାର କଥା । ବହୁଦିନର ବିଚ୍ଛେଦ ପରେ ସତ କହୁଛି ମିସ୍ ଦାସ, ମନଟା ଏକବାର ଭାଙ୍ଗିପଡ଼ିଥିଲା....

 

ଅନୁରାଧା ଦାନ୍ତ ଚିପି ଚିପି ହସୁଥିଲା ।

 

କାହାଣୀର ଗତିଟା କେଉଁଆଡ଼କୁ ଯିବ ଶୁଣିବା ପାଇଁ ଉତ୍‍କର୍ଣ୍ଣ ହୋଇ ମଧ୍ୟ ସୁନନ୍ଦା ନ ଶୁଣୁଥିବାର ଛଳନା କରୁଥିଲା ।

 

ନୀଳକଣ୍ଠ କହିଚାଲିଥିଲା—ସେ ଦିନ କେତୋଟିର ସ୍ମୃତି ମୋ ମନରେ ସବୁଦିନ ପାଇଁ ଉଜ୍ଜ୍ୱଳ ହୋଇ ରହିବ ମିସ୍ ଦାସ ! ନନ୍ଦା ସହିତ ସେ କେତୋଟି ହାସ୍ୟ ହାସ୍ୟ-ଉଜ୍ଜ୍ଵଳ, ପ୍ରଣୟ-ମଧୁର ଦିନ ସ୍ଵପ୍ନ ଭଳି କଟିଗଲା । ଗଲାଦିନ ଦେଖିଥିଲି ନନ୍ଦା ଆଖିରେ ଉଚ୍ଛଳ ହାସ୍ୟର ଧାରା । ଆସିଲାଦିନ ଦେଖିଲି ତାର ସେଇ ଦୂର ଆଖିରେ ଲୋତକର ମୁକ୍ତ ମାଳା....ନା’ କଅଣ ନନ୍ଦା ! ମୁଁ କଣ ମିଛ କହୁଛି ?

 

ସତ୍ୟ ବୋଲି ଛଳନା କରୁଥିବା ମିଥ୍ୟା କଥାତକ ଶୁଣି କୃତ୍ରିମ କ୍ରୋଧରେ ସୁନନ୍ଦା ଅସ୍ଥିର ହୋଇ ଉଠିଲା । ସୁନନ୍ଦାର ଏ ଅସ୍ଥିରତା ଦେଖି ମିନତି ଆଉ ଅନୁରାଧା ହସି ଉଠିଲେ ହୋ ହୋ ହୋଇ .... ଅପ୍ରତିଭ ହୋଇ ନୀଳକଣ୍ଠ ମଧ୍ୟ କକ୍ଷ ତ୍ୟାଗ କରି ଚାଲିଗଲା ।

 

ରାତି ବାରଟା ପରେ ଉତ୍ସବ ମଉଳିଲା ।

 

ନୀଳକଣ୍ଠର ଦ୍ଵିତଳ ପ୍ରସାଦରେ ଗୋଟିଏ ଆସିଲା ମୌନାବତୀ ରାତ୍ରି । ଆଲୋକ ସବୁ ନିଷ୍ପ୍ରଭ ହୋଇଗଲେ । କ୍ଳାନ୍ତ ଦେହ ଶ୍ରାନ୍ତ ମନ ଏବଂ ତନ୍ଦ୍ରାତୁର ନୟନରେ କବାଟ ଠେଲି ନିଜ ଶୟନ କକ୍ଷରେ ପ୍ରବେଶ କଲା ନୀଳକଣ୍ଠ ।

 

ଦେଖିଲା ସୁନନ୍ଦା ଚାହିଁଛି ।

 

ନୀଳକଣ୍ଠ ପ୍ରଶ୍ନ କଲା, ଏପର୍ଯ୍ୟନ୍ତ ଶୋଇନୁ ?

 

ମୁଣ୍ଡ ହଲାଇ କହିଲା ସୁନନ୍ଦା । ପଚାରିଲା, ଅନୁରାଧା ଆଉ ମିନତିକୁ ତମେ ଏଡ଼େ ଅଜବ କାଳ୍ପନିକ କାହାଣୀ କାହିଁକି କହିଲ ଶୁଣେ ?

 

ନୀଳକଣ୍ଠ କେବଳ ହସିଲା, କିଛି ଉତ୍ତର ଦେଲା ନାହିଁ ।

 

ସୁନନ୍ଦା ପୁଣି ପଚାରିଲା, ପୁଅର ଏକୋଇଶା ପାଇଁ ତମେ ଏତେ ଖର୍ଚ୍ଚ କରି ବାହାରେ ଜଣାଇଦେଲ ଯେ ତମେ ତାର ଜନ୍ମ ଦାତା । କିନ୍ତୁ ସତ କହିଲ, ତମେ ତମ ମନକୁ କଣ ସେ କଥା ବୁଝାଇ ପାରିଚ?

 

ସୁନନ୍ଦାର ଏ ପ୍ରଶ୍ନରେ ବିଚଳିତ ହୋଇଉଠିଲା ନୀଳକଣ୍ଠ । ଶାନ୍ତ କଣ୍ଠରେ କହିଲା, ପୁଅର ମୁଁ ଜନ୍ମଦାତା ନୁହେଁ ବୋଲି ତୁ ସନ୍ଦେହ କରିପାରୁଛୁ ନନ୍ଦା !

 

ମସ୍ତ ଏକ ଧକ୍କା ଖାଇଲା ଭଳି ଏକ ଉତ୍ତର ଶୁଣି ଚୁପ୍ ହୋଇଗଲା ସୁନନ୍ଦା । ଦୁଇ ଧାର ତତଲା ଲୁହ ତାର ଦୁଇ ଗାଲ ଉପରେ ବହି ଆସିଲା । ସାନ୍ତ୍ଵନା ଦେବାପାଇଁ ତାର କାତର କଣ୍ଠରେ ନୀଳକଣ୍ଠ କହିଲା, ଛି, ତୁ କାନ୍ଦୁଛୁ ! ଜୀବନରେ ଏ ପରାଜୟକୁ କଅଣ ଆମେ ଏଡ଼େ ସହଜରେ ମାନିନେବା !

 

ଟିଟୁ ! ଟିଟୁ !

 

ଛୋଟ ଛୋଟ ପାଦ । ଫୁଲ ପାଖୁଡ଼ା ଭଳି କଅଁଳ, ନରମ ନାଲି ଓଠ । ପବନରେ ଫୁଲର ପାଖୁଡ଼ା ଥରିଲା ଭଳି ସେ ଓଠ ଦୁଇଟି ଅନେକ ସମୟରେ କମ୍ପେ, ଥରେ । କଅଣ କହିବ କହିବ ବୋଲି ହୁଏ, କିନ୍ତୁ କିଛି କହିପାରେ ନାହିଁ । ଖାଲି କାନ୍ଦେ, ପାଟି କରେ, ଆଖିରେ ଲୁହ ଜମି ଆସେ । ନାକପୁଡ଼ା ଫୁଲି ଫୁଲି ଉଠେ ।

 

ଟିଟୁର କାନ୍ଦ ଦେଖିଲେ ନୀଳକଣ୍ଠ ଆଖିରେ ଲୁହ, ଆଉ ବୁକୁରେ ବେଦନା ଅସମ୍ଭାଳ ହୋଇ ଉଠେ । ଟିଟୁକୁ ଏକୁଟିଆ ଏମିତି ଅବସ୍ଥାରେ ଛାଡ଼ିଦେଇ ଯଦି ଅନ୍ୟ କାମରେ ଲାଗିଯାଏ, ତାହାହେଲେ ସୁନନ୍ଦା ଉପରକୁ ଭୟଙ୍କର ଭାବରେ ରାଗି ପାଟିକରେ ନୀଳକଣ୍ଠ ।

 

ନୀଳକଣ୍ଠର ଚିତ୍କାର ଶୁଣି ସୁନନ୍ଦା ହସେ । କହେ, କାନ୍ଦିଲେ ପୁଅର ଦେହ ଟାଣ ହେବ । ଶକ୍ତି ବଢ଼ିବ । ରାଗୁଛ କାହିଁକି ?

 

ନୀଳକଣ୍ଠ କିନ୍ତୁ ସୁନନ୍ଦାର ଏ ଯୁକ୍ତିରେ ଏକମତ ହୋଇପାରେ ନାହିଁ । ଟିଟୁ ଆଖିର ଲୁହ ଦେଖିଲେ ତା ଆଖିକୋଣରେ ଯେଉଁ ଲୁହ ଜମିଥାଏ, ତାକୁ ପୋଛି ନେଇ ସେ କୋହ କମ୍ପିତ-କଣ୍ଠରେ କହିଉଠେ, ପିଲାଟାର ଭବିଷ୍ୟତକୁ ନେଇ ତୁ ଏଥର ପାଗଳାମି କରିବୁ, ଏକଥା ମୁଁ ସହିପାରିବି ନାହିଁ ନନ୍ଦା ! କାନ୍ଦିବା ପାଇଁ ତାର ସୁଦୂର ଭବିଷ୍ୟତ ପଡ଼ି ରହିଛି । ଏ ପୃଥିବୀ ତ କେବଳ କ୍ରନ୍ଦନ ଆଉ ଆର୍ତ୍ତନାଦର ପୃଥିବୀ ! ପୃଥିବୀର ସେହି ବ୍ୟଥା ବେଦନା ତା ପାଇଁ ଆଁ ମେଲା କରି ଚାହିଁ ରହିଛି । ଆଜିଠାରୁ ତାକୁ କନ୍ଦାଇଲେ ହସିବା ପାଇଁ ସେ ଆଉ ସୁଯୋଗ ପାଇବ କେଉଁ ଦିନ ? ତୁ ଜାଣୁ ନନ୍ଦା ! ପିଲାଏ ହସିଲେ ଦୁନିଆ ହସେ !

 

ନୀଳକଣ୍ଠର କଥା ଶୁଣି ହସିଲା ସୁନନ୍ଦା । କହିଲା ଟିଟୁର ଭବିଷ୍ୟତ ଜୀବନରେ ଯଦି ଏତେ ଦୁଃଖକାନ୍ଦର ଦିନ ଭରି ରହିଛି ବୋଲି ଭାବୁଛ, ତାହାହେଲେ ତମେ ଅଜିଠୁଁ ତାର ଏ ସାମାନ୍ୟ କାନ୍ଦରେ ଦୁଃଖ କରୁଚ କାହିଁକି ? ଭବିଷ୍ୟତରେ ଯଦି ତମେ ତାର ସେ ଦୁଃଖ ଦେଖି ସହିପାରିବ, ଆଜି ତାର ଏ ଶିଶୁ ଆଖିର ଲୁହରେ ବିଚଳିତ ହେବା ଉଚିତ ନୁହେଁ । ବରଂ କାନ୍ଦିବାଟା ଆଜିଠାରୁ ଅଭ୍ୟାସ କରିଥିଲେ, ବଡ଼ଦିନକୁ କାନ୍ଦିବାକୁ ଆଉ ତାକୁ କଷ୍ଟ ଲାଗିବ ନାହିଁ ।

 

ସୁନନ୍ଦାର ଏ ତତ୍ତ୍ଵବାଣୀ ଶୁଣି ଚକିତ ହେଲା ନୀଳକଣ୍ଠ । ଟିଟୁକୁ କୋଳକୁ ତୋଳିନେଇ ସେ ଗେଲକଲା । ତାର ଆଲୋକ ଛଳ ଛଳ, ନୀଳ ସୁନୀଳ ଆଖି ଦୁଇଟିର ଡୋଳା କାଚରେ ନିଜ ମୁହଁର ପ୍ରତି ଛବି ଦେଖି ବିହ୍ଵଳିତ ହେଲା । ଟିଟୁ ମୁହଁ ପାଖରେ ନିଜ ମୁହଁକୁ ଲଗାଇ ଛୋଟ ପାଟିରେ କହିଉଠିଲା, ବୋଉଟା ଭାରି ଦୁଷ୍ଟ । ନାଇଁରେ ଟିଟୁ ! ବୋଉକୁ ଏଥର ଆମ ଘରୁ ବାହାର କରିଦେବା ।

 

ନୀଳକଣ୍ଠର କଥା ଶୁଣି ହଠାତ୍ ଲେଉଟି ଚାହିଁଲା ସୁନନ୍ଦା । ପଚାରିଲା କଅଣ କହିଲ ?

 

ସୁନନ୍ଦାକୁ ହସି ହସି ନୀଳକଣ୍ଠ କହିଲା, ମୁଁ କେବଳ ଟିଟୁ ସହିତ ପରିହାସ କରୁଥିଲି । ତତେ ତଡ଼ିଦେବି ବୋଲି ସତରେ ମନେ କରୁଛୁ କି ? ଛି ..... ଛି ..... ଚନ୍ଦ୍ର ମୁଖ ନଦେଖିଲେ ଏ ଘରେ ରହିବାର କିଛି ମାନେ ହେବ ନାହିଁ ।

 

କଥାଟା କହିସାରି ନୀଳକଣ୍ଠ ହସିଲା ।

 

କିନ୍ତୁ ମୁହଁ ତଳକୁ ପୋତି ସୁନନ୍ଦା କହିଲା, ତମେ ଯେଉଁ କଥାଟା ପରିହାସରେ କହିଲ, ସେ କଥାଟାକୁ ସତକୁ ସତ ଭଲ କରି ଭାବି ଦେଖିଲେ ଚଳନ୍ତା ନାହିଁ ?

 

ଚମକି ଉଠିଲା ପରି ନୀଳକଣ୍ଠ କହିଲା, କେଉଁ କଥା ?

 

ନିର୍ଲିପ୍ତ କଣ୍ଠରେ ସୁନନ୍ଦା ଉତ୍ତର ଦେଲା, ଏହି ଟିଟୁର ବୋଉକୁ ଘରୁ ତଡ଼ିଦେବାର କଥା-। ମୁଁ ଲଘୁ ପରିହାସରେ କହୁ ନାହିଁ । ସତରେ ତମେ କଥାଟାକୁ ଭାବି ଦେଖିବ ଦୟାକରି-!

 

ନନ୍ଦା ! —ନୀଳକଣ୍ଠର ଏଇ ସମ୍ବୋଧନଟା ସୁନନ୍ଦାର କାନକୁ ଆର୍ତ୍ତନାଦ ଭଳି ଶୁଣାଗଲା ॥ ସେ ବୁଝି ପାରିଲା, ନୀଳକଣ୍ଠ ସତକୁ ସତ ରାଗିଛି । ତାକୁ ଆହୁରି ରଗାଇ ଆନନ୍ଦ ଉପଭୋଗ କରିବା ପାଇଁ ସୁନନ୍ଦା କହିଲା, ସେଦିନ ରାତିରେ ଟିଟୁକୁ ଗର୍ଭରେ ଧରି ମୁଁ ତାର ପରିଚୟ ଭିକ୍ଷା ପାଇଁ ତମ ପାଖକୁ ଆସିଥିଲି ନିଲୁ ଭାଇ ! ତମେ ଉଦାର ହୃଦୟରେ ସେ ପରିଚୟ ତାର ଦେଇଛ । ବାପର ପୁଅ ହୋଇ; ଏ ସମାଜରେ ବଞ୍ଚି ରହିବାର ଅଧିକାର ପାଇଛି ଟିଟୁ । ଦୁନିଆର ସମସ୍ତେ ଜାଣନ୍ତି ତମେ ହିଁ ହେଉଛ ଟିଟୁର ଜନକ । କିନ୍ତୁ, ମୁଁ ଜାଣେ, ତମେ ଜାଣ, ଟିଟୁ ପ୍ରକୃତରେ କାହାର ସନ୍ତାନ । ତେଣୁ ମିଥ୍ୟା ଛଳନାର ଜାଲକୁ ଛିନ୍ନ ବିଚ୍ଛନ୍ନ କରି ମୁଁ ଯଦି ବର୍ତ୍ତମାନ ଅଲଗା ହୋଇଯାଏ, କ୍ଷତି କଣ ? ତମେ ମୋତେ ଛାଡ଼ପତ୍ର ଦେବ—ମୁଁ ତାକୁ ସ୍ଵୀକାର କରିନେବି-। ଟିଟୁକୁ ନେଇ ଗଢ଼ିବି ଏକ ନୂତନ ସଂସାର । ଶାନ୍ତି ନିକେତନରେ ଯେତିକି କଳାବିଦ୍ୟା ଶିଖିଛି ତାକୁଇ ତୁଳି ରଙ୍ଗରେ ଆଙ୍କିଲେ ଅପୋଷା ରହିବ ନ।ହିଁ ପେଟ । ଆଉ ତମେ......

 

କଥାଟା ଅଧା ରଖି ହସିଲା ସୁନନ୍ଦା । ଟିପ୍ପଣୀ କଲା—ମତେ ଛାଡ଼ପତ୍ର ଦେଇ ତମେ ଗୋଟିଏ ଗୋରୀ ତକତକ ସୁନ୍ଦରୀ ଝିଅକୁ ବାହାହେବ । ସେ ହେବ କନିଆ, ତମେ ହେବ ବର । ଚାଲିବ କେତେ ପ୍ରେମ ପ୍ରଣୟର ଲୁଚକାଳି ଖେଳ । ଦୂରରେ ଥାଇ ମୁଁ ଖାଲି ତାଳି ମାରିବି । ଭାଉଜର କୋଳରେ ଆସିବ ଟିଟୁଠୁ ବଳି ଆଉ ଏକ ସୁନ୍ଦର ପୁଅ ।

 

ଅସହ୍ୟ ହୋଇ ଉଠିଲା ନୀଳକଣ୍ଠର ହୃଦୟ । ଚିତ୍କାର କରି ଉଠିଲା, ତୁ କଣ ସତରେ ଟିଟୁକୁ ମୋଠୁ ଛଡ଼ାଇ ନେବାକୁ ଚାହୁଁ ?

ଶାନ୍ତ କଣ୍ଠରେ ସୁନନ୍ଦା ଉତ୍ତର ଦେଲା, ସେ କଥା ମୁଁ କହି ପାରିବି ନାହିଁ । କିନ୍ତୁ ତମେ ଜାଣ ତମେ ଯେତେ ମନକୁ ବୁଝାଇଲେ ବି ଟିଟୁ ଦେହରେ ତମର ରକ୍ତ ନାହିଁ ।

ସୁନନ୍ଦା !

ଏଥର ପୁଣି ଥରେ ଚିତ୍କାର କରି ଉଠିଲା ନୀଳକଣ୍ଠ । କମ୍ପିତ କଣ୍ଠରେ ସେ କହିଲା, ସେଇ ନିର୍ମମ କଥା ଟାକୁ ଜବରଦସ୍ତ ମନେ ପକାଇ ନ ଦେଲେ ତୋର କଅଣ କ୍ଷତି ହେଉଚି, ଶୁଣେ ! ଟିଟୁ ମୋର ପୁଅ ନୁହେଁ, ଏ କଥା ତୁ ଜୋରଦେଇ କହିପାରିବୁ ?

ଡାହାଣ ହାତର ଗୋଟିଏ ଆଙ୍ଗୁଠିକୁ ଦାନ୍ତ ମଝିରେ ଚିପି ଧରି ସୁନନ୍ଦା କେବଳ ନୀଳକଣ୍ଠର ମୁହଁକୁ ଚାହିଁ ରହିଲା ।

ନୀଳକଣ୍ଠ ଏଥର ଅପେକ୍ଷାକୃତ ସ୍ପଷ୍ଟ କଣ୍ଠରେ କହିଲା, ମୁଁ ଟିଟୁର ବାପା ନ ହେଲେ ବି ତୁ ଟିଟୁର ମାଆ । ସତ କରି କହିଲୁ ଦେଖି ସନ୍ତାନର ଜନକ କିଏ ? ଯିଏ ନିଜର ରକ୍ତ ଢାଳି ତାର ଦେହର ଛାଞ୍ଚକୁ ତିଆରି କଲା, ନା ଯିଏ ନିଜର ରକ୍ତ ଢାଳି ତାକୁ ଏକ ସଜୀବ ଖେଳନା କଣ୍ଢେଇରୁ ପ୍ରକୃତ ମଣିଷ ସନ୍ତାନରେ ପରିଣତ କଲା ସିଏ ?

ଦ୍ଵନ୍ଦ୍ୱର ଦୋଳନରେ ଟିଟୁର ଜନନୀ ସୁନନ୍ଦା ଶିହରି ଉଠିଲା ।

ନୀଳକଣ୍ଠର ବିଚିତ୍ର ଏକି ପ୍ରଶ୍ନ !

କିଏ ଶିଶୁର ଜନକ ?

ଯିଏ ନିଜ ସମ୍ଭୋଗ, ସୁଖପାଇଁ ନିଜ ଅନିଚ୍ଛାରେ ତାର ଦେହରେ ଛାଞ୍ଚ ଗଢ଼ିଗଲା, ନା ଯେ ସେଇ ସଜୀବ ଦେହର ଛାଞ୍ଚକୁ ସ୍ଵେଦ ରକ୍ତ ଢାଳି ମଣିଷ ସନ୍ତାନରେ ପରିଣତ କଲା ?

ସୁନନ୍ଦା ସବୁ ଜାଣିଛି । ଚିହ୍ନିଛି ଦୁଇଟି ଯାକ ମଣିଷକୁ । ମଣିଷ ଦେହର ଉତ୍ତାପକୁ ନିଜ ଦେହର ମାପକାଠିରେ ମାପିଛି । କିନ୍ତୁ ଟିଟୁର ପ୍ରକୃତ ଜନକ କିଏ ସେ କଥା ସେ ସ୍ଥିର କରିପାରୁନି ।

ପଙ୍କଜ ଦାସ !

ନାମଟା ସ୍ମରଣ ହେଲାକ୍ଷଣି ସୁନନ୍ଦାର ସର୍ବାଙ୍ଗରେ ଘୃଣାର ଶିତ୍‍କାର ଖେଳିଯାଉଛି । ସେଇ ପଙ୍କଜ ଦାସର ରକ୍ତ ଯେ ଦିନେ ତାର ଗର୍ଭକୋଷରେ ଟିଟୁ ଦେହର ଛାଞ୍ଚ ତିଆରି କରି ଦେଇ ଯାଇଥିଲା, ସେକଥା ଆଦୌ ତାର ବିଶ୍ଵାସ ହେଉନି ।

ତାର ମନେ ହେଉଛି ଅବଲୀଳା କ୍ରମେ ବାଳିକା କୁନ୍ତିଙ୍କ ଭଳି ମନର ଏକ ଅଭୁତ ଖିଆଲ ମେଣ୍ଟାଇବା ପାଇଁ ଇଷ୍ଟ ଦେବତାଙ୍କ ପାଖରେ ସେ ସନ୍ତାନ କାମନା କରିଥିଲା ଆଉ ତାର ସେଇ ଇଷ୍ଟ ଦେବତା ସନ୍ତୁଷ୍ଟ ହୋଇ ‘ତଥାସ୍ତୁ’ ବୋଲି କହି ଚାଲିଯିବା ପରେ ତାର ଗର୍ଭକୋଷକୁ ଆସିଲା ଏଇ ଅମୃତ ସନ୍ତାନ । କିନ୍ତୁ ସେଇ ବାଳିକା କୁନ୍ତିଙ୍କର ସ୍ଵପ୍ନଭଙ୍ଗ ହେଲାଭଳି ସୁନନ୍ଦାର ଯେତେବେଳେ ଜ୍ଞାନୋଦୟ ହେଲା, ସେ ଦେଖିଲା, ଅସମୟରେ ତାର କୁମାରୀ ଜୀବନରେ ଆସିଛି ଏହି ଅବାଞ୍ଛିତ ଶିଶୁ—ସମାଜ ଯାହାକୁ ସ୍ଵୀକାର କରିବ ନାହିଁ .... ଆଇନ ଯାହାକୁ ଗ୍ରହଣ କରିବ ନାହିଁ !

ତାପରେ....

ତାପରେ ସେଇ ଅବାଞ୍ଛିତ ଶିଶୁକୁ କୁନ୍ତୀ ନଦୀର ଜଳ ସ୍ରୋତରେ ଭସାଇ ଦେଲାଭଳି ସେ ମଧ୍ୟ ନିରାଶର ସମୁଦ୍ର ଭିତରେ ଭସାଇ ଦେଲା ତାକୁ । ନଦୀଜଳରୁ କୁନ୍ତୀଙ୍କ ସେଇ ଶିଶୁକୁ ସାରଥୀ ରାଧା ପାଇ ନିଜର ସନ୍ତାନରୂପେ ପାଳନ କଲା ଭଳି ସୁନନ୍ଦାର ସେଇ ଶିଶୁକୁ ନୀଳକଣ୍ଠ ନିରାଶାରେ ସମୁଦ୍ର ମଧ୍ୟରୁ ତୋଳିଆଣି ନିଜେ ପାଳନ କରୁଛି ।

ରାଧା ଯଦି ହୁଏ କର୍ଣ୍ଣଙ୍କର ଜନକ, ଟିଟୁର ବାପା ତାହେଲେ ହେବନାହିଁ କାହିଁକି ନୀଳକଣ୍ଠ !

ସୁନନ୍ଦା ଦୃଷ୍ଟି ଉତ୍ତୋଳନ କରି ଚାହିଁଲା ।

ସମ୍ମୁଖରେ ଠିଆହୋଇଛି ନୀଳକଣ୍ଠ ।

ନୀଳକଣ୍ଠ ତାର ସର୍ବସ୍ଵ ।

ଟିଟୁ ତାର ସନ୍ତାନ ।

ଟିଟୁର ପିତା ହେବାକୁ ନୀଳକଣ୍ଠ ବାଧ୍ୟ ।

ନୀଳକଣ୍ଠ ପଚାରିଲା, କହିଲୁ ନାହିଁ ତ ଟିଟୁର ଜନକ କିଏ ?

ଅଶ୍ରୁସଜଳ, କୋହ ଉଜ୍ଜ୍ୱଳ କଣ୍ଠରେ ସୁନନ୍ଦା କହି ଉଠିଲା, ତମେ—ତମେ, ଏକଥା ମୁଁ ଆଉ କେତେ ସହସ୍ରଥର କହିବି ?

ଟିଟୁ ବଡ଼ ହେଲା ।

ଛ’ ମାସ, ବର୍ଷେ, ଦେଢ଼ବର୍ଷ ।

ଭାରି ସୁନ୍ଦର ପୁଅଟିଏ ଟିଟୁ । କଇଁଫୁଲ ଭଳି ହସ । ପଦ୍ମ ପାଖୁଡ଼ା ପରି ସତେଜ ମୁହଁ । ହସିଲେ ଗାଲ ତଳେ ଟିକିଏ ଖାଲ ହୋଇଯାଏ । ଡାଳିମ୍ବ ମଞ୍ଜିଭଳି ଛୋଟ ଦାନ୍ତଗୁଡ଼ାକ ଚକ୍ ଚକ୍ କରି ଉଠେ ।

ବଜାରରୁ ଫେରିଲେ ନୀଳକଣ୍ଠର ପ୍ରଧାନ କାମ ଟିଟୁ ସହିତ ଖେଳିବା । ଜୀବନର ସମସ୍ତ ଜଞ୍ଜାଳରେ ବିଷ ଟିଟୁର ସେଇ ଦମକାଏ ହସରେ କୁଆଡ଼େ ପୋଛି ହୋଇଯାଏ ।

ଖେଳନା ନହେଲେ ବାଜା—ଯାହା କିଛିହେଲେ ଟିଟୁ ପାଇଁ ସାଙ୍ଗରେ ନେଇ ଆସିଥାଏ ନୀଳକଣ୍ଠ । ଟିଟୁକୁ ସେ ଦିଏ ପ୍ରତିଦିନ କିଛି ନା କିଛି ଉପହାର ।

ରାସ୍ତାରେ ଆସୁଥିବାବେଳେ ଖେଳନା ଦୋକାନ ଦେଖିଲେ ନୀଳକଣ୍ଠର ପାଦ ଦୁଇଟି ଆପେ ଆପେ ସ୍ଥିର ହୋଇଯାଏ । କେହି କେହି ନଥିଲେ ବି ସେ ନିଜେ ନିଜେ ଉଠିଯାଏ ଦୋକାନ ଉପରକୁ । ଖେଳନା କିଣି ସେ ଫେରିଆସେ ନିଜ ଘରକୁ ।

 

ଥରେ ସୁନନ୍ଦା କହିଥିଲା, ଆସିଲାବେଳକୁ ମୋ ପାଇଁ ଗୋଟିଏ ରୂପାର ସିନ୍ଦୂର ଫରୁଆ କିଣି ଆଣିଥିବ । କଅଣ ମନେ ରହିଲା ?

 

ବିବାହିତ ଜୀବନରେ ନିଜ ପାଇଁ କିଛି ଆଣିବାକୁ କ୍ଵଚିତ ବରାଦ କରେ ସୁନନ୍ଦା । ତେଣୁ ତାର ଏକ ଛୋଟ ବରାଦଟି କିପରି ନୀଳକଣ୍ଠର ମନେ ନ ରହନ୍ତା !

 

ତେଣୁ ମନେ ରହିଲା ବୋଲି ମୁଣ୍ଡଟୁଙ୍ଗାରି ନୀଳକଣ୍ଠ ବଜାରକୁ ଗଲା । କିନ୍ତୁ ଫେରିଲାବେଳକୁ ଫେରିଲା ଟିଟୁ ପାଇଁ କେବଳ ଗୋଟିଏ ନୂଆ ଡିଜାଇନ୍ ବେଲୁନ କିଣି ।

 

ସୁନନ୍ଦା ପଚାରିଲା, ଆଣିଚ ମୋପାଇଁ ସେ ରୂପାର ସିନ୍ଦୂର ଫରୁଆ ?

 

ହଠାତ୍ କଥାଟା ସ୍ମରଣ କରି ଅପ୍ରତିଭ ହୋଇପଡ଼ିଲା ନୀଳକଣ୍ଠ । ଅପରାଧୀ ଭଳି ଅନୁଚ୍ଚ କଣ୍ଠରେ କହିଲା, ସିନ୍ଦୂର ଫରୁଆ ! ଆଃ…ସେ କଥାଟା ମୋର ମୋଟେ ଖିଆଲ ହେଲା ନାହିଁ-। ଏଇ ବେଲୁନଟା କିଣି ସିଧା ଫେରି ଆସିଲି....

 

ସୁନ୍ଦର ଡାଳିମ୍ବ ରଙ୍ଗର ସେଇ ମୁହଁରେ ଅଭିମାନର ଏକ ବିଚିତ୍ର ଭଙ୍ଗୀ ସୃଷ୍ଟିକରି ସୁନନ୍ଦା ଅନୁଯୋଗ କଲା ଟିଟୁ କଥା ସବୁଦିନ ମନେପଡ଼େ । ଆଉ ମୋ କଥା ବେଳକୁ...

 

ଅଭିମାନିନୀ ସୁନନ୍ଦାର ଛାୟାଚ୍ଛନ୍ନ ମୁହଁକୁ ଚାହିଁ ନୀଳକଣ୍ଠ କହିଲା ସତରେ ନନ୍ଦା ! ପିଲାଟି ମନରେ କି ମାୟା ଲଗେଇ ଦେଇଛି ଯେ, ଯୁଆଡ଼େ ଗଲେ ବି ତା କଥା ମନଯାକ ଛନ୍ଦିହୋଇ ରହିଥାଏ...

 

ସୁନନ୍ଦାର ମେଘମୁଦରିତ ମୁହଁରେ ହସର ବିଜୁଳି ରେଖାଟିଏ ସଞ୍ଚାରିତ ହୋଇ ପୁଣି ଅପସରି ଗଲା ।

 

ନୀଳକଣ୍ଠ ସ୍ଵର୍ଗତୋକ୍ତି କରିଉଠିଲା, ସତରେ ନନ୍ଦା ! ମଣିଷ ଜୀବନରେ ଏଇ ଶିଶୁ-ସୃଷ୍ଟି ହିଁ ସବୁଠୁ ବଳି ବିଚିତ୍ର । ଶିଶୁ ସୃଷ୍ଟିର ଆନନ୍ଦ, ତାକୁ ମଣିଷ କରି ଗଢ଼ି ତୋଳିବାରେ ଆବେଗ, ତାର ଅନାଗତ ଭବିଷ୍ୟତ ପାଇଁ ରଙ୍ଗୀନ ସ୍ଵପ୍ନ, ଏହା ହିଁ ଆଣିଦିଏ ମଣିଷ ଜୀବନର ପୂର୍ଣ୍ଣତା, ସାର୍ଥକତା ଆଉ ବୈଚତ୍ର୍ୟ । ଟିଟୁ ମୋର ମାନସିକ ଅଭାବକୁ ପୂରଣ କରିଛି । ସେଥିପାଇଁ ଜାଗରଣେ, ଶୟନେ, ସ୍ୱପନେ ମୁଁ ଦେଖୁଛି ଟିଟୁର ସ୍ଵପ୍ନ....ଟିଟୁର ହସ....ଟିଟୁର ଆନନ୍ଦ....

 

ନୀଳକଣ୍ଠର କଥା ସୁନନ୍ଦାର କାନକୁ ଶଣାଗଲା ଗୋଟିଏ ଛୋଟ ବକ୍ତୃତା ଭଳି । ସେ କୃତ୍ରିମ କ୍ରୋଧରେ ପ୍ରତିବାଦ୍ କରିଉଠିଲା, ତମେ ଜଣେ କବି ହୋଇଗଲାଣି ଦେଖୁଛି । ଭାରି ତ ବକ୍ତୃତା କରୁଚ !ଉଃ !

 

ନୀଳକଣ୍ଠ ଓଠରେ ହସର ଏକ ତରଙ୍ଗ ଜାଗିଉଠିଲା ।

 

ଟିଟୁ ସେହି ଦୋଳାୟମାନ କଅଁଳ ନରମ ଶେଯରେ ଶୋଇ ହସୁଥିଲା । ଆଖି ମିଟି ମିଟି କରି ଚାହୁଁଥିଲା । ପୁଣି ନିଜ ମନକୁ ମନ ମୁହଁଫଟାଇ କାନ୍ଦୁଥିଲା । ତା ନିକଟକୁ ଯାଇ ନୀଳକଣ୍ଠ କହିଲା, ଟିଟୁ ! ଟିଟୁ ! କହ ବାପା.... ପା .....ପା ....

 

ଟିଟୁ ହସିଲା ।

 

ସୁନନ୍ଦା କହିଲା, ନା-ନା କହରେ ଟିଟୁ ! ମାମି .... ମା ....ମିଇ.....

 

ଟିଟୁ ପୁଣି ଜୋରରେ ହସିଲା ।

 

କିନ୍ତୁ କିଛି କହିଲା ନାହିଁ । ଆଜିଯାଏ ସେ କିଛି କହିନି । ମନ ସୁଖଥିଲେ ସେ ହସେ ... ମନ ଦୁଃଖ ଥିଲେ କାନ୍ଦେ । ଝାଡ଼ା କିମ୍ବା ପରିସ୍ରା ଦେଖାଇଲେ ସେ ମୁହଁକୁ ବିକୃତ କରେ । ବାସ୍ ସେତିକି ।

 

ଟିଟୁ ବଡ଼ ହେଲା ।

 

ଛ’ ମାସ, ବର୍ଷେ, ଦେଢ ବର୍ଷ, ଦୁଇ ବର୍ଷ ।

 

କିନ୍ତୁ କଥା କହିନି କିଛି ।

 

ନୀଳକଣ୍ଠ ବାପା ଡାକ ଶୁଣିବା ପାଇଁ କେତେ ସହସ୍ର ଥର ଆଗ୍ରହରେ କାନ ଡେରିଚି । ଅନୁନୟ କରି ଅଳି କରିଚି । ଖେଳଣା, ପେଁ କାଳି, ରଙ୍ଗିନ୍‍ ବେଲୁନର ପ୍ରଲୋଭନ ଦେଖାଇଚି । କିନ୍ତୁ ସବୁ ବୃଥା… ସବୁ ନିରର୍ଥକ ।

 

ଟିଟୁ ହସିଚି । ନହେଲେ କାନ୍ଦିଛି । ବାସ୍, ସେତିକି, ତାଠୁଁ ଅଧିକ ତାର କିଛି କହିବାର ନାହିଁ ।

 

ଆଉ ସୁନନ୍ଦା....

 

ନିଦ ଭାଙ୍ଗିଗଲେ ପାହାନ୍ତି ରାତିରେ ଅଥବା ଉଦାସିଆ ଏକୁଟିଆ ଖରାବେଳେ ସେ ବହୁବାର ଟିଟୁର ଓଠରେ କଥା କହିବାର ଲହଡ଼ି ଗଣିବାକୁ ଉତ୍କଣ୍ଠିତ ହୋଇ ଅପେକ୍ଷା କରିଚି । ଶୁଆ ଶାରୀକୁ ପାଠ ପଢ଼ାଇଲା ଭଳି ପାପା.... ମାମି .... କୁହାଇବାକୁ ଅନେକ ଥର ଚେଷ୍ଟା କରିଚି-

 

ଶୁଆ କଥା କହିଚି ।

 

ଚଢ଼େଇ ହୋଇ ଶାରୀ ମଧ୍ୟ ଗୀତ ବୋଲିଚି ।

 

କିନ୍ତୁ ମଣିଷ ଶିଶୁହୋଇ ଦୁଇ ବର୍ଷ ବୟସରେ କଥା କହି ପାରିନି ଟିଟୁ ।

 

ସୁନନ୍ଦାର ପ୍ରଥମେ ଧାରଣା ହୋଇଥିଲା, ଅନେକ ଶିଶୁ ବହୁ ବିଳମ୍ବରେ କଥା କହି ଶିଖନ୍ତି । ଟିଟୁ ହୁଏତ ଡେରିରେ କଥା କହିବ । କିନ୍ତୁ ଟିଟୁର ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ସୁନନ୍ଦାର ସେ ଧାରଣା ବଦଳିବାକୁ ଲାଗିଲା ।

 

ଆଶଙ୍କା ଜାଗିଲା ସୁନନ୍ଦାର ମନରେ ।

 

ଆତଙ୍କ ଖେଳିଲା ନୀଳକଣ୍ଠର ହୃଦୟରେ ?

 

ଟିଟୁ କଅଣ ସତରେ କଥା କହିବ ନାହିଁ !

 

ପାପା, ମାମି ନ ହେଲେ ବାପା, ମାଆ ବୋଲି କଣ ସେ ଥରକ ପାଇଁ ହେଲେ ଡାକିବ ନାହିଁ !

 

ସହରର ବିଶିଷ୍ଟ ସ୍ୱାସ୍ଥ୍ୟବିଶେଷଜ୍ଞ ଆସିଲେ ଟିଟୁକୁ ପରୀକ୍ଷା କରିବା ପାଇଁ । ନୀଳକଣ୍ଠ କହିଲା ଯେତେ ଫିସ୍ ନେବେ ଦେବାପାଇଁ ମୁଁ ପ୍ରସ୍ତୁତ ଅଛି । ହେଲେ ଆପଣ ତାକୁ ଆପଣଙ୍କର ସମସ୍ତ ବିଦ୍ୟା ବୁଦ୍ଧି ଦେଇ ପରୀକ୍ଷା କରି ଦେଖନ୍ତୁ । ଟିଟୁ କଥା କହିବ ନାହିଁ ।

 

ଡାକ୍ତର ଆଶ୍ଵସନା ଦେଇ ପରୀକ୍ଷା ଆରମ୍ଭ କଲେ ।

 

ବହୁ ସମୟ ଧରି ଚାଲିଲା ପରୀକ୍ଷା ନିରୀକ୍ଷା ।

 

ଶେଷକୁ ଡାକ୍ତରଙ୍କ ମୁହଁରେ ଘୋଟି ଆସିଲା ନିଘୋର କଳା ମେଘ । ସେ କମ୍ପିତ କଣ୍ଠରେ କହି ଉଠିଲେ, ମତେ କିଛି ଉପାୟ ଦିଶୁନି ନୀଳକଣ୍ଠ ବାବୁ ! I am undone. ଟିଟୁକୁ କଥା କୁହାଇ ବାର କ୍ଷମତା ମୋ ଶିକ୍ଷା, ସାମର୍ଥ୍ୟର ବାହାରେ । ମୂକ ହୋଇ ହିଁ ସେ ପୃଥିବୀକୁ ଆସିଚି । ମୋର ଯେତେ ଦୂର ମନେ ହୁଏ ଏଇ ମୂକ ଭାବରେ ହିଁ ତାକୁ ସଂସାରରୁ ଅନ୍ଧକାରର ଅନ୍ତରାଳକୁ ଲେଉଟି ଯିବାକୁ ହେବ ।

 

ଡାକ୍ତରଙ୍କ କଥା କରୁଣ ଆର୍ତ୍ତନାଦ ଭଳି ଶୁଣାଗଲା ନୀଳକଣ୍ଠ ଆଉ ସୁନନ୍ଦାର କାନକୁ । ଏଇ ବିକୃତ ଆର୍ତ୍ତନାଦ କରି ମୂର୍ଚ୍ଛାଗଲା ନୀଳକଣ୍ଠ ।

 

ସୁନନ୍ଦାର ଆଖିରେ ଅସରନ୍ତି ଅଶ୍ରୁର ତରଙ୍ଗ ଜାଗି ଉଠିଲା । ତାର ମନେ ହେଲା ଡାକ୍ତରରଙ୍କ ସେହି ସ୍ପଷ୍ଟ ଘୋଷଣା ପରେ ପୃଥିବୀର ସମସ୍ତ ଆଲୋକ ହଠାତ୍ ମଳିନ ପଡ଼ିଯାଇଛି ।

 

ଟିଟୁ ଆଉ କଥା କହିବ ନାହିଁ ?

 

ଯେଉଁ ଟିଟୁକୁ ମଣିଷ କରିବା ପାଇଁ ନିଜର ନାରୀତ୍ଵ, ନାରୀ ସୁଲଭ ଲଜ୍ଜାକୁ ଜଳାଞ୍ଜଳି ଦେଇ ସେ ନୀଳକଣ୍ଠର ଆଶ୍ରୟ ଭିକ୍ଷା କରିଥିଲା, ସେ ଟିଟୁ ଆଉ କଥା କହିବ ନାହିଁ !

 

ନା-ନା ସେ ଏକଥା କେବେହେଲେ ବିଶ୍ଵାସ କରିବ ନାହିଁ । ସେକଥା କେବେ ହେଲେ କଳ୍ପନା କରି ପାରିବ ନାହିଁ ।

 

ଟିଟୁ....

 

ତାର ଆଦରର ଟିଟୁ ସବୁଦିନେ ଏମିତି ମୂକ ହୋଇ କେବେ ହେଲେ ରହିପାରେନା । ସେ ତାର କଣ୍ଠରୁ ମା ଡାକ ନିଶ୍ଚୟ ଶୁଣିବ । ସେହି ଡାକ ଶୁଣିବ ବୋଲି ତ ସେ ଜୀବନର ଅବାଟରେ କଣ୍ଟା ଝଣ୍ଟା ନ ମାନି ଏତେ ବାଟ ଆଗେଇ ଆସିଚି !

 

ସୁନନ୍ଦାର ମନେ ହେଲା ସେ ପକ୍କା ଚଟାଣ ଦେହରେ ମୁଣ୍ଡ ପିଟିଦେଲେ ଉପସ୍ଥିତି ଯନ୍ତ୍ରଣାରୁ ହୁଏତ ରକ୍ଷା ପାଇ ଯାଆନ୍ତା । କିନ୍ତୁ ନିଜ ମୁଣ୍ଡକୁ ନେଇ ପକ୍କା ଚଟାଣ ଦେହରେ ପିଟିବା ପାଇଁ ଯେଉଁ ଶକ୍ତି ଲୋଡ଼ା, ଡାକ୍ତରଙ୍କ ସ୍ଵଷ୍ଟୋକ୍ତି ଶୁଣିଲା ପରେ ସେ ଶକ୍ତି ସେ କ୍ରମେ କ୍ରମେ ହରାଇ ବସୁଥିଲା ।

 

ଡାକ୍ତର ନୀଳକଣ୍ଠର ଚେତନା ଫେରାଇ ଆଣିବା ପାଇଁ ଚେଷ୍ଟା କଲେ । କିଛି ସମୟ ପରେ ସେ କହିବାର ଶୁଣାଗଲା, କିଛି ବ୍ୟସ୍ତ ହେବାର କାରଣ ନାହିଁ । ନୀଳକଣ୍ଠ ବାବୁଙ୍କ ଚେତନା ଏଥର ଫେରି ଆସିଲାଣି ।

 

ନୀଳକଣ୍ଠ ଆଖି ଖୋଲି ଡାକ୍ତରଙ୍କ ମୁହଁକୁ ଚାହିଁଲା ।

 

କରୁଣ କଣ୍ଠରେ କହିଲା, ମୋ ଚେତନା ଆପଣ ମୁହୂର୍ତ୍ତ କେତୋଟି ମଧ୍ୟରେ ଫେରାଇ ଆଣିପାରିଲେ, କିନ୍ତୁ ଟିଟୁର କଥନ ଶକ୍ତି ଆପଣ କଅଣ କେବେ ହେଲେ ଫେରାଇ ଆଣିପାରିବେ ନାହିଁ ?

 

ନୀଳକଣ୍ଠର ପ୍ରଶ୍ନ ଶୁଣି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁହଁ ଅଜ୍ଞତା, ଅକ୍ଷମତାର ଲଜ୍ଜାରେ କଳା ପଡ଼ିଗଲା ।

 

ବୀଣାର କେଉଁ ସୂକ୍ଷ୍ମତମ ତନ୍ତ୍ରୀଟି ସତେ ଯେମିତି କେଉଁଠୁ ଛିଡ଼ି ଯାଇଛି... ! ବୀଣାରେ ଧୀର ସ୍ଵର ନାହିଁ । ମୂର୍ଚ୍ଛନା ନାହିଁ । ଚାରିଆଡ଼େ ଏକ ଶଙ୍କିତ ଭୟାତୁର ଭାବ ।

 

ନୀଳକଣ୍ଠର ହାସ୍ୟମୁଖର ପରିବାର ଉପରେ ବହି ଯାଇଛି ଏକ ଅଦିନିଆ ଝଡ଼ ।

 

ଜୀବନର ସମସ୍ତ ଶୃଙ୍ଖଳା ବିଶୃଙ୍ଖଳା ହୋଇଯାଇଛି । ସମସ୍ତ ଆନନ୍ଦ ଉତ୍ସବ ମୃତ୍ୟୁକାଳୀନ ଜଡ଼ତାରେ ପରିଣତ ହୋଇଛି ।

 

ନୀଳକଣ୍ଠ ବଜାରରୁ ଫେରିଲା ବେଳେ ସବୁଦିନ ପରି ଏବେ ବି ଟିଟୁ ପାଇଁ ବେଲୁନ, ଖେଳଣା କିଣିଆଣେ । କିନ୍ତୁ ସବୁଦିନ ଭଳି ତା ମୁହଁରେ ଆଉ ସରାଗର ଚିହ୍ନ ଦେଖାଯାଏ ନାହିଁ ।

 

ସୁନନ୍ଦା ସବୁଦିନ ଭଳି ଏବେ ବି ନିୟମିତ ଭାବରେ ଟିଟୁକୁ ଗେଲ କରେ, ଆଦର କରେ-। କିନ୍ତୁ ବେଳେବେଳେ ତା ମନର ସମସ୍ତ ଅନିଚ୍ଛାକୁ ଅସ୍ଵୀକାର କରି ତା ଆଖି କୋଣରେ ଜକେଇ ଆସେ ବିନ୍ଦୁ ବିନ୍ଦୁ ଲୁହ ।

 

ଟିଟୁ ହସିଲେ ସୁନନ୍ଦା ଆଖିର ପୁଷ୍କରଣୀରେ ଲୁହର ଢେଉ ଚହଲି ଉଠେ । ବୁଝେ, ଟିଟୁ କେବଳ ସାରା ଜୀବନ ଧରି ହସିବ, ନ ହେଲେ କାନ୍ଦିବ, କିନ୍ତୁ କେବେହେଲେ ତୁଣ୍ଡ ଖୋଲି କଥା କହିବ ନାହିଁ ।

 

ଆଉ ନୀଳକଣ୍ଠ !

 

ସୁନନ୍ଦା ଦିନେ ଦିନେ ରାତି ଅଧରେ ନିଦ ଭାଙ୍ଗିଗଲେ ଦେଖେ, ତାର ଶୟନ କକ୍ଷରେ ନୀଳକଣ୍ଠ ନାହିଁ । ଶଯ୍ୟା ଶୂନ୍ୟ ।

 

ଶଯ୍ୟା ଛାଡ଼ି ତରତର ହୋଇ ସେ ବାହାରକୁ ଉଠିଯାଏ । ଦେଖେ, ନୀଳକଣ୍ଠ ଏକୁଟିଆ କୋଠାଛାତ ଉପରେ ନୀରବରେ ପଦଚାରଣ କରୁଛି । ନକ୍ଷତ୍ରଖଚିତ ଆକାଶ ଆଡ଼କୁ ଚାହିଁ ଗୋଟାକୁ ଗୋଟା ଦୀର୍ଘଶ୍ଵାସ ପକାଉଛି ।

 

ସୁନନ୍ଦାକୁ ଦେଖି ଚମକି ଉଠେ ନୀଳକଣ୍ଠ ।

 

ନିଜ ଶଯ୍ୟାତ୍ୟାଗର କୈଫିୟତ୍‍ ଦେଇ ବୁଝାଇ ବସେ, ରାତିସାରା ଆଖିରେ ମୋଟେ ନିଦ ନାହିଁ । ଶୋଇବାକୁ ବହୁ ଚେଷ୍ଟା କରି ମଧ୍ୟ ସେ ଶୋଇ ପାରୁ ନାହିଁ ।

 

ନୀଳକଣ୍ଠର କଥା ଶୁଣି ସୁନନ୍ଦାର ଆଖି ଲୁହରେ ଛଳଛଳ ହୋଇ ଆସେ । ନୀଳକଣ୍ଠର ଛାତି ଉପରେ ସେ ନିଜର ଅଶ୍ରୁ-ସଜଳ ମୁହଁଟିକୁ ଗଭୀର ଆବେଗରେ ଚାପିଧରେ ।

 

ସୁନନ୍ଦାର ମୁହଁଟିକୁ ନିଜ ଦୁଇ ହାତପାପୁଲିରେ ଚାପିଧରି ନୀଳକଣ୍ଠ କହେ, ସତରେ ନନ୍ଦା ! ଟିଟୁ କଣ ଆଉ କଥା କହିବ ନାହିଁ ? ମୋର କାହିଁକି ମନେ ହେଉଛି ଡାକ୍ତର ମିଛ କହିଲେ । ଟିଟୁ ଆମର କଥା କହିବ, ସେକଥା ସେ ସହି ପାରିଲେ ନାହିଁ । ଈର୍ଷାରେ, ହିଂସାରେ ସେ ଆମକୁ ମିଛ ଖବର ଦେଇ ଚାଲିଗଲେ ନନ୍ଦା ! ମୁଁ ପୁଣି ଡାକ୍ତର ଡାକିବି । ଯେତେ ଟଙ୍କା ଖର୍ଚ ହେଉ, ଟିଟୁ ମୁହଁରେ ମୁଁ ନିଶ୍ଚୟ କଥା କୁହାଇବି।

 

ନୀଳକଣ୍ଠର କଥା ଶୁଣି ସୁନନ୍ଦାର ମନେହେଲା, ସେ ହୁଏତ ପାଗଳ ହୋଇଯିବ । ପାଗଳାମୀ ଛଡ଼ା ଆଉ ବାଟ ନାହିଁ । ଉପାୟ ନାହିଁ ।

 

ଟିଟୁ ଉପରେ ରାଗ ହୁଏ ସୁନନ୍ଦାର ।

 

ପିଲାଟା କି ଅଶୁଭ ମୁହୂର୍ତ୍ତରେ ତା ଗର୍ଭରୁ ଆସିଥିଲା କେଜାଣି ! ତାର ଆଗମନ ସମ୍ବାଦ ପାଇ ପଙ୍କଜ ଦାସ ହେଲା ପଳାତକ, ଆଉ ତାଆରି ମୁହଁରୁ କଥା ନଶୁଣି ଆଉ ଜଣେ ଲୋକ ହେବାକୁ ଯାଉଛି ପାଗଳ !

 

ସେ ଯେଉଁ ଡାଳକୁ ଆଶ୍ରା କରୁଛି, ସେ ଡାଳ ତାର ଭାଙ୍ଗି ଯାଉଛି ।

 

ନୀଳକଣ୍ଠର କଣ୍ଠଲଗ୍ନା ହୋଇ ସେ କହିଲା, ତମେ ବ୍ୟସ୍ତ ହୁଅନି । ଆଦୌ ବ୍ୟସ୍ତ ହୁଅନି-। ଟିଟୁ ନିଶ୍ଚୟ କଥା କହିବ ।

 

ସୁନନ୍ଦାର କଥାକୁ ଆନ୍ତରିକ ଭାବରେ ବିଶ୍ଵାସ କରିଥିବା ଭଳି ମୁଖଭଙ୍ଗୀ କରି ନୀଳକଣ୍ଠ କହେ, ମୁଁ ତ ସେ କଥା ଅନେକ ବେଳୁ ଭାବୁଚି ନନ୍ଦା ! ଟିଟୁ ଆମର ନିଶ୍ଚୟ କଥା କହିବ । ଶୁଆ, ଶାରୀ ପକ୍ଷୀ ହୋଇ କଥା କହୁଛନ୍ତି, ଆଉ ମଣିଷ ହୋଇ ଟିଟୁ କଥା କହିବ ନାହିଁ !

 

ତାପରେ ଅସୀମ ନିଦ୍ରାରେ ଆଚ୍ଛନ୍ନ ହୋଇଥିବା ଭଳି ନୀଳକଣ୍ଠ କହିଲା; ଚାଲ, ଭାରି ନିଦ ମାଡ଼ିଲାଣି ।

 

ନୀଳକଣ୍ଠ ଆଖିକୁ ନିଦ ଆସିଲା, କେବଳ ଟିଟୁ କଥା କହିବ ବୋଲି ଜାଣିଲା ପରେ !

 

ତା ଆରଦିନ ।

 

ସକାଳୁ ଉଠି ସୁନନ୍ଦା ପିଞ୍ଜରା ଶୁଆ ଶାରୀ ଦୁଇଟାକୁ ଦ୍ଵାର ଖୋଲି ଉଡ଼ାଇଦେଲା । ଡେଣାର ଆହୁଲାରେ ଇଥରର ଢେଉ କାଟି ବନ୍ଦୀ ବିହଙ୍ଗ ଦୁଇଟି ଉଡ଼ିଗଲେ ନୀଳ ଆକାଶର ତଳେ ତଳେ ।

 

ଅବାକ୍ ଆଖିରେ ଅନେଇ ରହିଲା ନୀଳକଣ୍ଠ । ପ୍ରାୟ ବରଷେ ହେବ ଦୁଧ ଭାତ ଖୁଆଇ କେତେ ଯତ୍ନରେ ଶୁଆ ଶାରୀ ଦୁଇଟାକୁ ପାଳିଥିଲା ସୁନନ୍ଦା । ହଠାତ୍ ଆଜି ସେ ଦୁଇଟାକୁ ଉଡ଼ାଇଦେଲା କାହିଁକି ?

 

ବିସ୍ମିତ କଣ୍ଠରେ ନୀଳକଣ୍ଠ ପଚାରିଲା, ଏ କଅଣ କଲୁ ନନ୍ଦା !

 

ସୁନନ୍ଦା ବିଷଣ୍ଣ ହସି ହସି କହିଲା, ଏ କଥା କହୁଥିବା ଚଢ଼େଇ ଦୁଇଟାକୁ ଦେଖିଲେ ମନ ଭାରି କଷ୍ଟ ହେଉଚି । ଟିଟୁକୁ ସେ କଥା କୁହା ଚଢ଼େଇ ସାଙ୍ଗରେ ତୁଳନା କରିବାକୁ ମନ ହେଉଚି । ସତେ କଣ ସେ ଶାରୀଟା ଟିଟୁ ସହିତ ତୁଳନା ହେବାର ଯୋଗ୍ୟ !

 

ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ନୀଳକଣ୍ଠ ସେ ଘରୁ ବାହାରିଗଲା ।

 

କିନ୍ତୁ ପୁଣି ଘରକୁ ଫେରି ଆସିଲା ବେଳେ ସୁନନ୍ଦା ଲକ୍ଷ୍ୟ କଲା, ତା ମୁହଁରେ ଅସରନ୍ତି ହସର ଆଲୋକ ଫିଟି ପଡ଼ୁଛି ।

 

ସୁନନ୍ଦାକୁ ଦେଖି ଅଧୀର ଆନନ୍ଦରେ ନୀଳକଣ୍ଠ କହିଲା, ଟିଟୁ ଆମର କଥା କହିବ ସୁନନ୍ଦା ! ଏଇ ମୁଁ ଶୁଣି ଆସିଲି ।

 

ସୁନନ୍ଦା ସନ୍ଦେହୀ କଣ୍ଠରେ ପଚାରିଲା, ତମେ କଣ ସତକୁ ସତ ପାଗଳ ହୋଇଗଲଣି !

 

ନୀଳକଣ୍ଠ ହସନ୍ତା କଣ୍ଠରେ କହିଲା, ପାଗଳ ହୋଇଯାଇ ଥାଆନ୍ତି—ଆଉ ହେବି ନାଇଁ । ଆଜି ଖବରକାଗଜରେ ସମ୍ବାଦ ବାହାରିଚି, ଇଂଲଣ୍ଡର ଜଣେ ଡାକ୍ତର ଦାର୍ଜିଲିଂ ଆସିଛନ୍ତି ରେଞ୍ଜରେ-। ମୂକ ଶିଶୁମାନଙ୍କୁ ଚିକିତ୍ସା କରି ଆରୋଗ୍ୟ କରିଦେବାରେ ଖୁବ୍ ସୁଖ୍ୟାତି ଅଛି ତାଙ୍କର...

 

ଆଗ୍ରହରେ ସୁନନ୍ଦାର ଆଖି ଦୁଇଟା ବି ଉଜ୍ଜ୍ୱଳ ଦିଶିଲା ।

 

ସେ ପଚାରିଲା, ତମେ ସତ କହୁଚ ?

 

ନୀଳକଣ୍ଠ ଖବରକାଗଜାଜଟା ବାହାର କରି ଦେଖାଇଲା ।

 

ଅବିଶ୍ଵାସ କରିବାର କିଛି ନାହିଁ ।

 

ସୁନନ୍ଦା କହିଲା, ଠାକୁରଙ୍କ ଇଚ୍ଛାରେ ଏ ସମ୍ବାଦଟା ସତ୍ୟ ହୋଇଥିବ କି !

 

ନୀଳକଣ୍ଠ ଉଚ୍ଛ୍ଵସିତ ଆନନ୍ଦରେ ନାଚି ନାଚି କହି ଉଠିଲା, ଆଉ ବିଳମ୍ବ କଲେ ଚଳିବ ନାହିଁ । ଆଉ ଗୋଟିଏ ସେକେଣ୍ଡ ଅଯଥା ବିଳମ୍ବ ମୁଁ ସହି ପାରିବି ନାହିଁ । ଅନ୍ତତଃ ଛ’ ମାସ କାଳ ତମେ ଦାର୍ଜିଲିଂରେ ରହିବାକୁ ପ୍ରସ୍ତୁତ ହୋଇ ବାହାରିପଡ଼...

 

ଛ’ ମାସ !

 

ବହୁତ ଖର୍ଚ୍ଚ ହେବ ତ ! ସୁନନ୍ଦା ବିସ୍ମୟରେ କହିଉଠିଲା ।

 

ଆନନ୍ଦ ଉନ୍ନତ ନୀଳକଣ୍ଠ ଏକବାରେ ଚିତ୍କାର କରି ଉଠିଲା, ଯେତେ ଖର୍ଚ୍ଚ ହେଉ, ଜମିବାଡ଼ି ସବୁ ବିକ୍ରିକରି ସୁଦ୍ଧା ମୁଁ ଟିଟୁର ମୁହଁରେ କଥା କୁହାଇବି । ଟିଟୁ ପ୍ରଥମେ ତୁଣ୍ଡ ଖୋଲିଲେ ଆଗ କଅଣ କହିବ ଜାଣିଛୁ ନନ୍ଦା ! କହିବ, ବାପା....ପା...ଆ...

 

ତାପରେ ପାଗଳଙ୍କ ଭଳି ଏକ ସଂକ୍ରାମକ ହସରେ ନୀଳକଣ୍ଠ ସେ କକ୍ଷଟିକୁ ମୁଖରିତ କରିଦେଲା ।

 

ଟ୍ରେନ୍ ତାର ସ୍ଵାଭାବିକ ଗତିରେ ଚାଲିଥିଲା ।

 

ନୀଳକଣ୍ଠର ଦୃଷ୍ଟି ଲମ୍ବି ଯାଇଥିଲା ରେଳ ଲାଇନର ସୀମାଡ଼େଇଁ ସୁଦୂର ଦାର୍ଜିଲିଂ ପର୍ଯ୍ୟନ୍ତ । ଭିଣା ତୁଳାଭଳି ମେଞ୍ଚା ମେଞ୍ଚା ମେଘ ଯେଉଁଠି ମୁଣ୍ଡ ଉପର ଦେଇ ପହଁରିଯାଏ, କାଲୁଆ ଶୀତଳ ପବନ ଦେହରେ ଯେଉଁଠି ବୋଳିଦେଇ ଯାଏ ଶୀତଳତାର ପ୍ରଲେପ । ସବୁଜ ହରିତ୍ ରଙ୍ଗର ସେଇ ପାଇନ୍‍ବନର ଧାରେ ଧାରେ ଖେଳିବୁଲେ ଶୀତଳ ଚପଳ ସମୀରଣ । ନାନାରଙ୍ଗୀ ସୁନ୍ଦର ସୁନ୍ଦର ଚଢ଼େଇଟିମାନ ଇଥରରେ ସ୍ତରରେ ସିଆରା କାଟି ଉଡ଼ି ଉଡ଼ି ବୁଲନ୍ତି ।

 

ସେଇ ଘନଶ୍ୟାମ ପାଇନ୍‍ବନର ଦାର୍ଜିଲିଂ ।

 

ଡାକୁଛି, ଆସ...ଆସ । ଏଇ ସୁନ୍ଦର ବନଭୂମି । ସୁଶୀତଳ ପବନ । ଶାନ୍ତ ପରିବେଶ । ବିଲାତ ଦେଶର ଡାକ୍ତର ଆସିଛନ୍ତି । ସାକ୍ଷାତ ଧନ୍ଵନ୍ତରୀ । ଛୁଇଁଦେଲେ ସବୁ ରୋଗ ଭଲ ହୋଇଯାଉଛି । ବିଲାତ ଦେଶର ଡାକ୍ତର । କଥାରେ ତାଙ୍କର ଅଶ୍ଵାସନା, ସ୍ପର୍ଶରେ ତାଙ୍କର ନୂତନ ଜୀବନ ।

 

ଡାକ୍ତର ଆସିଛନ୍ତି ।

 

ବାହାରୁ ଦୃଷ୍ଟି ଫେରାଇ ନୀଳକଣ୍ଠ ଚାହେଁ ଟିଟୁଆଡ଼େ ।

 

ନିଝୁମ୍‍ ନିଦରେ ଶୋଇଛି ଟିଟୁ ସୁନନ୍ଦାର କୋଳରେ । ପଦ୍ମଫୁଲର ପାଖୁଡ଼ାଟି ଭଳି ନରମ ସୁନ୍ଦର ଆଖିପତା ଦୁଇଟି ତାର ମୁଦ୍ରିତ । ମନରେ କିଛି ଚିନ୍ତା ନାହିଁ । ହୃଦୟରେ ତାର କୌଣସି ବେଦନାର ସ୍ପର୍ଶ ନାହିଁ । ସେ, ମୂକ । ସେ ପୃଥିବୀର ସବୁକଥା ଶୁଣିବ, କିନ୍ତୁ କିଛି ହେଲେ କହିବ ନାହିଁ !

 

ଅପ୍ରେଲର ନିର୍ମଳ ଆକାଶରେ ମେଘର ଚିହ୍ନ ନାହିଁ । ପବନରେ କିନ୍ତୁ ଅସମ୍ଭବ ରକମର ଶୀତଳତା । ଶୀତଟା ଏ ବର୍ଷ ଖୁବ୍ ବେଶି ହେଉଚି । ଅପ୍ରେଲ ମାସର ଅଦିନିଆ ଶୀତ । ନୀଳକଣ୍ଠ ସିଲିକ୍ ଚଦରଟାକୁ ଦେହ ଉପରକୁ ଟାଣିଆଣି ଶୋଇବାକୁ ଚେଷ୍ଟା କଲା ।

 

ଏତେ ସହଜରେ କିନ୍ତୁ ନିଦଟା ହେଉଚି କେଉଁଠି !

 

ନିଦରୁ ଉଠି ହଠତ୍ କାନ୍ଦିବା ଆରମ୍ଭ କରିଦେଲା ଟିଟୁ । ବିରକ୍ତିରେ ଅତିଶୟ ହୋଇ ଉଠିଲା ସୁନନ୍ଦା । ପାଟିକରି ଉଠିଲା । ଏ ନିଆଁଲଗା ପିଲାଟା ମଣିଷକୁ ଟିକିଏ ଶାନ୍ତିରେ ମରିବାକୁ ବି ଦେଉନି ! ଛି...ଛି...କି ଦୁର୍ଯୋଗରେ ଏ ପିଲାଟା ଜନ୍ମ ହୋଇଥିଲା କେଜାଣି...

 

ନୀଳକଣ୍ଠ ଆଖିରେ ଯେଉଁ ତନ୍ଦ୍ରା ଜମି ଆସିଥିଲା, ତାହା କ୍ଷଣକ ମଧ୍ୟରେ କୁଆଡ଼େ ଅପସରି ଗଲା । ଟିଟୁ କାନ୍ଦୁଛି । ତା ଉପରେ ଅସମ୍ଭବ ଧରଣର ବିରକ୍ତି ହେଉଚି ସୁନନ୍ଦା । ସୁନନ୍ଦା ଏବେ ଟିକକ କଥାରେ ବିରକ୍ତ ହେଉଚି, ଚିଡ଼ି ଚିଡ଼ି ହେଉଚି । ବିଶେଷତଃ ଟିଟୁ ମୂକ ବୋଲି ଡାକ୍ତର କହିଲାଦିନୁ ତା ମସ୍ତିଷ୍କର ସବୁ ତନ୍ତ୍ରୀଗୁଡ଼ାକ ଗୋଳମାଳ ହୋଇଯାଇଚି ।

 

ନିଜ ସିଟ୍‍ରୁ ନୀରବରେ ଉଠିଯାଇ ନୀଳକଣ୍ଠ ଟିଟୁକୁ କୋଳକରି ଆଣିଲା । ଆଶ୍ଚର୍ଯ୍ୟ ! ନୀଳକଣ୍ଠ କୋଳକୁ ଆସିବାମାତ୍ରେ ପିଲାଟା ଆରାମରେ ପୁଣି ଘୂମାଇବାକୁ ଆରମ୍ଭ କଲା ! କାନ୍ଦ ନାହିଁ, ବ୍ୟସ୍ତତା ନାହିଁ, କିଛି ନାହିଁ !

 

ତେବେ କଣ ସୁନନ୍ଦାର କୋଳ ତାକୁ କଣ୍ଟକିତ ଲାଗୁଚି । ମାଆର କୋଳ କଅଣ ପୁଅକୁ କଣ୍ଟକିତ ଲାଗିପାରେ !

 

କିଛି ସମୟ ପରେ ସୁନନ୍ଦାକୁ ଲକ୍ଷ୍ୟ କରି ନୀଳକଣ୍ଠ କହିଲା, ମମତା ନହେଲା ନାହିଁ ପିଲାଟା ଉପରେ ତମର ତିଳେ ଦୟା ଆସୁନାହିଁ ?

 

ରିଜର୍ଭ କମ୍ପାଟମେଣ୍ଟର ଝରକା ବାଟେ ସୁନନ୍ଦା ବାହାରକୁ ଚାହିଁଥିଲା । ନୀଳକଣ୍ଠ କଥାର ଉତ୍ତର ସେ ସାଙ୍ଗେ ସାଙ୍ଗେ କିଛି ଦେଲା ନାହିଁ । କିଛି ସମୟ ପରେ ଅୟତ—କଣ୍ଠରେ ସେ କହିଲା, ପିଲାକୁ ମା କେବେ ଦୟା କରେ ନାହିଁ । ପୁଅ ମାଆଠୁଁ କେବେ ଅନୁକମ୍ପା ଚାହେଁନା । ଜୁଲୁମ କରିବା ତାର ଦାବି । ଟିଟୁର ସବୁ ଜୁଲୁମ ମୁଁ ସହିବାକୁ ରାଜି, କିନ୍ତୁ ସେ ଜୁଲୁମ ଯଦି ଅତ୍ୟାଚାର ଅବସ୍ଥାରେ ପହଁଞ୍ଚେ !

 

ନୀଳକଣ୍ଠ କିଛି କହିଲା ନାହିଁ । କହିବାର ତାର କିଛି ନଥିଲା । ସୁନନ୍ଦାର ଦୁଃଖ ସେ ଜାଣେ । ଟିଟୁ ତାର ଗର୍ଭକୋଷ ଭିତରକୁ ଆସି ନଥିଲେ ହୁଏତ ନୀଳକଣ୍ଠର ପାଇବାର ସୀମା ଭିତରକୁ ସେ କେବେ ଆସି ନଥାନ୍ତା । ଥରେ ସେ ତାର ପାଇବାର ଅକ୍ଷାଂଶ ଦ୍ରାଘିମାକୁ ଛିନ୍ନ ବିଛିନ୍ନ କରି ଚାଲିଯାଇଥିଲା । ପୁଣି ସେଇ ବନ୍ଧନର ଜାଲ ଭିତରକୁ ତାକୁ ଠେଲିଦେଲା ଟିଟୁ ।

 

ସୁନନ୍ଦା କଅଣ ପୁଣି ସେ ବନ୍ଧନକୁ ଛିନ୍ନ କରିବାକୁ ଚାହେଁ !

 

ବିକଟ ଏକ ଶ୍ରୁତିକଟୁ ଶବ୍ଦ ସୃଷ୍ଟିକରି ଟ୍ରେନ୍‍ ଚାଲିଛି । ପୂରାପୂରି ନିଦରେ ଶୋଇ ପଡ଼ିଲାଣି ଟିଟୁ । ନୀଳକଣ୍ଠ ଟିଟୁକୁ କାନ୍ଧରେ ପକାଇ ସୁନନ୍ଦା ପାଖକୁ ଗଲା । କହିଲା, ନିଅ । ତମ ଟିଟୁ ଶୋଇ ପଡ଼ିଲାଣି ।

 

ସୁନନ୍ଦା ଚାହିଁଲା ନୀଳକଣ୍ଠର ମୁହଁକୁ । ନୀଳକଣ୍ଠର ମୁହଁଟାସାରା କେମିତି ଏକ ଗାମ୍ଭୀର୍ଯ୍ୟ ମେଘରେ ଛାଇ ହୋଇ ରହିଚି ।

 

ହୁଏତ ତା କଥାରେ ଆହତ ହୋଇଚି ନୀଳକଣ୍ଠ । ଟିଟୁକୁ ସୁନନ୍ଦାର କୋଳରେ ଛାଡ଼ିଦେଇ ନୀଳକଣ୍ଠ ଚାଲି ଯାଉଥିଲା । ସୁନନ୍ଦା ଡାକିଲା ଶୁଣ ।

 

ନିଦ୍ରିତ ଶିଶୁକୁ ତା ଶେଯରେ ଶୁଆଇଦେଲା ନେଇ ସୁନନ୍ଦା ।

 

ପଛକୁ ଚାହିଁ ନୀଳକଣ୍ଠ ପଚାରିଲା, ମତେ ଡାକୁଚ ?

 

ଓଠ ଚିପି ଚିପି ହସି ହସି ସୁନନ୍ଦା କହିଲା, ଏ ରିଜର୍ଭ କମ୍ପାଟମେଣ୍ଟରେ ମୋ ଡାକ ଶୁଣିବାକୁ ତମଛଡ଼ା ଆଉ କିଏ ଅଛି ?

 

ନୀଳକଣ୍ଠ ସୁନନ୍ଦା ପାଖକୁ ଫେରି ଆସିଲା । ସନ୍ଦିଗ୍ଧ କଣ୍ଠରେ ପଚାରିଲା, ମୋଠିଁ କଅଣ କିଛି କାମ ଅଛି ?

 

ସୁନନ୍ଦା ହଠତ୍ ନୀଳକଣ୍ଠର କଣ୍ଠସଂଲଗ୍ନା ହୋଇ କହିଲା, ସ୍ଵାମୀ ପାଖରେ ସ୍ତ୍ରୀର ଯେତିକି କାମ, ସେତିକି । ଟିଟୁନେଇ ତମେ ଏତେ ବ୍ୟସ୍ତ ହୋଇପଡ଼ିଛ । ମୋ ପ୍ରତି ତମର କିଛି ଦାୟିତ୍ଵ ଅଛି ବୋଲି ତମେ ସମ୍ପୂର୍ଣ୍ଣ ଭୁଲିଗଲଣି । ନୁହେଁ ?

 

ନୀଳକଣ୍ଠ ଆଖିରେ ତାରୁଣ୍ୟର ତରଙ୍ଗ ନଚାଇ ନଚାଇ ପଚାରିଲା, କଅଣ କହିଲୁ ଶୁଣେ ! କୋଇଲିର ଗୀତଭଳି କଥାଗୁଡ଼ାକ ତ ଭାରି ମିଠା ମିଠା ଶୁଭୁଚି !

 

ସୁନନ୍ଦା ନିଜ ଦୁଇ ବାହୁରେ ନୀଳକଣ୍ଠର ବେକକୁ ଛନ୍ଦିଦେଲା । ନୀଳକଣ୍ଠର ଲୋମଶ ଛାତି ଉପରେ ରଖିଲା ନିଜର ମୁହଁ । ଆଖିବୁଜି ସେମିତି ଆଉଜି କିଛି ସମୟ ଠିଆହେଲା । ନୀଳକଣ୍ଠ ଅନୁଭବ କଲା—ସୁନନ୍ଦାର ମାଂସଳ ବକ୍ଷର ସେଇ ଦପ୍‍ଦପ୍ ଶବ୍ଦଟା, ସତେ ଯେମିତି ତାର ପ୍ରତି ରକ୍ତକଣିକାରେ ଏକ ପ୍ରଳୟ ତୋଫାନର ଝଙ୍କାର ତୋଳୁଛି ।

 

ଅନେକ......ଅନେକ ଦିନ ପରେ ନୀଳକଣ୍ଠର ରକ୍ତକଣିକାରେ ଏଇ ବଣ୍ୟ ତୋଫାନର ଅନୁଭୂତି । ସେଇ ଅନୂଢ଼ା କୁମାରୀ ବୟସରେ ସୁନନ୍ଦା ଠିକ୍ ଏମିତି ତା ଦେହକୁ ଲାଗି ଆସୁଥିଲା । ତା ସାନ୍ଦ୍ର ସ୍ତନର ନିବିଡ଼ ସ୍ପର୍ଶରେ ଏମିତି ରୋମାଞ୍ଚର ତୋଫାନ ଉଠୁଥିଲା ନୀଳକଣ୍ଠର ତରୁଣ ରକ୍ତରେ । ଭଲ ପାଇବାର ପ୍ରବଳ ଆବେଗ ଭିତରକୁ ନିଜ ଅଜାଣତରେ ଠେଲି ହୋଇ ଯାଉଥିଲା ନୀଳକଣ୍ଠ !

 

ହାୟ ସେ ଅତୀତର ଅଭୁଲା ଅପାସୋରା ରଙ୍ଗିନ୍ ଦିନ !

 

ଏବେ ସୁନନ୍ଦାକୁ ଖୁବ୍ ନିକଟରେ ପାଇଚି ନୀଳକଣ୍ଠ, କିନ୍ତୁ ସେ ହଜିଗଲା ଦିନର ଅନୁଭୂତି ଆଉ ଫେରି ପାଇ ନଥିଲା । ଆଜି କେମିତି ପୁଣି ସେଇ କସ୍ତୁରୀର ସୁରଭି ଲାଗିଛି ତା ମନରେ । ଅନେକ ଦିନ—ଅନେକ ଦିନ ପରେ... !

 

ସୁନନ୍ଦା ଅନୁନୟ କଲାଭଳି ଅନୁଚ୍ଚ କଣ୍ଠରେ କହିଲା, ତମେ ଏଇ ବେଞ୍ଚ ଉପରେ ବସ । ଟିଟୁ ତ ଶୋଇଚି । ମୁଁ ତମ କୋଳରେ ଟିକିଏ ମୁଣ୍ଡ ରଖି ଶୁଏ । ଟ୍ରେନରେ ଆସି ମୁଣ୍ଡଟା କାହିଁକି ବିନ୍ଧୁଛି ଯେ... !

 

ନୀଳକଣ୍ଠ ବସିଲା ସୁନନ୍ଦାର ଶଯ୍ୟାଧାରରେ ।

 

ନୀଳକଣ୍ଠ କୋଳରେ ମୁଣ୍ଡ ରଖି ଶୋଇଗଲା ସୁନନ୍ଦା ! ନୀଳକଣ୍ଠର ଲୋମଶ ଛାତିରେ ହାତର ଆଙ୍ଗୁଠିରେ ଗାର କାଟୁ କାଟୁ କହିଲା, ଟିଟୁ କଥା କହିବ ନାହିଁ ବୋଲି ତମେ ଏମିତି ବିଚଳିତ ହେଉଚ କାହିଁକି ? ଥୟ ଧର—ଭଗବାନ କଲେ ପୁଣି ଗୋଟିଏ କୁନି ପୁଅ ଆସିବ । ସେ କଦାପି ଟିଟୁ ଭଳି କଥା କହିବା ବନ୍ଦ କରି ଦୁଷ୍ଟାମୀ କରିବ ନାହିଁ । ସେ ଠିକ୍ ତମ ଭଳି ଶାନ୍ତ, ଶିଷ୍ଟ ହେବ । ତମେ ଟିଟୁ ପାଇଁ ଆଦୌ ଦୁଃଖ କର ନାଇଁ । ମୋ ରାଣଟି !

 

ଚମକି ଉଠିଲା ନୀଳକଣ୍ଠ । ସୁନନ୍ଦାର କଣ୍ଠରେ ସେଇ ଅନୁଯୋଗ ! ଟିଟୁ ! ଟିଟୁ !

 

ସୁନନ୍ଦାର କୋଳରେ ଥାଇ ନୀଳକଣ୍ଠ ଅନୁଭବ କଲା, ସୁନନ୍ଦାର ମନଟା ସତକୁ ସତ କଣ୍ଟକିତ ହୋଇ ଉଠିଲାଣି । ସେଥିପାଇଁ ସୁନନ୍ଦାର କୋଳରେ ରହି ଟିଟୁ ଅକାରଣରେ କାନ୍ଦୁଚି ।

 

ଦାର୍ଜିଲିଂ ଷ୍ଟେସନ ପାଖ ହୋଇ ଆସୁଥିଲା ।

 

ଗାଡ଼ିର ଗତି କମିବାକୁ ଆରମ୍ଭ କରିଥିଲା । ସୁନନ୍ଦାର ମୁଣ୍ଡକୁ ନିଜ କୋଳରୁ ଅଲଗା କରି ନୀଳକଣ୍ଠ କହିଲା, ଉଠ, ଷ୍ଟେସନ ଆସିଗଲା ।

 

ଗାଡ଼ିର ଗତି କ୍ରମଶଃ ଶିଥିଳ ହୋଇ ଆସୁଚି । ଇଞ୍ଜିନ୍‍ଟା ଗର୍ଜନ କରିବାକୁ ଆରମ୍ଭ କରିଚି ।

 

ଷ୍ଟେସନ ଆସିଗଲା ।

 

ସୁନନ୍ଦା ଆହତ ହେବାଭଳି ମୁଖଭଙ୍ଗୀ କରି ନିଜ ଅନିଚ୍ଛାରେ ନୀଳକଣ୍ଠର କୋଳ ଶଯ୍ୟା ତ୍ୟାଗ କରି ଉଠି ପଡ଼ିଲା ।

 

ଦାର୍ଜିଲିଂ ଉପକଣ୍ଠରେ ଏକ ସୁଦୃଢ଼ କାଠ ତିଆରି ଘର ।

 

ସେଇ ହେଲା ନୀଳକଣ୍ଠର ବାସସ୍ଥାନ । ବେଶ ମନୋରମ ପରିବେଶ । ଆଗକୁ ଚାହିଁଲେ ଆଖିରେ ଭାସିଉଠେ ହିମାଳୟର ଦିଗହୀନ ପର୍ବତମାଳା, ମଥା ଉପରେ ଯାହାର ଭାସମାନ ମେଘଖଣ୍ଡମାନ ସବୁବେଳେ ଉଡ଼ି ଉଡ଼ି ପର୍ବତ ଶିଖରକୁ ଛୁଇଁ ଛୁଇଁ ଯିବାକୁ ଚେଷ୍ଟା କରୁଥାଆନ୍ତି ।

 

ସେଇ ଶ୍ୟାମଳ, ଶାଦ୍‍ବଳ, ଗୁଳ୍ମଜଟିଳା, ପାହାଡ଼ମେଖଳା ଘେରା ସ୍ଵପ୍ନର ଦାର୍ଜିଲିଂ !

 

ପ୍ରଥମ ସାକ୍ଷାତରେ ହିଁ ନୀଳକଣ୍ଠ ଏ ସ୍ଥାନଟିର ପ୍ରେମରେ ପଡ଼ି ଯାଇଥିଲା ।

 

ସୁନନ୍ଦାକୁ ବି ବେଶ୍ ଲାଗିଥିଲା ସ୍ଥାନଟି । ଦିନଗୋଟିକରେ ଏହି ଭଡ଼ା ଘରଟିକୁ ଗୋଟିଏ ପରିବାର ଚଳିପାରିବା ଭଳି ବ୍ୟବହାର ଉପଯୋଗୀ କରି ସଜାଡ଼ି ନେଇଥିଲା ସୁନନ୍ଦା ।

 

ବାସଗୃହର ସାଜସଜ୍ଜା ଦେଖି ନୀଳକଣ୍ଠ ଇଷତ୍ ହସି କହିଥିଲା, ଜଣାଯାଉଛି ବେଶ୍ କେତେମାସ ରହିବା ପାଇଁ ଯୋଜନା କରି ତୁ ଏ ଘରର ସାଜସଜ୍ଜା ଆରମ୍ଭ କରି ଦେଲୁଣି ନନ୍ଦା । ନାଇଁ ?

 

ସୁନନ୍ଦା ହସିଲା ।

 

ତା’ ଓଠର ସେଇ ନିଟୋଳ ହାସ୍ୟଧାରା ସତେ ଯେମିତି କହି ଦେଉଥିଲା, ଯେ କୌଣସି ସ୍ଥାନକୁ ବାସୋପଯୋଗୀ କରି ଗଢ଼ି ତୋଳିବା ନାରୀର ସହଜାତ ଧର୍ମ । ବଣ ଜଙ୍ଗଲରେ ମଧ୍ୟ ନାରୀ ଗୃହର ପରିବେଶ ସୃଷ୍ଟି କରିପାରେ ।

 

ସନ୍ଧ୍ୟାବେଳକୁ ନୀଳକଣ୍ଠର କୋଠରୀକୁ ଆସିଲେ ଡକ୍ଟର ପ୍ରାଟ୍ ।

 

କେବଳ ଡାକ୍ତର କହିଲେ ପରିଚୟ ତାଙ୍କର ଅସମ୍ପୂର୍ଣ୍ଣ ରହିବ । ସାଧାରଣ ଅର୍ଥରେ ଡାକ୍ତର କହିଲେ ଯାହା ବୁଝାଯାଏ ସେ ତାହା ନୁହଁନ୍ତି, ରୋଗର ଚିକିତ୍ସା କରି ପଇସା ରୋଜଗାର କରିବାକୁ ସେ ଡାକ୍ତରୀ ପାଠ ପଢ଼ି ନଥିଲେ । ଯୀଶୁଖ୍ରୀଷ୍ଟଙ୍କ ପୃଥିବୀରେ ଲୋକଙ୍କୁ ନିରାମୟ କରିବାର ମହତ୍ ଉଦ୍ଦେଶ୍ୟରେ ସେ ଜନସେବାର ମହାନ୍ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି ।

 

ଇଂଲଣ୍ଡରେ ସେ ଜନ୍ମ ହୋଇଥିଲେ ସତ, କିନ୍ତୁ କର୍ମଭୂମି ତାଙ୍କର ସାରା ପୃଥିବୀ । ଗୋଟିଏ ଦେଶରୁ ଅନ୍ୟଦେଶ, ଗୋଟିଏ ଜନପଦରୁ ଅନ୍ୟ ଜନପଦ ସେ ଅତିକ୍ରମ କରି ଚାଲିଛନ୍ତି, ମୂକ, ପଙ୍ଗୁ ଅନ୍ଧ ଜନତାର ଶୁଶ୍ରୂଷା ହେଲା ତାଙ୍କ ଜୀବନର ବ୍ରତ ।

 

ନୀଳକଣ୍ଠ ଡାକ୍ତର ପ୍ରାଟ୍‍ଙ୍କୁ ଯାଇ ପାଛୋଟି ଆଣିଲା ।

 

ସୁନନ୍ଦା ଦେଖିଲା ହିମାଳୟ ଉପରର ତୁଷାରମାଳା ଭଳି ଶୁଭ୍ର-ସତେଜ ଜଣେ ମଣିଷ । ହିମାଳୟ ଭଳି ଉଦାର, ମହାନ, ପ୍ରଶାନ୍ତ ତାଙ୍କର ଦୃଷ୍ଟି । ପ୍ରଥମେ ଦେଖିବା ମାତ୍ରେ ହିଁ ମନ ଭକ୍ତିରେ ଆନତ ହୋଇଆସେ । ହୃଦୟରେ ଜାଗେ ଅଦ୍ଭୁତ ଏକ ପ୍ରେରଣା ।

 

ସୁନନ୍ଦାକୁ ଦେଖି ଡକ୍ଟର ପ୍ରାଟ୍‍ଙ୍କ ମୁହଁରେ ହସର ତରଙ୍ଗ ଦେଖାଦେଲା । ଇଂରାଜୀରେ ଫିସ୍ ଫିସ୍ କରି ସେ କହି ଉଠିଲେ, ଈଶ୍ଵରଙ୍କ ମାୟା ବଡ଼ ଅଦ୍ଭୁତ ମାଆ ! ସେଥିରେ ବିଚଳିତ ହେବାର କିଛି କାରଣ ନାହିଁ । ତମେ ଆଦୌ ବ୍ୟସ୍ତ ହୁଅ ନାହିଁ । ପିଲା ନିଶ୍ଚୟ ଭଲ ହୋଇଯିବ ।

 

ଆବେଗରେ ଉଚ୍ଛ୍ୱାସରେ ସୁନନ୍ଦାର ଚକ୍ଷୁପ୍ରାନ୍ତ ଅଶ୍ରୁସିକ୍ତ ହୋଇ ଉଠିଥିଲା ।

 

ଟିଟୁର ଶଯ୍ୟା ଆଡ଼କୁ ସେ ଡକ୍ଟର ପ୍ରାଟ୍‍ଙ୍କୁ ଆଗେଇଦେଲା ।

 

ଟିଟୁକୁ ବହୁ ସମୟ ଧରି ଅନୁଧ୍ୟାନ କଲେ ଡକ୍ଟର ପ୍ରାଟ୍ । ପରୀକ୍ଷା ନିରୀକ୍ଷା ଚଳାଇଲେ-। ଯନ୍ତ୍ର ସାହାଯ୍ୟରେ ତାର ଛାତି, ମୁଣ୍ଡ ଓ କଣ୍ଠ ନଳୀକୁ ପର୍ଯ୍ୟବେକ୍ଷଣ କଲେ । ଟିଟୁକୁ ପରୀକ୍ଷା କଲାବେଳେ ତାଙ୍କ ମୁହଁର ରେଖାଗୁଡ଼ିକ କେତେବେଳେ କୁଞ୍ଚିତ ଏବଂ ଆଉ କେତେବେଳେ ସମ୍ପ୍ରସାରିତ ହୋଇ ଯାଉଥିଲା ।

 

ପରୀକ୍ଷା ଶେଷ କରି ଡକ୍ଟର ପ୍ରାଟ୍ ଉଠି ଠିଆହେଲେ ।

 

ନୀଳକଣ୍ଠକୁ ଲକ୍ଷ୍ୟ କରି କହିଲେ, ମୁଁ ଏ ପିଲାର ଚିକିତ୍ସା ଦାୟିତ୍ଵ ନେଲି, ଆପଣ ସମ୍ପୂର୍ଣ୍ଣ ମୋ ଉପରେ ନିର୍ଭର କରି ପାରନ୍ତି, ଅବଶ୍ୟ ଚିକିତ୍ସା ଶେଷ ହେବା ପର୍ଯ୍ୟନ୍ତ ଆପଣଙ୍କୁ ଏଇଠି ଅଟକି ରହିବାକୁ ପଡ଼ିବ ।

 

ସୁନନ୍ଦା ନୀଳକଣ୍ଠର ପଛପଟେ ଠିଆ ହୋଇଥିଲା । ଡକ୍ଟର ପ୍ରାଟ୍‍ଙ୍କ ମୁହଁରୁ ନିର୍ଭୟ ବାଣୀ ଶୁଣି ମଧ୍ୟ ସେ ବିଶ୍ଵାସ କରି ପାରୁ ନଥିଲା । ଅବିଶ୍ଵାସ କଲା ଭଳି ସନ୍ଦେହୀ କଣ୍ଠରେ ସେ କହିଲା, ଟିଟୁ ନିଶ୍ଚୟ ଭଲ ହୋଇଯିବ ସାର୍ !

 

ଡକ୍ଟର ପ୍ରାଟ୍ ସୁନନ୍ଦା ଆଡ଼କୁ ଦୃଷ୍ଟି ଫେରାଇ କହିଲେ, ମୋର ଅନ୍ତତଃ ସେଇ ବିଶ୍ଵାସ । ମସ୍ତିଷ୍କର ସୂକ୍ଷ୍ମତନ୍ତ୍ରୀ ସହିତ ଦେହର କେତେକ ତନ୍ତ୍ରୀ ବିଚ୍ଛିନ୍ନ ହୋଇଯିବା ଫଳରେ ଏଭଳି ଅସୁବିଧା ହୋଇଚି । ସେଥିପାଇଁ ହୁଏତ ଅପଚିକିତ୍ସା ଦରକାର ହୋଇପାରେ । କିନ୍ତୁ ଅପଚିକିତ୍ସା ପୂର୍ବରୁ ମୁଁ ତାକୁ ମୋର ମାନସିକ ଚିକିତ୍ସାଧୀନରେ କିଛିଦିନ ରଖିବାକୁ ଚାହୁଁଛି ।

କୃତଜ୍ଞତାରେ ନୀଳକଣ୍ଠର ମୁଣ୍ଡ ତଳକୁ ନଇଁ ପଡ଼ୁଥିଲା ।

ଡକ୍ଟର ପ୍ରାଟ୍ ଯିବାକୁ ବାହାରିଲାବେଳେ କାଗଜ ନୋଟ ବିଡ଼ାଟାଏ ଆଣି ତାଙ୍କ ଆଗରେ ତୋଳି ଧରିଲା ନୀଳକଣ୍ଠ ।

ଡକ୍ଟର ପ୍ରାଟ୍ ସାମାନ୍ୟ ବିରକ୍ତ ହୋଇ କହିଲେ, ଟଙ୍କାଟା କଅଣ ଚିକିତ୍ସାର ମାପକାଠି ! ଆପଣ ଜାଣନ୍ତି ଇଂଲଣ୍ଡରେ ବିନାମୂଲ୍ୟରେ ଚିକିତ୍ସାର ବ୍ୟବସ୍ଥା ରହିଚି । ସେଠାରେ ଡାକ୍ତରମାନେ ଟଙ୍କା ନେବାରେ ଅଭ୍ୟସ୍ତ ନୁହନ୍ତି । ଚିକିତ୍ସା ସହିତ ଟଙ୍କା କଥା ଚିନ୍ତା କଲା ମାତ୍ରେ ସବୁ ଗୋଳମାଳ ଆରମ୍ଭ ହୋଇଯାଏ, ଟଙ୍କାକୁ ଲକ୍ଷ୍ୟ କରି ଯେଉଁମାନେ ଚିକିତ୍ସା ଆରମ୍ଭ କରନ୍ତି, ସେମାନେ ରୋଗକୁ କେବେ ସମ୍ପୂର୍ଣ୍ଣ ଭଲ କରିବାକୁ ଚାହାନ୍ତି ନାହିଁ । କାରଣ ରୋଗ ଭଲ ହୋଇଗଲେ ଟଙ୍କା ରୋଜଗାରର ବାଟ ଆପେ ଆପେ ବନ୍ଦ ହୋଇଯାଏ । ବେଶୀ ରୋଗମାନେ ଅଧିକ ଟଙ୍କା !

କଥା କହି ସାରି ନିଶବ୍ଦରେ ହସିଲେ ଡକ୍ଟର ପ୍ରାଟ୍ ।

ସଙ୍କୋଚରେ ନୀଳକଣ୍ଠର ମୁହଁ ଆରକ୍ତ ହୋଇଉଠିଲା । ସେ ବିନୀତ କଣ୍ଠରେ କହିଲା, ଏ ଚିକିତ୍ସାର ମୂଲ୍ୟ ନୁହେଁ ସାର୍ ! ଏ ହେଲା କୃତଜ୍ଞତାର ପ୍ରତୀକ । ଦୟାକରି ଆପଣ ଏତକ ଗ୍ରହଣ କରନ୍ତୁ ।

ଡକ୍ଟର ପ୍ରାଟ୍ ସଶବ୍ଦରେ ହସିଉଠି କହିଲେ, କୃତଜ୍ଞତାର ଋଣ ପରିଶୋଧ କରି ହୁଏ ନାହିଁ ୟଙ୍ଗ୍‍ମ୍ୟାନ୍‍ ! ଏହା ସବୁଦିନେ ଅସୁଝା ରହିଯାଏ । ତଥାପି ଯଦି ତମେ ଦୁହେଁ କେବଳ ଋଣଶୋଧ କରି ପରିଚ ବୋଲି ତୃପ୍ତି ଲାଭ କରିବାକୁ ଚାହଁ, ମୁଁ ଏ ଟଙ୍କା ଗ୍ରହଣ କରୁଚି ।

 

ଟଙ୍କା ଥାକଟା ଧରି ଡକ୍ଟର ପ୍ରାଟ୍ ଉଠିଲେ ।

 

ସେ ଚାଲିଗଲା ପରେ ସୁନନ୍ଦା ପଚାରିଲା, ସେ ଥାକରେ ସମୁଦାୟ କେତେ ଟଙ୍କା ଥିଲା କୁହନି ଦେଖି ।

 

ନୀଳକଣ୍ଠ ସାମାନ୍ୟ ହସି କହିଲା, ଟିଟୁର କଥା କହିବାର ମୂଲ୍ୟ ଠାରୁ ସେ ଟଙ୍କା ଢେର୍‍ ଢେର୍‍ କମ୍…

 

ସୁନନ୍ଦା କିଛି କହିଲା ନାହିଁ । କହିବାକୁ ସାହସ କରି ପାରିଲା ନାହିଁ । ନୀଳକଣ୍ଠର ମନର ରହସ୍ୟ ଏବେ ତାକୁ ଦିନକୁ ଦିନ ବେଶି ବେଶି ଦୁର୍ବୋଧ୍ୟ ମନେ ହେଉଚି ।

 

କାଞ୍ଚନଜଙ୍ଘାର ସୀମାନ୍ତରେ ଅସ୍ତ ସୂର୍ଯ୍ୟର ଆଲୋକ ଉଜ୍ଜ୍ଵଳ ଦିଶୁଥିଲା । ସୁନୀଳ ଆକାଶର ବୁକୁରେ ଧାରେ କୁଙ୍କୁମର ରେଖା !

 

ଏକ ପାହାଡ଼ୀ ଝରଣାର ପାର୍ଶ୍ଵଭାଗରେ ସୁନନ୍ଦା ଆଉ ନୀଳକଣ୍ଠ ବସି ରହିଥିଲେ । ଡକ୍ଟର ପ୍ରାଟ୍ ଟିଟୁର ଚିକିତ୍ସା ଦାୟିତ୍ଵ ନେଲା ପରେ ଅନେକ ପରିମାଣରେ ଆଶ୍ଵସ୍ତ ହୋଇଛନ୍ତି ସୁନନ୍ଦା ଆଉ ନୀଳକଣ୍ଠ । ଟିଟୁ ଆସ୍ତେ ଆସ୍ତେ ସ୍ଵାଭାବିକ ଭାବରେ ଭଲ ଆଡ଼କୁ ଗତି କରୁଚି ବୋଲି ଡକ୍ଟର ପ୍ରାଟ୍‍ଙ୍କ ମତ । ନୀଳକଣ୍ଠର ମନରେ ସେଥିପାଇଁ ନୂତନ ଆବେଗର ଜୁଆର ଆସୁଚି । ତାର ପ୍ରାଣରେ ଜାଗିଚି ବିଚିତ୍ର ଏକ ସ୍ଵପ୍ନର ନିଶା ।

 

ସୁନନ୍ଦାକୁ ସାଙ୍ଗରେ ଘେନି ସେ ଆସିଚି ଆଜି ଏଇ ପାହାଡ଼ୀ ଝରଣାର କୂଳକୁ । ସୁନନ୍ଦାକୁ ସେ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଖବର ଦେବ । ତା ନିଜପାଇଁ ସେ ଖବର ବିଶେଷତ୍ଵହୀନ ହୋଇପାରେ, କିନ୍ତୁ ସାଂସାରିକ ଦୃଷ୍ଟିକୋଣରୁ ବିଷୟଟା ଆଦୌ ଲଘୁ ନୁହେଁ ।

 

କିନ୍ତୁ କହିବ କହିବ ହୋଇ ସେ କଥାଟା ହଠାତ୍ ନୀଳକଣ୍ଠ କହି ପାରୁ ନଥିଲା ସୁନନ୍ଦାକୁ-। କିପରି ଭାବରେ କଥାଟା କହିବା ଆରମ୍ଭ କରିବ, ତାହା ସେ ବୁଝି ପାରୁ ନଥିଲା । ସୁନନ୍ଦା ନିଜ ଆଡୁ କଥାଟା ଉଠାଇଲା । ପଚାରିଲା, କିଛି କହିବ ?

 

କହିବାର ରାସ୍ତା ପାଇଲା ନୀଳକଣ୍ଠ ।

 

କହିଲା, ଅନେକ ଦିନ ହେଲା କଥାଟା ତତେ କହିବି ବୋଲି ଭାବୁଛି । ବାବା ମତେ ସମ୍ପତ୍ତି ଉଇଲ୍‍ କରିବା ସମ୍ପର୍କରେ ଚିଠି ଲେଖିଥିଲେ, ମୁଁ ତାଙ୍କୁ ଲେଖି ଦେଇଛି, ସେ ଟିଟୁ ନାମରେ ସମ୍ପତ୍ତିର ଉଇଲଟା କରି ଦିଅନ୍ତୁ । ଖୁବ୍ ସମ୍ଭବତଃ ଏଇ ଅଳ୍ପ ଦିନ ମଧ୍ୟରେ ସେ ଉଇଲ୍‍ ଆସି ଆମ ପାଖରେ ପହଞ୍ଚିଯିବ ।

 

ନୀଳକଣ୍ଠ କଥା ଶୁଣି ବିସ୍ମୟର ଏକ ଧକ୍‍କା ଲାଗିଲା ସୁନନ୍ଦାର ମନରେ । ନୀଳକଣ୍ଠର ବକ୍ତବ୍ୟ ସେ ହଠାତ୍ ହୃଦୟଙ୍ଗମ କରିପାରିଲା ନାହିଁ ।

 

ନୀଳକଣ୍ଠ ପୁଣି କହିଲା, ଉଇଲ କରି ନଥିଲେ ମଧ୍ୟ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ଟିଟୁର ତ ପ୍ରାପ୍ୟ । କିନ୍ତୁ ମୋର ମନେ ହେଉଚି ସମ୍ପତ୍ତିରୁ କିଛି ବୋଧହୁଏ ବାବା ତାଙ୍କର ଠାକୁର ଘରକୁ ଦାନ କରିବେ । ସେଥିପାଇଁ ଉଇଲର କଥା ଉଠିଛି । ଜିଲ୍ଲା ବିଚାରପତି ଥିଲେ କଣ ହେବ ଠାକୁରଙ୍କ ଉପରେ ତାଙ୍କର ଅଗାଧ ବିଶ୍ଵାସ ।

 

ନୀଳକଣ୍ଠକୁ ଆଉ କିଛି କହିବାକୁ ନଦେଇ ସୁନନ୍ଦା ମଝିରେ କହି ଉଠିଲା, ମୋର ମନେ ହେଉଚି ଡକ୍ଟର ପ୍ରାଟ୍ ତମର ମଧ୍ୟ ଚିକିତ୍ସା କରିବା ଦରକାର ।

 

ଅବାକ୍ କଣ୍ଠରେ ନୀଳକଣ୍ଠ ପଚାରିଲା, ମୋର ଚିକିତ୍ସା ! ମୋର କଣ ହୋଇଚି ନନ୍ଦା ! ଡକ୍ଟର ପ୍ରାଟ୍ ମୋର ଚିକିତ୍ସା କରିବେ କାହିଁକି ?

 

ସୁନନ୍ଦା ସେଇ ପାହାଡ଼ ଝରଣାର ଜଳରେ ନିଜର ମୁହଁ ଦେଖୁ ଦେଖୁ କହିଲା, ଟିଟୁକୁ ଭଲ ପାଇବା ତମର ବ୍ୟାଧିର ପରିଣତ ହୋଇଗଲାଣି । ସ୍ନେହ, ଭଲ ପାଇବା ଯେତେବେଳେ ସୀମା ଅତିକ୍ରମ କରେ, ତାହା ହୁଏ ବ୍ୟାଧି । ଏ ବ୍ୟାଧି ବଡ଼ ସଂକ୍ରାମକ, ନାନା ଅନିଶ୍ଚିତ ବିପଦ ଭିତରକୁ ମଣିଷ ଏ ବ୍ୟାଧି ଠେଲିଦିଏ ।

 

ମୃଦୁ ଅଥଚ ଦୃଢ଼ କଣ୍ଠରେ ନୀଳକଣ୍ଠ ଉତ୍ତର ଦେଲା, ଟିଟୁକୁ ସୁଖରେ ରଖିବା ପାଇଁ ମତେ ଯଦି ବ୍ୟାଧିଗ୍ରସ୍ତ ହେବାକୁ ହୁଏ, ସେଥିପାଇଁ ମୁଁ ପ୍ରସ୍ତୁତ ।

 

କିନ୍ତୁ କାହିଁକି ? —ସୁନନ୍ଦା ଉତ୍ତର ଦାବୀ କଲା ।

 

ନୀଳକଣ୍ଠ କହିଲା, କାରଣ ମୁଁ ଟିଟୁ ପାଖରେ ବହୁ ଭାବରେ କୃତଜ୍ଞ । ମୁଁ ସେ କୃତଜ୍ଞତାର ଋଣ ପରିଶୋଧ କରିବାକୁ ଚାହେଁ, ମୋର ରକ୍ତବିନ୍ଦୁ ଦେଇ ।

 

କୃତଜ୍ଞତା ? ସୁନନ୍ଦାର-କଣ୍ଠରେ ବିସ୍ମୟର ସ୍ପର୍ଶ ।

 

ନୀଳକଣ୍ଠ କହିଲା, ହଁ, କୃତଜ୍ଞତା । ତୁ ସେ ଭୟଙ୍କର ଦିନଗୁଡ଼ିକର କଥା ମୋଟେ ଅନୁମାନ କରିପାରିବୁ ନାହିଁ ନନ୍ଦା ! ତତେ ଅନ୍ୟ ଜଣକୁ ବିବାହ କରିବା ପାଇଁ ଅନୁମତି ଦେଇ ସାରିଲା ପରେ ଏକ ମର୍ମନ୍ତୁଦ ଯନ୍ତ୍ରଣାରେ ମୁଁ ଛଟପଟ ହେଉଥିଲି । ତୁ ଯଦି ଅବଶେଷରେ ମୋ ଜୀବନର ପରିଧି ଭିତରକୁ ଆସି ନଥାନ୍ତୁ, ମୁଁ ପାଗଳ ହୋଇ ଯାଇଥାଆନ୍ତି । ଭଲ ପାଇବାର ଯନ୍ତ୍ରଣା ପୁରୁଷ ପକ୍ଷରେ କି ଯନ୍ତ୍ରଣାଦାୟକ, ତୁ ତା ଆଦୌ ବୁଝିପାରିବୁ ନାଇଁ । ନାରୀ ପକ୍ଷରେ ଦେହଟା ହେଲା ବଡ଼ । ସୁଖ ସଂପଦରେ ସ୍ଵାମୀ ସନ୍ତାନ ନେଇ ସଂସାର ଆରମ୍ଭ କଲେ, ଛାଇ ନିଦରେ ଦୁଃସ୍ଵପ୍ନ ଭଳି ନାରୀ ତାର ଅତୀତର ଭଲ ପାଇବାକୁ ଭୁଲି ଯାଇପାରେ । କିନ୍ତୁ ପୁରୁଷ ପକ୍ଷରେ ତାର ମନ ହିଁ ହେଲା ମୁଖ୍ୟ । ତା ମନରେ ଥରେ ଭଲ ପାଇବାର କ୍ଷତ ସୃଷ୍ଟି ହେଲେ, ସେ କ୍ଷତର ଯନ୍ତ୍ରଣା ଆଉ ସହଜରେ ଲିଭେ ନାହିଁ ।

 

ସୁନନ୍ଦା ଅବାକ୍ ଆଖିରେ ନୀଳକଣ୍ଠ ଆଡ଼କୁ ଚାହିଁ ରହିଥିଲା । ବହୁଦିନ ପରେ ସତେ ଯେମିତି ସେ ନିଜ ପ୍ରିୟତମ ସ୍ଵାମୀଙ୍କର ଆଉ ଏକ ପରିଚୟ ଏତେଦିନ ପରେ ପୁଣି ଥରେ ଆବିଷ୍କାର କରୁଚି !

 

କାଞ୍ଚନଜଙ୍ଘାର ସୀମାନ୍ତରୁ ଗୋଧୂଳିର ସିନ୍ଦୂର ଲିଭିଗଲାଣି । ସନ୍ଧ୍ୟାର କଳା ପାଣିଚିଆ ଅନ୍ଧକାର ଆସ୍ତେ ଘୋଟି ଆସୁଛି । ଆକାଶର ଆରିସିରେ ସାମାନ୍ୟ କେତୋଟି ତାରକା ନିଜ ନିଜ ମୁହଁ ଦେଖିବାକୁ ଆରମ୍ଭ କରିଛନ୍ତି । ସେଇ ଦିଗହୀନ ଅନନ୍ତ ଅନ୍ତରୀକ୍ଷ ଆଡ଼କୁ ଉଦାସ ଆଖିରେ କେବଳ ଚାହିଁ ରହିଲା ସୁନନ୍ଦା ।

 

ନୀଳକଣ୍ଠ ପୁଣି କହିଲା, ତୋର ଗର୍ଭକୋଷ ଭିତରକୁ ଟିଟୁ ଯଦି ଆସି ନ ଥାନ୍ତା ପଙ୍କଜ ଦାସର ପଳାୟନ ପରେ ପୁଣି ତୁ କେବେ ଆଉ ମୋ ପାଖକୁ ଫେରି ଆସି ନଥାନ୍ତୁ । ଟିଟୁ ହିଁ ତୋତେ ମୋ ପାଖକୁ ଫେରାଇ ଆଣିଲା ନନ୍ଦା ! ମୋ ରୁକ୍ଷ, ଶୁଷ୍କ ଜୀବନରେ ସେ ପୁଣି ସୃଷ୍ଟି କଲା ନବ କିଶଳୟର ଉଦୟ ସମାରୋହ !

 

ଏଥର ନୀଳକଣ୍ଠର କଥା ଶୁଣି ସୁନନ୍ଦା ତା ଆଡ଼କୁ ସିଧା ହୋଇ ଚାହିଁଲା । ଅନ୍ଧକାର ମଧ୍ୟରେ ମଧ୍ୟ ସୁନନ୍ଦା ସ୍ପଷ୍ଟ ଦେଖି ପାରୁଥିଲା, ଭଲ ପାଇବାର ଏକ ନୂତନ ଆବେଗରରେ ନୀଳକଣ୍ଠର ଅବଶ ପ୍ରାଣ ତନ୍ତ୍ରୀରେ ନୂତନ ସ୍ପନ୍ଦନ ଜାଗିଛି ।

 

ଏଥର ଆଉ ମୂକ ହୋଇ ବସିପରିଲା ନାହିଁ ସୁନନ୍ଦା । ନୀଳକଣ୍ଠର ହୃଦୟ ଭିତରେ ଚାପା ପଡ଼ି ଏତେଗୁଡ଼ାଏ ଆବେଗ ଯେ ଫସିଲ୍ ହୋଇଯାଇଥିଲା, ତାହା ଆବିଷ୍କାର କରି ସୁନନ୍ଦାର ହୃଦୟ ପ୍ରକମ୍ପିତ ହୋଇଉଠିଲା । ସେ ବ୍ୟାକୁଳ କଣ୍ଠରେ ପ୍ରଶ୍ନ କରି ଉଠିଲା, ସତରେ ତମେ ମତେ ଏତେ ଭଲପାଅ ନିଲୁ ଭାଇ ! ତମେ ସତରେ ଏଡ଼େ ହୃଦୟବାନ୍ !

 

ଏଥର ନୀଳକଣ୍ଠ ହସିଲା ସଶବ୍ଦରେ ।

 

ନାରୀ ମନରେ ସେଇ ଗୋଟିଏ ସଂଦେହ । ଗୋଟିଏ ପ୍ରଶ୍ନ ।

 

ତାର ପ୍ରିୟତମ କଣ ତାକୁ ସତରେ ଭଲ ପାଏ ।

 

ସୁନନ୍ଦାର ସରୁ ସରୁ ଚମ୍ପକ ଆଙ୍ଗୁଳିରେ ଗୋଟିଏ ପ୍ରଗାଢ଼ ଚୁମ୍ବନର ମୁଦ୍ରା ଅଙ୍କନ କରି ନୀଳକଣ୍ଠ କହିଲା, ତତେ ଆଉ କି ପ୍ରମାଣ ଦେଇ ବୁଝାଇବି ଯେ ମୋ ହୃଦୟର ପ୍ରତ୍ୟେକ ରକ୍ତ କଣିକାରେ ତୋହରି ନାମର ଝଙ୍କାର ଉଠୁଛି !

 

ସୁନନ୍ଦା ସମ୍ମୋହିତା ହୋଇପଡ଼ିଥିଲା ।

 

ପଛରୁ ଡାକ ଶୁଭିଲା, ହାଲୋ ମିଷ୍ଟର ଦାସ !

 

ଡକ୍ଟର ପ୍ରାଟ୍‍ଙ୍କ କଣ୍ଠସ୍ଵର ।

 

ସୁନନ୍ଦା ଆଉ ନୀଳକଣ୍ଠ ଚମକି ପଛକୁ ଚାହିଁଲେ ।

 

ଡକ୍ଟର ପ୍ରାଟ୍ ବିନୀତ କଣ୍ଠରେ କହିଲେ, କ୍ଷମା କରନ୍ତୁ ମିସେସ୍ ଦାସ ! ମୁଁ ଆପଣଙ୍କୁ ଆସି ଅସୁବିଧାରେ ପକାଇଲି ।

 

ସୁନନ୍ଦା ପ୍ରଣତି ଜ୍ଞାପନ କରି କହିଲା, ସେ ଆମର ସୌଭାଗ୍ୟ । ଅସୁବିଧା ଆଉ କଅଣ-?

 

ସନ୍ନିକଟସ୍ଥ ଏକ ଶୀଳାଖଣ୍ଡ ଉପରେ ବସିପଡ଼ି ଡକ୍ଟର ପ୍ରାଟ୍ କହିଲେ, ପାହାଡ଼ ପାଖରେ ବୁଲୁ ବୁଲୁ ହଠାତ୍ ଦୃଷ୍ଟି ପଡ଼ିଲା ଆପଣମାନଙ୍କ ଉପରେ । ଚାଲି ଚାଲି ଆସିଲି । ସନ୍ଧ୍ୟାବେଳେ ଘେରାଏ ବୁଲି ନ ଆସିଲେ ମତେ ଭାରି ଅଶ୍ୱସ୍ତି ଲାଗେ ।

 

ସନ୍ଧ୍ୟାର ଇଷତ୍ ଅନ୍ଧକାର ମଧ୍ୟରେ ବି ଡକ୍ଟର ପ୍ରାଟ୍‍ଙ୍କ ଦେହ ଓ ମୁହଁର ଔଜ୍ଜଲ୍ୟରେ ସ୍ଥାନଟି ଉଜ୍ଜ୍ୱଳ ଦିଶୁଥିଲା ।

 

ଡକ୍ଟର ପ୍ରାଟ୍ କହିଲେ, ରୋଗୀ ସଂପର୍କରେ ମୋର ସମସ୍ତ ପର୍ଯ୍ୟବେକ୍ଷଣ ଶେଷ ହୋଇ ଆସିଲାଣି । ଭାବୁଛି ଖୁବ୍ ଅଳ୍ପଦିନ ମଧ୍ୟରେ ତାର ଅପରସେନ ହେବ—

 

ନୀଳକଣ୍ଠର ମୁହଁ ଶୁଖିଗଲା । ଶଙ୍କିତ କଣ୍ଠରେ ସେ ପଚାରିଲା, ତାର କିଛି ବିପଦର ସମ୍ଭାବନା ନାହିଁ ତ ସାର୍ !

 

ନୀଳକଣ୍ଠକୁ ଅଭୟ ଦେଲା ଭଳି କଣ୍ଠରେ ଡକ୍ଟର ପ୍ରାଟ୍ କହିଲେ, ବିପଦର ସମ୍ଭାବନାକୁ ଆମକୁ ଏଡ଼େଇ ଯିବାକୁ ପଡ଼ିବ ମିଷ୍ଟର ଦାସ୍ ! ମୋର ଧାରଣା ଅସ୍ତ୍ର ଚିକିତ୍ସା ପରେ ଆପଣଙ୍କ ପିଲା ଆହୁରି ସୁସ୍ଥ, ଆହୁରି ସବଳ ହୋଇ ଉଠିବ ।

 

ଆହୁରି ସୁସ୍ଥ, ଆହୁରି ସବଳ !

 

କଥା କହିବ ଟିଟୁ !

 

କୃତଜ୍ଞତାରେ ନୀଳକଣ୍ଠର ଆଖିପତା ଦୁଇଟା ଛଳ ଛଳ ହୋଇଉଠିଲା । ସୁନନ୍ଦା ଆଖିରେ ବି ନୂତନ ଆଲୋକର ମାୟା । ତାହାହେଲେ ସତରେ ସଫଳ ହେବ ନୀଳକଣ୍ଠର ସ୍ଵପ୍ନ । ଟିଟୁକୁ କଥା ନ କୁହାଇ ସେ କଦାପି ଛାଡ଼ିବ ନାହିଁ ।

 

ଡକ୍ଟର ପ୍ରାଟ୍ ଉଠି ଠିଆହେଲେ ।

 

କାଞ୍ଚନଜଙ୍ଘା ଅନ୍ଧକାରର ଅନ୍ତରାଳରେ ସେତେବେଳକୁ ଅଦୃଶ୍ୟ ହୋଇ ଯାଇଛି ।

 

ବର୍ଷକୁ ମେଘ ନଇଁ ଆସିଛି ଖୁବ୍ ତଳକୁ । ସେଇ କୃଷ୍ଣକାୟ ମେଘର ପାହାଚ ତଳେ ଗୌରୀଶଙ୍କରର ଶୃଙ୍ଗରେଖା ଆଉ ଦିଶୁନାଇଁ ।

 

ନୀଳକଣ୍ଠ ଆକାଶକୁ ଚାହିଁଲା । ଆକାଶର ମେଘମାଳା କିପରି ପାଣ୍ଡୁର ଦେଖାଯାଉଚି । ହୋଇପାରେ ବର୍ଷାଟା ହେବ ହେବ ବୋଲି ହେବନାଇଁ । ବର୍ଷିବ ବର୍ଷିବ ବୋଲି ଗର୍ଜି ବର୍ଷିବ ନାହିଁ । ଅଥଚ ଏଇ ବର୍ଷାର ଆତଙ୍କଟା ମନରେ ସବୁବେଳେ ଲାଗି ରହିଥିବ !

 

ନୀଳକଣ୍ଠ ଏଥର ହସିଲା । ନା—ମେଘକୁ ଡରିଲେ ଦାର୍ଜିଲିଂରେ ରହିହେବ ନାହିଁ । ବାହାରକୁ ଟିକିଏ ବାହାରି ହେବ ନାହିଁ । ସବୁବେଳେ ଏଇ ବର୍ଷାର ଭୟାତୁର ଭାବ ।

 

ନୀଳକଣ୍ଠ ଆଗକୁ ଚାଲିଲା ।

 

ରାସ୍ତାରେ ଦୁଇପଟେ ଝାମ୍ପୁଲା ଝାମ୍ପୁଲା ଛୋଟ ସବୁଜ, ହରିଦ୍ରା ରଙ୍ଗର ଗଛର ଅରଣ୍ୟ । ଠେକୁଆ କେତେଟା କିଲି କିଲି ହୋଇ ଏ ବୁଦାରୁ ସେ ବୁଦାକୁ ଦୌଡ଼ି ଲୁଚୁକାଳି ଖେଳ ଆରମ୍ଭ କରିଚନ୍ତି ।

 

ଆଉ ଆଗରେ..... ।

 

ଆଗରେ ସେଇ କଳକଣ୍ଠୀ ଝରଣା ରୁଣୁ ଝୁଣୁ, ଝୁମୁ ଝୁମୁ ଶବ୍ଦରେ ବହି ଚାଲିଚି । ଝରଣା ପାଖରେ ପହଞ୍ଚି ଶୀଳାଖଣ୍ଡ ଉପରେ ବସି ପଡ଼ିଲା ନୀଳକଣ୍ଠ ।

 

ଶୀତଳ ସମୀରଣ ସ୍ପର୍ଶରେ ଦେହରେ ଉଲ୍ଲାସର ତରଙ୍ଗ ଜାଗୁଚି । ଅଦ୍ଭୁତ ଏକ ଶୀହରଣ । ନୀଳକଣ୍ଠର ରକ୍ତରେ ମଧ୍ୟ ଶୀତ୍‍କାରର ସ୍ପର୍ଶ ଲାଗୁଥିଲା ।

 

ସୁନନ୍ଦାକୁ ସେ ଏକାକିନୀ ପଛରେ ଛାଡ଼ି ଆସିଚି । ସେଇ ଗୃହରେ ଏକାକିନୀ ସୁନନ୍ଦା । ସୁନନ୍ଦାକୁ ଆସିବାକୁ ସେ ଡାକିଥିଲା । କିନ୍ତୁ ସହଜରେ ଚାଲି ଚାଲି ଏତେବାଟ ଆସିବାକୁ ରାଜିହେଲା ନାହିଁ ସୁନନ୍ଦା ।

 

ସେ ଏବେ ଏକୁଟିଆ ରହିବାକୁ ଚାହୁଁଚି । ନିର୍ଜନତା ହୋଇ ଉଠିଚି ତାର ପରମ ବିଳାସ-। ନିଃସଙ୍ଗତାରେ ତାର ଆନନ୍ଦ ।

 

ନୀଳକଣ୍ଠର ଜୀବନ ପରିଧି ଭିତରକୁ ଆସି ସୁନନ୍ଦା କଣ ଅସୁଖୀ ହୋଇଚି !

 

କଥାଟା ଚିନ୍ତାକରି ଚକିତ ହୋଇଉଠିଲା ନୀଳକଣ୍ଠ । ଚେତନାବୋଧ ତାର ହେଲା ଉଚ୍ଚକିତ । ସୁନନ୍ଦାକୁ ସୁଖୀ କରିବାକୁ ସେ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ । ସୁନନ୍ଦା ହିଁ ତା ଜୀବନର ଚରମ ସାଧନା । ସେ ଯଦି ନିଃସଙ୍ଗ ଭାବରେ ରହି ଆନନ୍ଦ ଉପଭୋଗ କରିବାକୁ ଚାହେଁ, ସ୍ୱାର୍ଥପର ଭାବରେ ସେଥିରେ କଣ ବାଧା ହେବ ନୀଳକଣ୍ଠ ?

 

ନୀଳକଣ୍ଠର ମୁହଁ ଉପରେ ଦୃଢ଼ ପ୍ରତିଜ୍ଞାର ଏକ ଛାୟା ନୃତ୍ୟ କରିଉଠିଲା ।

 

ନା-ନା-ସେ କଦାପି ସ୍ୱାର୍ଥପର ହେବ ନାହିଁ । ସୁନନ୍ଦା ତାର ମାନସୀ । ସୁନନ୍ଦାର ତାର ପ୍ରଣୟିନୀ । ସେ ତାକୁ ସୁଖୀ କରିବାକୁ ସବୁକିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ।

 

ପଛକୁ ଫେରି ଚାହିଁଲା ନୀଳକଣ୍ଠ ।

 

ଜଣେ ଶ୍ୟାମଙ୍ଗ ଯୁବକ । ମୁହଁରେ କଥାକୁହା ଭାବ ନୀଳକଣ୍ଠକୁ ଦେଖି ଦୁଇହାତ ଯୋଡ଼ି ଅଭିବାଦନ ଜଣାଇଲା ଯୁବକ ।

 

ବିସ୍ମିତ ଦୃଷ୍ଟିରେ ନୀଳକଣ୍ଠ ହିନ୍ଦୀରେ ପଚାରିଲା, ଆପଣଙ୍କୁ ମୁଁ ଆଗରୁ ଚିହ୍ନିଥିବା ଭଳି ମନେ ହେଉନି ତ !

 

ଯୁବକ ଏଥର ସଲ୍ଲଜ ଭାବରେ ହସିଲେ ।

 

କହିଲେ, ଡଃ ପ୍ରାଟ୍‍ଙ୍କ କକ୍ଷରେ ମୁଁ ଆପଣଙ୍କୁ ଦେଖିଚି । ତାଙ୍କଠାରୁ ଆପଣଙ୍କ ବିଷୟ ସବୁ ଶୁଣିଚି । ମୋ ନାମ ପ୍ରାଣକୃଷ୍ଣ ଦାସ—ଘର କଟକ ।

 

ଦାର୍ଜିଲିଂରେ ଏଇ ନିଛାଟିଆ ଭୂଇଁରେ ଜଣେ ଅପରିଚିତ କଣ୍ଠରୁ ଓଡ଼ିଆ ଭାଷା ଶୁଣି ଆନନ୍ଦରେ ବିହ୍ୱଳ ହୋଇପଡ଼ିଲା ନୀଳକଣ୍ଠ । ଅପରିଚିତ କଣ୍ଠର ଏଇ ଓଡ଼ିଆ ଭାଷା ତାକୁ ବୋଧହେଲା ଅମୃତ ଭଳି । ଗଭୀର ଆବେଗରେ ନୀଳକଣ୍ଠ କହିଉଠିଲା, ଆପଣ ଓଡ଼ିଆ, ଆପଣ ଓଡ଼ିଆ...ଓଡ଼ିଆ ଆପଣଙ୍କ ଘର...

 

ଦାର୍ଜିଲିଂରେ ଜଣେ ଓଡ଼ିଆ ଲୋକ ସହିତ ନୀଳକଣ୍ଠର ଏଇ ଆକସ୍ମିକ ପ୍ରଥମ ସାକ୍ଷାତ ।

 

ପ୍ରାଣକୃଷ୍ଣର ଆଖିରେ ମଧ୍ୟ ଆନନ୍ଦରେ ଆଲୋକ ଝଲସି ଉଠିଲା ।

 

ନୀଳକଣ୍ଠ ଆଉ ପ୍ରାଣକୃଷ୍ଣ ଦୁଇଜଣଯାକ ଝରଣା କୂଳରେ ବସି ରହିଲେ ଅନେକ ସମୟ ଧରି । ଦୁଇଜଣଙ୍କ ମନରେ ପରସ୍ପର ପ୍ରତି ଗଭୀର ମମତା ଜନ୍ମିଉଠିଲା ମୁହୂର୍ତ୍ତ କେତୋଟି ମଧ୍ୟରେ ।

 

ନୀଳକଣ୍ଠ ପ୍ରଶ୍ନ କଲା, ଆପଣ କଣ ଏଠି ଏକୁଟିଆ ?

 

ସଂକୁଚିତ ଭାବରେ ପ୍ରାଣକୃଷ୍ଣ କହିଲା, ହଁ—ପିଲାମାନେ କଟକରେ—ଶଶ୍ୱୁର ଘରେ । ମୁଁ ଏକୁଟିଆ ଆସିଚି ଦାର୍ଜିଲିଂ ।

 

ନୀଳକଣ୍ଠ ପୁଣି ପଚାରିଲା, ଦାର୍ଜିଲିଂ କାହିଁକି ଆସିଛନ୍ତି, ସେ କଥା କହିଲେ ନାଇଁ ତ ? କଅଣ ସ୍ୱାସ୍ଥ୍ୟ ପରିବତ୍ତନ ପାଇଁ ଚେଞ୍ଜରେ..... ।

 

ଇଷତ୍ ଉତ୍‍ଫୁଲ୍ଲ କଣ୍ଠରେ ପ୍ରାଣକୃଷ୍ଣ ଉତ୍ତର ଦେଲା ଡାଃ ପ୍ରାଟ୍‍ଙ୍କ ପାଖକୁ ଆସିଥିଲା ଚିକିତ୍ସା ପାଇଁ ଗୋଟାଏ ଅସାଧ୍ୟ ରୋଗ ଭୋଗୁଥିଲା ଅନେକ ଦିନ ଧରି.....ଯାହାହେଉ ଉତ୍ତମ ମୁଁ ରୋଗମୁକ୍ତ.....ଡାଃ ପ୍ରାଟ୍‍ଙ୍କ ପରାମର୍ଶରେ ଏଇ କେଇଦିନ ଚେଞ୍ଜରେ ରହିବ ଏଠାରେ...

 

ଅସାଧ୍ୟ ରୋଗଟା କଅଣ ସେକଥା ଜାଣିବା ପାଇଁ ନୀଳକଣ୍ଠ ଆଉ ବିଶେଷ ଉତ୍ସାହ ପ୍ରକାଶ କଲା ନାହିଁ । ରୋଗ ଯେତେବେଳେ ଭଲ ହୋଇଯାଇଚି, ତାକୁ ଆଉ ଅସାଧ୍ୟ କହି କିଛି ଲାଭ ନାହିଁ ।

 

Unknown

ସେ ବନ୍ଧୁତ୍ଵଟାକୁ ଆଉ ଟିକିଏ ନିକଟବର୍ତ୍ତୀ କରିବା ପାଇଁ କହିଲା, ବସା ତ କହୁଛନ୍ତି ଏଇ ପାଖରେ । ଆପଣ ଦୟାକରି ବେଳେ ବେଳେ ଆସିଲେ ମୁଁ ଭାରି ଖୁସି ହେବି ସ୍ତ୍ରୀ ମୋର ଭାରି ଏକୁଟିଆ ଏକୁଟିଆ ବୋଧ କରୁଛନ୍ତି । ଯେତେ ପାଠ ପଢ଼ିଲେ ବି ସ୍ତ୍ରୀ ଲୋକ । ନିଜ ଦେଶର ଲୋକଙ୍କୁ ନ ଦେଖିଲେ ଅମୁହାଁ ହୋଇଗଲା ଭଳି ବୋଧ କରନ୍ତି । ଆପଣ କାଲି ସନ୍ଧ୍ୟାରେ ଆମ ଘରକୁ ଆସନ୍ତୁ । ଦେଖିବେ, କେମିତି ଅଳ୍ପ ସମୟ ମଧ୍ୟରେ ସେ ଆପଣଙ୍କୁ ଆପଣାର କରିନେବ......

 

ନୀଳକଣ୍ଠର କଥା ଶୁଣି ସାମାନ୍ୟ ଲଜ୍ଜିତ ହେଲା ପ୍ରାଣକୃଷ୍ଣ । ନିଜ ସ୍ତ୍ରୀ ବିଷୟରେ ଏତେଟା ଖୋଲା ଖୋଲି କଥା ସେ ସମ୍ଭବତଃ ଆଶା କରୁ ନଥିଲା ନୀଳକଣ୍ଠର ମୁହଁରୁ । ତେଣୁ କଥାର ଗତି ବଦଳାଇବା ପାଇଁ ସେ କହିଉଠିଲା, ତାହାହେଲେ ଏଭଳି ସ୍ତ୍ରୀ ପାଇ ଆପଣ ନିଶ୍ଚୟ ଭାଗ୍ୟବାନ । ଭାଗ୍ୟରେ ଥିଲେ ମନଲାଖି ସ୍ତ୍ରୀ ମିଳେ । ମୋ ଜୀବନ୍ତଟା କିନ୍ତୁ ଏକ ଟ୍ରାଜେଡ଼ି...ଅନ୍ତତଃ ଏ ଦୃଷ୍ଟିରେ...

 

ଶେଷ ଆଡ଼କୁ ପ୍ରାଣକୃଷ୍ଣର କଥା ଛନ୍ଦକପଟ କେମିତି ଏକ ମଧୁର କରୁଣତା ମିଶି ରହିଥିବା ଭଳି ବୋଧ ହୁଏ ନୀଳକଣ୍ଠ । ତା’ ଆଡ଼କୁ ନିରୀକ୍ଷଣ କରି ଚାହିଁ ଚାହିଁ ସେ ଭାବିଲା, ପ୍ରାଣକୃଷ୍ଣର ପାରିବାରିକ ଜୀବନରେ ତାହାହେଲେ ଏକ ସାଂଘାତିକ ଆଘାତର ସ୍ପର୍ଶରେ ଲାଗିଚି । ଆହା ବିଚାରୀ ?

 

ସମ ବେଦନାରେ କଣ୍ଠ ଓଦାକରି ନୀଳକଣ୍ଠ କହିଲା, କଅଣ ସ୍ତ୍ରୀ ଭାରି ଅସହିଷ୍ଣୁ !

 

ଆକାଶରେ ଆସ୍ତେ ଆସ୍ତେ ସ୍ତରିଭୂତ ହୋଇ ଆସୁଥିବା ଅନ୍ଧକାର ଆଡ଼େ ଚାହିଁ ଚାହିଁ ପ୍ରାଣକୃଷ୍ଣ କଅଣ ଭାବୁଥିଲା । ନୀଳକଣ୍ଠର ପ୍ରଶ୍ନ ଶୁଣି ହଠାତ୍ କହିଉଠିଲା, ନା-ନା—ସେ ଦୃଷ୍ଟିରୁ କିଛି ଭାବିବାର ନାହିଁ । କୌଣସି ପର ପୁରୁଷକୁ ମୁହଁଟେକି ଚାହିଁଲେ ବହୁ କଷ୍ଟରେ ଅକ୍ଷୁର୍ଣ୍ଣ ରଖିଥିବା ସତୀତ୍ୱ ପଦାର୍ଥଟି କୁଆଡ଼େ ନଷ୍ଟ ହୋଇଯିବ ବୋଲି ତାଙ୍କର ଭାରି ଆଶଙ୍କା । ସେଥିପାଇଁ ଘରକୁ ମୁଁ ଯଦି କୌଣସି ବନ୍ଧୁଙ୍କୁ ନିମନ୍ତ୍ରଣ କରେ, ତେବେ ତା’ ପରସିବା ଦାୟିତ୍ୱଟା ମୋତେ ହିଁ ନେବାକୁ ହୁଏ-

 

ପ୍ରାଣକୃଷ୍ଣର କଥା ଶୁଣି ହୋ ହୋ ହୋଇ ସଶବ୍ଦରେ ହସି ଉଠିଲା ନୀଳକଣ୍ଠ । କହି ଉଠିଲା, ତାହାହେଲେ ଆପଣଙ୍କଠୁ ବଳି ଭାଗ୍ୟବାନ ଆଉ କେହି ନାହିଁ ପ୍ରାଣକୃଷ୍ଣ ବାବୁ ! ଗୋଟିଏ ଝିଅର ଦେହ, ମନ ଗୋଟାସୁଦ୍ଧା ଆପଣାର କରି ପାଇବା କେତେଜଣ ପୁରୁଷଙ୍କ ଭାଗ୍ୟରେ ମିଳେ..... ।

 

କଥାଟା କହି ସାରିବାର ଅଳ୍ପ ସମୟ ପରେ କିନ୍ତୁ ନୀଳକଣ୍ଠ ଆପେ ଆପେ ନିସ୍ତବ୍ଦ ହୋଇଗଲା । ସେ ନିଜ ଅଜାଣତରେ କଅଣ ନିଜ ମନର କଥା ଜଣେ ଅଳ୍ପ ପରିଚିତ ବନ୍ଧୁ ଆଗରେ କହି ଦେଇଛି ! ସେ କଅଣ ସୁନନ୍ଦାର ଦେହ, ମନ ଏକୁଟିଆ ସମ୍ପୂର୍ଣ୍ଣ ହୋଇ ନାହିଁ ବୋଲି ମନରେ ଅବଶୋଷ ରଖିଚି !

 

ଲଜ୍ଜା, ସଙ୍କୋଚ, ଦୁଃଖରେ ନୀଳକଣ୍ଠର ମୁହଁ କଳା ପଡ଼ିଗଲା । ନିଜ ପାଖରେ ନିଜେ ଧରା ପଡ଼ିଯାଇ ଦୁଃଖରେ ମ୍ରୀୟମାଣ ହୋଇଗଲା । ନୀଳକଣ୍ଠ ନିଜ ମନର ସଂଶୟରେ ସେ ନିଜେ ସତେ ଯେମିତି ପୋଡ଼ି ପାଉସଁ ହୋଇଗଲା ।

 

ନୀଳକଣ୍ଠ ମୁହଁରେ ଭାବାନ୍ତର ଲକ୍ଷ୍ୟ କରି ପ୍ରାଣକୃଷ୍ଣ କହିଲା, ଆପଣ କଅଣ ଏତେ ଭାବୁଛନ୍ତି ?

 

ମୁହଁରେ ହସର ଏକ ସରଳରେଖା ଟାଣି ନୀଳକଣ୍ଠ କହିଲା, ମୁଁ ଭାବୁଛି ଆପଣଙ୍କ କଥା-। ଘରେ ସ୍ଵାମୀ ସୋହାଗିନୀ ପତ୍ନୀକୁ ଛାଡ଼ି ଆପଣ କଅଣ ଦାର୍ଜିଲିଂରେ ନିଯା ସ୍ଵାସ୍ଥ୍ୟର ଉନ୍ନତି କରି ପାରିବେ ? ହୋଟେଲଖିଆ କଅଣ ଆପଣଙ୍କ ଦେହରେ ଯାଉଥିବ ? ସ୍ତ୍ରୀର ଐକାନ୍ତିକ ପ୍ରେମଠାରୁ ଦାର୍ଜିଲିଂରେ ଖୋଲା ପବନରେ କଅଣ ବେଶୀ ଜୀବନୀଶକ୍ତି ଅଛି ?

 

ଅଭୁତ, ବିଚିନ୍ତ୍ର ପ୍ରଶ୍ନ ।

 

ଗୋଟିଏ ଲଜ୍ଜାବତୀ ନାରୀ ଭଳି ପ୍ରାଣକୃଷ୍ଣର ମୁହଁ ହଠାତ୍ ଲଜ୍ଜାରେ ପାଟଳ ହୋଇ ଉଠିଲା ।

 

ସନ୍ଧ୍ୟାର ନୀଳ ଅନ୍ଧକାର ଝରଣାର ଜଳରେ ଜମି ଆସୁଚି ।

 

ରାତ୍ରି ହେଲା ।

 

ନୀଳକଣ୍ଠ ଉଠି ଠିଆହେଲା । ପ୍ରାଣକୃଷ୍ଣକୁ ଲକ୍ଷ୍ୟ କରି କହିଲା, କାଲି ସନ୍ଧ୍ୟାକୁ ନିମନ୍ତ୍ରଣ ରହିଲା । ମନେ ରହେ ଯେପରି...

 

ତା’ ଆରଦିନ ସକାଳ ।

 

ସକାଳ ଆଠଟା ହୋଇ ଯାଇଥିଲେ ବି ଶେଯ ଛାଡ଼ି ନଥିଲା ନୀଳକଣ୍ଠ । ଶୋଇ ଶୋଇ ସେ ଭାବୁଥିଲା । ତା ହଜିଗଲା ଦିନ ଗୁଡ଼ାକର ସେଇ ମଧୁର ସ୍ମୃତିର କଥା । କିଛି ସମୟ ପରେ ସେ କକ୍ଷରେ ପ୍ରବେଶ କଲା ସୁନନ୍ଦା ।

 

ଗାଧୁଆଘରୁ ସଦ୍ୟ ଫେରିଚି ସୁନନ୍ଦା । ସଦ୍ୟସାତ ସୁନନ୍ଦାର ଦେହରେ ଝଲସି ଉଠୁଚି କୋମଳତାର ସ୍ପର୍ଶ । ଓଦା କେଶଗୁଚ୍ଛ ଲମ୍ବି ରହିଚି ତାର ନିତାମ୍ବ ପର୍ଯ୍ୟନ୍ତ । ମୁହଁରେ ଛଳ ଛଳ ହୋଇ ଉଠୁଚି ଅପୂର୍ବ ଏକ ଲାବଣ୍ୟ ।

 

ଶଯ୍ୟାରେ ଶୋଇରହି ସୁନନ୍ଦାକୁ ଲକ୍ଷ୍ୟ କଲା ନୀଳକଣ୍ଠ ।

 

ସତରେ ସୁନନ୍ଦା ଲାବଣ୍ୟବତୀ । ଗୋଟିଏ ସନ୍ତାନର ଜନନୀ ହେଲା ପରେ ତା ଦେହର ଲାବଣ୍ୟ ସତେ ଯେମିତି ଅଧିକରୁ ଅଧିକତର ହୋଇ ଉଠୁଚି ।

 

ଏଇ ସୁନନ୍ଦାପାଇଁ ତାର ତରୁଣ ମନରେ ଦିନେ ଚମ୍ପା ଫୁଲର ବାସ୍ନା ଲାଗିଥିଲା । ସ୍ଵପ୍ନ ଦେଖି ଉଠିଲା ଭଳି ସେ ସୁନନ୍ଦାକୁ ନିରେଖି ନିରେଖି ଦେଖିଥିଲା ଅନେକ ଦିନ । ପିପାସା ଶେଷରେ ହେଲା ପ୍ରବଳତର । ଦେଖିବାର ତୃଷ୍ଣା ପରିଣତ ହେଲା ପାଇବାର କ୍ଷୁଧାରେ । ମାନସୀ ସୁନନ୍ଦା ହେଲା ତାର ପ୍ରଣୟିନୀ ।

 

କେତେ ନିଶି ପହିଲା ଏଇ ତରୁଣୀ ବଧୂର ସ୍ଵପ୍ନରେ !

 

ସୁନନ୍ଦା ଠିଆହୋଇ ହସୁଛି ।

 

ମୁହଁରେ ସେତେବେଳ ପର୍ଯ୍ୟନ୍ତ ସୁନନ୍ଦାର ଲାଗି ରହିଚି ବିନ୍ଦୁ ବିନ୍ଦୁ ଗାଧୁଆଘରର ଜଳ । ଚିକ୍ ଚିକ୍ କରୁଛି ସେଇ ଜଳବିନ୍ଦୁ କେତୋଟି ତାର ମୁହଁରେ । ସକାଳର ଆଲୁଅରେ ଖୁବ୍ ସୁନ୍ଦର ମାନୁଚି ସୁନନ୍ଦାର ମୁହଁ ।

 

ସୁନନ୍ଦା ଅଳ୍ପହସି ପଚାରିଲା, ଏତେବେଳେ ଯାଏ କଅଣ ଚାହିଁ ଦେଖୁଚ ମୋ’ଠି ?

 

ନୀଳକଣ୍ଠ ହସିଲା । କହିଲା, ସୁନ୍ଦର ତୃପ୍ତିର ଅବସାଦ ନାହିଁ.....

 

ପଦ ପୂରଣ କଲା ସୁନନ୍ଦା, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।

 

ତାପରେ କଳନାଦିନୀ ଝରଣାଟି ଭଳି ହସି ହସି ନୀଳକଣ୍ଠର ଶଯ୍ୟାଧାରରେ ଲୋଟିପଡ଼ିଲା ସୁନନ୍ଦା । ତାର ତନୁର ସୁରଭି ଲାଗିଲା ଆସି ନୀଳକଣ୍ଠର ନାସାରନ୍ଧ୍ରରେ । ଇସ୍ ! କି ଉତ୍ତେଜକ ଏ ଦେହର ଗନ୍ଧ !

 

ସକାଳ ହୋଇଚି । ମିଠା ମିଠା ଆଲୁଅ ଆସୁଚି ଝରକାର ପରଦା ଠେଲି ।

 

କିନ୍ତୁ ନୀଳକଣ୍ଠର ଦେହ ଗ୍ରନ୍ଥିରେ ରାତ୍ରିର ସେଇ ନିବିଡ଼ ଆବେଶ । ଅନେକ, ଅନେକ ଦିନପରେ ସୁନନ୍ଦାର ତନୁର ସୁଗନ୍ଧ ଲାଗିଚି ଆଜି ତାର ଦେହରେ ସ୍ନାୟୁରେ । ରକ୍ତରେ ଉଦ୍ଦାମ ଝଡ଼-। ଦେହର ପ୍ରତିଟି ଧମନୀର ଅବବାହିକାରେ ଚପଳ ତରୁଣ୍ୟର ଲାଭା ସ୍ରୋତ ।

 

ଅନେକ ଦିନ, ଅନେକ ବର୍ଷ ପରେ ନିଜକୁ ଏପରି ପ୍ରୟୋଜନୀୟ ମନେ କରିଚି ନୀଳକଣ୍ଠ ସୁନନ୍ଦାର ଦେହ ପାଇଁ ।

 

ହସନ୍ତ ସୁନନ୍ଦାର ଲୀଳାୟିତ ତନୁ ଲତିକାକୁ ନିବିଡ଼ ଆବେଗରେ ନିଜ ଆଡ଼କୁ ନୁଆଇଁ ଆଣିଲା ନୀଳକଣ୍ଠ ।

 

ସୁନନ୍ଦା ଅନୁଭବ କଲା ତା ଦେହର ଉର୍ଦ୍ଧ୍ୱାଂପିଶଷ୍ଟ ପିଷ୍ଟ ହୋଇ ଯାଉଛି ଧୀରେ ଧୀରେ ନୀଳକଣ୍ଠର ବଳିଷ୍ଠ, ଅପରାଜେୟ ବାହୁ ବନ୍ଧନ ଭିତରେ । କକ୍ଷ ନିର୍ଜନ । ବିଚିତ୍ର ଏକ ପାରିବାରିକ ପରିବେଶ । ନୀଳକଣ୍ଠର ଅଙ୍ଗରେ ଅପୂର୍ବ ଉତ୍ତେଜନା ।

 

ନୀଳକଣ୍ଠ ତାର ସ୍ଵାମୀ ।

 

ସ୍ଵାମୀ ନୀଳକଣ୍ଠର ଏଇ ଯାଦୁସ୍ପର୍ଶ ବହୁଦିନୁ କାମନା କରିଛି ସୁନନ୍ଦା । କେତେ ନିଦ ଭଙ୍ଗା ପାହାନ୍ତି ପହରର ଅସ୍ପଷ୍ଟ ଅନ୍ଧକାରରେ, କେତେ ସ୍ଵପ୍ନ, ଦେଖା ଛାୟା ଚନ୍ଦ୍ରିକାର ଲୁଚୁକାଳିଖେଳା ଶୁକ୍ଲତିଥିରେ ଏଇ ସ୍ପର୍ଶ, ଏଇ ନିଷ୍ପେଷଣ, ଏଇ ବଳତ୍କାର ପାଇଁ ପ୍ରତୀକ୍ଷା କରିଛି ସୁନନ୍ଦା । କିନ୍ତୁ କାଇଁ ଦିନେହେଲେ ତ ସ୍ଵାମୀ ନୀଳକଣ୍ଠର ଦେହରେ ଏଇ ତାରୁଣ୍ୟର ପ୍ରଗଲ୍‍ଭତା ଲକ୍ଷ୍ୟ କରିନି ସେ !

 

ସୁନନ୍ଦାର ଏଇ କେତେମାସ ବିବାହିତା ଜୀବନରେ ମନେ ହୋଇଛି, ନୀଳକଣ୍ଠର ପୌରୁଷ କିପରି ଶୀତଳ ହୋଇ ଆସିଛି । ଯାଚିକରି ନ ଦେଲେ ମାଗିକରି, ବଳତ୍କାର କରି କିଛି ଦାବୀ କରି ନେବାରେ ନୀଳକଣ୍ଠର ଆଦୌ ଆଗ୍ରହ ନାହିଁ ।

 

ଯେଉଁ ସୁନନ୍ଦାର ଦେହକୁ ଦିନେ ନୀଳକଣ୍ଠ କ୍ରୀଡ଼ା ପୁତ୍ତଳିକା ବୋଲି ମନେ କରି କେତେ ଅସମ୍ଭବ ରକମର ଖେଳ ଦେଖାଇବାରେ ବାହାଦୁରି ନେଉଥିଲା, ବିବାହ ପରେ ସୁନନ୍ଦାର ସେଇ ଦେହର ପୁତ୍ତଳିକାକୁ ସତେ ଯେପରି ଖୁବ୍ ଭୟ କରୁଛି ସେ ମନେ ମନେ ! କାଳେ ସେଇ ପୁତ୍ତଳିକା ଭାଙ୍ଗିଯିବ, କାଳେ ସେ ପୁତ୍ତଳିକା ବିକୃତ ହୋଇଯିବ ଏଇ ଭୟ ବୋଧହୁଏ ନୀଳକଣ୍ଠର ପୌରୁଷକୁ ଅସମ୍ଭବ ରକମର ଶୀଥିଳ କରି ଦେଇଚି ।

 

ଟିଟୁ ଗୋଡ଼ହାତ ଛାଟି ଏଇ ସମୟରେ ବ୍ୟସ୍ତ ହୋଇ ଉଠିଲା ତାର ଦୋଳି-ଶେଯରୁ ।

 

ନୀଳକଣ୍ଠର ବାହୁବନ୍ଧନରୁ ଛାଟିପିଟି ହୋଇ ଖସି ପଳାଇଲା ସୁନନ୍ଦା ।

 

ବାହୁର ବନ୍ଧନକୁ ଶୀଥିଳ କରି ଦେଇ ନୀଳକଣ୍ଠ ଦେଖିଲ ସୁନନ୍ଦା ଭୀତ ତ୍ରସ୍ତା ହରିଣୀଟି ଭଳି ଛୁଟିଯାଇ ତୋଳିନେଲା ଟିଟୁକୁ ତାର କୋଳରେ ।

 

ସେତେବେଳଯାଏ ମଧ୍ୟ ନୀଳକଣ୍ଠର ଦେହର ଉତ୍ତେଜନା ପ୍ରଶମିତ ହୋଇ ନଥିଲା । ସୁନନ୍ଦା ଦେହର ସାବୁନର ସୁଗନ୍ଧ, କେଶକୁଚ୍ଛର ସୌରଭ ଯେତେବେଳେ ପର୍ଯ୍ୟନ୍ତ ମଧ୍ୟ ଲାଗି ରହିଥିଲା ତାର ଦେହରେ । ଏକ ମଧୁସ୍ଵପ୍ନ ଦେଖା ଶେଷହେବା ଆଗରୁ ନିଦ ଭାଙ୍ଗିଗଲେ ଯେପରି ମନ ହଠାତ୍ ବିରୂପ ହୋଇଉଠେ, ସୁନନ୍ଦାର ପଳାୟନ ପରେ ସେହିପରି ଏକ ଅହେତୁକୀ ମାନସିକ ଉଦବିଗ୍ନତା ଅନୁଭବ କଲା ନୀଳକଣ୍ଠ ।

 

ଏଇ ଟିଟୁ ତାର ସ୍ଵପ୍ନଦେଖା ଅଧାରୁ ଭାଙ୍ଗିଦେଲା ।

 

ଏଇ ଟିଟୁ ! ଏଇ ଟିଟୁ !

 

ଟିଟୁ କିଏ ? କାହିଁକି ସେ ଭାଙ୍ଗିଦେଲା ତାର ଏପରି ଏକ ଚମତ୍‍କାର ସ୍ଵପ୍ନ ? କାହିଁକି ସେ ଛଡ଼ାଇନେଲା ତାର ପ୍ରାଣର ସ୍ଵପ୍ନକୁ ତା’ ଠାରୁ ଏଡ଼େ ନିଷ୍ଠୁର ଭାବରେ ? ଟିଟୁ ସତରେ କଣ ତାର ନିଜର ନୁହେଁ, ସେ କଣ ସୁନନ୍ଦା ଆଉ ତା ମଝିରେ ସବୁଦିନେ ଗୋଟାଏ ବିଚ୍ଛେଦର ପ୍ରାଚୀର ଠିଆ କରିଦେବା ପାଇଁ ଜନ୍ମ ହୋଇଛି ?

 

ନୀଳକଣ୍ଠ ନିଜ ମନର ଏଇ ଅଯଥା ବିଚଳନ ପାଇଁ ଲଜ୍ଜିତ ହେଲା ମନେ ମନେ । ଛି.....ଛି...ଟିଟୁ ସଂପର୍କରେ ସେ ଏ କଅଣ ଭାବୁଚି !

 

ଟିଟୁ ତାର ସନ୍ତାନ ।

 

ସୁନନ୍ଦାର ଗର୍ଭକୋଷରେ ତାର ଉତ୍ପତ୍ତି । ସେ କଅଣ ପର ହୋଇପାରେ !

 

ସୁନନ୍ଦାର ସ୍ତନରେ ମୁହଁ ରଖି ଅମୃତ ଆହରଣ କରୁଚି ଟିଟୁ ।

ସୁନନ୍ଦାର ମୁହଁରେ ଆନନ୍ଦର ଆଲୋକ ଝଲସି ଉଠୁଚି ।

ସୁନନ୍ଦା କେବଳ ଜାୟା ନୁହେଁ ସେ ଜନନୀ !

ନୀଳକଣ୍ଠ ମନେ ମନେ ହସିଲା । ନାରୀ ପାଖରେ ସ୍ଵାମୀଠାରୁ ବଡ଼ ହେଉଚି ସନ୍ତାନ । ସନ୍ତାନ ପାଇଁ ତାର ସ୍ଵାମୀ କାମନା । ସୁନନ୍ଦାର ସେଇ କାମନା ପୂର୍ଣ୍ଣ ହୋଇଚି ।

ଅଳସ ଭାଙ୍ଗି ଶେଯ ଛାଡ଼ି ଏଥର ନୀଳକଣ୍ଠ ଉଠି ଠିଆହେଲା ।

ନିତ୍ୟକର୍ମ ଶେଷ କରି ବଜାରକୁ ବାହାରିଲାବେଳକୁ ପ୍ରାଣକୃଷ୍ଣଙ୍କୁ ନିମନ୍ତ୍ରଣ କରିଥିବା କଥା ହଠାତ୍ ସ୍ମରଣ ହେଲା ନୀଳକଣ୍ଠର । ସୁନନ୍ଦାକୁ ଡାକି ସେ କହିଲା, ତତେ ଗୋଟାଏ କଥା କହିବାକୁ ଭୁଲି ଯାଇଚି ନନ୍ଦା ! ମୁଁ ଆଜି ଜଣେ ବନ୍ଧୁଙ୍କୁ ସଂଧ୍ୟାରେ ଆମ ଘରେ ଖାଇବା ପାଇଁ ନିମନ୍ତ୍ରଣ କରିଆସିଚି ।

ନିମନ୍ତ୍ରିତ ବନ୍ଧୁ !

କଥାଟା କେମିତି ଅସ୍ଵାଭାବିକ୍ ଶୁଭିଲା ସୁନନ୍ଦାର କାନକୁ । ଦାର୍ଜିଲିଂରେ ହଠାତ୍ ବନ୍ଧୁଜଣେ ଖୋଜି ପାଇଲା କୁଆଡ଼ୁ ନୀଳକଣ୍ଠ !

ମୁହଁରେ ବିସ୍ମୟର ଭଙ୍ଗୀ ଫୁଟାଇ ସେ କଥା ଜିଜ୍ଞାସା କଲା ସୁନନ୍ଦା ।

ହସରେ ଫାଟି ପଡ଼ିଲା ନୀଳକଣ୍ଠ । କହିଲା, ତତେ ଆଜି ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କାହାଣୀ ଶୁଣାଇବି ନନ୍ଦା ! ଦାର୍ଜିଲିଂ ଭଳି ସ୍ଥାନରେ ଏଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି ।

ନୀଳକଣ୍ଠର କଥା ଶୁଣିବା ପାଇଁ ଉତ୍‍କର୍ଣ୍ଣ ହୋଇ ଚାହିଁ ରହିଲା ସୁନନ୍ଦା ।

ନୀଳକଣ୍ଠ କହିଲା, ହଠାତ୍ ଆକସ୍ମିକ ଭାବରେ ତା’ ସହିତ ମୋର ଦେଖା । ନାମ ପ୍ରାଣକୃଷ୍ଣ ଦାସ । ଘର କଟକ । କିନ୍ତୁ ଗୋଟିଏ ବିଚିତ୍ର ଜୀବ । ନିଜ ସ୍ତ୍ରୀର ଦୁର୍ନାମ କରିବାରେ ସେ ଏତେ ଉତ୍ସାହୀ ଯେ.... !

ନିଜ ସ୍ତ୍ରୀର ଦୁର୍ନାମ !

ନିଜ ସ୍ତ୍ରୀର ଦୁର୍ନାମ ପ୍ରଥମେ ଶୁଣାଇଲା ପ୍ରାଣକୃଷ୍ଣ ନୀଳକଣ୍ଠକୁ !

ସୁନନ୍ଦା ମୁହଁରେ ଭାବାନ୍ତର ଲକ୍ଷ୍ୟ କରି ନୀଳକଣ୍ଠ କହିଲା ବ୍ୟସ୍ତ ହେବାର କିଛି ନାହିଁ ସେଥିରେ । ପ୍ରାଣକୃଷ୍ଣ ନିଜ ସ୍ତ୍ରୀର ସେହି ସ୍ଵଭାବ ଦୁର୍ଗୁଣ ବୋଲି ମନେ କରୁଚି, ତାହା ହିଁ ହେଉଚି ପ୍ରତି ନାରୀର ପ୍ରକୃତରେ ସୁଗୁଣ । ପ୍ରାଣକୃଷ୍ଣର ସ୍ତ୍ରୀ କୁଆଡ଼େ ଭାରି ସ୍ଵାର୍ଥପର । ନିଜ ସ୍ତ୍ରୀ ଛଡ଼ା ଅନ୍ୟ କାହାରିକୁ ଦୃଷ୍ଟି ତୋଳି ଚାହିଁବାକୁ ସେ ଇଚ୍ଛା କରେ ନାହିଁ । କେହି ବନ୍ଧୁ ଯଦି ଆସନ୍ତି, ତେବେ ପ୍ରାଣକୃଷ୍ଣ ନିଜେ ହିଁ ସେମାନଙ୍କ ଚର୍ଚ୍ଚା କରେ ।

ନୀଳକଣ୍ଠର କଥା ସୁନନ୍ଦା ମନ ଦେଇ ସୁନିଲ ଏବଂ ଅଳ୍ପ ହସିଲା ।

ନୀଳକଣ୍ଠ କହିଲା, ପ୍ରାଣକୃଷ୍ଣ ନିଜ ସ୍ତ୍ରୀର ନିନ୍ଦା ମୋ ଆଗରେ ଯେତେ କରୁଣା କାହିଁକି, ସ୍ତ୍ରୀର ଏହି ଦୁର୍ଗୁଣକୁ ସେ ଯେ’ ସବୁଠୁ ଭଲପାଏ ଏଥିରେ ସନ୍ଦେହ କରିବାରେ କଣ ଅଛି । ଗୋଟିଏ ସୁନ୍ଦର ସୁଖୀ ପରିବାର । ସ୍ତ୍ରୀକୁ ଛାଡ଼ି ବିଚାରୀ ଏଠି ଆସି ଭାରି ହଇରାଣ ହେଉଚି । ମାରୱାଡ଼ିଙ୍କ ପାଇଁ ବ୍ୟବସାୟୀ, ବଙ୍ଗାଳିମାନଙ୍କ ଲାଗି ମାଛ ଭଳି ଓଡ଼ିଆ ଲୋକଙ୍କର ସ୍ତ୍ରୀ ହିଁ ହେଲା ସବୁଠୁଁ ଭଳି ପ୍ରିୟ ପଦାର୍ଥ । ସେଥିପାଇଁ ସେମାନେ ଦେଶ ଛାଡ଼ି ବିଦେଶ ଯିବାକୁ ନାରାଜ...

 

ପରିହାସ କରିବା ପାଇଁ ଲଘୁକଣ୍ଠରେ ସୁନନ୍ଦା ପଚାରିଲା, କେବେ କେଉଁ ଦୁଃଖରେ ଭଦ୍ରଲୋକ ସ୍ତ୍ରୀକୁ ଘରେ ଛାଡ଼ି ଦାର୍ଜିଲିଂରେ ପବନ ଖାଇବାକୁ ଆସିଥିଲେ ?

 

ନୀଳକଣ୍ଠ ପ୍ରତିବାଦ କରି ଉଠିଲା, ନା ନା ଦାର୍ଜିଲିଂରେ ହାୱା ଖାଇବାକୁ ନୁହେଁ...ଡାଃ ପ୍ରାଟ୍‍ଙ୍କ ପାଖରେ ଚିକିତ୍ସା ପାଇଁ ସେ ଆସିଥିଲେ । ଆରୋଗ୍ୟ ହୋଇଗଲା ପରେ ଅବଶ୍ୟ ପବନ ଖାଇବା କଥାଟା ମନରେ ଢୁକିଚି....

 

ସୁନନ୍ଦା ଆଉ କିଛି କହିଲା ନାହିଁ ।

 

ନୀଳକଣ୍ଠ ଶାନ୍ତ୍ଵନା ଦେବାଭଳି କଣ୍ଠରେ କହିଲା, ଲୋକଟି ଭାରି ଲାଜକୁଳା । ଭାରି ନମ୍ର-। ମତେ ଭାରି ଭଲ ଲାଗିଚି । ଏକୁଟିଆ ଏ ଦାର୍ଜିଲିଂରେ କେତେଦିନ ଆମକୁ ଅଟକ ରହିବାକୁ ପଡ଼ିବ କିଏ ଜାଣେ ? ଅନ୍ତତଃ ତୋର ଜଣେ ସାଙ୍ଗ ଜୁଟିଗଲା । ଦେଖିବୁ, କ୍ଷଣକ ଭିତରେ ତତେ ସେ ଆପଣାର କରିନେବ । ବିଦେଶରେ ଟଙ୍କା ପଇସା ଦେଲେ ସବୁ ମିଳେ, କିନ୍ତୁ ବନ୍ଧୁ ମିଳନ୍ତି ନାହିଁ ନନ୍ଦା !

 

ପ୍ରାଣକୃଷ୍ଣକୁ ସାଂଧ୍ୟ ଭୋଜନ ପାଇଁ ନିମନ୍ତ୍ରଣ । ତାର ବ୍ୟବସ୍ଥା କରିବାକୁ ପଡ଼ିବ ସୁନନ୍ଦାକୁ । ନୀଳକଣ୍ଠର ଭୂମିକା ଶୁଣିବାକୁ ତାର ଆଉ ବେଳ ନାହିଁ । ପ୍ରାଣକୃଷ୍ଣ ବାବୁ ଭଲଲୋକ ହୁଅନ୍ତୁ କି ଖରାପ ଲୋକ ହୁଅନ୍ତୁ, ସେକଥା ବିଚାର କରିବାର କଥା ସୁନନ୍ଦାର ନୁହେଁ । ସେ ସେତେବେଳେ ସ୍ଵାମୀଙ୍କୁ ଭଲ ଲାଗିଛନ୍ତି, ତାଙ୍କୁ ଖୁସିକରିବା ସ୍ତ୍ରୀ ଭାବରେ ତାର କର୍ତ୍ତବ୍ୟ ।

 

ସୁନନ୍ଦା କହିଲା, ବିଳମ୍ବ ହେଉଚି । କଅଣ କଅଣ କରିବାକୁ ହେବ ମତେ କୁହ । ଜିନିଷ ସବୁ ଆଣି ଦିଅ । ମୁଁ ବ୍ୟବସ୍ଥା କରିବି।

 

ନୀଳକଣ୍ଠ ମଧ୍ୟ ଚଞ୍ଚଳ ହୋଇଉଠିଲା ।

 

ସତେ ତ ! ଖରା କେତେ ଆସି ହେଲାଣି !

 

ଅତିଥି ଆସିବେ ଆଜି....

 

ଏ ମୋର ମନର ଦ୍ଵାରେ...

 

ତା’ ପରେ ?

 

ଗୀତର ସେଇ ଦୁଇଟି ଧାଡ଼ି ସ୍ମରଣ କରି ନିସ୍ତବ୍ଧ ହୋଇଗଲା ସୁନନ୍ଦା । ରୋଷେଇ ପ୍ରାୟ ଶେଷ ହୋଇ ଆସିଲାଣି । ସଂଧ୍ୟାର ଅନ୍ଧକାର ଅବତାରଣ କରିବାକୁ ମଧ୍ୟ ସମୟ ଆଉ ଅଳ୍ପ । ନୀଳକଣ୍ଠର ବନ୍ଧୁ ପ୍ରାଣକୃଷ୍ଣ ଆସିବ ଅତିଥି ହୋଇ । ନୀଳକଣ୍ଠର ତାଗିଦ୍, ଏଇ ସାଂଧ୍ୟ ଭୋଜନର ମେନୁ ଭିତରେ ଯେପରି ନୀଳକଣ୍ଠର ଆଭିଜାତ୍ୟ, ସହୃଦୟତା—ସବୁ କିଛି ଫୁଟିଉଠିବ । ମନଯୋଗ ଦେଇ ରୋଷେଇ କରୁଚି ସେଥିପାଇଁ ସୁନନ୍ଦା । ଖରାବେଳଠାରୁ ଏତେବେଳ ହୋଇଗଲାଣି । ଅଣ୍ଟାରେ ଶାଢ଼ୀର ପଣତକୁ ବାନ୍ଧିଦେଇ ସେ କାମରେ ଲାଗି ଯାଇଚି । ମୁହଁର ଟୋପି ଟୋପି ଝାଳ । ନଇଁ ନଇଁ କାମ କରି ଅଣ୍ଟା ମଧ୍ୟ କଅଣ ହୋଇଯାଇଚି ।

 

ତେଣିକି ଭ୍ରୂକ୍ଷେପ ନାହିଁ ସୁନନ୍ଦାର । ରୋଷେଇରେ ସେ ଲାଗି ପଡ଼ିଚି । କାରଣ ସେ ଜାଣେ ପ୍ରାଣକୃଷ୍ଣକୁ ଖୁସି କରାଇପାରିଲେ ନୀଳକଣ୍ଠକୁ ମଧ୍ୟ ସେ ଆନନ୍ଦିତ କରାଇପାରିବ । ନିଜେ ଖାଇବାଠାରୁ ଅନ୍ୟକୁ ଖୁଆଇବାରେ ନୀଳକଣ୍ଠର ଅସୀମ ଆଗ୍ରହ । ବିପୁଳ ଉତ୍ସାହ ।

 

ରୋଷେଇ ଶେଷ ହୋଇ ଆସିଲାଣି ।

 

ବାକି ଗୋଟାଏ ସିମେଇ ଖିରୀ । ବାସ୍, ସେତିକି, ତାପରେ ଚା’ କେଟଲିଟାକୁ ଚୁଲି ଉପରେ ବସାଇ ଦେଲେ କାମ ଶେଷ ।

 

ଆଚ୍ଛା, ଏତେବେଳେ ସେ ନିଆଁ ଲଗା ଗୀତଟା କାହିଁକି ହଠାତ୍ ସୁନନ୍ଦା ମନ ଭିତରକୁ ପେଲି ପେଲି ହୋଇ ପଶି ଆସୁଚି ?

 

ଅତିଥି ଆସିବେ ଆଜି.....

 

ଏ ମୋର ମନର ଦ୍ଵାରେ....

 

ତା’ ପରେ ?

 

ସୁନନ୍ଦା ମନେ ମନେ ହସିଲା ।

 

ତାପରେ ପଦଟା ମଧ୍ୟ ବେଶ୍ ମନେ ପଡ଼ୁଚି ସୁନନ୍ଦାର ।

 

ଉଡ଼ାଇ ଫୁଲର ରେଣୁ....

 

ଗୋପନେ...ଅଭିସାରେ.....

 

ସୁନନ୍ଦା ଏଥର ଏକା ଏକା ସଶବ୍ଦରେ ହସିଲା । ଆଜି ଏ ଗୀତଟା ହଠାତ୍ ଦୁଗୁଣେଇ ହୋଇ ମନେ ପଡ଼ୁଚି କାହିଁକି ? ସେଦିନ ଆଉ ଆଜି । ଓଃ, କି ଭୀଷଣ ତଫାତ୍ ! ଯୋଜନ ଯୋଜନର ବ୍ୟବଧାନ !

 

ନୀଳକଣ୍ଠ ଆଜି ତାର ସ୍ଵାମୀ । ସେଦିନ କିନ୍ତୁ ସେ ତାହା ନଥିଲା । ସେ କେବଳ ଥିଲା ସେଦିନ ତା ମନ ହାରର ଆଗନ୍ତୁକ ଅତିଥି । ସେଇ ଅନାଗତ, କହୁ ବାଞ୍ଛିତ ଅତିଥିଙ୍କ ପଦଶବ୍ଦର ପ୍ରତୀକ୍ଷାରେ ଉତ୍କଣ୍ଠିତ ହୋଇ ଚାହିଁ ରହିଥିଲା ସୁନନ୍ଦା ।

 

ସେଦିନ ସେ ଅନୁଭବ କରୁଥିଲା, ତା ତରୁଣୀ ମନର ରୁଦ୍ଧ ଦ୍ଵାରଟା କାହିଁକି କେଜାଣି ନୀଳକଣ୍ଠର ସ୍ପର୍ଶରେ ଆସ୍ତେ ଆସ୍ତେ ମୁକୁଳିତ ହୋଇଆସୁଚି । ଗୋଟାଏ ଦୁର୍ଦ୍ଦାନ୍ତ ବାଲିଝଡ଼ ଭଳି ଭୀମ ବେଗରେ ତା ମନ ମନ୍ଦିରର ଆରାଧ୍ୟ ଦେବତା ହେବାପାଇଁ ଧାଇଁ ଆସୁଚି ନୀଳକଣ୍ଠ ।

 

ସୁନନ୍ଦା କାମନା କରିଥିଲା ସେଦିନ, ନୀଳକଣ୍ଠ ଆସୁ ଆସୁ ସେ ଫୁଲର ରେଣୁ ଉଡ଼ାଇ ଉଡ଼ାଇ.....ଗୋପନେ ଅଭିସାରେ....

 

ଆଉ ଏ ଗୀତଟା !

 

ଏଇ ଗୀତଟା ଥିଲା ନୀଳକଣ୍ଠର ଅତିପ୍ରିୟ ସଙ୍ଗୀତ । ସୁନନ୍ଦାର କଣ୍ଠରୁ ଏଇ ସଙ୍ଗୀତଟା ଶୁଣିଲେ ନୀଳକଣ୍ଠର ମୁହଁରେ ପାଟଳ ରଙ୍ଗର ଛାୟା ଆସି ନାଚିଉଠେ । ବାରମ୍ବାର ଏଇ ଗୀତଟା ବୋଲିବାକୁ ଅନୁରୋଧ କରେ ନୀଳକଣ୍ଠ ।

 

ହଠାତ୍ ଆଜି ସେ ପୁରୁଣା ଗୀତଟା ମନେ ପଡ଼ୁଚି !

 

ସୁନନ୍ଦା ବ୍ୟସ୍ତ ପୁଣି ବିଚଳିତ ହୋଇପଡ଼ିଲା ।

 

ସଂଧ୍ୟା ଏଥର ଘନୀଭୂତ ହୋଇଆସିଲା । ରାତ୍ରି ଆସନ୍ନ ।

 

ଭେଜିଟେବଲ୍ ଚପ୍ କେତେଟା କରିବାକୁ ପୁଣି ଆହୁରି ବାକି ଅଛି । ସୁନନ୍ଦା ଆହୁରି ଚଞ୍ଚଳ ହୋଇଉଠିଲା । ଏହି ସମୟରେ ବାହାରୁ ନୀଳକଣ୍ଠର ପାଟି ଶୁଭିଲା, ଏଇ ପ୍ରାଣକୃଷ୍ଣ ବାବୁ ଆସି ଗଲେଣି ନନ୍ଦା ! ଆଗ ଚା’ ଟିକିଏ ନେଇ ଆସ ତ !

 

ଅତିଥି ଆସିଲେଣି ।

 

ସୁନନ୍ଦା ଭେଜିଟେବଲ୍ ଚପ୍ ପ୍ରସ୍ତୁତ କରିବା ଯୋଜନାକୁ ସ୍ଥଗିତ ରଖି ଟ୍ରେ’ ଦେହରେ ଚା’ ସଜାଡ଼ି ନେଇ ଭିତରକୁ ଆସିଲା ।

 

ନୀଳକଣ୍ଠ ବସିଚି । ପାଖରେ ବସିଛନ୍ତି ସେଦିନ ସଂଧ୍ୟାର ଅତିଥି ପ୍ରାଣକୃଷ୍ଣ ବାବୁ । ବିଦ୍ୟୁତ୍ ଆଲୋକର ଔଜ୍ଜ୍ୱଲ୍ୟରେ ସ୍ଥାନଟା ଝଲମଲ ହୋଇଉଠୁଛି । ସେଇ ଉଜ୍ଜ୍ୱଳ ଆଲୋକରେ ଅତିଥିଙ୍କୁ ଦେଖି ଚମକି ଉଠିଲା ସୁନନ୍ଦା ।

 

ଏ ଯେ ପଙ୍କଜ !

 

ହାତଟା ହଠାତ୍ ଥରି ଉଠିଲା ସୁନନ୍ଦାର । ଚାହା କପଟା ଚହଲି ଉଠିଲା । ନିଜକୁ ଅଳ୍ପକେ ସଂଯତ କରି ନେଇ ନଥିଲେ ସବୁ ଜିନିଷ ତଳେ ପଡ଼ିଯାଇ ଥାଆନ୍ତା ।

 

ସୁନନ୍ଦାକୁ ଲକ୍ଷ୍ୟ କରି ପଙ୍କଜ ମଧ୍ୟ ତାର ଦୃଷ୍ଟି ତଳକୁ ନୁଆଇଁ ନେଲା । ଦୃଷ୍ଟି ତାର ହଠାତ୍ ଯେମିତି ମଳିନ ହୋଇଗଲା ।

 

ନୀଳକଣ୍ଠ କହିଲା, ଏଇ ଭଦ୍ରଲୋକଙ୍କ ନାମ ହେଉଛି ପ୍ରାଣକୃଷ୍ଣ ଦାସ ।

 

ନାମଟା ଶୁଣି ସୁନନ୍ଦା ମନେ ମନେ ପଙ୍କଜର ବୁଦ୍ଧିକୁ ତାରିଫ୍ କଲା । ମନେ ମନେ ଭାବିଲା, ଏଇ ପଙ୍କଜ ଦାସ ପାଇଁ ସେ ଏତେ ଆଗ୍ରହ, ଏତେ କଷ୍ଟରେ ଦିନଯାକ ବସି ଖାଦ୍ୟ ତିଆରି, କରୁଥିଲା !

 

ପ୍ରାଣକୃଷ୍ଣ ଦାସ ବିଦାୟ ନେଇଗଲା ବେଳେ ଆଖିରେ କିଛି ଖୋଜିଲା ଭାବ ସ୍ପଷ୍ଟ ହେଉଥିଲା । ବିଦାୟ ଦେଲାବେଳେ ନୀଳକଣ୍ଠ ବି ଅନୁଭବ କଲା ପାଖରେ ସୁନନ୍ଦା ନାହିଁ । ଅତିଥି ବିଦାୟ ବେଳାରେ ଗୃହଲକ୍ଷ୍ମୀ ଯେ ଉପସ୍ଥିତ ରହିବା ଉଚିତ୍, ଏ କଥାଟା ନୀଳକଣ୍ଠର ସେ ମୁହୂର୍ତ୍ତରେ କେମିତି ବେଶି ବେଶି ମନେ ହୋଇଥିଲା ।

 

ଅତିଥି ବିଦାୟ ଶେଷ କରି ନୀଳକଣ୍ଠ ଦେଖିଲା, ରୋଷେଇ ଘରେ ମଧ୍ୟ ସୁନନ୍ଦା ନାହିଁ । ଆଶ୍ଚର୍ଯ୍ୟ ! ସୁନନ୍ଦା ତା’ ହେଲେ ଗଲା କୁଆଡ଼େ ? ସେ ବଡ଼ ପାଟିରେ ଡାକିଲା, ନନ୍ଦା....ନନ୍ଦା..... !

 

ଶୟନ କକ୍ଷରୁ ଉତ୍ତର ଦେଲା ସୁନନ୍ଦା ।

 

ନୀଳକଣ୍ଠ ଯାଇ ଦେଖିଲା, ଖଟ ଉପରେ ଦେହ ଘୋରିହୋଇ ଶୋଇଛି ସୁନନ୍ଦା । ରାତ୍ରି ଆଠଟା କିମ୍ବା ଖୁବ୍ ବେଶିହେଲେ ସାଢ଼େ ଆଠଟା ହେବ । ଏତେ ଆଗରୁ ସୁନନ୍ଦା କେବେ ଶଯ୍ୟା ସ୍ପର୍ଶ କରେ ନାହିଁ । ଆଜି ହଠାତ୍ !

 

ସୁନନ୍ଦାର ଶଯ୍ୟାଧାରରେ ଯାଇ ବସି ପଡ଼ିଲା ନୀଳକଣ୍ଠ ।

 

ପ୍ରଶ୍ନ କଲା ହଠାତ୍ ଶୋଇବାକୁ ଚାଲି ଆସିଲୁ ଯେ !

 

ସୁନନ୍ଦା ଅଳସ ଭାଙ୍ଗି ଉତ୍ତର ଦେଲା, ଦେହ କାହିଁକି ଖରାପ ଲାଗୁଛି । ଡାକ୍ତରଙ୍କ ପାଖରୁ ଟିଟୁକୁ ନେଇଆସ । ମୁଁ ଆଜି ଆଉ କିଛି ଖାଇବି ନାଇଁ ।

 

ସୁନନ୍ଦା ଏକାବେଳକେ ଏ ସବୁଯାକ କଥା କହିସାରି ନୀରବ ହେଲା । ସୁନନ୍ଦାର ଦେହରେ ହାତ ମାରିଲା ନୀଳକଣ୍ଠ । ତା’ ଦେହର ଉତ୍ତାପ ମାପିବାକୁ ଚେଷ୍ଟା କଲା । ଉତ୍ତାପ କିଛି ଜଣାପଡ଼ୁ ନାହିଁ । ବୋଧହୁଏ ଦେହରେ ଅଛି ସାଧାରଣ ତାପ । ତଥାପି ସୁନନ୍ଦା ଅସ୍ଵସ୍ତି ବୋଧ କରୁଛି କାହିଁକି ?

 

ନୀଳକଣ୍ଠର ହାତକୁ ନିଜ ହାତରେ ଚାପିଧରି ସୁନନ୍ଦା କହିଲା କିଛି ଭୟ କର ନାହିଁ । ଡାକ୍ତର ଦେଖାଇ କିଛି ଲାଭ ନାଇଁ । ବେଳେବେଳେ ମୁଁ ଏମିତି ଅସୁସ୍ଥ ହୋଇପଡ଼େ । ସେ ପୁଣି ଆପେ ଆପେ ଭଲ ହୋଇଯିବ । ତୁମେ ଯାଅ, ଟିଟୁକୁ ନେଇ ଆସିବ ।

 

ନୀଳକଣ୍ଠ ବାହାରକୁ ଗଲା ।

 

ଶୂନ୍ୟକକ୍ଷରେ ଶୋଇ ରହି ସୁନନ୍ଦା ଭାବିବାକୁ ଲାଗିଲା, ସତେ କଅଣ ସେ ଅସୁସ୍ଥ ? ଦେହର ଉତ୍ତାପ ନାହିଁ, ଯନ୍ତ୍ରଣା ନାହିଁ, କିନ୍ତୁ ଅସୁସ୍ଥତା ଅଛି ।

 

ସେ ନିଜେ ମନେ ମନେ ହସିଲା ।

 

ଜ୍ଵରର ଯନ୍ତ୍ରଣାଠାରୁ ବେଶି ଯନ୍ତ୍ରଣାଦାୟକ ଏଇ ମାନସିକ ରୋଗ । ମନଟା ତାର ବେଶ୍ ଭଲ ଥିଲା ଏଇ କେତେଦିନ ଧରି । ପଙ୍କଜ ଆସି ପୁଣି ସେଇ ସୁସ୍ଥ ମନଟାକୁ ରୁଗ୍‍ଣ କରିଦେଇ ଚାଲିଗଲା ।

 

ପଙ୍କଜ ଦାସ !

 

ବିସ୍ମୃତିର ଗଭୀର ଗିରି ଗୁହାରୁ ଏକ ବିକଳାଙ୍ଗ ନର ରାକ୍ଷସ ସତେ ଯେମିତି ଜିହ୍ଵା ବିସ୍ତାର କରି ହଠାତ୍ ପଦାକୁ ବାହାରିଆସିଲା, ସେମିତି ଆତଙ୍କ ଅନୁଭବ କଲା ସୁନନ୍ଦା । ତାର ପ୍ରଥମେ ମନେ ହୋଇଥିଲା ବିଶ୍ଵାସଘାତକତା ପରେ ପଙ୍କଜ ହୁଏତ ତାର ନିର୍ଲ୍ଲଜ ମୁହଁ ଆଉ ତା ପାଖରେ ଦେଖାଇବ ନାହିଁ । କିନ୍ତୁ ଆଜି ତା ନିଜ ଗୃହାଙ୍ଗନରେ ପଙ୍କଜକୁ ଦେଖି ସୁନନ୍ଦାର ସେ ଧାରଣା ହଠାତ୍ ଓଲଟ ପାଲଟ ହୋଇଗଲା । ପଙ୍କଜ ଯେ ତାର ଅବଶିଷ୍ଟ ଜୀବନକାଳ ମଧ୍ୟରେ ତା ପଛେ ପଛେ ଛାଇଭଳି ଘୂରି ବୁଲିବ, ଏକଥା ବଦ୍ଧମୂଳ ହୋଇଆସିଲା ସୁନନ୍ଦାର ମନରେ ।

 

ଏହି ଆଶଙ୍କା ହିଁ ହେଲା ସୁନନ୍ଦାର ରୋଗର କାରଣ ।

 

ସେ ଏକ ଅଜ୍ଞାତ ଆତଙ୍କରେ ଛଟପଟ ହେବାକୁ ଲାଗିଲା । ମନେ ମନେ ଭାବିବାକୁ ଲାଗିଲା, ପଙ୍କଜ ତାହେଲେ ବିବାହ କରିଚି । ସେଇଥିପାଇଁ ସମ୍ଭବତଃ ଛଳନାର ମାୟା ଜାଲ ବିସ୍ତାର କରି ତାକୁ ସେଦିନ ସେ ପ୍ରତାରିତ କରିଥିଲା । ସୁନନ୍ଦା ଅନ୍ତଃସତ୍ଵା ଜାଣି ତା ପାଖରେ ମୁହଁ ଖୋଲି ପ୍ରକାଶ କରିପାରି ନ ଥିଲା, ମୁଁ ଆଉ ଗୋଟିଏ ଝିଅକୁ ବିବାହ କରିବାକୁ ଚାହେଁ ସୁନନ୍ଦା ! ତମେ ମତେ ମୁକ୍ତି ଦିଅ ।

 

ସେଦିନ ଯଦି ପଙ୍କଜ ତା ପାଖରେ ଏଇ ଅନୁରୋଧ ବାଢ଼ି ଥାଆନ୍ତା, ତାହାହେଲେ ତାକୁ କଣ ସେ ମୁକ୍ତି ଦେଇପାରି ନ ଥାନ୍ତା !

 

କଥାଟା ଚିନ୍ତା କଲାବେଳେ ସୁନନ୍ଦାର ଅଙ୍ଗ ପ୍ରତ୍ୟଙ୍ଗ କଣ୍ଟକିତ ହୋଇଉଠୁଥିଲା । ଛି....ଛି...ସେ ପଙ୍କଜ ଭଳି ଏକ ଇତର ଲୋକକୁ ନିଜ ନାରୀ ଜୀବନର ସର୍ବସ୍ଵ ସ୍ଵେଚ୍ଛାରେ ଅର୍ପଣ କରି ଦେଇଥିଲା କିପରି ? ପଙ୍କଜ ଦାସ ଭଳି ନଷ୍ଟଚରିତ୍ରର ଲୋକକୁ ସେ ଏଡ଼େ ସହଜରେ ବିଶ୍ଵାସ କରିପାରିଲା କେମିତି ? ପଙ୍କଜ ଏଭଳି ବିଶ୍ଵାସଘାତକତା କରିପାରେ, ଏକଥା କଅଣ ସେ ମୋଟେ ଭାବି ପାରି ନଥିଲା ?

 

ନିଜ ମନର ଏଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁନନ୍ଦା ନିଜେ କିପରି ନିର୍ବୋଧ ହୋଇଯାଏ । ଅତୀତ ଜୀବନରେ କରିଥିବା ସେଇ ସାମାନ୍ୟ ଭାବପ୍ରବଣତାର ଭ୍ରମ ପାଇଁ ତାର ଧାରଣା ହେଲା, ତାକୁ ହୁଏତ ସାରା ଜୀବନ ପାଇଁ ଛଟପଟ ହୋଇ ମରିବାକୁ ହେବ ।

 

ସୁନନ୍ଦା ମନରେ ଉଠିଲା ଆଉ ଏକ ପ୍ରଶ୍ନ ।

 

ପଙ୍କଜ ଦାସର ପରିଚୟ କଅଣ ଜାଣେ ନାହିଁ ନୀଳକଣ୍ଠ ! ତାଙ୍କୁ କଅଣ ପଙ୍କଜ ଦାସ ସବୁକଥା ଗୋପନ କରି ରଖିଚି ! ସୁନନ୍ଦାକୁ ନୀଳକଣ୍ଠର ଗୃହଲକ୍ଷ୍ମୀ ବୋଲି ଜାଣି ନ ଥିଲେ କେଉଁ କାରଣରୁ ପଙ୍କଜ ନିଜ ନାମକୁ ପ୍ରାଣକୃଷ୍ଣ ବୋଲି ବଦଳାଇ କହିଛି ?

 

ରାତ୍ରି କ୍ରମେ କ୍ରମେ ପ୍ରଗାଢ଼ ହୋଇଆସୁଚି ।

 

ସୁନନ୍ଦାର ମନରେ ମଧ୍ୟ ଗଭୀର ହୋଇ ଆସୁଚି ଅଜ୍ଞାତ, ଅନାଗତ ସେହି କୁତ୍ସିତ ଦିନଗୁଡ଼ିକର ବିଭୀଷିକା ।

 

କବାଟ ଖୋଲିବାର ଶବ୍ଦ ହେଲା ।

 

ଟିଟୁକୁ ନେଇ ଫେରିଲା ବୋଧହୁଏ ନୀଳକଣ୍ଠ ।

 

ତା ଆରଦିନ ଖରାବେଳେ ।

 

ଦାର୍ଜିଲିଂରେ ବୈଶାଖ ମାସର ଖରାଟା ଏକାନ୍ତ ଭାବରେ ତେଜହୀନ । ଆକାଶରେ ଦିଗନ୍ତବ୍ୟାପୀ ସୁନାରଙ୍ଗୀ ଝିଲ ମିଲ ଖରା ଦେହକୁ ବେଶ୍ ଭଲ ଲାଗେ । ନୀଳକଣ୍ଠ ଘରେ ନାହିଁ ବୋଲି ଖରା ଆଡ଼କୁ ପିଠିକରି ଅଗଣାରେ ଗୋଟିଏ ଚେୟାରରେ ବସି ସୁନନ୍ଦା ବହି ପଢ଼ୁଥିଲା ।

 

ବାହାର କବାଟରେ ଜଞ୍ଜିର ଝଣ ଝଣ ଶବ୍ଦ ହେଲା ।

 

ସୁନନ୍ଦାର ମନେ ହେଲା, ନୀଳକଣ୍ଠ ଫେରିଚି । ନୀଳକଣ୍ଠର ଫେରିବାକୁହିଁ ମନେ ମନେ କାମନା କରୁଥିଲା ସୁନନ୍ଦା । ସେ ଭାବୁଥିଲା ଗ୍ରାମରୁ ବାବାଙ୍କୁ ଏଠାକୁ ନେଇ ଆସିଲେ ଭଲ ହେବ । ବୁଢ଼ାଦିନେ ଏକୁଟିଆ ତାଙ୍କୁ ଗ୍ରାମରେ ଛାଡ଼ି ଏତେ ଦୂରରେ ଏତେଗୁଡ଼ାଏ ଦିନ ରହିବା ଭଲ ନୁହେଁ । ନୀଳକଣ୍ଠକୁ ଆଜି ତାର ଏତକ କହିବାର କଥା ।

 

ପୁଣି କବାଟ ଜଞ୍ଜିର ଝଣ ଝଣ ହେଲା ।

 

ଉଠିଯାଇ କବାଟ ଖୋଲିଲା ସୁନନ୍ଦା ।

 

ନୀଳକଣ୍ଠ କାହିଁ ? ନୀଳକଣ୍ଠ କାହିଁ ? ଏଯେ....ଏଯେ....

 

ସୁନନ୍ଦା ଭାବୁଥିଲା କବାଟର ଦରଜାଟା ସେ ପୁଣି ସଶବ୍ଦରେ ବନ୍ଦ କରି ଦେବ । କିନ୍ତୁ ସେକଥା ସେ କରିପାରିବା ଆଗରୁ ପଙ୍କଜ ପଚାରିଲା, ନୀଳକଣ୍ଠ ବାବୁ ଭିତରେ ଅଛନ୍ତି ?

 

ସୁନନ୍ଦାର ଇଚ୍ଛା ହେଉଥିଲା ପଙ୍କଜର ମୁହଁକୁ ଆଉ ଦଣ୍ଡେ ମାତ୍ର ନ ଚାହିଁ ସେ ସିଧା ତାର କକ୍ଷ ଭିତରକୁ ଫେରିଆସନ୍ତା । ତା କିନ୍ତୁ ସେ କରିପାରିଲା ନାହିଁ । କ୍ଷୀଣ କଣ୍ଠରେ କହିଲା, ଆଉ କିଛି ପ୍ରଶ୍ନ ପଚାରିବାକୁ ଅଛି ?

 

ସୁନନ୍ଦା ମୁହଁରୁ ଏଇ ସଂକ୍ଷିପ୍ତ କଥା ପଦକ ଶୁଣି ପଙ୍କଜ ଦାସର ମୁଖାକୃତି ବିକୃତି ହୋଇଗଲା । ଯେତେ ସାହସରେ ସେ ସୁନନ୍ଦାକୁ ପ୍ରଶ୍ନଟା ପଚାରିଲା; ସୁନନ୍ଦା ପ୍ରଶ୍ନର ଉତ୍ତର ଦେବାକୁ ନିଜ ମନରେ ସେ ଏତେ ସାହସ ଆଉ ଖୋଜି ପାଇଲା ନାହିଁ । କେବଳ ହତାଶ, ବ୍ୟଥିତ କଣ୍ଠରେ ସେ କହିଲା, ମୋ ଉପରେ ରାଗିଚ ସୁନନ୍ଦା ?

 

କଥାଟା କେମିତି ଖାପ ଛଡ଼ା ଶୁଭିଲା ସୁନନ୍ଦାର କାନକୁ । ଜଣେ ଭଦ୍ରଲୋକଙ୍କ ସ୍ତ୍ରୀଙ୍କୁ ଆଉ ଜଣେ ଇତର ଲୋକ ନାମ ଧରି ସମ୍ବୋଧନ କରିବାଟା ତା କାନକୁ କେମିତି ଭାରି ଅପମାନଜନକ ଶୁଭୁଥିଲା । କେଉଁ ଭରସା, କେଉଁ ସାହସରେ ପଙ୍କଜ ଆଜି ତାକୁ ସୁନନ୍ଦା ବୋଲି ସମ୍ବୋଧନ କରୁଛି ?

 

ଆଉ ରାଗିବା କଥା ?

 

ଏ କଥା ଆଜି କେଡ଼େ ନିର୍ଲ୍ଲଜ ଭାବରେ ପଚାରି ପାରୁଛି ପଙ୍କଜ ? ଯାହା ଉପରେ ଜଣେ ନାରୀ ରାଗ, ଅଭିମାନ କରିପାରେ, ନିଜକୁ ସେହିଭଳି ଜଣେ ପୁରୁଷ ବୋଲି କଅଣ ପଙ୍କଜ ଏବେ ସୁଦ୍ଧା ମନେ କରୁଛି !

 

ସୁନନ୍ଦାର ନିରବତାରେ ବିବ୍ରତ ହୋଇ ପଙ୍କଜ ପଚାରିଲା, ମୋ ସାଙ୍ଗରେ ଦି’ ପଦ କଥା କହିବାକୁ କଅଣ ଘୃଣା ହେଉଛି ?

ପଙ୍କଜର ଉପସ୍ଥିତି ଅସହ୍ୟ ଲାଗୁଥିଲା ସୁନନ୍ଦାକୁ । ସେ ପୁଣି ଥରେ ବିରକ୍ତ କଣ୍ଠରେ ପଚାରିଲା, ଏତିକି ନା ଆଉ କିଛି ପ୍ରଶ୍ନ ଅଛି ପଚାରିବାକୁ ?

ହତାଶରେ ମ୍ରିୟମାଣ ହୋଇ ପଙ୍କଜ କହିଲା, ତାହାହେଲେ ତମେ ମତେ ତଡ଼ି ଦେବାକୁ ଚାହଁ । ବେଶ୍, ମୁଁ ଯାଉଛି ।

ପଛକୁ ଫେରି ଚାଲି ଯାଉଥିଲା ପଙ୍କଜ । କେମିତି ଭାବ-ବିହ୍ଵଳ ଭାବରେ ସୁନନ୍ଦା ପଛରୁ ଡାକିଲା, ପଙ୍କଜ !

ଅଳ୍ପ ଦୂରରେ ଠିଆହୋଇ ଭୁଲରେ କାହାରି ଡାକ ଶୁଣିଲା ଭଳି ସନ୍ଦେହଭରା କଣ୍ଠରେ ପଙ୍କଜ ପଚାରିଲା, ମତେ ଡାକୁଛ ?

ସୁନନ୍ଦା ନିର୍ଲିପ୍ତ କଣ୍ଠରେ କହିଲା, ହଁ, ତମକୁ ଗୋଟିଏ କଥା କହିବାକୁ ଅଛି ।

ମୁହଁରେ ହସର ତରଙ୍ଗ ନଚାଇ ପଙ୍କଜ କହିଲା, କେବଳ ଗୋଟିଏ ? ତମେ ଏତେଦିନ ପରେ ଶହେଟି ପ୍ରଶ୍ନ ଦୟାକରି ପଚାରି ପାରିବ ନାହିଁ ?

ପଙ୍କଜର ଏ ନିର୍ବୋଧ ରସିକତାକୁ ଉପେକ୍ଷା କରି ସୁନନ୍ଦା କହିଲା, ହୀନ, ଭୀରୁ, କାପୁରୁଷଭଳି ବିଶ୍ଵାସଘାତକତା କରି ଚାଲିଯିବା ପରେ ମୁଁ ଯେଉଁ ଛୋଟ ସୁଖୀ ସଂସାରଟି ଆରମ୍ଭ କରିଛି, ସେଥିରେ ନିଆଁ ଲଗାଇ ଦେବାକୁ ପ୍ରେତାତ୍ମାର ଛାଇ ଭଳି ଆଉ ଘୂରି ବୁଲୁଛ କାହିଁକି ଶୁଣେ-? ବିବାହ କରି ସୁଖରେ ଅଛ । ସ୍ଵାମୀ ସୋହାଗିନୀ ସ୍ତ୍ରୀ, ନିଜର ସଂସାର ଛାଡ଼ି ପୁଣି ମୋ ପଛରେ ଲାଗିଛ କାହିଁକି ?

ଅତି କଷ୍ଟରେ ନିଜର ଅସହାୟ କରୁଣତାକୁ ସଂଯତ କରି ନେଇ ପଙ୍କଜ କହିଲା, ମତେ ଯାହା ପାରୁଛ କୁହ, ଗାଳିଦିଅ । କିନ୍ତୁ ଦୟାକରି ମତେ ଭୁଲ ବୁଝ ନାହିଁ । କେବଳ ଟିଟୁକୁ ଟିକିଏ ଦେଖିବା ପାଇଁ ଏଭଳି ନିର୍ଲ୍ଲଜ ଭାବରେ ତମ ପାଖକୁ ଯାହା ଆସୁଛି । ତା’ ଛଡ଼ା ମନରେ ମୋର କୌଣସି କାମନା ନାହିଁ ।

ପଙ୍କଜର କଥା ଶୁଣି ସୁନନ୍ଦାର ଭ୍ରୂଲତା ବିସ୍ମୟରେ କୁଞ୍ଚିତ ହୋଇ ଆସିଲା । ସେ ଅବାକ୍ କଣ୍ଠରେ କହିଲା, ଟିଟୁ ! ଟିଟୁର ମୁହଁ ଦେଖିବା ପାଇଁ ତମ ମୁହଁଟା ଏ ପର୍ଯ୍ୟନ୍ତ ପୋଡ଼ି ନହୋଇ ରହି ଯାଇଚି ! ଲଜ୍ଜା ବୋଲି ଗୋଟାଏ ଜିନିଷ ଭଗବାନ ତମକୁ ଟିକିଏ ହେଲେ ଦେଇ ନଥିଲେ ! ଛି....ଛି....

ସୁନନ୍ଦାର ମୁହଁ ଘୃଣାରେ ବିକୃତ ହୋଇଉଠୁଥିଲା । ସେ ସମସ୍ତ ଘୃଣାକୁ ନିଃସଙ୍କୋଚରେ ହଜମ କରି ପଙ୍କଜ କହି ଉଠିଲା, ସେ ପ୍ରଶ୍ନ ମୁଁ ନିଜକୁ ଅନେକ ଥର ପଚାରିଛି ସୁନନ୍ଦା ! ନିଜେ ନିଜ ମନଠାରୁ କୌଣସି ଠିକଣା ଉତ୍ତର ପାଇ ନାହିଁ । ସେଦିନ ସେ ପାହାଡ଼ ଝରଣା କୂଳରେ ତମକୁ ଦେଖି ହଠାତ୍ ମୁଁ ଚଞ୍ଚଳ ହୋଇ ଉଠୁଥିଲି । ପିଲାଟାକୁ ଦେଖିବା ପାଇଁ ମନ ବ୍ୟାକୁଳ ହୋଇଉଠିଲା-। ନିଜ ମନର ଏଇ ଅହେତୁକୀ ଆଗ୍ରହକୁ ବହୁ କଷ୍ଟକରି ସୁଦ୍ଧା ମୁଁ ସମ୍ବରଣ କରିପାରି ନାଇଁ-। ତା ଆରଦିନ ଆପେ ଆପେ ଆସି ନୀଳକଣ୍ଠ ବାବୁଙ୍କ ସହିତ ମିଥ୍ୟା ଆତ୍ମ ପରିଚୟ ଦେଇ ଘନିଷ୍ଠ ହୋଇଚି । ମତେ ବିଶ୍ଵାସ କର ସୁନନ୍ଦା ! ମୁଁ ପ୍ରତାରଣା କରି ନାହିଁ । ପରିସ୍ଥିତିର ତାଡ଼ନାରେ ତଡ଼ିହୋଇ ଯାଇ ନଥିଲେ....

 

ତାଚ୍ଛଲ୍ୟରେ ପରିହାସ କରିଉଠିଲା ସୁନନ୍ଦା ।

 

ଚିତ୍କାର କରିଉଠିଲା, ବିଶ୍ଵାସ ! ତମକୁ ମୁଁ ପୁଣି ବିଶ୍ଵାସ କରିବି ! ଏ ଦେହ ଉପରୁ କଣ ଏବେ ସୁଦ୍ଧା ତମର ଲୋଭ ତୁଟି ନାହିଁ ! ପରିସ୍ଥିତିର ବାହାନା କରି ଅନ୍ୟର ସ୍ତ୍ରୀକୁ ସୁଦ୍ଧା ପୁଣି ଭୁଲାଇବା ପାଇଁ ଇଚ୍ଛା ! ତମେ ଏତେ ହୀନ, ଏତେ ନୀଚ ବୋଲି ଜାଣିଥିଲେ…..

 

ସୁନନ୍ଦା ଆଉ କିଛି କହିପାରିଲା ନାହିଁ । ଅବେଗର ଆଲୋଡ଼ନରେ ତାର ଓଠ ପତା ଦୁଇଟି ପ୍ରକମ୍ପିତ ହେବାକୁ ଲାଗିଲା ।

 

ସେ ଲକ୍ଷ୍ୟକରି ଦେଖିଲା, ତାର ବିଦ୍ରୂପ ବାଣୀରେ ପଙ୍କଜର ଆଖିପତା ଦୁଇଟି ଅଶ୍ରୁସିକ୍ତ ହୋଇ ଉଠିଚି । ଆଉ କିଛି ଶୁଣିବାକୁ ଅପେକ୍ଷା ନରଖି ଫେରି ଚାଲିଗଲା ପଙ୍କଜ । ଏକ ଦୀର୍ଘନିଶ୍ଵାସ ତ୍ୟାଗକରି ସୁନନ୍ଦା ମଧ୍ୟ ଦରଜା କବାଟକୁ ସଶବ୍ଦରେ ବନ୍ଦ କରିଦେଲା ।

 

ସୁନନ୍ଦା ଭାବିଥିଲା, ପଙ୍କଜ ଆଉ ତାର ପୋଡ଼ାମୁହଁ ଦେଖାଇବ ନାହିଁ ।

 

ସେ ତାକୁ ସେଦିନ ଯେପରି ଭାବରେ ଅପମାନିତ କରିଥିଲା, ସେଥିରେ ଆଉ କୌଣସି ପୁରୁଷ ମୁହଁ ନଦେଖେଇବା ହିଁ କଥା ।

 

କିନ୍ତୁ ପଙ୍କଜ ପାଇଁ ସୁନନ୍ଦାର ଏହି ଧାରଣା ଭୁଲ୍ ବୋଲି ପ୍ରମାଣିତ ହେଲା । ତାର ଠିକ୍ ଦୁଇଦିନ ପରେ ପଙ୍କଜ ପୁଣି ଆସି ସୁନନ୍ଦାର କବାଟ ଜଞ୍ଜିର ଝଣ ଝଣ କଲ। ।

 

ଖରାବେଳ । ସୁନନ୍ଦା ଟିଟୁକୁ କୋଳକରି ନିଦ୍ରା ଯାଇଥିଲା । କବାଟ ଜଞ୍ଜିର ଝଣ ଝଣ ହେବା ଶୁଣି ସେ ଆସି କବାଟ ଖୋଲିଲା । କବାଟ ଖୋଲି ଦେଖେ ତ, ଠିଆ ହୋଇଛି ପଙ୍କଜ ।

 

ମୁହଁରେ ସେଦିନର ସେ ଗ୍ଳାନି ନାହିଁ । ଆଖି ଦୁଇଟି ନିରୀହ ହରିଣର ଆଖି ଭଳି ଶାନ୍ତ ଅଥଚ ଚଞ୍ଚଳ ।

 

ମୁଣ୍ଡର ନୁଖୁରା ବାଳଗୁଡ଼ିକ ସେମିତି ଫୁରୁ ଫୁରୁ ହୋଇ ପବନରେ ଥରୁଚି । ଦୃଷ୍ଟିଭଙ୍ଗୀରେ ସ୍ପଷ୍ଟ ହେଉଚି ଗଭୀର ଏକ ଆତ୍ମବିଶ୍ଵାସ ।

 

ସୁନନ୍ଦା ପଚାରିଲା, ଏଥର କାହାକୁ ଖୋଜୁଚ ?

 

ନୀଳକଣ୍ଠ ବାବୁଙ୍କୁ—ପଙ୍କଜ ଉତ୍ତର ଦେଲା ।

 

ବିରକ୍ତ ହୋଇ ସୁନନ୍ଦା କହିଲା, ସେ ଖରାବେଳଟାଯାକ ଘରେ ରହନ୍ତି ନାହିଁ । ମତେ ଆସି ଆଉ ବିରକ୍ତ କରିବ ନାହିଁ । ଏ ହେଲା ମୋର ବିଶ୍ରାମ ନେବାବେଳ । ଯାଅ, ସନ୍ଧ୍ୟାପରେ ଆସିବ ।

 

ପଙ୍କଜ କିନ୍ତୁ ଗଲା ନାହିଁ । ସେମିତି ସେ ସ୍ଥିରହୋଇ ଠିଆ ହୋଇ ରହିଲା । ସ୍ଥିର କଣ୍ଠରେ କହିଲା, ନୀଳକଣ୍ଠ ବାବୁ କହି ଯାଇଛନ୍ତି, ସେ ନ ଥିଲାବେଳେ ମୁଁ, ତମ ପାଖକୁ ଆସିବି । ତମେ ଏକୁଟିଆ ରହି ବ୍ୟସ୍ତ ହେଉଛ । ମୁଁ ତମ ସହିତ ଗପ କରିବି....

 

ଆଖିଡ଼ୋଳା ଦୁଇଟି ଉପରକୁ ଉଠାଇ ସୁନନ୍ଦା କହିଲା, ଶାନ୍ତିନିକେତନରେ ଆମେ ଯେଉଁ ଗପ ଆରମ୍ଭ କରିଥିଲେ, ସେ ଗପ କଣ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ ? ସେ ଗପ ଏଇ ଦାର୍ଜିଲିଂରେ ଶେଷ କରିବାକୁ ହେବ ?

 

ଅନୁନୟ କଲାଭଳି ବିନୀତ କଣ୍ଠରେ ପଙ୍କଜ କହିଲା, ମତେ ଟିକିଏ ଦୟାକର ସୁନନ୍ଦା ! ଅନୁକମ୍ପା କରି ମୋ କଥା ଟିକିଏ ଶୁଣ । ମୁଁ ତମ ସହିତ ବିଶ୍ଵାସଘାତକତା କରି ନାହିଁ ।

 

ଉପହାସ କରି ସୁନନ୍ଦା କହିଲା, ତାହାହେଲେ ବିଶ୍ଵାସଘାତକତାର ଏକ ନୂତନ ସଜ୍ଞା ମତେ ତମେ ବୁଝାଇବାକୁ ଚାହଁ ! ନାଇଁ ! ଜୀବନରେ ବହୁ ମୂଲ୍ୟବାନ ଅନୁଭୂତିର ମୂଲ୍ୟ ଦେଇ ମୁଁ ତମକଥା ବୁଝିଚି ପଙ୍କଜ ! ଆଉ ମୋ ଆଗରେ ଏ ସୁନାର ହରିଣ ଦଉଡ଼ାଅ ନାହିଁ ।

 

ପଙ୍କଜ ଏଥିରେ କିନ୍ତୁ ହତାଶ ହେଲା ନାହିଁ । କହିଲା, ଥରେ ଖାଲି ତମେ ମୋ କଥା ଶୁଣ । କେବଳ ଥରେ । ବାସ ! ତାପରେ ତମେ ଯାହାପାର ମତେ କହିବ, ମୋର କିଛି ହେଲେ ଆପତ୍ତି ନାହିଁ । ମୁଁ ସବୁ ନିନ୍ଦା, ଅପମାନ ସହିବି.....

 

ସୁନନ୍ଦା ତଥାପି ଆଘାତ କରିବାକୁ ପଛାଇଲା ନାହିଁ ।

 

କହିଲା ପୋଡ଼ି ଯାଇଥିବା ତୁଅଣରେ ଆଉ ସୁଆଦ ଖୋଜ ନାହିଁ ପଙ୍କଜ ! ଘରେ ସ୍ଵାମୀ ସୋହାଗିନୀ ସ୍ତ୍ରୀ । ତାଙ୍କରି ଆଗରେ ଯାଇ କାହାଣୀ କୁହ । ଆଦର୍ଶବାଦୀ ସ୍ଵାମୀଙ୍କ କଣ୍ଠର ଅମୃତ ସେ ଆକଣ୍ଠ ପିଇଯିବେ ।

 

ନିର୍ଲିପ୍ତ କଣ୍ଠରେ ପଙ୍କଜ କହିଲା, ମୁଁ ବିବାହ କରିଛି ବୋଲି ତମେ ବି ଶେଷରେ ବିଶ୍ଵାସ କଲ !

 

ଚମକି ଉଠିଲା ଭଳି ସୁନନ୍ଦା ପ୍ରଶ୍ନ କଲା, ତା ମାନେ ?

 

ନୀଳକଣ୍ଠ କହିଲା, ମୁଁ ବିବାହ କରିଚି ? ମୁଁ କଅଣ ତମ ଛଡ଼ା ଆଉ କାହାରିକୁ ବିବାହ କରିପାରେ ? ନୀଳକଣ୍ଠ ବାବୁଙ୍କ ବିଶ୍ଵାସ ଜନ୍ମାଇବା ପାଇଁ ମୁଁ ମିଛ କହିଚି । କେବଳ ତମକୁ ଥରେ ଭେଟିବି, ସବୁକଥା କହବି, ଏଇ ଆଶାରେ—

 

ସୁନନ୍ଦାର ମନେ ହେଲା, ତା ଆଗରେ ପଙ୍କଜ ଦାସ ନୁହେଁ, ଠିଆହୋଇଛି ଏକ ମିଥ୍ୟାପୁରୁଷ । ମିଛ କହିବା ଯାହାର ଜୀବନର ବ୍ରତ !

 

ପଙ୍କଜ ସୁନନ୍ଦାର ନୀରବତାର ସୁଯୋଗ ନେଲା । କହିବାକୁ ଆରମ୍ଭ କଲା ତାର କାହାଣୀ । ସୁନନ୍ଦା ଦେଖିଲା, କଥା ନ କହି କଦାପି ଫେରିଯିବ ନାହିଁ ପଙ୍କଜ । ଅଗତ୍ୟା ତାର କାହାଣୀ ଶୁଣିବା ପାଇଁ ସେ ଠିଆହୋଇ ରହିଲା ।

 

ପଙ୍କଜ କଥା ଆରମ୍ଭ କଲା, ତମର ମନେ ଅଛି ସୁନନ୍ଦା, ମୋର ସେଇ ଭୟଙ୍କର କାଶର କଥା, କାଶି କାଶି ମୁଁ ଯେତେବେଳେ ନୟାନ୍ତ ହୋଇପଡ଼େ.....

 

ସୁନନ୍ଦା ମନେ ପକାଇଲା ।

 

ବେଶ୍‍ ମନେ ପଡ଼ୁଚି । ତାର ଛିଡ଼ି ଯାଇଥିବା ବୀଣାର ଶ୍ରୁତିକଟୁ ଶବ୍ଦଭଳି ବେଶ୍ ମନେ ପଡ଼ୁଛି ପଙ୍କଜର ସେଇ କାଶିବାର ଆବଜ୍ । ବିବାହ ସ୍ଥିର ହୋଇଯିବାର ଦିନ କେତେଟା ପରେ ସୁନନ୍ଦା ଲକ୍ଷ୍ୟ କରିଥିଲା ପଙ୍କଜଠାରେ ଏଇ କାଶ । ପଙ୍କଜର ସ୍ଵାସ୍ଥ୍ୟ ଭାଙ୍ଗି ପଡ଼ିଥିଲା ଏଇ ଅସାଧ୍ୟ କାଶଟା ଆରମ୍ଭ ହେବାପରେ । କିନ୍ତୁ ସେ କାଶଟା ସହିତ ପଙ୍କଜର ବିଶ୍ଵାସଘାତକତାର ସଂପର୍କ କଣ ?

 

ସେ କହିଲା, ହଁ ମନେ ପଡ଼ୁଛି ।

 

ପଙ୍କଜ କହିଲା, ମୋର ବି ବେଶ୍ ମନେ ପଡ଼ୁଛି ତମେ ଯେଉଁଦିନ କହିଲ, ତମେ ସନ୍ତାନ—ସମ୍ଭବା । ସେଦିନ ମୁଁ ଏତେ ଖୁସି ହୋଇଥିଲି ଯେ ସେକଥା ପ୍ରବନ୍ଧ ନ ଲେଖିଲେ ମୁହଁରେ କହିହେବ ନାହିଁ । ତମକୁ ଜଣାଇ ନ ଥିଲେ ବି ମନେ ମନେ ମୁଁ ଆରମ୍ଭ କରି ଦେଇଥିଲି ବିବାହର ବିପୁଳ ଆୟୋଜନ । କିନ୍ତୁ...

 

ହଠାତ୍ !

 

ହଠାତ୍ କଣ ହେଲା ? —ପ୍ରଶ୍ନ କଲା ସୁନନ୍ଦା ।

 

ପଙ୍କଜ ବେଦନା—ମଳିନ କଣ୍ଠରେ କହିଲା, ହଠାତ୍ ମୁଁ ଆବିଷ୍କାର କଲି ମୋ କାଶର କଫ ସହିତ ରକ୍ତ—ହଁ—ହଁ—ତାଜାରକ୍ତ ଦଲକାଏ ବାହାରି ଆସିଥିଲା ମୋ କାଶର କଫ ସହିତ...

 

ଏତିକି କହିଦେଇ ପଙ୍କଜ ଠିଆହୋଇ ରହିଲା । ଆରବ୍ୟ ଉପନ୍ୟାସର ଆବେଗଭରା କାହାଣୀ ଶୁଣିବା ଭଳି ସୁନନ୍ଦା ମଧ୍ୟ ତଟସ୍ଥ ହୋଇଗଲା । ସେଇ ଅକ୍ଷର କେତୋଟି ଶୁଣି ସେ ଚମକି ଉଠିଲା । ହଠାତ୍ ପଙ୍କଜର କଫରେ ଝଲକାଏ ତାଜାରକ୍ତ, ଜବାଫୁଲ ପରି ! ଏବେ ସୁଦ୍ଧା କଣ ସେଇ ଅସାଧ୍ୟ ରୋଗଟା ଭୋଗ କରୁଚି ପଙ୍କଜ !

 

କରୁଣତାରେ କଣ୍ଠ ଆର୍ଦ୍ର କରି ପଙ୍କଜ କହିଲା, କଫ ସହିତ ସେହି ରକ୍ତ ଦଲକାକ ମୋ ମନର ସମସ୍ତ ଦମ୍ଭ, ସାହସକୁ ବିଚୂର୍ଣ୍ଣ କରିଦେଲା ସୁନନ୍ଦା ! କେଉଁ ମୁହଁ ନେଇ ମୁଁ ତମ ପାଖରେ ଠିଆ ହେବି, ସେଥିପାଇଁ ମୁଁ ଯୁକ୍ତି ଖୋଜି ପାଇଲି ନାହିଁ । ଉତ୍କଟ ଦାରିଦ୍ର୍ୟର ଅତଳ ସାଗର ମଧ୍ୟରେ ବୁଡ଼ିରହି ମୁଁ କେବଳ ନିଜ ଉପରେ ଅଗାଧ ବିଶ୍ୱାସ ଥାପି ବଞ୍ଚି ରହିଥିଲା । କିନ୍ତୁ କଫରେ ରକ୍ତ ପଡ଼ୁଥିବା ଦେଖି ଜଣେଲୋକ କେବେ ନିଜ ଉପରେ ବିଶ୍ୱାସ ରଖିପାରେ ?

 

ସୁନନ୍ଦା ଉଦବିଗ୍ନ କଣ୍ଠରେ ପଚାରିଲା, ତାପରେ ?

 

ତାପରେ...? ତାପରେ ମୋର ଏକମାତ୍ର ବାଟ ଥିଲା ଆତ୍ମହତ୍ୟା । ତୁମକୁ ବହୁ ଆଶା ଦେଇ ଯେତେବେଳେ ଅଯଥାରେ ଏତେ ବାଟ ଆସିଥିଲି, କେଉଁ ସତ୍‍ ସାହସ ନେଇ ମୋର ଏକ ଅସାଧ୍ୟ ରୋଗର ମର୍ମନ୍ତୁଦ କହାଣୀ ଶୁଣାଇ ଥାଆନ୍ତି ?

 

ସୁନନ୍ଦାର ହୃତ୍‍ପିଣ୍ଡ ବିଦୀର୍ଣ୍ଣ କରି ଏକ ଶ୍ଵାସରୋଧୀ ଦୀର୍ଘଶ୍ଵାସ ବାହାରି ଆସିଲା ।

 

ପଙ୍କଜ କହିଲା, ମୁଁ ନିଜେ ଆମ୍ଭହତ୍ୟା କରିବା ପାଇଁ ମୋର ତିଳେହେଲେ ଆପତ୍ତି ନଥିଲା, କିନ୍ତୁ ମୁଁ ମଲେ ଯେ ତମର ଦୁର୍ଦ୍ଦଶା ଘୁଞ୍ଚିବ ନାହିଁ, ଏକଥା କାହିଁକି କେଜାଣି ମୋର ସେଦିନ ବେଶୀ ସ୍ମରଣ ହୋଇଥିଲା । ମୁଁ ମରି ପରିଲି ନାହିଁ କି ବଞ୍ଚି ପାରିଲି ନାହିଁ । ତମକୁ ସେ ଚିଠି ଖଣ୍ଡିକ ଲେଖିଦେଇ ମୁଁ ହେଲି ପଳାତକ । ମୋର ଦୃଢ଼ ବିଶ୍ୱାସ ଥିଲା, ତମ ଭଙ୍ଗା ଜୀବନର ଜାହାଜ ନିଶ୍ଚୟ ନିରାପଦରେ ଆଶାର ବନ୍ଦରରେ ଲାଗିବ । ତମକୁ ଅତଳ, ଅଥୟ ଜଳରେ ଦେଖି ନୀଳକଣ୍ଠ ବାବୁ ନିଶ୍ଚୟ ତମକୁ ସାହାଯ୍ୟ କରିବେ ।

 

ସୁନନ୍ଦା ଉତ୍କଣ୍ଠିତ କଣ୍ଠରେ ପଚାରିଲା, ତମେ କଣ ଏବେ ବି ସେ ଭୟଙ୍କର ରୋଗ ଭୋଗ କରୁଛ ପଙ୍କଜ !

 

ପଙ୍କଜ ଏଥର ମ୍ଳାନ ହସ ହସିଲା ।

 

କହିଲା, ନାଇଁ—ଏପର୍ଯ୍ୟନ୍ତ ମୋ ହୃତ୍‍ପିଣ୍ଡକୁ କଣା କରି ଯକ୍ଷ୍ମା ରୋଗର ଜୀବାଣୁ ଦେହରେ ଶିରା ପ୍ରଶିରାରେ ଶୋଭାଯାତ୍ରା ଆରମ୍ଭ କରି ନାହାନ୍ତି । ଡକ୍ଟର ପ୍ରାଟ୍ ପରୀକ୍ଷା କରି କହିଛନ୍ତି, ମୋର ଆଶଙ୍କା ଅମୂଳକ । ମତେ ଯକ୍ଷ୍ମା ହୋଇ ନଥିଲା । ଦେହର ଅତିରିକ୍ତ ଦୁର୍ବଳତା ଯୋଗୁ କଫ ସହିତ ରକ୍ତ ପଡ଼ୁଥିଲା ।

 

ସୁନନ୍ଦା ବିସ୍ମୟରେ ଅବାକ୍‍ ହୋଇଗଲା ।

 

ମିଛରେ ଏକ ଭୀଷଣ ବ୍ୟାଧିର ଆଶଙ୍କା କରି ପଙ୍କଜ ଦାସ ତା ଜୀବନରେ ଯେଉଁ ଓଲଟ ପାଲଟ ସୁଷ୍ଟି କରିଦେଲା ସେକଥା ସ୍ମରଣ କରି ସେ ବ୍ୟଥିତ ହୋଇଉଠୁଥିଲା । ଘୃଣା ବଦଳରେ ଦୟା, ସହାନୁଭୂତି ତା ମନକୁ ବେଦନାର୍ଦ କରିଦେଲା ।

 

ପଙ୍କଜ ଠିଆ ହୋଇଛି । ବକ୍ତବ୍ୟ ତାର ଶେଷ ହୋଇଛି । ଏଇ ନିରୀହ, ନିର୍ବୋଧ ପଙ୍କଜକୁ ଚାହିଁ ସୁନନ୍ଦାର ଆଖିରେ ଅଶ୍ରୁ ସଂଚାର ହେଉଥିଲା ।

 

କିଛି ସମୟ ପରେ ସୁନନ୍ଦା ଲକ୍ଷ୍ୟ କଲା, ମୁହଁ ତଳକୁ ପୋତି ପଙ୍କଜ ଦାସ ଚାଲିଯାଉଛି-। ସତେ ଯେମିତି ବହୁଦିନ ଧରି ଯେଉଁ କଥାକୁ କହି ସେ ନିଜ ପୌରୁଷକୁ କଳଙ୍କ ମୁକ୍ତ କରିବ ବୋଲି ଚାହୁଁଥିଲା, ତାହା ସେ ଶେଷ କରି ସଗର୍ବରେ ଫେରି ଯାଉଛି ! ଆସିଲାବେଳେ ସେ ସୁନନ୍ଦାର ମନରେ ସୃଷ୍ଟି କରିଥିଲା ଅସୀମ ଘୃଣା, ଅସରନ୍ତି ବିରକ୍ତି, କିନ୍ତୁ ଫେରିଗଲାବେଳେ ସେ ତା ମନକୁ କାରୁଣ୍ୟ ଓ ସହାନୁଭୂତିରେ ଆର୍ଦ୍ର କରିଦେଇ ଯାଇଛି !

 

ନୀଳକଣ୍ଠ ସେଦିନ ବସା ଛାଡ଼ି ଡକ୍ଟର ପ୍ରାଟ୍‍ଙ୍କ ପାଖକୁ ଯିବା ଆଗରୁ ସୁନନ୍ଦାକୁ କହି ଦେଇଗଲା, ପ୍ରାଣକୃଷ୍ଣ ବାବୁଙ୍କୁ ମୁଁ କହିଦେଇ ଯାଇଛି ନନ୍ଦା ! ଖରାବେଳେ ସେ ଆସି ତା ଖବର ଅନ୍ତର ବୁଝି ଯାଉଥିବେ । ବେଶ୍‍ ସୁନ୍ଦର, ପରୋପକାରୀ ଲୋକଟିଏ ପ୍ରାଣକୃଷ୍ଣ ବାବୁ ! ଭାଗ୍ୟରେ ଥିଲେ ଏପରି ବନ୍ଧୁ ବିପଦ ସମୟରେ ଦେଖା ମିଳନ୍ତି ।

 

ନୀଳକଣ୍ଠର ସେ ନିରୀହ-ନିର୍ବୋଧ କଥା ଶୁଣି ମନେ ମନେ ଦାନ୍ତ ଚିପି ହସିଦେଲା ସୁନନ୍ଦା । ଭବିଲା, ନୀଳକଣ୍ଠ ଅନ୍ତତଃ ଏତେଟା ନିର୍ବୋଧ ନ ହେବା ଉଚିତ ଥିଲା । ଚାପା କଣ୍ଠରେ କହିଲା, ସେ କାଲି ଆସିଥିଲେ !

 

ନୀଳକଣ୍ଠ ଆଶ୍ଚର୍ଯ୍ୟ କଣ୍ଠରେ କହିଲା, ସେ ଆସିଥିଲେ ଆଉ ତୁ ତାକୁ ଅଟକାଇ ରଖିପାରିଲୁ ନାହିଁ ! ଛି ଛି କଣ ସେ ମନେ ମନେ ଭାବୁଥିବେ ?

 

ସୁନନ୍ଦାର ହସିବାକୁ ଇଚ୍ଛା ହେଉଥିଲା, କିନ୍ତୁ ନ ହସି ନିଜକୁ ନୀରବ କରିଦେଲା । ଆଉ କିଛି କହିଲା ନାହିଁ । ସେ ଆଉ କିଛି କହିବା ସୁନ୍ଦର ନୁହେଁ । ନୀଳକଣ୍ଠ ପଙ୍କଜକୁ ବିଶ୍ୱାସ କରିଚି । କି ବିଚିତ୍ର ଯୋଗସୂତ୍ର ! ନୀଳକଣ୍ଠ ଭଳି ସରଳ ବିଶ୍ଵାସୀ, ନିରୀହ ଲୋକ ଜଣଙ୍କର ସାନ୍ନିଧ୍ୟରେ ଯଦି ସେ ଆସି ନ ଥାଆନ୍ତା !

 

ନୀଳକଣ୍ଠ ଚାଲିଗଲାଣି ଡକ୍ଟର ପ୍ରାଟ୍‍ଙ୍କ ଚିକିତ୍ସାଳୟକୁ । ଟିଟୁ—ଭଲ ହୋଇଯିବ । ମସ୍ତିସ୍କର ଯେଉଁ ସ୍ନାୟୁତନ୍ତ୍ରୀ କେତୋଟି ଦେହ ଠାରୁ ବିଭିନ୍ନ ହୋଇଯାଇଛି, ତାକୁ ହିଁ ସଂଯୁକ୍ତ କରିଦେଲେ କଥା କହିବ ଟିଟୁ । ସାଂସାରିକ ଅନୁଭୂତି ତାର ଯଥେଷ୍ଟ ହୋଇଛି । ସେ କୁଆଡ଼େ ମନେ, ମନେ ସମସ୍ତଙ୍କୁ ଚିହ୍ନି ପାରୁଚି । କେବଳ ପାଟିରେ କଥା ଉଚ୍ଚାରଣ କରିପାରୁନି । ମାତ୍ର କହିବାର କ୍ଷୀଣ ଶକ୍ତି ହାସଲ କରିବା ମାତ୍ରେ ସେ ନୀଳକଣ୍ଠକୁ ବାପା ଆଉ ସୁନନ୍ଦାକୁ ମାଆ ବୋଲି ଡାକିବ । ସେଇ ଅନାଗତ ଦିନଗୁଡ଼ିକର ଅପେକ୍ଷାରେ ରହି ସୁନନ୍ଦା ଉଲ୍ଲସିତ ହୋଇ ଉଠୁଥିଲା ।

 

ଆଉ ପଙ୍କଜ ।

 

ଆଉ ପଙ୍କଜ !

 

ପଙ୍କଜ ଗତ ଦିନ କହି ଯାଇଥିବା ସେଇ କାହାଣୀଟି ମନେ ପକାଇବା ମାତ୍ରେ ଗଭୀର ଚିନ୍ତାରେ ନିମଗ୍ନ ହୋଇଯାଉଥିଲା ସୁନନ୍ଦା । ତାର ମନେ ହେଉଥିଲା, ସତେ କଅଣ ପଙ୍କଜ ହତଭାଗ୍ୟ ? ଭାଗ୍ୟର ପ୍ରତିକୂଳ ସ୍ରୋତରେ ଠେଲି ହୋଇ ଯାଇ ସେ ଏଭଳି ଏକ ଅଘଟଣାର ମୁହଁଙ୍କୁ ମଧ୍ୟ ଠେଲିଦେଲା !

 

ସୁନନ୍ଦାର ଦୁଗୁଣେଇ ହୋଇ ମନେ ପଡ଼ୁଥିଲା ସେଇ ହଜି ଯାଇଥିବା ଦିନ ଗୁଡ଼ିକର ସ୍ମୃତି ।

 

ପ୍ରତ୍ନତତ୍ତ୍ୱ ବିଭାଗର ଗବେଷକ ପଙ୍କଜ ଦାସ ସହିତ ତାର ସେଇ ପ୍ରଥମ ପ୍ରଣୟ ଦିନଗୁଡ଼ିକର କଥା । କାୟା ସହିତ ଛାୟା ଲାଗି ରହିଲା ଭଳି ଶାନ୍ତି ନିକେତନର ସେହି ଛାୟା ଶୀତଳ ପରିବେଶ ମଧ୍ୟରେ ପଙ୍କଜ ତା ପଛରେ କସ୍ତୁରୀ—ଲୋଭୀ ଶିକାରୀ ଭଳି ଘୂରି ବୁଲୁଥିଲା ।

 

ବିଶ୍ଵ ବିଦ୍ୟାଳୟର ପ୍ରତିଭାଶାଳୀ ଛାତ୍ର ପଙ୍କଜ । ଗରିବ ହେଲେବି ଅସାମାନ୍ୟ ତାର ଧୀ-ଶକ୍ତି । ଜୀବନ ପତି ଏକ ପରିଚ୍ଛନ୍ନ ରୁଚି, ନାରୀମାନଙ୍କ ପ୍ରତି ଗଭୀର ସମ୍ମାନବୋଧ ତାକୁ ସମଗ୍ର ଶାନ୍ତି ନିକେତନର ଛାତ୍ର ଛାତ୍ରୀ, ଗବେଷକ, ଅଧ୍ୟାପକ ମହଲରେ ଉଚ୍ଚ ଆସନ ଆଣି ଦେଇଥିଲା ।

 

ପଙ୍କଜକୁ ପାଇବାପାଇଁ ଶାନ୍ତି ନିକେତନର ବହୁ ବଙ୍ଗାଳୀ ଝିଅ ଉନ୍ମାଦିନୀ ହୋଇ ଉଠିଥିଲେ । କିନ୍ତୁ ପଙ୍କଜ !

 

ପଙ୍କଜର ନିଭୃତ ମନରେ ଭଲ ପାଇବାର ଆବେଗ ଜାଗିଥିଲା ସୁନନ୍ଦା ପାଇଁ । ସୁନନ୍ଦା ତା ମନର ଅଙ୍ଗନରେ ସୃଷ୍ଟି କରିଥିଲା ଅନେକ ଫୁଲର ମହୋତ୍ସବ । ସେଥିପାଇଁ ବହୁ ବଙ୍ଗାଳି, ଆସାମୀ ଝିଅଙ୍କ ପ୍ରଣୟକୁ ପ୍ରତ୍ୟାଖ୍ୟାନ କରି ପ୍ରଣୟର ଭିକ୍ଷାଥାଳି ସେ ତୋଳି ଧରିଥିଲା ସୁନନ୍ଦାର ପାଖରେ ।

 

ସେଦିନ ସେ କଥାଟାକୁ ସ୍ମରଣ କଲେ ଆଜି ବି ହସ ମାଡ଼େ ସୁନନ୍ଦାକୁ ।

ରକ୍ତ କରବୀର ସ୍ତବକ କେତୋଟି ଆଣି ପଙ୍କଜ ସେଦିନ ଆସିଥିଲା ସୁନନ୍ଦାର କକ୍ଷକୁ । ଅବାକ୍‍ ଆଖିରେ ସୁନନ୍ଦା ପ୍ରଶ୍ନ କରିଥିଲା, ହଠାତ୍ ଏ ଅବେଳରେ... ?

ସୁନନ୍ଦା ହାତକୁ ସେ ରକ୍ତ କରବୀ ଗୁଚ୍ଛଟି ତୋଳି ଦେଇ ପଙ୍କଜ ମୃଦୁ ହସି ଉତ୍ତର ଦେଇଥିଲା, ତମର ଆଜି ଜନ୍ମଦିନ । ମନେ ନାହିଁ ।

ତାର ଆଜି ଜନ୍ମଦିନ !

କ୍ୟାଲଣ୍ଡର ଆଡ଼କୁ ତୀକ୍ଷଣ ଦୃଷ୍ଟିରେ ସେଦିନ ନିରୀକ୍ଷଣ କରିଥିଲା ସୁନନ୍ଦା । ଠିକ୍ ତ ! ଅପ୍ରେଲ ୧୨ । ତାର ଜନ୍ମଦିନ । ସେ କଥା ଆଜି ତାର ଆଦୌ ଖିଆଲ ନଥିଲା । କଅଣ ଦରକାର ଏ ଜନ୍ମତିଥିକୁ ସ୍ମରଣକରି ! କଟକରେ ଥିଲାବେଳେ ତାର ନିଲୁଭାଇ ଏ ତିଥିଟା ପାଇଁ ଭାରି ଭାବପ୍ରବଣତା ତାକୁ ଆଣିଦବ କିଏ ?

ନିଜ ଜନ୍ମ ତାରିଖଟାକୁ ନିଜେ ଭୁଲି ଯାଇଥିଲା ସୁନନ୍ଦା । କିନ୍ତୁ ପଙ୍କଜ ମୁହଁରୁ ସେ ତାରିଖଟା କଥା ଶୁଣି ସେ ଅବାକ୍‍ ହେଲା । ବିସ୍ମୟ ସହିତ କିଛିଟା ଆନନ୍ଦ ଯେ ତା ମନକୁ ଅଥୟ କରି ଦେଇ ନଥିଲା, ସେକଥା ନୁହେଁ । ସେ ଚକିତ କଣ୍ଠରେ ପ୍ରଶ୍ନ କରିଥିଲା, ତମେ ଏ ତାରିଖଟାକୁ ସତରେ ମନେ ରଖିଚ ପଙ୍କଜ !

ଅବିଶ୍ଵାସ କରିବାର କିଛି କାରଣ ନଥିଲା । ପଙ୍କଜ ପକେଟରୁ ବାହାର କରି ଥୋଇଥିଲା ରୂପାର ଗୋଟିଏ ସୁନ୍ଦର ସିନ୍ଦୂର ଫରୁଆ । ସୁନନ୍ଦା ଆଡ଼କୁ ସେଇଟିକୁ ବଢ଼ାଇ ଦେଇ କ୍ଷୀଣ କଣ୍ଠରେ କହିଥିଲା, ଏଇ ମୋର ଉପହାର...ତମର ଶୁଭ ଜନ୍ମ ବାସରରେ...

ଉପହାର ଗୋଟାଏ ସିନ୍ଦୂର ଫରୁଆ ।

ପଙ୍କଜ କଅଣ ଜାଣେନା ସେ କୁମାରୀ କନ୍ୟା ! ତା ହେଲେ ସିନ୍ଦୂର ଫରୁଆଟା ତାର କେଉଁ କାମରେ ଆସିବ !

ପଙ୍କଜ ବୁଝିପାରିଥିଲା ହୁଏତ ସୁନନ୍ଦାର ମନୋଭାବ । କୁଣ୍ଠିତ କଣ୍ଠରେ କୈଫିୟତ ଦେଇଥିଲା, ତମ ମୁଣ୍ଡରେ ଏ ସିନ୍ଦୂର ଟୋପା ଖୁବ୍ ସୁନ୍ଦର ମାନିବ ସୁନନ୍ଦା ଦେବୀ ! ପରୀକ୍ଷା କରି ଦେଖନ୍ତୁ ...

ସୁନନ୍ଦାର ବିସ୍ମୟ ଏଥର ରୀତିମତ ଏକ କୌତୂହଳରେ ପରିଣତ ହୋଇଯାଇଥିଲା । ସେ ସ୍ପଷ୍ଟ ଅଥଚ ଇଷତ୍ ରୁକ୍ଷ କଣ୍ଠରେ ଜିଜ୍ଞାସା କରିଥିଲା, ମୁଁ ଅବବାହିତା ଝିଅ, କୁମାରୀ କନ୍ୟା । ଆପଣ କେଉଁ ଭରସାରେ ଏ ସିନ୍ଦୂର ଫରୁଆ ଉପହାର ଦେଇ ମତେ ଉପହାସ କରୁଚନ୍ତି !

ଉପହାସ !

ସ୍ତ୍ରୀ ଲୋକଙ୍କ ଭଳି ଅପ୍ରତିଭ ହୋଇ ଜିଭ କାମୁଡ଼ି ପକାଇଥିଲା ପଙ୍କଜ । ଆଖିରେ ତାର ଅଶ୍ରୁ ସଂଚାର ହୋଇଥିବା ଭଳି ସୁନନ୍ଦାର ମନେ ହୋଇଥିଲା । ତାର ଏପରି ନିଃସହାୟ ଭାବ ଲକ୍ଷ୍ୟକରି ମନେ ମନେ ଖୁବ୍ ହସିଥିଲା ସୁନନ୍ଦା ସେଦିନ । କଥାର ଗୁରୁତ୍ୱକୁ ଲଘୁ କରିଦେବା ପାଇଁ ସେ ନିମ୍ନ କଣ୍ଠରେ କହିଥିଲା, ମୁଁ ଗରିବ ଘରର ଝିଅ ପଙ୍କଜ ! ବିବାହର ସ୍ଵର୍ଣ୍ଣକଳି ମୋ ଜୀବନରେ କେବେ ଫୁଟିବ କି ନାହିଁ ମୁଁ ନିଜେ ଜାଣେନା । ତମେ ଏ ଉପହାର ଫେରାଇ ନିଅ...

 

ପଙ୍କଜ କିନ୍ତୁ ହାରିଯିବା ଲୋକ ନୁହେଁ ।

ସାମାନ୍ୟ ଲଜ୍ଜିତ ନ ହୋଇ ସେ ସ୍ପଷ୍ଟ କଣ୍ଠରେ କହି ଉଠିଥିଲା ମୁଁ ତମକୁ ବିବାହ କରିବି ସୁନନ୍ଦା ଦେବୀ ! ମୁଁ ଖୁବ୍ ଅଯୋଗ୍ୟ ନୁହେଁ । ଆପଣ ମତେ ଦୟା କରନ୍ତୁ ।

ଦୟାକରି କାହାକୁ କଅଣ ବିବାହ କରି ହୁଏ !

ପଙ୍କଜ ମୁହଁରୁ ବାକ୍ୟ କେତୋଟି ଶୁଣି ବିସ୍ମୟରେ ବିମୂଢ଼ ହୋଇଯାଇଥିଲା ସୁନନ୍ଦା । ପଙ୍କଜର ମୁହଁକୁ ସେ ଅନେକ ସମୟ ଧରି ନିରୀକ୍ଷଣ କରି ଚାହିଁ ରହିଥିଲା । ସେଇ ରୁକ୍ଷ କେଶ, ବର୍ଦ୍ଧିଷ୍ଣୁ ଦାଢ଼ିରେ ସମାରୋହ ମୁହଁରେ । ଆଖିରେ ସେଇ ଜ୍ଵଳନ୍ତ ଦୃଷ୍ଟି । ସେ ତାଙ୍କୁ ବିବାହ କରିବାକୁ ଚାହେଁ ।

ରିକ୍ତ ହସ୍ତରେ ପଙ୍କଜଙ୍କୁ ଫେରାଇ ଦେବାକୁ ସେଦିନ ସାହସ କରିପାରି ନଥିଲା ସୁନନ୍ଦା-। ଅକଥନୀୟ ଦାରିଦ୍ର୍ୟ, ଖାପଛଡ଼ା ଜୀବନ ଭିତରେ ସୁନନ୍ଦାକୁ ଲାଭ କରିବାର ଯେଉଁ ପ୍ରଲୋଭନ ପଙ୍କଜର ଆଖିରେ ସେଦିନ ସେ ଦେଖିପାରିଥିଲା, ତାକୁ ରିକ୍ତ ହସ୍ତରେ ଫେରାଇ ଦେବାକୁ ସେଥିରେ ସେ ସାହସ କରିପାରି ନଥିଲା । ସେଥିପାଇଁ ସୁନନ୍ଦାର ମନରେ ବିକଶି ଉଠିଥିଲା ଅସଂଖ୍ୟ ପ୍ରଣୟର ପଦ୍ମକଳୀ ।

ପଙ୍କଜର ପ୍ରେମରେ ଅବଗାହନ କରି ଧନ୍ୟ ହୋଇଥିଲା ସୁନନ୍ଦା ।

କିନ୍ତୁ ଆଜି !

ପଙ୍କଜ ଯଦି ତାର କଫ ସହିତ ପଡ଼ିଥିବା ରକ୍ତଙ୍କୁ ଭୟକରି ପଳାତକ ହୋଇ ନଥାନ୍ତା, ତାହାହେଲେ ସେମାନେ ହୁଏତ ଜୀବନର ଏତେବଡ଼ ଦୁର୍ଯୋଗକୁ ଏଡ଼ାଇ ଯାଇ ପାରିଥାଆନ୍ତେ ।

କିନ୍ତୁ ପଙ୍କଜ ନିର୍ବୋଧ, ହତଭାଗ ।

ସେ ତାହା ଘଟିବାକୁ ଦେଲା ନାହିଁ । ତା ମନର ସେଇ ଅହେତୁକୀ ଭୟ ସୁନନ୍ଦା ଆଉ ଟିଟୁର ଜୀବନ ଗତିକୁ ସମ୍ପୂର୍ଣ୍ଣ ଭିନ୍ନ ବାଟରେ ନେଇଗଲା ।

ବର୍ତ୍ତମାନ ପଙ୍କଜ କରିବ କଅଣ ?

ସେ କଣ ଆଉ ଗୋଟାଏ ଝିଅକୁ ବିବାହ କରି ସୁଖୀ ହୋଇ ପାରିବ ?

କଥାଟା ଚିନ୍ତା କଲା ବେଳକୁ ସୁନନ୍ଦାର ସମସ୍ତ ସ୍ନାୟୁ ତନ୍ତ୍ରୀ ଅବଶ ହୋଇପଡ଼ୁଥିଲା ।

କାରଣ ସେ ପଙ୍କଜକୁ ଜାଣେ । ଅତି ଭଲ ଭାବରେ ଜାଣେ ତା ନିଜ ବ୍ୟତୀତ ଆଉ କୌଣସି ନାରୀ ପଙ୍କଜର ଅପୂର୍ଣ୍ଣ ପ୍ରଣୟ ଯଜ୍ଞରେ ଆହୂତି ଢାଳି ପାରିବ, ଏକଥା କଦାପି ବିଶ୍ଵାସ କରିପାରିବ ନାହିଁ ସୁନନ୍ଦା ।

ତାର ମନେହେଲା ପଙ୍କଜ ସହିତ ଆଦୌ ଦେଖା ହୋଇ ନଥିଲେ ଭଲ ହୋଇଥାଆନ୍ତା-। ପଙ୍କଜ ଉପରେ ଆଗରୁ ତାର ଯେଉଁ ଘୃଣା ଜମାଟ ବାନ୍ଧି ରହିଥିଲା, ସେତକ ସବୁଦିନ ପାଇଁ ରହିଥିଲେ ସେ ସୁଖୀ ହୋଇ ପାରିଥାଆନ୍ତା ।

କିନ୍ତୁ ଆଜି ତାର ଆଉ ଉପାୟ କଅଣ ଅଛି ? ସେ ଯେ ଆଉ ଜଣେ ଲୋକର ସହଧର୍ମିଣୀ ? ଛି ...ଛି ... ପଙ୍କଜ ତା ପାଖରେ ପରପୁରୁଷ, ସାତପର । ପଙ୍କଜ କଥା ସେ ଆଉ ଭାବିବା ଉଚିତ ନୁହେଁ । ତାହେଲେ ନୀଳକଣ୍ଠ, ଟିଟୁ ଆଉ ତାର ନିଜ ପ୍ରତି ସେ ଘୋର ଅନ୍ୟାୟ କରିବ ... ଯେଉଁ ଅନ୍ୟାୟର କ୍ଷମା ନାହିଁ !

ପଙ୍କଜ ନିଜ ରୋଗ ସମ୍ପର୍କରେ ଆଲୋଚନା ନ କରି ପଳାତକ ହୋଇଥିଲା । ତାର ସେ ନିର୍ବୋଧତାର ଶାସ୍ତି ସ୍ୱରୂପ ସେ ସବୁଦିନ ଜଳିପୋଡ଼ି ମରିବ । ସୁନନ୍ଦା ମନରୁ ସେ ସବୁଦିନ ପାଇଁ ନିର୍ବାସିତ ହୋଇଯାଇଚି । ସୁନନ୍ଦାର ମନର ମନ୍ଦିରରେ ନୀଳକଣ୍ଠ ଛଡ଼ା ଆଉ କାହାରି ପ୍ରବେଶ ଅଧିକାର ନାହିଁ ।

ପଙ୍କଜର ସେଠାରେ ପ୍ରବେଶ ନିଷେଧ ।

ସେଦିନ ସଧ୍ୟାବେଳେ ଡକ୍ଟର ପ୍ରଟ୍ ଡାକ୍ତରଖାନାରୁ ଟିଟୁକୁ ଘେନି ଫେରି ଆସିଲା ନୀଳକଣ୍ଠ । କିନ୍ତୁ ସୁସ୍ଥ ଦେହରେ ନୁହେଁ—ଅସୁସ୍ଥ—ଭୀଷଣ ଅସୁସ୍ଥ ଭାବରେ । ନୀଳକଣ୍ଠର ରୋଗ ପାଣ୍ଡୁର ମୁହଁକୁ ଚାହିଁ ସୁନନ୍ଦା ପଚାରିଲା, ତମର କଣ ହେଇଛି—ଅମିତିବ ଶୁଖିଲା ଦିଶୁଛ ଯେ……

ନୀଳକଣ୍ଠ କଥାଟାକୁ ଏଡ଼ାଇ ଯିବା ପାଇଁ କହିଲା, କିଛି ନାହିଁ । ଟିକିଏ ଜ୍ଵର । ଛାଡ଼ିଯିବ ଯେ । ଦେହଟା କାହିଁକି ଭଲ ଲାଗୁନି ।

କିନ୍ତୁ ସେ ଜ୍ୱର ତ ଯେ ସାମାନ୍ୟ ନୁହେଁ । ସେ କଥା ରାତି ଅଧ ସୁଦ୍ଧା ଜାଣି ପାରିଲା ସୁନନ୍ଦା । ନୀଳକଣ୍ଠ ଦେହର ଉତ୍ତାପ ବଢ଼ିବାକୁ ଲାଗିଲା । ନିସ୍ତେଜ ହୋଇ ଶଯ୍ୟାରେ ପଡ଼ି ରହିଲା ନୀଳକଣ୍ଠ ।

ସୁନନ୍ଦା ବିବ୍ରତ ହୋଇପଡ଼ିଲା ।

ସୁନନ୍ଦାର ବ୍ୟସ୍ତଭାବ ଦେଖି ନୀଳକଣ୍ଠ କହିଲା, ମୋର କିଛି ହୋଇନାହିଁ । ସାମାନ୍ୟ ଜ୍ୱର । ମୋତେ ଏମିତି ବେଳେ ବେଳେ ହୁଏ । କିଛି ବ୍ୟସ୍ତ ହେବାର ନାହିଁ । ତୁ ଶୋଇ ଯାଆ । ଯାହା ହେବାର ସକାଳୁ ବ୍ୟବସ୍ଥା ହେବ । ମୁଁ କେବଳ ଟିକିଏ ଦୁର୍ବଳ ହୋଇପଡ଼ିଲି । ଅଦିନିଆ ଜ୍ଵର ଟା ନା, ମୁଣ୍ଡ ଖୁବ୍ ଧରିଛି…

ନୀଳକଣ୍ଠର କଥାକୁ ବିଶ୍ଵାସ କରି ନିଦ୍ରା ଯିବାର ପ୍ରଚେଷ୍ଟା କଲା ସୁନନ୍ଦା । କିନ୍ତୁ ସେ ସୁନିନ୍ଦ୍ରା ତାର ବେସୀ ସମୟ ସ୍ଥାୟୀ ହେଲା ନାହିଁ । ପ୍ରାୟ ଦୁଇ ଘଣ୍ଟା ପରେ ନୀଳକଣ୍ଠର ପ୍ରଳାପ ଶୁଣି ଚେଇଁ ଉଠିଲା ସୁନନ୍ଦା । ହାତର ଆଙ୍ଗୁଠିରେ ଦେହର ଉତ୍ତାପ ମାପିବା ପାଇଁ ଚେଷ୍ଟା କରି ଦେଖିଲା । ତାର ଦେହର ଉତ୍ତାପ କ୍ରମେ କ୍ରମେ ସୀମା ଅତିକ୍ରମ କରିବାକୁ ବସିଚି । ଉତ୍ତାପର ପ୍ରାବଲ୍ୟ ଯୋଗୁ ପ୍ରଳାପ ଆରମ୍ଭ କରିଚି ନୀଳକଣ୍ଠ । ଖୁବ୍ ବ୍ୟସ୍ତ ହୋଇ ଛାଟି ପିଟି ହେଉଛି ।

କାତର ହୋଇପଡ଼ିଲା ସୁନନ୍ଦା ।

ତାର ବେଶି ହୋଇ ମନେ ପଡ଼ିଲା, ଏଇଟା କଟକ ନୁହେଁ କି ଶାନ୍ତନିକେତନ ନୁହେଁ । ଏ ମାଟି ପାଣି ପବନ ସହିତ ତାର ଆଦୌ ପରିଚୟ ନାହିଁ । ସାଙ୍ଗ ସାଥୀ ପଡ଼ୋଶୀ ପରିବାର ତା ପାଖରେ କେହି ନାହାନ୍ତି । ସେ ଏକୁଟିଆ । ଆଗକୁ ଚାହିଁଲେ ଦିଶୁଛି ମହାନ ତପସ୍ଵୀ ଭଳି ଠିଆ ହୋଇଥିବା ସେଇ ପାଷାଣ ପ୍ରାଚୀର ହିମାଳୟ.... ଉପରକୁ ଚାହିଁଲେ ଦିଶୁଛି ଘନ ନୀଳ ଅନ୍ଧକାର ମଧ୍ୟରେ ଦିଗହୀନ ଆକାଶରେ ଘନ କୃଷ୍ଣା ଛାୟା ।

କେମିତି ଅସହାୟ, ଦାରୁଣ ଦୁଖ ଅନୁଭବ କଲା ସୁନନ୍ଦା । ଉପାୟ କିଛି ତାଙ୍କୁ ଦିଶିଲା ନାହିଁ । ବିକଳ ଭାବରେ ସେ ଅସ୍ପଷ୍ଟ କଣ୍ଠରେ କହିଉଠିଲା, କଣ ହେଲା ତମର ! ତମେ ଏଠାକୁ ଆଣିଲ କାହିଁକି ଆମକୁ ? ଏଠି କିଏ ଅଛି ଆମକୁ ଅନେଇବ…

 

ନୀଳକଣ୍ଠ ଯନ୍ତ୍ରଣାରେ ଝଟପଟ ହେଇଚି ।

 

ଉପାୟହୀନା ଭାବରେ ପଡ଼ି ରହିଚି ସୁନନ୍ଦା । ଆଖିରେ ବିକଳ ଦୃଷ୍ଟି ।

 

ସେଦିନ ସାରା ରାତି ସେ ଅନିଦ୍ରାରେ କଟାଇ ଦେଲା । ତା ଆରଦିନ ସକାଳ ଆଠଟା ସୁଦ୍ଧା ଡକ୍ଟର ପ୍ରାଟ୍ ଆସିଲେ ଟିଟୁର ଚିକିତ୍ସା ପାଇଁ । ଡକ୍ଟର ପ୍ରାଟ୍‌ଙ୍କ ପାଦ ଦୁଇଟିକୁ ଜାବୁଡ଼ି ଧରି ଅଶ୍ରୁ ବିଗଳିତ କଣ୍ଠରେ ସୁନନ୍ଦା କହିଲା ।

 

ସେ କାଲିଠୁ ଆଉ ଆଖି ଖୋଲି ଚାହୁଁ ନାହାନ୍ତି । ଭୟଙ୍କର ଭାବରେ ପୀଡ଼ିତ । ପ୍ରଳାପ କରୁଛନ୍ତି ରାତିସାରା । ମୁଁ କଅଣ କରିବି କିଛି ବୁଦ୍ଧି ବାଟ ଦିଶୁନାହିଁ । ଡକ୍ଟର ପ୍ରାଟ୍ ପ୍ରଥମେ କିଛି ବୁଝି ପାରିଲେ ନାହିଁ । କୋହ ଉଚ୍ଛ୍ୱାସିତ କଣ୍ଠରେ ସୁନନ୍ଦା ଯେଇଁ ଇଂରେଜୀ କହୁଥିଲା, ଡକ୍ଟର ପ୍ରାଟ୍‌ଙ୍କ ପକ୍ଷରେ ତାହା ବୁଝିବା ପ୍ରଥମେ ଅସାଧ୍ୟ ହୋଇ ଉଠିଥିଲା । କିନ୍ତୁ ସୁନନ୍ଦାର ଭାବ ଭଙ୍ଗୀକୁ ଲକ୍ଷ୍ୟ କରି ବୁଝିପାରିଲେ ଯେ ନୀଳକଣ୍ଠ ହିଁ ପୀଡ଼ିତ ହୋଇ ପଡ଼ିଛି ।

 

ସୁନନ୍ଦାକୁ ସେ ସାନ୍ତ୍ଵନା ଦେଇ ଶାନ୍ତ କରାଇଲେ ।

 

ନୀଳକଣ୍ଠକୁ ପରୀକ୍ଷା କରି ଦେଖିଲେ, ଜ୍ଵରଟା ଟାଇଫଡ଼ ଆଡ଼କୁ ଦ୍ରୁତ ଗତିରେ, ଅଗ୍ରଗତି କରି ଚାଲିଚି । ସତର୍କତାର ସହିତ ଚିକିତ୍ସା ନ କଲେ ରୋଗଟା ହୁଏତ ନିୟନ୍ତ୍ରଣର ବାହାରକୁ ଚାଲିଯିବ ।

 

ସେ ହତାଶ ଦୃଷ୍ଟିରେ ସୁନନ୍ଦା ଆଡ଼କୁ ଚାହିଁଲେ । ବାଇଶି ତେଇଶି ବର୍ଷ ର ତନ୍ତ୍ରୀବଧୂ ସୁନନ୍ଦା ! ଏଇ ଗ୍ରୀଷ୍ମନିବାସ ଦାର୍ଜିଲିଂରେ ନୀଳକଣ୍ଠକୁ ଛାଡ଼ିଦେଲେ ସେ ସମ୍ପୂର୍ଣ୍ଣ ଭାବରେ ଏକାକିନୀ-। ସେ କଣ ଏଇ ଆନ୍ତ୍ରିକ ଜ୍ଵର ରୋଗୀ ନୀଳକଣ୍ଠର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିପାରିବ-?

 

ସୁନନ୍ଦା ଡରି ଡରି ପଚାରିଲା, କଣ ଦେଖିଲେ, ?

 

ଟାଇଫଡ୍—ସାବଧାନତାର ସହିତ ଚିକିତ୍ସା ନ କଲେ ଭାରି ଅସୁବିଧା । ଏତିକି କହି ଡକ୍ଟର ପ୍ରାଟ୍ ଔଷଧର ଗୋଟିଏ ତାଲିକା ପ୍ରସ୍ତୁତ କଲେ ।

 

କହିଲେ, ମୁଁ ମୋ ଡାକ୍ତରଖାନାରୁ ଏ ଔଷଧତକ ପଠାଇ ଦେଉଚି । କିନ୍ତୁ ତମକୁ ସାବଧାନର ସହିତ ଚିକିତ୍ସା କରିବାକୁ ହେବ । ତା ନ ହେଲେ ଅବସ୍ଥା ସାଂଘାତିକ ହେବ । ଏତେବେଳେ ମନରେ ଧୈର୍ଯ୍ୟ ଧରିବା କଣ ଉଚିତ୍ ନୁହେଁ ! ଛୋଟ ପିଲାଙ୍କ ଭଳି ଏମିତି ଅଧୈର୍ଯ୍ୟ ହେଲେ ଚଳିବ ?

 

ଡକ୍ଟର ପ୍ରାଟ୍‌ଙ୍କ ସେଇ ଅମୃତବୋଳା କଥା କେଇପଦ ସୁନନ୍ଦା ମନରେ କିଛି ସମୟ ପରେ ସାହସ ଫେରାଇ ଆଣିଲା । ଡକ୍ଟର ପ୍ରାଟ୍ ଚାଲି ଯିବା ପରେ ସେ କିଛି ସମୟ ନୀରବରେ ଠିଆ ହୋଇ କାନ୍ଦିଲା । ତା ପରେ ଆଖିରୁ ଲୁହ ତକ ଲୁଗା କାନିରେ ପୋଛି ନେଇ ସେ ନିଜ ମନକୁ ଦମ୍ଭ କରି ନେଲା । ଭବିଲା, ଘରୁ କାହାକୁ ଟେଲିଗ୍ରାମ୍ କରି ଡକାଇବ କି ? ବାବା କିମ୍ବା କେହି ଚାକର !

 

ପୁଣି ଭବିଲା, ନା-ଟେଲିଗ୍ରାମ ପାଇ ସେମାନେ ଆସୁ ଆସୁ ଅନେକ ଡେରି । କୋଶେ ଦୁଇ କୋଶ ବାଟ ହୋଇନି ତ ଘଡ଼ିକେ ସେମାନେ ଆସି ପହଞ୍ଚିଯିବେ ! ତେଣୁ ତାକୁ ନିଜେ ଏ ଦାୟିତ୍ଵ ସବୁ ତୁଲାଇବାକୁ ପଡ଼ିବ । ନିଜେ ସେ ଯେଉଁ ଘର ଏତେ କଷ୍ଟରେ ତିଆରି କରିଛି, ତାକୁ ସେ ଅତେ ଶୀଘ୍ର ଭାଙ୍ଗି ଯିବାକୁ ଦେବା ନାହିଁ । ଟିଟୁକୁ ସେ ନେଇ ନିଜେ ଛାଡ଼ି ଦେଇ ଆସିବ ଡକ୍ଟର ପ୍ରାଟ୍‌ଙ୍କ ଡାକ୍ତରଖାନାରେ । ତା ପରେ ସେ ନିଜ ପାଦରେ ଓହ୍ଲେଇଯିବ ଦାର୍ଜିଲିଂର ରାଜପଥକୁ । ଚିକିତ୍ସା ପାଇଁ ଯାହା କିଛି ଦରକାର ସବୁ ସେ କିଣି ଆଣିବ ।

 

ନିଜ ମନକୁ ନିଜେ ସାନ୍ତ୍ଵନା ଦେଲା ସୁନନ୍ଦା ।

 

ନିଜ ଭିତରୁ ସେ ଅନୁଭବ କଲା ବିଚିତ୍ର ଏକ ଶକ୍ତି ।

 

ଡକ୍ଟର ପ୍ରାଟ୍‌ଙ୍କ ପାଖରେ ଟିଟୁକୁ ଛାଡ଼ି ଦେଇ ଆସିଲା ପରେ ସୁନନ୍ଦା ନୀଳକଣ୍ଠର ସେବାରେ ଲାଗି ପଡ଼ିଲା । ଔଷଧତକ ପ୍ରାଟ୍‌ଙ୍କ ପରାମର୍ଶ ଅନୁସାରେ ଖାଇବାକୁ ଦେଲା । ଫଳରସ-କିଛି ପ୍ରସ୍ତୁତ କଲା ପଥ୍ୟ ପାଇଁ ।

 

ବାହାରେ ଏଇ ସମୟରେ କବାଟ ଜଞ୍ଜିର ଝଣ ଝଣ ହେଲା ।

 

କବାଟ ଖୋଲି ଦେଇ ସୁନନ୍ଦା ଦେଖିଲା, ପଙ୍କଜ ଠିଆ ହୋଇଛି ।

 

ପଙ୍କଜ ପ୍ରଶ୍ନ କଲା, ନୀଳକଣ୍ଠ ବାବୁ ଅଛନ୍ତି ?

 

ପଙ୍କଜ ଭାବି ଥିଲା ସବୁଦିନ ଭଳି ସୁନନ୍ଦା ଉତ୍ତର ଦେବ, ନୀଳକଣ୍ଠ ନାହିଁ, କିନ୍ତୁ ଏଥର ସୁନନ୍ଦା ମୁଣ୍ଡ ଟୁଙ୍ଗାରି ହଁ କରିଲା। କହିଲା, ଅଛନ୍ତି । କିନ୍ତୁ ଅସୁସ୍ଥ ।

 

ଅସୁସ୍ଥ ? —କଣ ହେଇଛି ତାଙ୍କର, ପଙ୍କଜର କଣ୍ଠରେ ଆତଙ୍କର ଆଲୋଡ଼ନ ।

 

ଟାଇଫଡ୍ ବୋଲି କହି ନୀରବ ହୋଇଗଲା ସୁନନ୍ଦା । ତା ମନର ଦୁଖ, ଅସହାୟ ଭାବ ଅଛପା ରହିଲା ନାହିଁ ପଙ୍କଜକୁ । ସେ ଉଦ୍‍ବିଗ୍ନ କଣ୍ଠରେ ପ୍ରଶ୍ନ କଲା, ମୁଁ ଟିକିଏ ଦେଖି ପାରିବି କି ?

 

ସୁନନ୍ଦା ମନା କଲା ନାହିଁ । କରିବାକୁ ସାହସ କରିପାରିଲା ନାହିଁ । ତା ପାରିବାରିକ ଜୀବନର ଏ ଦୁର୍ଦିନର ପଙ୍କଜ ମନେ ହେଲା ତାର ଜଣେ ଆତ୍ମୀୟ ଭଳି । ପଙ୍କଜ ଭିତରକୁ ଆସିଲା-। ନୀଳକଣ୍ଠକୁ ପରୀକ୍ଷା କରି ଦେଖି କହିଲା, ଇସ୍, ଜ୍ଵରଟା ବର୍ତ୍ତମାନ ବି ଭୟଙ୍କର ଭାବରେ ରହିଚି-। ଔଷଧ ତ ଦେଖୁଚି, କିନ୍ତୁ ପଥ୍ୟ ?

 

ସୁନନ୍ଦା ଫଳ ଆଡ଼କୁ ହାତ ଠାରି ଦେଖାଇ ଦେଲା ।

 

ମନେ ମନେ ହସିଲା ପଙ୍କଜ । ମନ୍ତବ୍ୟ କଲ, ଏଇ ବୁଦ୍ଧି ନେଇ ତମେ ସଂସାର କରିବ ସୁନନ୍ଦା । ଏଇ ବାସୀ, ଶୁଖିଲା ଫଳ କେତେଟାର ରସ ଖୁଆଇ ତମେ ନୀଳକଣ୍ଠ ବାବୁଙ୍କୁ ସୁସ୍ଥ କରିବ ।

 

ପଙ୍କଜ ମୁହଁରୁ ଏଭଳି ଆନ୍ତରିକ ସମ୍ବୋଧନ ଓ ନିର୍ଲିପ୍ତ, ନିସ୍ୱାର୍ଥପର ଉକ୍ତି ଶୁଣି ଅନେକ ଦିନ ପରେ ପୁଣି ପୁଲକିତ ହେଲା ସୁନନ୍ଦା । କିଛି ଟା ଆତ୍ମବିଶ୍ଵାସ ସେ ଫେରିପାଇଲା । ଯାହା ହେଉ, ନୀଳକଣ୍ଠକୁ ଛାଡ଼ି ଦେଲେ ଏ ଦାର୍ଜିଲିଂରେ ସେ ଏକାକିନୀ ନୁହେଁ । ପଙ୍କଜ ଅଛି—ପଙ୍କଜ ଦାସ !

 

ପଙ୍କଜ ଆଉ ବିଳମ୍ବ କଲା ନାହିଁ । ସୁନନ୍ଦାର ଅସହାୟ ଅବସ୍ଥା ଲକ୍ଷ୍ୟ କଲା ପରେ ଆଉ କୌଣସି ବ୍ୟକ୍ତି ନୀରବ ହୋଇ ଆଦେଶ, ଅନୁମତିକୁ ଅପେକ୍ଷା କରି ବସି ରହିପାରେ ନାହିଁ । ଟାଏଫଡ ରୋଗୀର ପଥ୍ୟ ଜାଣେ ପଙ୍କଜ । ସେ ପଦାକୁ ବାହାରିଗଲା ।

 

ପ୍ରାୟ ଦୁଇ ଘଣ୍ଟା ପରେ କିଛି ତଟକା ଫଳ ଆଉ ବରଫ ନେଇ ସେ ଫେରିଆସିଲା । ସୁନନ୍ଦାକୁ ଲକ୍ଷ୍ୟ କରି କହିଲା, ଜଣାଯାଉଛି, ଏ ଦିନ ସାରା ତମେ କିଛି ଖାଇ ନାହଁ । ଏ ବିଦେଶ ଜାଗାରେ ନିଜ ଦେହର ଯତ୍ନ ନିଜେ ନ ନେଲେ ଅନ୍ୟ କେହି ସେ ଦାୟିତ୍ଵ ନେଇପାରିବେ ନାହିଁ । ମୁଁ ନୀଳକଣ୍ଠ ବାବୁଙ୍କ ପାଖରେ ଅଛି, ତମେ ଖାଇବା ବ୍ୟବସ୍ଥା କର ।

 

ନିଜେ ଯେ ସେଦିନସାରା କିଛି ଖାଇନି, ପଙ୍କଜର ତାଗିଦ୍‍ ଶୁଣି ହଠାତ୍ ସେ କଥା ତାର ସ୍ମରଣ ହେଲା । ସେ ପଙ୍କଜର ଅବାଧ୍ୟ ହେଲା ନାହିଁ । ବରଂ ପଙ୍କଜର ଆଦେଶ ପାଳନ କରିବାରେ ତାର କିପରି ଏକ ଅଜ୍ଞାତ ଆନନ୍ଦ ହେଉଥିଲା । ଖାଇସାରି ସେ ଆସି ପଚାରିଲା, ଆପଣଙ୍କ ପାଇଁ କିଛି ଖାଇବା ବ୍ୟବସ୍ଥା କରେ ।

 

ଘୋର ଆପତ୍ତି ଉଠାଇଲା ପଙ୍କଜ । ଖାଇବାପାଇଁ ସେ ଆଦୌ ରାଜି ହେଲା ନାହିଁ । ସେଥିପାଇଁ ସୁନନ୍ଦା ତାକୁ ବାଧ୍ୟ କରି ପାରିଲା ନାହିଁ । ବାଧ୍ୟ କରିବାର ସମସ୍ତ ସାହସ ସେ ଯେପରି ଅନେକ ଦିନ ହେଲା ହରାଇ ବସିଛି ।

 

ରାତି ବାରଟା ସୁଦ୍ଧା ନୀଳକଣ୍ଠ ଦେହରେ ଉତ୍ତାପ ହ୍ରାସ ପାଇବାକୁ ଆରମ୍ଭ କଲା । ସମାନ୍ୟ ସୁସ୍ଥ ବୋଧକଲା ନୀଳକଣ୍ଠ । ପାଖରେ ପ୍ରାଣକୃଷ୍ଣଙ୍କୁ ଦେଖି ସେ ଆଶ୍ୱସ୍ଥ ହେଲା । ନୀଳକଣ୍ଠକୁ କିଛି ଫଳରସ ଖୁଆଇ ସାରି ପଙ୍କଜ କହିଲା, ଆଉ କିଛି ଭୟ କରିବାର ନାହିଁ । କେବଳ ରାତି ଦୁଇଟା ବେଳେ ନୀଳକଣ୍ଠ ବାବୁଙ୍କୁ ପାନେ ଔଷଧ ଦେଇ ତାଙ୍କ ଦେହ ଉତ୍ତାପର ହିସାବ ରଖିଲେ କାମ ଶେଷ । ମୁଁ ଯାଉଛି । କାଲି ସକାଳୁ ପୁଣି ଆସିବି ।

 

ବାହାରେ କିଟି କିଟି କଳା ଅନ୍ଧକାର । ପବନ ଖୁବ୍ ଜୋରରେ ପିଟୁଛି । କିଛି ଖାଇ ନାହିଁ ପଙ୍କଜ । ହୋଟେଲରେ ମଧ୍ୟ ଏତେ ରାତିରେ ଆଉ କିଛି ସୁଖାଦ୍ୟ ଅବଶିଷ୍ଟ ନ ଥିଲା । ତେଣୁ ସୁନନ୍ଦା ଅନୁରୋଧ କଲା, ଆଜି ଏଇଠି ଖାଇ ରହିଗଲେ...

 

ଚମକି ଉଠିଲା ଭଳି ବିବ୍ରତ ହୋଇ ଉଠିପଡ଼ି ପଙ୍କଜ କହିଲା, ନା—ନା—ମତେ ଆଜି ରାତିରେ ଫେରି ଯିବାକୁ ହେବ—ମୁଁ ଉଠୁଛି….

 

ସୁନନ୍ଦାକୁ ଆଉ କିଛି କହିବାକୁ ନ ଦେଇ ପଙ୍କଜ ଦ୍ରୁତଗତିରେ ସ୍ଥାନ ଛାଡ଼ି ଉଠିଗଲା । ତାର ଯିବାବେଳର ଦ୍ରୁତ—ଚଞ୍ଚଳ, ପଦଶବ୍ଦକୁ କେବଳ ନୀରବରେ ଶୁଣିବାକୁ ଲାଗିଲା ସୁନନ୍ଦା ।

 

ନୀଳକଣ୍ଠ—ସୁନନ୍ଦାର ସ୍ଵାମୀ ସ୍ତ୍ରୀର ସଂସାରରେ ପଙ୍କଜର ଆଉ କୌଣସି ସ୍ଥାନ ନାହିଁ । ସେ ଗୋଟିଏ ରାତି ସୁଧା ଅତିଥି ହୋଇ ଅଟକି ରହିବାକୁ ଚାହେଁ ନାହିଁ । ସେ ଚାଲି ଯାଇଛି ।

 

ନିସ୍ତେଜ ଭାବରେ ଶୋଇ ରହିଛି ନୀଳକଣ୍ଠ ।

 

ପୁଣି କିପରି ଏକ ନିଃସଙ୍ଗବୋଧ ସୁନନ୍ଦାର ମନକୁ ଆଚ୍ଛନ୍ନ କରି ଆଣିଲା । ନିଜ ଅନିଚ୍ଛା ସତ୍ତ୍ୱେ, ଗୋଟାଏ ଦୀର୍ଘଶ୍ଵାସ ବାହାରି ଆସିଲା, ତାର ନାସିକାର ଦୁଇ ରନ୍ଧ୍ର ଦେଇ ସଶବ୍ଦରେ ।

 

ତା ଆରଦିନ ।

 

ନୀଳକଣ୍ଠର ଅବସ୍ଥା ଅନେକ ଭଲ ଆଡ଼କୁ ଆସିଲା ।

 

ପଙ୍କଜ ପହଞ୍ଚିଲା ଆସି ସକାଳୁ । ଡକ୍ଟର ପ୍ରାଟ୍ ବି ଆସି ପହଞ୍ଚିଲେ । ନୀଳକଣ୍ଠକୁ ପରୀକ୍ଷା କରି ଦେଇ କହିଲେ, ବର୍ତ୍ତମାନ ଆଉ କିଛି ବିବ୍ରତ ହେବାର ନାହିଁ । କିନ୍ତୁ ଆଜି ମଧ୍ୟ କେହି କାଲି ରାତ୍ରିଭଳି କେହି ଉଜାଗର ରହି ଠିକ୍ ଭାବରେ ଔଷଧ ଦେବା ଦରକାର । ଦେହ ଉତ୍ତାପର ହିସାବ ରଖିବା ଉଚିତ । ତା ନହେଲେ ପୁଣି ଘଟଣା ଅନ୍ୟ ଆଡ଼କୁ ଗତି କରିଯାଇପାରେ ।

 

ଡକ୍ଟର ପ୍ରାଟ୍ ଔଷଧ ବ୍ୟଵସ୍ଥା କରି ଚାଲିଗଲେ ।

 

ପଙ୍କଜକୁ ଲକ୍ଷ୍ୟ କରି ନୀଳକଣ୍ଠ କହିଲା, ସୁନନ୍ଦା କାଲି ରାତିସାରା ଅନିଦ୍ରା ହୋଇ ରହିଛି । ଆପଣ ଯଦି ଆଜି ଟିକିଏ ପାଖରେ ନ ରହନ୍ତି, ମୁଁ ରୋଗମୁକ୍ତ ହୋଇ ଉଠିବା ପରେ ପୁଣି ନନ୍ଦାକୁ ଚିକିତ୍ସା କରିବାକୁ ପଡ଼ିବ ....

 

ସୁନନ୍ଦା କହିବାକୁ ଯାଉଥିଲା, ସେଦିନ ରାତିରେ ମଧ୍ୟ ସେ ଉଜାଗର ରହିପାରିବ । କିନ୍ତୁ ପଙ୍କଜ ତାଙ୍କୁ ସେ କଥା କହିବାକୁ ସୁବିଧା ଦେଲା ନାହିଁ । ନୀଳକଣ୍ଠକୁ ଅଭୟ ଦେଇ ସେ କହିଲା, ସେ ବିଷୟରେ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମୁଁ ଆପଣଙ୍କର ବନ୍ଧୁ । କେବଳ ଆଜିକ କାହିଁକି, ଦରକାର ହେଲେ ଏକ ସପ୍ତାହ ମଧ୍ୟ ମୁଁ ରାତି ଉଜାଗର ରହିବି ।

 

କଥାଟା କେମିତି ସୁନନ୍ଦା କାନକୁ ନିହାତି ପିଲାଳିଆ ଶୁଭିଲା । କିନ୍ତୁ ନୀଳକଣ୍ଠର ରୋଗ ପାଣ୍ଡୁର ମୁହଁରେ ଫୁଟି ଉଠିଲା କୃତଜ୍ଞତାର ଚିହ୍ନ । ସୁନନ୍ଦାର ଆଖିରୁ ମଧ୍ୟ ଏହା ବାଦଗଲା ନାହିଁ ।

 

ସେଦିନ ଦିନସାରା ପଙ୍କଜ ଜଗିରହିଲା ନୀଳକଣ୍ଠର ଶଯ୍ୟାଧାରରେ । କେବଳ ଅପରାହ୍ନର ସାମାନ୍ୟ ପୂର୍ବରୁ ବାହାରୁ ଆସୁଛି ବୋଲି ଛଳନା କରି କହି ସେ ନିଜ ବସାରେ ଯାଇ ଖାଇଦେଇ ଆସିଥିଲା । ବାସ୍, ସେତିକି ।

 

ସୁନନ୍ଦା ଖାଇବାକୁ ଡାକିଲାବେଳେ ମନା କରିଦେଲା ସେ ଖାଇବାକୁ । ସୁନନ୍ଦା ଆଉ ସେଥିପାଇଁ ତାଙ୍କୁ ବାଧ୍ୟ କରି ପାରିଲା ନାହିଁ ।

 

ପ୍ରାୟ ସାଢ଼େ ଚାରିଟାବେଳେ ନୀଳକଣ୍ଠ ଦେଖିଲା, ପାଖରେ ଖଣ୍ଡେ ଚେୟାରରେ ବସି ପଙ୍କଜ କଅଣ ଗୋଟାଏ ପତ୍ରିକା ଓଲଟାଉଚି । ମୁହଁରେ କ୍ଳାନ୍ତିର ଚିହ୍ନ । କିଛି ଜଳଖିଆ ଖାଇନାହଁ ବୋଧହୁଏ ।

 

ସୁନନ୍ଦାକୁ ଶୁଣାଇ ଶୁଣାଇ ନୀଳକଣ୍ଠ କହିଲା, ପ୍ରାଣକୃଷ୍ଣ ବାବୁଙ୍କୁ ଚାଆ ଦେଲୁ ନାଇଁ ନନ୍ଦା ! ଜଳଖିଆ ଦେବାଥିବା ଭଳି ତ ମୋର ମନେ ହେଉନାହିଁ ।

 

ଗମ୍ଭୀର କଣ୍ଠରେ ସୁନନ୍ଦା କହିଲା, ଆମ ଘରେ ଜଳସ୍ପର୍ଶ କରିବେ ନାହିଁ ବୋଲି ସେ ପ୍ରତିଜ୍ଞା କରିଛନ୍ତି । ମୁଁ ପ୍ରତିଜ୍ଞା ଭାଙ୍ଗିବି କେମିତି ?

 

ସୁନନ୍ଦାର ଏ ରସିକତାରେ ନୀଳକଣ୍ଠର ରୋଗ ଦୁର୍ବଳ ମୁହଁରେ ମଧ୍ୟ ହସର ଏକ ତରଙ୍ଗ ନୃତ୍ୟ କରିଉଠିଲା । ସେ ବଡ଼ ପାଟିରେ କହିଲା, ମୁଁ କହୁଛି, ତୁ ଯା, ଜଳଖିଆ ଆଣ, ସେ ଖାଇବେ ନାହିଁ କେମିତି ଦେଖିବା ଭଲା !

 

ପଙ୍କଜ ପ୍ରତିବାଦ୍ କଲା ।

 

କହିଲା, କିଛି କାମଦାମ ନ କରି ଖାଲି ଘରଟାରେ ବସି ବସି ମଧ୍ୟାନ ଭୋଜନର ଖାଦ୍ୟ ଏପର୍ଯ୍ୟନ୍ତ ଶୁଦ୍ଧା ହଜମ ହୋଇ ନାହିଁ । ତେଣୁ ଜଳଖିଆ ଖାଇଲେ ମୁଁ ବେମାର ପଡ଼ିପାରେ । ବରଂ କପେ ଚାଆ...

 

ଚା’ କପଟାଏ ପ୍ରସ୍ତୁତ କରିବା ପାଇଁ ଷ୍ଟୋଭ୍‍ ଜଳାଇଲା ସୁନନ୍ଦା । ସେ ଜାଣେ, ଚା’ ରେ ବେଶି ଦୁଧ ଦେଲେ ଚାହା ଟା ପଙ୍କଜକୁ ସରବତ୍ ଭଳି ଲାଗେ । ତେଣୁ ଅଳ୍ପ ଚିନି ଆଉ ସାମାନ୍ୟ ଦୁଧ ଦେଇ ଚାଆ ପ୍ରସ୍ତୁତ କଲା ସୁନନ୍ଦା ।

 

ଚାଆ କପ୍ ଟା ଉଠାଇ ନେଲାବେଳେ ପଙ୍କଜ ବୁଝିନେଲା, ବେଶି କ୍ଷୀର ଦେଲେ କି ? ଚାଆରେ ବେଶି କ୍ଷୀର ଦେଲେ ମୁଁ ମୋଟେ ଖାଇପାରେ ନାହିଁ...

 

ସତେ ଯେମିତି ସେ କଥା ସୁନନ୍ଦା ଆଦୌ ଜାଣେନାଇଁ !

 

ପଙ୍କଜକୁ ସେ ଶାନ୍ତି ନିକେତନରେ କେତେ ସହ ଥର ଚାଆ ନ ଖୁଆଇଚି !

 

ତଥାପି କୁଶଳୀ ଅଭିନେତା ଭଳି ପ୍ରାଣକୃଷ୍ଣ ଭୂମିକାରେ ଅଭିନୟ କରୁଥିବା ପଙ୍କଜକୁ ଲକ୍ଷ୍ୟ କରି ସେ କହିଲା, ଭାରତୀୟ ଗାଈ ଦୁଧ ଏଠାରେ ଦୁର୍ଲଭ । ତେଣୁ ଆମେରିକା ଗାଈ ଦୁଧରେ ମୁଁ ଚାଆ ତିଆରି କରିଚି । ସେଥିପାଇଁ ଦୁଧର ପରିମାଣଟା ମୁଁ ଜାଣି ଜାଣି କମି କରି ଦେଇଚି ।

 

ପଙ୍କଜ ନିଃଶବ୍ଦ ରେ ହସିଲା । ଉପଭୋଗ କଲା ହୁଏତ ସୁନନ୍ଦାର ସେ ଲଘୁ ପରିହାସ ।

 

ସୁନନ୍ଦା ଲକ୍ଷ୍ୟ କଲା, ସେଇ ବିଚିତ୍ର ଭଙ୍ଗୀରେ ଫୁଙ୍କି ଫୁଙ୍କି ଚା’ ପିଉଚି ପଙ୍କଜ । କେତେ ମୃତ ଗୋଧୂଳିର ଛାୟାଛନ୍ନ ଅନ୍ଧକାର ଭିତରେ ଶାନ୍ତି ନିକେତନରେ ସେ ପଙ୍କଜକୁ ଚାଆ ପରିବେଷଣ କରିଛି । ଚା’ ପିଉଥିଲାବେଳେ ଚା’ କପ୍‌ଟାକୁ ବାରମ୍ବାର ନ ଫୁଙ୍କିଲେ ଭଲ ଲାଗେ ନାହିଁ ପଙ୍କଜକୁ । ତାର ସେ ଧୂଆଁ ଫୂଙ୍କାରେ ଥାଏ କିପରି ଏକ ବିଚିତ୍ର ଛନ୍ଦ ।

 

ଦୂରରେ ଠିଆ ହୋଇ ସେ ଚା’ ଫୁଙ୍କିବାର ଛନ୍ଦକୁ ଲକ୍ଷ୍ୟ କରୁଥିଲା ସୁନନ୍ଦା । କେଜାଣି କାହିଁକି ମନର କେଉଁ ସୂକ୍ଷ୍ମତମ ତନ୍ତ୍ରୀରେ ତାର ସମବେଦନାର ସ୍ଵର ବାଜି ଉଠୁଥିଲା । ନିଜର ଏକଦା ପ୍ରେମିକ ସେଇ ଖାପଛଡ଼ା ମଣିଷଟି ପାଇଁ ପ୍ରାଣଟା ତାର ବ୍ୟାକୁଳ ହୋଇପଡ଼ୁଥିଲା ।

 

କାହିଁକି ?

 

ପ୍ରଶ୍ନଟା ନିଜକୁ ପଚାରି ନିଜେ ଚମକି ଉଠିଲା ସୁନନ୍ଦା ।

 

ତାର ଇହକାଳ, ପରକାଳର ଦେବତା ରୋଗଶଯ୍ୟାରେ ଶୋଇ ରହିଛନ୍ତି । ତାଙ୍କରି ପାଖରେ ଠିଆହୋଇ ଏପରି ଭାବନା ତା ମନକୁ ଆସୁଚି କିପରି ? ନିଜେ ନିଜେ ବିଚଳିତ ହୋଇପଡ଼ିଲା ସୁନନ୍ଦା । ନିଜ ମନରେ ଇତସ୍ତତଃ ଭାବକୁ ଘୋଡ଼ାଇବା ପାଇଁ ସେ କବାଟ ଉଢ଼ୁଆଳକୁ ଚାଲିଗଲା ।

 

ପଙ୍କଜ କିନ୍ତୁ ନିର୍ବିକାର ।

 

ନୀଳକଣ୍ଠର ସେବା କଲାବେଳେ ସେ ସୁନନ୍ଦାକୁ ଭୁଲରେ ସୁଦ୍ଧା କେବେହେଲେ ଚାହିଁ ନାହିଁ । ସୁନନ୍ଦା ତାର କେହି ନୁହେଁ ତା ସହିତ ତାର କେବେ ସୁଦ୍ଧା ପରିଚୟ ନ ଥିଲା ଏଇପରି ତାର ହାବ ଭାବ । ବ୍ୟବହାର ।

 

ସେହି ଦିନ, ସେହି ରାତ୍ରି ।

 

କ୍ଳାନ୍ତିର ନିବିଡ଼ ସ୍ପର୍ଶରେ ନିଦ୍ରାରେ ଅଚେତନ ହୋଇପଡ଼ିଚି ନୀଳକଣ୍ଠ । ଦୁଇଦିନ, ଦୁଇ ରାତି ବ୍ୟଥାରେ ପ୍ରପୀଡ଼ିତ ହେବାପରେ ଆଖିକୁ ତାର ଆସିଚି ଏଇ ପ୍ରଥମ ନିବିଡ଼ ନିଦ୍ରା । ଦୁଶ୍ଚିନ୍ତାର କାରଣ ଘୁଞ୍ଚିଚି । ଜ୍ଵରର ଯନ୍ତ୍ରଣା କମିଚି ।

 

ପଙ୍କଜ ହାତ ଘଣ୍ଟାକୁ ଚାହିଁଲା । ରାତ୍ରି ଦଶଟା । ସୁନନ୍ଦାର ଆଖିପତା ଦୁଇଟା ମଧ୍ୟ ନିଦରେ ଭାରି ଭାରି ଜଣାପଡ଼ୁଚି । ଗତ ଦୁଇରାତ୍ରି ନୀଳକଣ୍ଠ ସହିତ ସେ ମଧ୍ୟ ବିନିଦ୍ର ରଜନୀ ବିତାଇଚି । ପଙ୍କଜ ସୁନନ୍ଦାକୁ ଏକପ୍ରକାର, ବାଧ୍ୟ କଲା, ତମେ ଶୋଇବ ଯାଅ ସୁନନ୍ଦା ! ନୀଳକଣ୍ଠ ବାବୁଙ୍କ ପାଖରେ ମୁଁ ଜଗିରହିଚି । ଠିକ୍ ସମୟରେ ଔଷଧ ଦେଲେ ଆଶଙ୍କାର କାରଣ ତ ଆଉ କିଛି ନାଇଁ ! କାଲି ସକାଳୁ ସୁସ୍ଥ ହୋଇଉଠିବେ ନୀଳକଣ୍ଠ ବାବୁ ! ଯାଅ ତମେ ଶୋଇବ ।

 

ସୁନନ୍ଦା ଆପତ୍ତି ଉଠାଉଥିଲା ।

 

ଶୁଣିଲା ନାହିଁ ପଙ୍କଜ ସେସବୁ । ଅଗତ୍ୟା ନୀଳକଣ୍ଠର ରୋଗଶଯ୍ୟା ଛାଡ଼ି ନିଜ ଶୟନକକ୍ଷକୁ ଫେରି ଆସିବାକୁ ହେଲା ସୁନନ୍ଦାକୁ । ଟିଟୁ ଯାଇ ରହିଚି ଡକ୍ଟର ପ୍ରାଟ୍‌ଙ୍କ ପାଖରେ । ଡାକ୍ତରଖାନାରେ । ନୀଳକଣ୍ଠ ଶୋଇ ରହିଚି ରୋଗଶଯ୍ୟାରେ । ଶେଯ ପାଖରେ ତାର ଜଗି ବସିଚି ପଙ୍କଜ ।

 

ଆଜି ଏକୁଟିଆ ଶୋଇବ ସୁନନ୍ଦା ବିଛଣାରେ !

 

ଅନେକ-ଅନେକ ଦିନ ପରେ ସେ ଆଜି ଏକୁଟିଆ ବିଛଣାରେ ଶୋଇବାକୁ ଯାଉଚି, ଠିକ୍ ତାର ସେଇ କୁମାରୀ ଜୀବନର ହଷ୍ଟେଲ ଛାତ୍ରୀଟି ଭଳି ଏକୁଟିଆ । ସେ ସତରେ ଆଜି ଏକାକିନୀ ହୋଇଯାଇଚି । କେବଳ ବାହାରେ ନୁହେଁ, ନିଜ ଭିତରେ ବି ତାର ସେଇ ଶୂନ୍ୟତା....ସେଇ ବିର୍ଜନତା....

 

ଝରକା ପରଦାଠେଲି ଭିତରକୁ ପଶି ଆସୁଚି ହୁ’ ହୁ’ ପବନ ।

 

ଆର ଘରେ ଘଣ୍ଟାକଣ୍ଟାକୁ ଚାହିଁ ଜଗି ବସିଥିବେ ପଙ୍କଜ । ଘଣ୍ଟା ଦେଖି ଔଷଧ ଦେବ ।

 

ପଙ୍କଜ କଥା ମନେ ପଡ଼ିଲାକ୍ଷଣି ସୁନନ୍ଦାକୁ ତାର ସେ ଶଯ୍ୟା କଣ୍ଟକିତ ଲାଗୁଥିଲା । ବିଚାରୀ କି ଦୁଯୋଗରେ ତା ସହିତ ସେ ସାକ୍ଷାତ କରିଥିଲା କେଜାଣି, ସାରା ଜୀବନଟା ତାର ଏମିତି ପୋଡ଼ି ଜଳି ଛାରଖାର ହୋଇଗଲା । ବୁଡ଼ିଯାଉଥିବା ନାଆକୁ ପୁଣି କୂଳକୁ ଆଣି ସେ’ତ ନିଜେ ବଞ୍ଚିବାର ରାହା ଖୋଜି ପାଇଚି, କିନ୍ତୁ ପଙ୍କଜ ପାଇଲା କଅଣ ?

 

ପଙ୍କଜ ! ପଙ୍କଜ ଦାସ !

 

ତାର ଏକଦା-ପ୍ରେମିକ ଏଇ ପଙ୍କଜ ଦାସ !

 

ସ୍ମୃତିର ଦିଗ୍‍ବଳୟରେ ସେ ଦିନଗୁଡ଼ିକ ଝାପସା ହୋଇ ଆସିଲାଣି, କିନ୍ତୁ ଏକ ଉଜ୍ଜ୍ଵଳ ଆଲୋକରେଖା ଭଳି ବେଶ୍ ସ୍ପଷ୍ଟ ଦିଶିଯାଉଚି ସୁନନ୍ଦାର ସେଇ ଅତୀତ ଦିନର ଦୃଶ୍ୟ କେତୋଟି......ତକିଆ ଉପରେ ମୁହଁ ମାଡ଼ି, ଆଖି ବନ୍ଦକରି ଶୋଇବାକୁ ଚେଷ୍ଟା କଲେ ବି, ଭୁଲି ହେଉନି ସେ ଦିନ କେତେଗୁଡ଼ିକର କାହାଣୀ.....

 

ତାର ସ୍ଵାମୀ ରୋଗଶଯ୍ୟାକୁ ଅତନ୍ଦ୍ର ଆଖିରେ ଆଜି ଯେଉଁ ପଙ୍କଜ ନିର୍ବିକାର ଭାବରେ ଜଗି ବସିଚି, ସେଦିନ ସେଇ ପଙ୍କଜ ତାର ସ୍ଵାମୀ ହେବାପାଇଁ ସ୍ଥିର ହୋଇଯାଇଥିଲା । ଶାନ୍ତି ନିକେତନର ସେଇ ଅତି ସୁନ୍ଦର ଦିନଗୁଡ଼ିକର ପରିବେଶ ଭିତରେ ପ୍ରାୟ ସ୍ଵାମୀ, ସ୍ତ୍ରୀ ଭଳି ଚଳିବାକୁ ଆରମ୍ଭ କରି ଦେଇଥିଲେ ଦୁହେଁଯାକ । ଦୁହେଁ ଦୁହିଙ୍କୁ ମୁହୂର୍ତ୍ତେ ନ ଦେଖିଲେ ଦୁହିଁଙ୍କ ମନ ଆଉ କେଉଁଠି ଲାଗୁ ନଥିଲା । ପୁଷ୍ପ ସୁରଭିତ ବକୁଳ ବୃକ୍ଷର ଛାୟାତଳେ, ଶ୍ୟାମଳ ପଡ଼ିଆର ପ୍ରାନ୍ତ ଭାଗରେ, ଧୂସର ଗୋଧୂଳିର ମ୍ଳାନ । ଲୋକରେ ଦୁହେଁଯାକ କେତେ ସ୍ଵପ୍ନରେ ଜାଲ ବୁଣୁଥିଲେ....ନିଜ ଭବିଷ୍ୟତ ସାଂସାରିକ ଜୀବନର ସ୍ଵପ୍ନରେ ବିହ୍ଵଳିତ ହେଉଥିଲେ....

 

ଏମିତି ଦିନେ ଆକସ୍ମିକ ଭାବରେ ପଙ୍କଜ ହେଲା ଶଯ୍ୟାଶାୟୀ...ରୋଗ ପୀଡ଼ିତ....

 

ପ୍ରତ୍ନତତ୍ତ୍ଵ ଗବେଷକ ପଙ୍କଜ ଦାସର ସେଇ ଗୋଟିକିଆ ନିର୍ଜ୍ଜନ ପ୍ରକୋଷ୍ଠରେ ରୋଗୀର ଆର୍ତ୍ତବିଳାପ ଶୁଭିଲା....ଭୟ ଓ ଆଶଙ୍କାରେ ଶିହରି ଉଠିଲା ସୁନନ୍ଦା....ଆଜି ଯେମିତି ନୀଳକଣ୍ଠକୁ ତାର ରୋଗଶଯ୍ୟାରେ ଜଗି ବସିଚି ପଙ୍କଜ, ଠିକ୍ ସେମିତି ପଙ୍କଜର ରୋଗ ଶଯ୍ୟାରେ ତାକୁ ଅପଲକ ଆଖିରେ ଜଗି ବସିଥିଲା ସୁନନ୍ଦା….ପଙ୍କଜର ସେବାରେ ନିଜକୁ ହଜାଇ ଦେବାରେ ଲାଭ କରୁଥିଲା ସେ ଅପରିସୀମ ଆନନ୍ଦ ।

 

(ଆଜି କଣ ସେଇ ସେବାର ପ୍ରତିଦାନ ଦେବାପାଇଁ ପଙ୍କଜ ଅତିନ୍ଦ୍ର ଆଖିରେ ନୀଳକଣ୍ଠର ଶଯ୍ୟାଧାରରେ ଜଗି ବସିଚି ! କଥାଟା ଭାବି ଉଚ୍ଚକିତ ହେଲା ସୁନନ୍ଦା ।)

 

ପଙ୍କଜର ଶଯ୍ୟାଧାରରେ ଘଣ୍ଟା ଘଣ୍ଟା ତାକୁ ଜଗି ବସିଥିବା ଦେଖି ସୁନନ୍ଦାର ସାହାପାଠୀମାନେ ଓଠ ଚିପି ହସୁଥିଲେ । ସାମାନ୍ୟ ଜର । ସେବା, ଶୁଶ୍ରୂଷାର ପ୍ରତ୍ୟାଶାରେ ପଙ୍କଜ ବୋଧହୁଏ ବେଶୀ ଜ୍ଵରର ଛଳନା କରୁଚି । ଜଣେ ସହପାଠିନୀ ମନ୍ତବ୍ୟ କରିଥିଲା, ତମେ ଆଉ ସେବା କରିବାକୁ ଯାଅନି ସୁନନ୍ଦା, ଦେଖିବ ପଙ୍କଜର ଜ୍ଵରଟା ଦିନ ଗୋଟାକରେ ଛାଡ଼ିଯିବ । ତମେ ତ ତା ଦେହରେ ଉତ୍ତାପ ଭରି ରଖୁଚ, ଜ୍ଵର ଛାଡ଼ିବ କେମିତି ?

 

ସହପାଠିନୀର ମନ୍ତବ୍ୟ ଶୁଣି ସେଦିନ ଲଜ୍ଜା ଓ ଦୁଃଖରେ ଆରକ୍ତ ହୋଇଉଠିଥିଲା ସୁନନ୍ଦାର ମୁହଁଟି । ସତରେ କଣ ପଙ୍କଜ ସାମାନ୍ୟ ଜ୍ଵରକୁ ଭୟଙ୍କର ଜ୍ଵର ବୋଲି ଛଳନା କରୁଥିଲା-? ପଙ୍କଜ ଭଳି ନିରୀହ ଲୋକଟି କଣ ଛଳନା ବୋଲି ଗୋଟିଏ ପଦାର୍ଥକୁ ସେଦିନ ଭଲ କରି ଜାଣିଥିଲା ?

 

ସନ୍ଦେହ ହୁଏ ସୁନନ୍ଦାର ମନରେ !

 

ଚଳଚ୍ଚିତ୍ରର ଛବିଭଳି ଆଖି ଆଗରେ ନାଚିଉଠେ ସେଦିନର ସେଇ ଅବିସ୍ମରଣୀୟ ରାତ୍ରିଟିର ଦୃଶ୍ୟ....

 

ପଙ୍କଜ ଆସ୍ତେ ଆସ୍ତେ ସୁସ୍ଥ ହୋଇଉଠୁଥିଲା ।

 

ତା ପାଇଁ ପଥ୍ୟ ପ୍ରସ୍ତୁତ କରିଦେଇ ସୁନନ୍ଦା କହିଲା, ମୁଁ ଉଠୁଚି ପଙ୍କଜ । ଏଇ କେତେଦିନ ହେଲା ମୁଁ ଆଦୌ ପାଠପଢ଼ାରେ ମନ ଦେଇନାହିଁ । ଅଧ୍ୟାପକ ବିରକ୍ତ ହେଉଚନ୍ତି । ମୁଁ କାଲି ପୁଣି ଆସିବି । ତମେ ଔଷଧ ମନେକରି ଖାଇବ.....

 

ସୁନନ୍ଦାର କଥା ଶୁଣି ପଙ୍କଜର ସ୍ଵଚ୍ଛ ନୀଳ ଆଖି ଡୋଳା ଦୁଇଟି ଛଳ ଛଳ ହୋଇ ଆସିଲା ଭଳି ସୁନନ୍ଦାର ମନେହେଲା । ପଙ୍କଜ କହିଥିଲା, ତମେ ମତେ ଏକୁଟିଆ ଛାଡ଼ି ଚାଲିଯିବ ସୁନନ୍ଦା ! ମୁଁ ଏ ରୋଗଶଯ୍ୟାରେ ଏକୁଟିଆ ଶୋଇ ରହିବି !

 

ବାହାରେ ମାୟାବିନୀ ରାତ୍ରି ।

 

ଜ୍ୟୋତ୍ସ୍ନାଲୋକରେ ଅପୂର୍ବ ସୁନ୍ଦର ଦିଶୁଛି ବାହାରର ଶ୍ୟାମଳ କୋମଳ ପଡ଼ିଆ ।

 

ପଙ୍କଜର କଥା ଶୁଣି ବିସ୍ମୟ ଓ ଅବେଗରେ ସୁନନ୍ଦାର ପାଦ ଦୁଇଟି ଅଚଳ ହୋଇଯାଇଥିଲା ସେଦିନ । ତାଠାରୁ କଅଣ ଚାହେଁ ଆଉ ପଙ୍କଜ !

 

ସୁନନ୍ଦାର ମନେ ହୋଇଥିଲା, ଏଇ କେତେଦିନ ସେବା ଶୁଶ୍ରୂଷା ପାଇ ପଙ୍କଜର ମନରେ ଆସକ୍ତିର ସ୍ପର୍ଶ ଲାଗିଚି । ସେ ଚାହେଁ ଆଉ ଟିକିଏ ତାର ନିବିଡ଼ ସାନ୍ନିଧ୍ୟ, ଗଭୀର ସ୍ନେହ, ଆଦର ଯତ୍ନ ।

 

Unknown

ସୁନନ୍ଦାର କୋମଳ ନାରୀତ୍ଵ ସେଦିନ ଏକ ଅଜ୍ଞାତ ଆବେଗରେ ଉଚ୍ଛ୍ଵସିତ ହୋଇଉଠିଥିଲା । ପଙ୍କଜର ଦେହକୁ ଲାଗି ସେ ବସି ରହିଥିଲା । ସୁନନ୍ଦା ତା ହାତର ଆଙ୍ଗୁଠିଗୁଡ଼ାକ ଆସ୍ତେ ଆସ୍ତେ ଚାପ ଦେଇ ଫୁଟାଇ ଦେଉଥିଲା । ଆଶ୍ଵସନା ଦେଉଥିଲା, ତମେ ବ୍ୟସ୍ତ ହୁଅନି ପଙ୍କଜ ! ତମ ଥିସିସ୍ ଲେଖା ସରୁ.....ତମେ ଡକ୍ଟରେଟ୍ ଡିଗ୍ରୀ ନେଇ ସାର....ମୁଁ ତମର ଏଇ ନିର୍ଜ୍ଜନ ଦେହପାଖକୁ ସବୁଦିନେ ପାଇଁ ଫେରିଆସିବି । ଆମେ ବାନ୍ଧବା ଛୋଟ ଗୋଟିଏ ସଂସାର । ତମେ ଆଉ ମୁଁ । ବାସ୍ତବ ଆଉ ସ୍ଵପ୍ନ । ପ୍ରତିଭା ଆଉ କଳା । ବେଶ୍ ସୁନ୍ଦର ସାଜିବ ସେ ସଂସାରଟି ପଙ୍କଜ-!

 

କଥାରେ ତାର ପଙ୍କଜ ସେଦିନ ବିହ୍ଵଳିତ ହୋଇ ପଡ଼ିଥିଲା । ଅସ୍ପଷ୍ଟ କଣ୍ଠରେ କହିଉଠିଥିଲା, ତମେ କେଡ଼େ ଭଲ, ତମେ କେଡ଼େ ସୁନ୍ଦର !

 

ତାପରେ ସୁନନ୍ଦା ଅନୁଭବ କରିଥିଲା ପଙ୍କଜର ଦେହଟା କେମିତି ଉତ୍ତପ୍ତ ଜଣାପଡ଼ୁଛି । ପୁଣି କଅଣ ଜ୍ଵର ଆସିଲା ପଙ୍କଜକୁ !

 

କିନ୍ତୁ କିଛି ସମୟ ପରେ ସୁନନ୍ଦା ବୁଝିଲା, ସେ ଦେହର ତାତି ନୁହେଁ, ମନର ଉତ୍ତାପ । ପଙ୍କଜର ତନୁରେ ଅତନୁର ସ୍ପର୍ଶ ଲାଗିଥିଲା । ଅଙ୍ଗରେ ଅନଙ୍ଗର ସ୍ପର୍ଶ ।

 

ତା ପରେ ଆଜି ଆଉ ମନେ ନାହିଁ, ପଙ୍କଜ ଦେହର ସେଇ ଉତ୍ତାପ କେମିତି କମିଲା ସଂଚାର ଆସିଥିଲା ତା ନିଜ ଦେହକୁ । କିଛି ସମୟ ପରେ ସେ ଅନୁଭବ କରିଥିଲେ...ତାର ସମଗ୍ର ଦେହକୁ ପଙ୍କଜର କାମନା ଓ ଲାଳସାର ଉତ୍ତାପ ଗ୍ରାସ କରିଯାଇଛି ।

 

ସେଇ ଲାଳସା ଗ୍ରାସରୁ ନିଜକୁ ମୁକ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା ସୁନନ୍ଦା । ପ୍ରତିବାଦ କରିଥିଲା-ଛି...ଛି... ତମେ ଅସଭ୍ୟଙ୍କ ଭଳି କଣ କରୁଚ ପଙ୍କଜ ! ମତେ ଛାଡ଼.....

 

କିନ୍ତୁ ରୋଗ ଦୁର୍ବଳ ପଙ୍କଜ ଦୁଇବାହୁରେ ଏତେ ଶକ୍ତି ଥାଇପାରେ, ସେକଥା ମୋଟେ ଭାବି ପାରିନଥିଲା ସୁନନ୍ଦା । ନିଜକୁ ମୁକ୍ତ କରିବାକୁ ଯାଇ ସେ ପଙ୍କଜକୁ ଉନ୍ନତ କରି ଦେଇଥିଲା ।

 

ତାପରେ ସୁନନ୍ଦା ଅନୁଭବ କରିଥିଲା ନିଜ ଦେହର ପ୍ରତି ରକ୍ତ କୋଷରେ ଏକ ଅନସ୍ଵାଦିତ ସାମ୍ଭୋଗର ସ୍ଵାଦ । ନିଜକୁ ମୁକ୍ତ କରି ନ ପାରିବାର ପରାଜୟ ପରେ ସେ ସ୍ଵାଦରେ ମିଶି ରହିଥିଲା ବିଚିତ୍ର ଗୋଟିଏ ନିଶା । ପଙ୍କଜର ହିଂସ୍ର ପୌରୁଷର ଚାପରେ ଦଳିତ ଦ୍ରାକ୍ଷା ଭଳି ସୁନନ୍ଦାର ସମଗ୍ର କୁମାରୀ ଅଟ୍ଟ ବିଦଳିତ ହୋଇଯାଇଥିଲା ।

 

ଆଜି ବି ସେଇ ସ୍ପର୍ଶ, ସ୍ଵାଦର କଥା ମନେପଡ଼ୁଚି ।

 

ଶିହରଣର ଶିତକାର ଜାଗୁଚି ବଧୂ ସୁନନ୍ଦାର ପ୍ରତ୍ୟଙ୍ଗରେ ।

 

ସେଦିନର ସେଇ ଜ୍ୱାଳା, ସେଦିନର ସେଇ ଯନ୍ତ୍ରଣା ଆଜି ବି ସୁନନ୍ଦାର ଶୋଣିତ ଗ୍ରନ୍ଥୀରେ ଜଳ ତରଙ୍ଗର ମୂର୍ଚ୍ଛନା ତୋଳୁଚି ।

 

ସେଇ ରାତ୍ରି, ସେଇ ଜ୍ୟୋତ୍ସ୍ନା, ସେଇ ଅନ୍ଧକାର ।

 

ପଙ୍କଜର ସେଇ ନିର୍ଜ୍ଜନ ପ୍ରକୋଷ୍ଠ, ବକୁଳ କୁସୁମର ସୁଗନ୍ଧ । ବାହାରେ ବିସ୍ତୃତ କୋମଳ-ସବୁଜ ପ୍ରାନ୍ତର....ଯାହାର ଶ୍ୟାମଳ ତନୁରେ ରେଣୁ ହୋଇ ଝରିପଡ଼ୁଥିଲା ଅସରନ୍ତି ଚନ୍ଦ୍ରାଲୋକର ସ୍ଵଚ୍ଛ ଶୁଭ୍ର ସ୍ତବକ ।

 

ପାଦରେ ସେଇ ଜ୍ୟୋତ୍ସ୍ନା ବିଜଡ଼ିତ କୋମଳ ଘାସକୁ ଦଳି ଦଳି ଅବଶ ତନୁମନ ନେଇ ଫେରୁଥିବାବେଳେ ସୁନନ୍ଦା ଭାବୁଥିଲା, ପଙ୍କଜର କାମନାର ଯଜ୍ଞରେ ନିଜର କୁମାରୀତ୍ୱକୁ ଆହୂତି ଦେଇ ପବିତ୍ର ହୋଇଚି ତାର ନାରୀତ୍ଵ...ଭାବି ସ୍ଵାମୀର ତନୁ ସ୍ପର୍ଶରେ ଯୌବନ ତାର ପଲ୍ଲବିତ ହୋଇଉଠିଚି ।

 

(ସେଦିନ କେଡ଼େ ସରଳ, ନିର୍ବୋଧ ଥିଲା ସୁନନ୍ଦା ! ନିଜକୁ ନିଃଶେଷ କରି ଦେବାରେ ତା ମନରେ ଭରି ରହିଥିଲା କି ଅସୀମ ଆନନ୍ଦ !)

 

ତା’ ପରେ... !

 

ତା’ ପରେ ବସନ୍ତଟା କେବଳ ଆମ୍ବଗଛରେ ନବ କିଶଳୟର ସମାରୋହ ସୃଷ୍ଟିକରି ଚାଲିଗଲା ନାହିଁ । ସେ ଛାଡ଼ି ଦେଇଗଲା ଆମ୍ବକଷର ସୃଷ୍ଟିର ସମ୍ଭାବନା ।

 

ନିଜ ଦେହ ଭିତରେ ଆଉ ଏକ ଦେହର ଅସ୍ତିତ୍ଵର ସନ୍ଧାନ କରି ସୁନନ୍ଦା ପ୍ରଥମେ ଭୀତ, ଶଙ୍କିତ, ବିସ୍ମିତ, ଆଉ ଉଲ୍ଲସିତ ହୋଇ ଉଠିଥିଲା ।

 

ପଙ୍କଜ ବାପା ହେବ । ଜନକ ହେବ । ତାର ପ୍ରଥମ ପୌରୁଷର ସ୍ପର୍ଶରେ ସନ୍ତାନ ସୃଷ୍ଟିର ସାମର୍ଥ୍ୟ ଦେଖି, ତା’ ପ୍ରତି ଗଭୀର ଭକ୍ତି ଆସିଥିଲା ସୁନନ୍ଦାର ମନରେ । ମନେ ମନେ ହସିଥିଲା, ନିରୀହ ପଙ୍କଜଟା କଣ ଗୋଟିଏ ଶିଶୁର ଜନକ ହେବାପାଇଁ ଯୋଗ୍ୟ !

 

ଗଭୀର ଆସ୍ଥା ଆସିଥିଲା ପଙ୍କଜର ସାମର୍ଥ୍ୟ ଉପରେ ସେଦିନ ସୁନନ୍ଦାର । ପଙ୍କଜର ପୁରୁଷତ୍ଵ ଉପରେ ଅଟଳ ବିଶ୍ଵାସ, ଅଚଳ ଭକ୍ତି । ତାର ମନେହୋଇଥିଲା, ନାରୀତ୍ଵ ତାର ବିଜୟିନୀ ହୋଇଚି ।

 

ତାପରେ....

 

ତାପରେ କ୍ରମେ କ୍ରମେ ପଙ୍କଜର ସେଇ ଶୋଣିତଧାରା ରକ୍ତ ମାଂସର ସ୍ୱରୂପ ନେଇ ସୁନନ୍ଦାର ଗର୍ଭକୋଷରେ ରୂପ ପରିଗ୍ରହ କଲା । ରାତିରେ ଶୋଇଥିବା ବେଳେ ସୁନନ୍ଦା ଯେତେବେଳେ ସେଇ ନୂତନ ସୃଷ୍ଟି ପ୍ରତିକ୍ରିୟାର ଅନୁଭୂତି ନିଜ ଭିତରେ ଅନୁଭବ କରେ, ଏକ ଉଚ୍ଛଳ ହସର ତରଙ୍ଗ ଉଠିଆସି ତାର ସମଗ୍ର ମୁଖମଣ୍ଡଳକୁ ପ୍ଳାବିତ କରିଦିଏ ।

 

ପଙ୍କଜ ଜନକ ହେବ ! ଯେଉଁ ପଙ୍କଜ ଦିନ କେତୋଟି ତଳେ ଆସି ଅନୁନୟ କରି ତାର ପ୍ରଣୟଭିକ୍ଷା କରୁଥିଲା, ସେଇ ପଙ୍କଜ ମାସ କେତେଟା ପରେ ଗୋଟିଏ ଶିଶୁର ସୃଷ୍ଟିକର୍ତ୍ତା ହେବାର ଗୌରବ ନେବ ।

 

କଥାଟା ସୁନନ୍ଦାର କାନକୁ କେମିତି ଅଦ୍ଭୁତ ଶୁଣାଯାଇଥିଲା ସେଦିନ । ସୁନନ୍ଦା ସେଇ କଥା ଭାବି ମନେ ମନେ ହସୁଥିଲା । ନିଜର ଏ ସୌଭାଗ୍ୟ ପାଇଁ ପଙ୍କଜର ସାମାନ୍ୟ ଦୁର୍ବଳତା, ସାମାନ୍ୟ ଉତ୍ତେଜନା ବ୍ୟତୀତ ଆଉ କଣ ବିଶେଷ ଅବଦାନ ରହିଚି ! ଅଥଚ ସୁନନ୍ଦା ପାଖରେ ସେଦିନ ରାତିରେ ସାମାନ୍ୟ ଦୁର୍ବଳତା ପ୍ରକାଶ କରି ପଙ୍କଜ କି ମହାନ୍ ସୌଭାଗ୍ୟର ଅଧିକାରୀ ହୋଇଗଲା !

 

କଥାଟା ଚିନ୍ତାକଲାମାତ୍ରେ ସୁନନ୍ଦାର ସେଦିନ ମନେ ହୋଇଥିଲା, ପଙ୍କଜକୁ ସେ ସତେ ଯେପରି ଖୁବ୍ କିଛି ଗୋଟାଏ ବଡ଼ ସମ୍ମାନ ଆଣି ଦେଇଚି । ରାଜସିଂହାସନର ସମ୍ମାନଠାରୁ ଏ ସମ୍ମାନ ଯେପରି ଆହୁରି ବେଶୀ ବଡ଼ !

 

ଆଉ ପଙ୍କଜ ଯେଉଁଦିନ ଏକଥା ଶୁଣିଲା..... ।

 

ସୁନନ୍ଦା ଲକ୍ଷ୍ୟ କରି ଦେଖିଥିଲା, ତା ମୁହଁରୁ କଥାଟା ଶୁଣି ହଠାତ୍ ପଙ୍କଜର ମୁହଁ କାଗଜ ଭଳି ସାଦା ହୋଇଯାଇଥିଲା । ପଙ୍କଜର ଏ ଅପ୍ରସନ୍ନତା ଖୁବ୍ ଆଘାତ ଦେଇଥିଲା ସୁନନ୍ଦାକୁ । ତାର ମନେ ହୋଇଥିଲା, ପଙ୍କଜ ଯେପରି ତାର ଦାନ ମହାନ୍ ଗୌରବକୁ ଖୁବ୍ ଛୋଟ ଆଖିରେ ଦେଖୁଚି-

 

ତାପରେ ନିଜର ଭ୍ରମ ସଂଶୋଧନ କରିନେଲା ପରି ମୁଖଭଙ୍ଗୀ କରି ପଙ୍କଜ ସଲ୍ଲଜ କଣ୍ଠରେ କହିଥିଲା, ତମେ ମୋ ଉପରେ ବିଶ୍ଵାସ ରଖି ଯେଉଁ ଦାୟିତ୍ଵ ନିଜ ଉପରକୁ ନେଇଛ ସୁନନ୍ଦା, ସେ ବିଶ୍ଵାସର ଯୋଗ୍ୟ ହେବାପାଇଁ ମତେ ଭଗବାନ ଶକ୍ତି ଦିଅନ୍ତୁ । ମୁଁ ବିବାହ ପାଇଁ ଶୀଘ୍ର ବ୍ୟବସ୍ଥା କରେ । ବିଶ୍ଵବିଦ୍ୟାଳୟର ଡକ୍ଟରେଟ୍ ଉପାଧି ଠାରୁ ମୋ ସନ୍ତାନର ଗୌରବ ମୋ ପକ୍ଷରେ ଅଧିକ ମୂଲ୍ୟବାନ୍ ।

 

ଏଇ କଥା କଣ ପଙ୍କଜଠାରୁ ଶୁଣିବ ବୋଲି ସେଦିନ ଆଶା କରିଥିଲା ସୁନନ୍ଦା ! ତାର ମାତୃତ୍ଵକୁ ଗୌରବ ବୋଲି ମନେ ନକରି ଏକ ଦାୟିତ୍ଵ ବୋଲି ମନେକରିପାରିଲା ପଙ୍କଜ ! ଛି.....ଛି....ଏଇ ପଙ୍କଜ ଉପରେ ବିଶ୍ଵାସ ରଖି ତାର ସନ୍ତାନକୁ ସେ ଗର୍ଭରେ ଧାରଣା କରିଥିଲା !

 

ସେଦିନ ପଙ୍କଜର ସେଇ କାତର ବାଣୀ ଶୁଣି ସୁନନ୍ଦାର ମନେ ହୋଇଥିଲା, ପଙ୍କଜ କାପୁରୁଷ । ସେ ବିସ୍ମିତ ହୋଇଥିଲା ପଙ୍କଜ ଭଳି ଏକ ଦାୟିତ୍ଵ-ଭୀରୁ ବ୍ୟକ୍ତିର ରକ୍ତଧାରାରେ ସନ୍ତାନ-ସମ୍ଭବ ଜୀବନୀ ଶକ୍ତି ଏତେ ଥିଲା କେଉଁଠି ?

 

ପଙ୍କଜ କିନ୍ତୁ ଅବସ୍ଥାକୁ ପରେ ଭିନ୍ନ ପ୍ରକାର କରି ଦେଇଥିଲା ବିବାହ ଆୟୋଜନରେ ଉତ୍ସାହ ଲକ୍ଷ୍ୟ କରି ସୁନନ୍ଦା ବୁଝିଥିଲା ପଙ୍କଜ କାପୁରୁଷ ନୁହେଁ, ସମାଜଭୀରୁ । ବିବାହ ନକରି ସନ୍ତାନର ଜନକ ହେବା କଥା ଶୁଣି ତାର ସେଇ ସମାଜଭୀରୁ ମନ ସେଦିନ ବିଚଳିତ ହୋଇପଡ଼ିଥିଲା । କଥାଟା ଅନୁମାନ କଲା ପରେ ଗଭୀର ଆନ୍ତରିକତାରେ ସୁନନ୍ଦାର ନାରୀତ୍ଵ ସେଦିନ ପ୍ରଗଲ୍‍ଭା ହୋଇଉଠିଥିଲା ।

 

ସେ ସ୍ଵାମୀ, ସନ୍ତାନ, ସଂସାର, ଏଇ ତିନୋଟି ପଦାର୍ଥର ମଧୁର ସ୍ଵପ୍ନରେ ସୁନନ୍ଦା ସେ କେତୋଟି ଦିନ ବେଶ୍ ଅଧୀର ଆନନ୍ଦରେ ଅତିବାହିତ କରିଥିଲା । କିନ୍ତୁ ହଠାତ୍ ସେ ଯେଉଁଦିନ ପତ୍ର ପାଇଲା ପଙ୍କଜ ପଳାତକ.... ।

 

କଥାଟା ଭାବିଲେ ଆଜି ମଧ୍ୟ ସୁନନ୍ଦାର ହୃଦୟ ଭିତରେ ଏକ ପ୍ରଳୟ ଭୂମିକମ୍ପ ସୃଷ୍ଟି ହେଉଛି । ସେଦିନର ସେ ମାନସିକ ଅବସ୍ଥାକୁ ଆଜି ମଧ୍ୟ ସୁନନ୍ଦା ସ୍ମରଣ କଲେ ଦୁଃଖରେ ଅଭିଭୂତ ହୋଇପଡ଼ୁଛି ।

 

ସାମାନ୍ୟ ଏକ ଭୁଲ, କଫ ସହିତ ରକ୍ତ ତାକୁଇ ଦେଖି ସେ ପଳାତକ ହେଲା କାହିଁକି ? କାହିଁକି ଦୁହିଁଙ୍କ ଜୀବନର ସ୍ଵଚ୍ଛନ୍ଦ ପ୍ରବାହକୁ ସେ ଶୁଷ୍କ, ରୁକ୍ଷ କରିଦେଲା ?

 

ସୁନନ୍ଦାର ମନେ ହେଲା, ତା ଜୀବନରେ ଆଉ ଯେମିତି ଶାନ୍ତି ନାହିଁ । ସମୁଦ୍ରର ଜଳରେ ସେ ଭାସୁଛି । ଦିଗହୀନ ତରଙ୍ଗାୟିତ ନୀଳ ସାଗର । କଣ୍ଠରେ ତାର ଭୀଷଣ ତୃଷ୍ଣା । ସେ ଚାହେଁ ଆକଣ୍ଠ ଜଳପାନ, କିନ୍ତୁ ସମୁଦ୍ରର ଜଳରେ କଅଣ କଣ୍ଠରେ ଏ ତୃଷ୍ଣା ମେଣ୍ଟିବ ?

 

ସୁନନ୍ଦା ଛଟପଟ ହେଲା । ଶୋଇବାକୁ ଚେଷ୍ଟା କଲା । କିନ୍ତୁ ପାରିଲା ନାହିଁ । ବାହାରେ ଅନ୍ଦକାର, ହିମ ଶୀତଳ ପବନ । ଝରକାର ଫାଙ୍କରେ ଦେଖାଯାଉଛି ଦିଗହୀନ, ସୀମାହୀନ ଅନ୍ତରିକ୍ଷ, ସଂଖ୍ୟାହୀନ ଟିକି ଟିକି ତାରା । ଜହ୍ନ ନାହିଁ, ଜ୍ୟୋତ୍ସ୍ନା ନାହିଁ, ତୃଷ୍ଣାକାତର ଚକୋରୀ ଯେ ଏଣେ ଚାହିଁ ରହିଛି ! ବର୍ଷା ଜଳରେ ତାର କଅଣ ଶୋଷ ମେଣ୍ଟିବ ? ଚକୋରୀ ତୃଷ୍ଣା ନିବାରଣ ପାଇଁ ଲୋଡ଼ା ଚେନାଏ ଜ୍ୟୋତ୍ସ୍ନା ...ଟୋପାଏ ଚନ୍ଦ୍ରାଲୋକ, କିନ୍ତୁ ଆକାଶଟାଯାକା ଯେ ଅନ୍ଦାକାର ପକ୍ଷ ବିସ୍ତାର କରି ଘୋଡ଼ାଇ ରଖିଛି ! ଚନ୍ଦ୍ରାଲୋକର ସଧାନ ମିଳିବ କୁଆଡ଼ୁ !

 

ସୁନନ୍ଦାର ଇଚ୍ଛା ହେଉଥିଲା, ସେ କାନ୍ଦିବ । ମନ ଭରି ଅଶ୍ରୁ ତର୍ପଣ କରିବ । କାନ୍ଦି କାନ୍ଦି ସେ ଏ ତୁଳାର ତକିଆଟାକୁ ସମ୍ପୂର୍ଣ୍ଣ ଓଦା କରିଦେବ ।

 

ରୋଗଶେଯରୁ ଉଠି ନୀଳକଣ୍ଠ ଅନୁଭବ କଲା ତା ମନଟା ଅକାରଣରେ କାହିଁକି ବେଳେ ବେଳେ ଖରାପ ହୋଇ ଯାଉଛି । ନିଜ ମନକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେ ବୁଝାଇ ପାରୁନି । ସତେ ଯେମିତି ତା ନିଜ ଉପରୁ ସେ ନିଜେ ସମସ୍ତ ନିୟନ୍ତ୍ରଣ ହରାଇ ବସିଚି-!

 

ବିଚିତ୍ର ଏକ ଅନୁଭୂତି । ଏଭଳି ଅନୁଭୂତି ନୀଳକଣ୍ଠ ଜୀବନରେ ଏଇ ପ୍ରଥମ !

 

ସେଦିନ ଅପରାହ୍ନରେ ମନ ଇଚ୍ଛା ଏଣେ ତେଣେ ବୁଲି ବୁଲି ପଙ୍କଜ ଉଠିଲା ଯାଇ ଡକ୍ଟର ପ୍ରାଟ୍‍ଙ୍କ ଡାକ୍ତଖାନାରେ । ଟିଟୁ ବିଷୟରେ ସେ ବିଶେଷ ଉଦ୍‍ବିଗ୍ନ ହୋଇଉଠିଚି ଡକ୍ଟର ପ୍ରାଟ୍‍ଙ୍କ ସହିତ ସେ ସଂପର୍କରେ ସେ ଟିକିଏ ଆଲୋଚନା କରିବାକୁ ଚାହେଁ ।

 

ଡକ୍ଟର ପ୍ରାଟ୍ ନିଜ କ୍ଲିନିକରେ ନଥିଲେ ।

 

ଚାକର ଖବର ଦେଲା—ସେ ଶୟନ କକ୍ଷରେ, ନୀଳକଣ୍ଠ ତାଙ୍କୁ ସେହି ସ୍ଥାନରେ ହିଁ ସାକ୍ଷାତ କରିପାରେ । ଡକ୍ଟର ପ୍ରାଟ୍‍ଙ୍କ ଶୟନ କକ୍ଷରେ ଅଗତ୍ୟା ପ୍ରବେଶ କଲା ଯାଇ ନୀଳକଣ୍ଠ ।

 

ଆଶ୍ଚର୍ଯ୍ୟ ! ଡକ୍ଟର ପ୍ରାଟ୍ ତ୍ରିଭାଷୀ ବହିରୁ ଓଡ଼ିଆ ଶିଖୁଛନ୍ତି ।

 

ବିସ୍ମୟରେ ଆର୍ତ୍ତନାଦ କରି ଉଠିଲା ନୀଳକଣ୍ଠ । ଡକ୍ଟର ପ୍ରାଟ୍ କହିଲେ, ତମେ ଆଶ୍ଚର୍ଯ୍ୟ ହେଉଚ ନୀଳକଣ୍ଠ ! କିନ୍ତୁ ଦେଖିବ, ଦିନ କେତେଟା ପରେ ମୁଁ ତମର ମାତୃଭାଷାରେ ସୁନ୍ଦର କହିପାରିବି ।

 

ଡକ୍ଟର ପ୍ରାଟ୍ ଓଡ଼ିଆ କାହିଁକି ଶିଖୁଛନ୍ତି, ସେ କଥା ବୁଝିପାରିଲା ନାହିଁ ନୀଳକଣ୍ଠ । ଡାକ୍ତର ନିଜେ ବୁଝାଇଦେଲେ, ଟିଟୁ ଯେଉଁଦିନ କଥା କହିବାର ଶକ୍ତି ଫେରିପାଇବ, ମୁଁ ତାକୁ ସେ ଦିନ ଓଡ଼ିଆ ଭାଷାରେ କଥା କହିବି ନୀଳକଣ୍ଠ ବାବୁ ।

 

କେବଳ ସେଥିପାଇଁ ଆପଣ ଏ ଭାଷାଟା ଶିଖୁଛନ୍ତି ? —ନୀଳକଣ୍ଠ କଣ୍ଠରେ ବିସ୍ମୟ ଭରି ପ୍ରଶ୍ନକଲା ।

 

ଡକ୍ଟର ପ୍ରାଟ୍ ହସିଲେ । କହିଲେ, ଅନ୍ୟ ଗୋଟାଏ ଭାଷା ଶିଖିବାପାଇଁ ଏ ପ୍ରାଣରେ କି ବ୍ୟାକୁଳତା ଭରି ରହିଚି, ତୁମେ ଭୁଝିପାରିବ ନାହିଁ ଯୁବକ ! ବହୁ କଷ୍ଟରେ ଏ ବହି ଖଣ୍ଡିକ ମୁଁ ଯୋଗାଡ଼ କରିଚି...

 

ନୀଳକଣ୍ଠ ନୀରବରେ ସବୁ ଶୁଣିଲା ।

 

ଡକ୍ଟର ପ୍ରାଟ୍ କହିଲେ ପୃଥିବୀର ଅନେକ ଦେଶ ମୁଁ ବୁଲିଲି । ଅନେକ ଭାଷା ସହିତ ପରିଚିତ ହେଲି । କିନ୍ତୁ ଭାରତବର୍ଷ ଭଳି ଗୋଟାଏ ଅଭୂତ ସୁନ୍ଦର ଦେଶ ମୁଁ ଦ୍ୱିତୀୟ କେଉଠିଁ ଦେଖିଲି ନାହିଁ । ଏ ଦେଶର ସବୁଜ ପ୍ରକୃତି ମୂକ ପାହାଡ଼ ପର୍ବତ ଦେହରେ କି ମାୟା ଅଛି କେଜାଣି, ମୁଁ ସମ୍ମୋହିତ ହୋଇପଡ଼ିଛି ।

କଥା କହିବାବେଳେ ଡକ୍ଟର ପ୍ରାଟ୍‍ଙ୍କ ଆଖି ଦୁଇଟି ଆନନ୍ଦର ଆଲୋକରେ ଝଲସିଉଠୁଥିଲା । ନୀଳକଣ୍ଠ ଅନୁଭବ କରୁଥିଲା ଡକ୍ଟର ପ୍ରାଟ୍ ମନର ଅଭ୍ୟନ୍ତରଟା ସତେ ଯେମିତି ଗଭୀର ତୃପ୍ତିରେ ଭରିଉଠିଚି !

ଅଳ୍ପ ସମୟର ନୀରବତା ପରେ ଡକ୍ଟର ପ୍ରାଟ୍ କହିଲେ, ମୁଁ ଆଉ ସ୍ୱଦେଶକୁ ଫେରିଯିବାକୁ ଚାହେଁ ନାଇଁ ନୀଳକଣ୍ଠ ବାବୁ ! ପୃଥିବୀର ଏତେ ଦେଶ, ଏତେ ସ୍ଥାନ ବୁଲିଲା ପରେ ମୁଁ ଅବଶେଷରେ ମୋରି ଶ୍ରେଷ୍ଠ ବାସସ୍ଥାନ ଖୋଜି ପାଇଚି । ମୁଁ ଏଇ ହିମାଳୟରେ ଅଟକି ରହିବି । ଏଇ ଆଦିମ ପର୍ବତଗୁହା, ଚିର ହରିତ, ଉଜ୍ଜ୍ୱଳ,ଶ୍ୟାମଳ ପ୍ରକୃତି ଭିତରେ ମୁଁ ଏକ ଆଶ୍ରମ ନିର୍ମାଣ କରୁଚି । ଏଇ ଝରଣାର ଜଳ, ପାହାଡ଼ର ଫଳ, ଗିରି ଗୁହାର କଠିନ-ବନ୍ଦୁର ଶଯ୍ୟା, ଆଉ ଝିର୍ ଝିର୍ ମୁକୁଳା ପବନ ଭିତରେ ମୁଁ ମୋ ଜୀବନର ଆଶ୍ରୟ ଖୋଜି ପାଇଚି ।

ବିସ୍ମୟରେ ନୀଳକଣ୍ଠ ପ୍ରଶ୍ନ କଲା, ଆପଣ ଏଠାରେ ଅଟକି ରହିବେ, ଆଉ ସୁଦେଶରେ ଆପଣଙ୍କର ପ୍ରିୟତମା ପତ୍ନୀ, ସୁକୁମାର ପୁତ୍ର କନ୍ୟା... !

ନୀଳକଣ୍ଠର କଥା ଶୁଣି ଡକ୍ଟର ପ୍ରାଟ୍‍ଙ୍କ ଉଜ୍ଜ୍ୱଳ ଆଖିଡ଼ୋଳା ଦୁଇଟି ହଠାତ ଅଜ୍ଞାତ ବେଦନାର ସ୍ପର୍ଶରେ ସକରୁଣ ହୋଇଉଠିଲା । ନିଜ ଭିତରେ ଆତ୍ମଗୋପନ କରି ରହିଥିବା ହତାଶାଭାବ ବୋଧହୁଏ ହଠାତ୍ ତାଙ୍କର ସମସ୍ତ ଚେତନାବୋଧକୁ ନିସ୍ପନ୍ଦ କରିଦେଲା

ସେ ଧୀର ଅଥଚ ଭାବପ୍ରବଣ କଣ୍ଠରେ କହିଉଠିଲେ, ସେ କଥା ମୁଁ ଅନେକ ଦିନ ହେଲା ଭୁଲିଯାଇଥିଲି । ତମେ ପୁଣି ମନେ ପକାଇଦେଲ । ଏମିଲିର କଥା ମନେ ପଡ଼ିଲେ ମୁଁ ଭାରି କଷ୍ଟ ପାଏ ନୀଳକଣ୍ଠ ବାବୁ.... ।

 

ଏମିଲି ସମ୍ଭବତଃ ଡକ୍ଟର ପ୍ରାଟ୍‍ଙ୍କ ପ୍ରିୟତମା ପତ୍ନୀ । ତା କଥା ମନେ ପଡ଼ିଲେ କଷ୍ଟ ପାଆନ୍ତି କାହିଁକି ଡକ୍ଟର ପ୍ରାଟ୍ ? ଏମିଲି କଅଣ ଅକାଳରେ ଦେହତ୍ୟାଗ କରି ଡକ୍ଟର ପ୍ରାଟ୍‍ଙ୍କ ଜୀବନକୁ ମରୁର ରୁକ୍ଷତାରେ ଭରିଦେଇ ଯାଇଛି ? ଏତେବଡ଼ ଡାକ୍ତର ହୋଇ ସୁଦ୍ଧା ଏମିଲିର ଜୀବନକୁ ବଞ୍ଛାଇ ରଖିପାରି ନହାନ୍ତି ଡକ୍ଟର ପ୍ରାଟ୍ ?

 

ବିସ୍ମୟରେ ନୀଳକଣ୍ଠ ପ୍ରଶ୍ନ କଲା, ସ୍ତ୍ରୀର ମୃତ୍ୟୁ କେତେବର୍ଷ ହେଲା ସାର୍‍ ? କଅଣ କିଛି ସାଂଘାତିକ ବେମାର...

 

ଡକ୍ଟର ପ୍ରାଟ୍ ମାନ ହସ ହାସିଲେ ।

 

କହିଲେ, ଏମିଲି ରୋଗରେ ପ୍ରାଣତ୍ୟାଗ କରିଥିଲେ ମୁଁ ଅଦୌ ଦୁଃଖିତ ହୋଇ ନଥାନ୍ତି, କାରଣ ମୁଁ ଡାକ୍ତର । ଏଇ ହାତରେ କେତେ ଲୋକଙ୍କୁ ବଞ୍ଛାଇଛି । ଏଇ ଆଖି ଆଗରେ କେତେ ଲୋକ ଆଖି ବୁଜିଛନ୍ତି । ସେଥିରେ ଦୁଃଖ କହିବାର କଅଣ ଅଛି ?

 

ତାହାହେଲେ, ତାଙ୍କର କଅଣ ହେଲା ସାର୍ !

 

କିଛି ସମୟ ନୀରବ ରହିଲେ ଡକ୍ଟର ପ୍ରାଟ୍ । ତୁଣ୍ଡକୁ ତାଙ୍କର କଥା ଆସୁ ନ ଥିଲା ସମ୍ଭବତଃ । ତାପରେ ସେ ବେଦନାବିହ୍ୱଳ କଣ୍ଠରେ କହିଲେ, ଏମିଲି ଆଉ ଗୋଟାଏ ପୁରୁଷ ସହିତ ପଳାଇ ଯାଇଛି ନୀଳକଣ୍ଠ ! ଦାମ୍ପତ୍ୟ ଜୀବନର ଦୀର୍ଘ ସାତବର୍ଷକାଳ ଗୋଟାଏ ଶଯ୍ୟାରେ ଶୋଇଲା ପରେ ମୋ ଶଯ୍ୟା ଶୂନ୍ୟ କରି ସେ ପଳାଇ ଯାଇଚି ।

 

ଉତ୍ତେଜନାର ନୀଳକଣ୍ଠର ସାରା ମୁହଁଟା ଆରକ୍ତ ହୋଇ ଉଠିଲା ।

 

ସାତବର୍ଷର ବିବାହିତ ଜୀବନ ପରେ ସ୍ତ୍ରୀ ପଳାଇଚି ଅନ୍ୟ ଏକ ପୁରୁଷ ସହିତ ! ଆଶ୍ଚର୍ଯ୍ୟ ! ସେ ପୁରୁଷ ଜଣଙ୍କ ତାହାହେଲେ ଅସାଧାରଣ ବ୍ୟକ୍ତି !

 

ନୀଳକଣ୍ଠ କହିଲା, ଆପଣ ଅଦାଲତର ଆଶ୍ରୟ ନେଲେ ନାହିଁ କାହିଁକି ?

 

ଏଥର ଡକ୍ଟର ପ୍ରାଟ୍ ହୋ’ ହୋ ହୋଇ ହସିଲେ । କହିଲେ, ଯେଉଁ ନାରୀ ନିଜ ସୁସ୍ଥ ସବଳ ସ୍ଵାମୀ ସହିତ ଗୋଟାଏ ଶେଯରେ ଶୋଇଥିବା ବେଳେ ଆଉ ଜଣେ ପୁରୁଷ କଥା ଭାବିପାରେ, ଅଦାଲତ କଅଣ ତା ମନକୁ ବିଚାରର ରାୟରେ ବି ତା ସ୍ଵାମୀ ପାଖକୁ ଫେରାଇ ଦେଇପାରିବ ? ଅଦାଲତ ନାରୀର ଦେହକୁ ଫେରାଇ ଦେଇପାରେ ଯୁବକ ! କିନ୍ତୁ ନାରୀର ମନକୁ ଫେରାଇ ଦେଇପାରେନା !

 

ନୀଳକଣ୍ଠ ବୁଝିଲା, ଡକ୍ଟର ପ୍ରାଟ୍ ଦେହଲୋଭୀ ନୁହଁନ୍ତି, ସେ ମନ-କାଙ୍ଗାଳ । ଏଭଳି ଏକ ସ୍ଵାମୀକୁ ଛାଡ଼ି ଜଣେ ନାରୀ ବିବାହର ସାତବର୍ଷ ପରେ ଅନ୍ୟ ଜଣଙ୍କ ସହିତ ପଳାଇ ଯାଇପାରେ ?

 

ଡକ୍ଟର ପ୍ରାଟ୍ କହିଲେ, ହଠାତ୍ ମୋ ମୁହଁରୁ ଏକଥା ଶୁଣି ତମେ ଆଶ୍ଚର୍ଯ୍ୟ ହେଉଚ ନା ! କିନ୍ତୁ ଏ ହେଲା ମୋ ମନର ବହୁ ଦିନର ସଞ୍ଚିତ ବ୍ୟଥା । ତମେ ଆଶ୍ଚର୍ଯ୍ୟ ହୁଅନାଇଁ । ଏମିଲି ଯାହା ସହିତ ପଳାଇଲା ସେ ପୁରୁଷ, ଏମିଲିଠାରୁ ଛଅ ବର୍ଷ ସାନ । ତା ଓଠ ତଳର ଦାଢ଼ିଗୁଡ଼ାକ ଭାରି ନରମ । ସେଇ ଅଳ୍ପ ବୟସ୍କ ତରୁଣଟି ବିବାହର ଚାରିବର୍ଷ ପରେ ଏମିଲିର ମନକୁ ଡକାଏତ କରି ଲୁଟ୍ କରି ନେଇଥିଲା । ଅବଶିଷ୍ଟ ତିନିବର୍ଷ ମୁଁ ଏମିଲିକୁ ଜବରଦସ୍ତ ଅଟକାଇ ରଖିଥିଲି । କିନ୍ତୁ ବନର ବିହଙ୍ଗୀକୁ କଅଣ ମନର ପିଞ୍ଜରାରେ ଅଟକାଇ ରଖି ହୁଏ ? ହେଉ ସେ ପିଞ୍ଜରା ପଛେ ସୁନାର କାଠିରେ ତିଆରି !

 

ବନର ବିହଙ୍ଗୀକୁ ମନର ପିଞ୍ଜରାରେ ଅଟକାଇ ରଖି ହୁଏନା ?

 

ନିଜ ମନକୁ ନିଜେ ପ୍ରଶ୍ନଟି କରି ନୀଳକଣ୍ଠ କିପରି ହତାସ ହୋଇପଡ଼ିଲା । ତାକୁ ବୋଧହେଲା ଏ ପ୍ରଶ୍ନଟି ନିଜକୁ ପଚାରିଲା ବେଳେ ତା ଛାତି ପାଖ ଫୁସ୍‍ଫୁସର କେଉଁ ଏକ ସ୍ଥାନରେ ଯେମିତି ଗଭୀର ବେଦନା ଅନୁଭୂତ ହେଉଚି !

 

ଡକ୍ଟର ପ୍ରାଟ୍‍ଙ୍କ ମୁହଁରୁ ବେଦନାର ଘନ ମେଘ ଅପସରି ଯାଉଛି । ଝଲସୁଚି ନିର୍ମଳ ହସ-। ସେ କହିଲେ, ନାରୀର ଅପରାଧିନୀ ଭାବି କିଛି ଲାଭ ନାହିଁ ନୀଳକଣ୍ଠ ବାବୁ ! ନାରୀର ମନଟା ସବୁବେଳେ ସୁନ୍ଦର । କିନ୍ତୁ ତାର ଦେହଟାକୁ ଈଶ୍ଵର ଏପରି ଭାବରେ ଗଢ଼ିଛନ୍ତି ଯେ ସେଇ ଦେହ ସବୁବେଳେ ସେମାନଙ୍କୁ ଅବାଟକୁ ଟାଣିନିଏ । ସବୁ କ୍ଷୁଧା ତୃଷ୍ଣାର ନିଦୃତ୍ତି ଅଛି, କିନ୍ତୁ ନାରୀର ଦେହର କ୍ଷୁଧା ଚିରକାଳ ଅନିବାରିତ । ନାରୀର ସେ ସମ୍ଭୋଗର କ୍ଷୁଧା ଅଗ୍ନିରେ ପୋଡ଼େ ନାହିଁ, ଜଳରେ ଭିଜେ ନାହିଁ କିମ୍ବା ଆଘାତରେ ଭାଙ୍ଗେ ନାହିଁ । ମହାକାଳରେ ସବୁ ନୀତିବାକ୍ୟକୁ ଏ କାନରେ ପୂରାଇ ସେ କାନରେ ବାହାର କରିଦେଇ ନାରୀ ସବୁବେଳେ ଏଇ ପଥର ଯାତ୍ରୀ...ନାରୀର ସେ ତୃଷ୍ଣା ପାଖରେ ପୁରୁଷ କି ସାମାନ୍ୟ.... !

 

ବ୍ୟଥିତ ମଣିଷ ଥରେ ତାର ଅନ୍ତର ଖୋଲିବାକୁ ଚେଷ୍ଟା କଲେ, ସେ ଆଉ କିଛି ନିଜ ଭିତରେ ଲୁଚାଇ ରଖିପାରେ ନାହିଁ । ଡକ୍ଟର ପ୍ରାଟ୍ ନିଜ କଥା କହିବାକୁ ଆରମ୍ଭ କରି ଅସମ୍ଭାଳ । ସେ ନିଜ ମନକୁ ମିନିଟ କେତୋଟି ମଧ୍ୟରେ ନୀଳକଣ୍ଠ ସମ୍ମୁଖରେ ଉଲଗ୍ନ କରିଦେଲେ ।

ଖୁବ୍ ଭଲ ଲାଗୁଥିଲା ନୀଳକଣ୍ଠକୁ ଡକ୍ଟର ପ୍ରାଟ୍‍ଙ୍କ ସ୍ପଷ୍ଟୋକ୍ତି । ଏଇ କଥା ମଧ୍ୟରେ ଡକ୍ଟର ପ୍ରାଟ୍‍ଙ୍କ ଆଉ ଗୋଟାଏ ପ୍ରକାର ଚେହେରା ତା ଆଖିରେ ଧରାପଡ଼ିଯାଇଥିଲା । ସେ ମନେ ମନେ ଡକ୍ଟର ପ୍ରାଟ୍‍ଙ୍କ ପାଇଁ ଅନୁଭବ କରୁଥିଲା ବିପୁଳ ଶ୍ରଦ୍ଧା ।

ଡକ୍ଟର ପ୍ରାଟ୍ ନୀଳକଣ୍ଠକୁ ଅନୁରୋଧ କଲେ, ତମେ କେବେ ଆସ ନୀଳକଣ୍ଠ ବାବୁ ! ମୋ ଆଶ୍ରମ ମୁଁ ତମକୁ ଦେଖାଇବି ।

ନୀଳକଣ୍ଠ ହଁ ଭରି ଉଠିଲା ।

ଦାର୍ଜିଲିଂରେ ଆକାଶର ଉଜ୍ଜ୍ୱଳ ସୁବର୍ଣ୍ଣ ଖରା ।

ନୀଳକଣ୍ଠର ମନେ ହେଲା ରୋଗ ଶର୍ଯ୍ୟାରୁ ଉଠିଲା ପରେ ଯେଉଁ ଅଶ୍ୱସ୍ତି ତା ମନକୁ ବହୁ ସମୟରେ ଆନ୍ଦୋଳିତ କରୁଥିଲା । ଡକ୍ଟର ପ୍ରାଟ୍‌ଙ୍କ କାହାଣୀ ଶୁଣିଲାପରେ ସେ ଅଶ୍ୱସ୍ତି ବହୁ ପରିମାଣରେ କଟିଯାଇଚି !

ତାର ଦୁଇଦିନ ପରେ ।

ସୁନନ୍ଦା ଟିଟୁକୁ ବସି ଗେଲ କରୁଥିଲା । ଉଡ଼ି ଯାଉଥିବା ପ୍ରଜାପତିକୁ ଦେଖାଇ ତାର ମନ ଭୁଲାଇବାକୁ ଚେଷ୍ଟା କରୁଥିଲା । ଅମାନିଆ ଟିଟୁ କେଜାଣି କାହିଁକି ଆଜି ଘଣ୍ଟାଏ ହେଲା ଏଁ...ଏଁ ...ହୋଇ କାନ୍ଦଣାର ସ୍ଵର ଧରିଛି । ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସେ କିଛି ବୁଝୁ ନାହିଁ ।

ଡକ୍ଟର ପ୍ରାଟ୍ କହିଛନ୍ତି, ଆଉ ଦୁଇଦିନପରେ ତାର ଅପରେସନ୍ ହେବ । ତାପରେ...ତାପରେ ସେ କଥା କହିବାର ଶକ୍ତି ଫେରି ପାଇବ । ମୂକ ହେବ ମୁଖର । ପାହାଡ଼ ଉପରେ ପଦ୍ମ ଫୁଟିବ !

ଏକଥା ବେଳେ ବେଳେ ସୁନନ୍ଦା ବିଶ୍ଵାସ କରେ । ପୁଣି ବେଳେ ବେଳେ ବିଶ୍ଵାସ କରେ ନାହିଁ । ଟିଟୁ ଯେ କଥା କହିବାର ଶକ୍ତି ଫେରି ପାଇବ ଏକଥା ତାର ଆଦୌ ବିଶ୍ଵାସ ହୁଏ ନାହିଁ । ନୀଳକଣ୍ଠର କିନ୍ତୁ ଡକ୍ଟର ପ୍ରାଟ୍‌ଙ୍କ ଉପରେ ଅଗାଧ ବିଶ୍ଵାସ ।

ସୁନନ୍ଦା ଏଣୁ ତେଣୁ ଭାବୁଥିଲା ଏକୁଟିଆ ନିଛାଟିଆରେ ବସିଲେ ଏବେ ଏଣୁ ତେଣୁ ବାଜେ କଥାଗୁଡ଼ାକ ତାର ବେଶି ମନେ ପଡ଼ୁଛି ।

କବାଟ ଜଞ୍ଜିର ଝଣ ଝଣ ହେଲା ।

ଜଞ୍ଜିର ହଲାଇବାର ଶବ୍ଦରୁ ଅନୁମାନ କରି ପାରିଲା, ପଙ୍କଜ ଆସିଛି । ଗତ ଦୁଇଦିନ ହେଲା ଦେଖା ନ ଥିଲା ।

ଉଠିଯାଇ କବାଟ ଖୋଲିଦେଲା ସୁନନ୍ଦା ।

ସବୁଦିନ ଭଳି ସେମିତି ନିର୍ଲିପ୍ତ କଣ୍ଠରେ ପଙ୍କଜ ପଚାରିଲା—ନୀଳକଣ୍ଠ ବାବୁ ଅଛନ୍ତି ।

 

ସୁନନ୍ଦା ହସିଲା ।

 

କହିଲା, ନାଇଁ—ରୋଗ ଶେଯରୁ ଉଠିବା ଦିନୁ ତାଙ୍କ ଡେଣାରେ ପକ୍ଷୀ ଲାଗିଯାଇଚି । ଘୋଡ଼ା ଚଢ଼ି ସେ ଚାରିଆଡ଼େ ବୁଲୁଛନ୍ତି । ପ୍ରାକୃତିକ ପରିବେଶ ଦେଖିଲେ, ତାଙ୍କ ମନରେ ଗୋଟାଏ ପ୍ରକାର ଉନ୍ମାଦନା ଜାଗେ ବୋଲି ମୋର ମନେ ହୁଏ ଦାର୍ଜିଲିଂ ଆସିଲା ଦିନୁ ତ ସେ ଏକ ପ୍ରକାର ପାଗଳ ହୋଇଗଲେଣି ...

ନିଜ ସ୍ଵାମୀ ବିଷୟରେ ସୁନନ୍ଦା ମୁହଁରୁ ଏତେ କଥା ଶୁଣି ପଙ୍କଜର ଅନିଚ୍ଛା ସତ୍ତେ ତା ମୁହଁରେ ହସର ଉଲ୍ଲାସ ଦେଖାଗଲା । ସୁନନ୍ଦା କଥା ଶେଷ ହେବା ମାତ୍ରେ ସେ କହିଉଠିଲା, ବେଶ୍‍ ମୁଁ ଯାଉଛି । ଆସିଥିଲି ବୋଲି କହି ଦେବ...

ପଙ୍କଜ ଚାଲିଯିବ ବୋଲି ବାହାରିଲା ।

ସୁନନ୍ଦା କହିଲା, ନ ଗଲେ କଅଣ ଚଳିବ ନାଇଁ ?

ଚମକିଉଠି ପଙ୍କଜ ପଚାରିଲା, ମାନେ !

ସୁନନ୍ଦା ସ୍ଵାଭାବିକ କଣ୍ଠରେ ଉତ୍ତର ଦେଲା, ମାନେ ଆଉ କଣ ? ତମକୁ ଅଟକାଇ ନ ରଖିଲେ ତମର ବନ୍ଧୁ ମତେ ଦୋଷ ଦେବେ । ତମେ ଯେତେବେଳେ ତାଙ୍କ ଜୀବନ ସଂକଟ ବେଳେ ଏତେ ସେବା କରିଚ, କୃତଜ୍ଞତା ବୋଲି ପୁଣି ଗୋଟିଏ ପଦାର୍ଥ ଅଛି ତ ?

ପଙ୍କଜ ଠିଆହୋଇ ରହିଲା । ଭିତରକୁ ଆସିପାରିଲା ନାହିଁ କି ବାହାରକୁ ଚାଲି ଯାଇପାରିଲା ନାହିଁ । ସୁନନ୍ଦା ତାକୁ ଭିତରକୁ ଡାକୁଚି, କାରଣ ସେ ତା ସ୍ଵାମୀର ସେବା କରିଥିଲା । ଆଉ କୌଣସି ପାଇଁ ନୁହେଁ ?

 

ସୁନନ୍ଦା ପୁଣି ଜୋରକରି କହିଲା, ଭିତରକୁ ଆସ ଚା’ ଟିକିଏ ଅନ୍ତତଃ ଖାଇଯିବ ।

 

ପଙ୍କଜ ଭିତରକୁ ପ୍ରବେଶ କଲା ।

 

ନୀଳକଣ୍ଠର ସେବା କରିବାପାଇଁ ସେ ଆଗରୁ କେତେ ଥର ଭିତରକୁ ଯାଇଚି । କିନ୍ତୁ ନୀଳକଣ୍ଠ ଡ୍ରଇଂ ରୁମ୍‌ର ଚେହେରାଟା କେବେ ସେ ଭଲ କରି ନିରୀକ୍ଷଣ କରି ନଥିଲା ସୁସଜ୍ଜିତ ଏକ ଡ୍ରଇଂ ରୁମ୍ । ଖୁବ୍ ଅଳ୍ପ ଆସବାବ ପତ୍ର ମଧ୍ୟରେ ଚମତ୍କାର ସଜାଇଚି ସୁନନ୍ଦା ଘରଟାକୁ ।

 

ପଙ୍କଜର ହଠାତ୍ ସ୍ମରଣ ହେଲା—ସୁନନ୍ଦା ଶିଳ୍ପୀ । ସେଇ ଶିଳ୍ପୀ ହାତର ଯାଦୁ ସ୍ପର୍ଶରେ କାଠ ତିଆରି ଘରଟିରେ ଯେ ନୂତନ ଜୀବନର ସ୍ପର୍ଶ ଲାଗିବ, ଏଥିରେ ବୈଚିତ୍ର୍ୟ କଅଣ ଅଛି ! ନୀଳକଣ୍ଠ ଭାଗ୍ୟବାନ । ସୁନନ୍ଦାକୁ ଶେଷରେ ସେ ଫେରି ଆସିଲା । ପ୍ରତିଯୋଗିତାର ଘୋଡ଼ା ଦୌଡ଼ରେ ଶିଶୁପାଳ ହୋଇ ହାରିଗଲା ପଙ୍କଜ । ନୀଳକଣ୍ଠ ପ୍ରତି ପଙ୍କଜ ମନରେ ଏକ ପ୍ରଚ୍ଛନ ଈର୍ଷାତୁର ଭାବ ପ୍ରକାଶ ପାଉଥିଲା ସମ୍ଭବତଃ ।

 

ଟିଟୁକୁ ଘର ଭିତରେ ଶୁଆଇ ପକାଇବାକୁ ନେଇ ପଳାଇଲା ସୁନନ୍ଦା । ପଙ୍କଜ ଆଗରେ ଟିଟୁକୁ ଧରି ଠିଆହେବାପାଇଁ କେଜାଣି କାହିଁକି ସେ ଶକ୍ତି ସଂଗ୍ରହ କରିପାରୁ ନଥିଲା । ଶୋଇବାଘରୁ ଫେରି ଆସି ସୁନନ୍ଦା ପଚାରିଲା, ଚାହା ଆଣିବି ନା ଓଭାଲଟିନ୍ ?

 

ଚାହା ଆଣିବାକୁ ହିଁ କହିଲା ତାକୁ ପଙ୍କଜ ।

 

ଚାହା ପିଇଲା ବେଳେ ପଙ୍କଜ ପଚାରିଲା, ତମ ନିଜ ହାତ ଅଙ୍କା ଛବି ଗୋଟିଏ ହେଲେ ତ ଏ ଡ୍ରଇଂ ରୁମ୍‌ର କାନ୍ଥରେ ଟଙ୍ଗା ହୋଇଥିବା ମୁଁ ଦେଖିଲି ନାଇଁ । ତମେ କଅଣ ଛବିଅଙ୍କା ଛାଡ଼ି ଦେଲଣି ସୁନନ୍ଦା ?

 

ସୁନନ୍ଦା ଚମକି ଉଠିଲା ।

 

ଶିହରି ଉଠିଲା ତା ଦେହରେ ପ୍ରତି କୋଣ, ଅନୁକୋଣ । ଭୂତ ଦେଖି ଚମକି ଉଠିଥିଲା ଭଳି ତାର ସର୍ବାଙ୍ଗ ଏକ ଅପୂର୍ବ ଆବେଗରେ ପ୍ରକମ୍ପିତ ହେବାକୁ ଲାଗିଲା ।

 

କାହିଁକି ?

 

ଶାନ୍ତି ନିକେତନ ଛାଡ଼ି ନୀଳକଣ୍ଠ ଘରକୁ ଆସିଲାଦିନୁ ସେ ଆଉ କେବେ ଛବି ଆଙ୍କିବା କଥା ମନରେ ଆଣିନାଇଁ । ଭୁଲରେ, ସ୍ଵପ୍ନରେ ସୁଦ୍ଧା ନୁହେଁ, ଛବି ଆଙ୍କିବାରେ ଏବେ ତାର ଭାରି ଭୟ । ଏଇ ଛବିର ପ୍ରେମରେ ପଡ଼ି ପଙ୍କଜ ତାକୁ ଦୁର୍ଦ୍ଦଶାର ଏ ଗିରିଗହାର ଭିତରକୁ ଠେଲିଦେଇଥିଲା । ନୀଳକଣ୍ଠ ବି ତାକୁ ଆଉ କେବେ ଛବି ଆଙ୍କିବା କଥା କହି ନାହିଁ । ସୁନନ୍ଦା ଯେ କେବେ ଦିନେ ଶିଳ୍ପୀ ଥିଲା, ଏକଥା ତାର ନିଜର ମଧ୍ୟ କେବେ ଖିଆଲ ହୁଏ ନାହିଁ ।

 

(ଶିଳ୍ପୀ ସୁନନ୍ଦା ମରିଚି ପଙ୍କଜ । ଆଜି ତମେ ଯାହାକୁ ଦେଖୁଚ ସେ ତାର ପ୍ରେତାତ୍ମା ନା ...ନା ସୁନନ୍ଦା ମରିନାଇଁ । ସୁନନ୍ଦାକୁ ତମେ ହିଁ ହତ୍ୟା କରିଚ । ଶାନ୍ତି ନିକେତନର ସେଇ ପ୍ରତିଭାଶାଳୀ ନାରୀ ଶିଳ୍ପୀକୁ ତମେ ହିଁ ହତ୍ୟା କରିଛ ତିଳ ତିଳ କରି । ତମେ ହିଁ ଦିନେ ସେଇ ମୃତ ସୁନନ୍ଦାକୁ ଅତୀତର କବର ଭିତରେ ପୋତିଛ । ଆଜି ସେ କେମିତି କବର ଭିତରୁ ବାହାରି ତମ ଆଗରେ ଠିଆ ହୋଇଛି ବୋଲି ଭାବି ମନେ ମନେ ଅବାକ ହେଉଚ କି ! ନା-ନା ଏ ସୁନନ୍ଦା ଶିଳ୍ପୀ ନୁହେଁ—ନାରୀ । ସେ ନାରୀ—ତାର ଦେହ, ତାର ବଞ୍ଚିବାର କାମନା, ଅନ୍ୟକୁ ବଞ୍ଚାଇ ରଖିବାର ବିଳାସ—ସ୍ଵାମୀ, ପୁତ୍ର, ଘର ସଂସାର ନେଇ ସେ ତମ ଆଗରେ ଠିଆ ହୋଇଛି । ନିଜ ଶିଳ୍ପୀତୁଳିର ରଙ୍ଗକୁ ନିଜ ମନରେ ବୋଳି ସେ ଆଜି ରଙ୍ଗିନ୍‍ । ଯାହା ତୁଳିରେ ରଙ୍ଗ ଥାଏ ସେ ଶିଳ୍ପୀ । ଆଉ ଯାହା ମନରେ ରଙ୍ଗ ଥାଏ—ସେ... ସେ ହେଲା ନାରୀ.... ନାରୀ ।)

 

ପଙ୍କଜର କଥା ଶୁଣି ନିସ୍ତବ୍ଧ ହୋଇ ଠିଆ ହେଲା ସୁନନ୍ଦା ।

 

ବହୁଦିନ ତଳେ ଦେଖିଥିବା ଏକ ଦିବାସ୍ଵପ୍ନକୁ ଅତି କଷ୍ଟରେ ସ୍ମରଣ କରୁଥିବା ଭଳି ମୁଖଭଙ୍ଗୀ କରି ସୁନନ୍ଦା ଭାବିଲା, ସତେ ତ । ଏକଦା ସେ ଥିଲା ଜଣେ ଶିଳ୍ପୀ ତୂଳି ଆଉ ରଙ୍ଗରେ ସେ କେତେ ବିଚିତ୍ର ଜୀବନର ବେଚିତ୍ର୍ୟକୁ ତୋଳି ଧରୁଥିଲା । ଆଜି କିନ୍ତୁ ନିଜ ଜୀବନରେ ସେଇ ରଙ୍ଗର ଏଫେକ୍ଟ ଆଣିବାକୁ ଚେଷ୍ଟାକରି ସେ ଛବିର ରଙ୍ଗକଥା ସମ୍ପୂର୍ଣ୍ଣ ବିସ୍ତୃତ ହୋଇଯାଇଛି ।

 

କଥାଟା ସ୍ମରଣ କରି ପୁଣି ଆଉ ଥରେ ଭୟରେ ଶିହରୀ ଉଠିଲା ସୁନନ୍ଦା । ସେ ଭାବିବାକୁ ଲାଗିଲା ତା ତୂଳୀରୁ ଏ ରଙ୍ଗକୁ ପୋଛିନେଲା କିଏ ?

 

(ନୀଳକଣ୍ଠ ! ତମେ, ତମେ ହିଁ ପୋଛିନେଲ ସୁନନ୍ଦାର ଶିଳ୍ପୀର ତୂଳୀରୁ ସମସ୍ତ ରଙ୍ଗ । ସେଇ ରଙ୍ଗରେ ତମର ବିବର୍ଣ୍ଣ ମନ ରଙ୍ଗୀନ ହେଲା । ତମ ଶୌତ୍ୟକ୍ଳିଷ୍ଟ ଜୀବନରେ ବହିଲା ମୃଦୁ ମଳୟ । ତମେ ନିଷ୍ଠୁର । ତମେ ହୁଦୟହୀନ । ସୁନନ୍ଦାକୁ ଆଶ୍ରୟ ଦେବା ଛଳରେ ତମେ ନିଃସ୍ଵ, ଦୁସ୍ଥ କରିଦେଲ । ତା ସାମାନ୍ୟ ଭୁଲର ସୁଯୋଗରେ ତମେ ତାର ପ୍ରତିଭାକୁ କଲ ହତ୍ୟା । ସୁନନ୍ଦା ଯେ ଦିନେ ଶିଳ୍ପୀ ଥିଲା, ଛବି ଆଙ୍କୁଥିଲା, ଏକଥା ଦିନେ ତାକୁ ସ୍ମରଣ କରାଇ ଦେଇଚ ? ତାର ଶିଳ୍ପୀ ପ୍ରତିଭାକୁ ଉତ୍ସାହିତ କରିବା ପାଇଁ ଦିନେ ହେଲେ ସୁଦ୍ଧା ତମେ ତାକୁ ଉତ୍ସାହର ବାଣୀ ଶୁଣାଇଚ ? ଆଜି ପଙ୍କଜ କଥାରୁ ସେ କଥା ବୁଝୁଚି ସୁନନ୍ଦା—ସେ କେବଳ ନାରୀ ନୁହେଁ । ସେ ଥିଲା ଜଣେ ଶିଳ୍ପୀ । ତୁମେ ତାକୁ ବିବାହ କରି ସ୍ଵାମୀ ହେଲେ । ସେ କିନ୍ତୁ ସ୍ତ୍ରୀ ନହୋଇ ହେଲା ଦାସୀ । ତମ ଇଚ୍ଛାର ନିର୍ଜୀବ କ୍ରୀଡ଼ନକ । ଅନେକ ଦିନ ହେଲା ସୁନନ୍ଦା ନିଜ ମନରେ ଯେଉଁ ଶୂନ୍ୟତା ଅନୁଭବ କରୁଥିଲା, ପଙ୍କଜ ଆଜି ତାର କାରଣ ନିର୍ଦ୍ଦେଶ କରିଛି ଏଇ ଗୋଟିଏ ପ୍ରଶ୍ନରେ । ସୁନନ୍ଦା ପ୍ରଥମ ଥର ପାଇଁ ଅନୁଭବ କଲା ନୀଳକଣ୍ଠ ବୋଧହୁଏ ତାକୁ ଠକିଛି ।

 

ସୁନନ୍ଦାର ଭାବାନ୍ତାରକୁ ସତର୍କତାର ସହିତ ଲକ୍ଷ୍ୟ କରୁଥିଲା ପଙ୍କଜ ।

 

ସେ ଲକ୍ଷ୍ୟ କରି ଦେଖିଲା, ତାର ସେ ସାଧାରଣ ପ୍ରଶ୍ନଟି ଶୁଣି ସୁନନ୍ଦାର ଦୁଇ ଆଖି ପତାରେ କରୁଣତାର ଆଲୋଡ଼ନ ଘନୀଭୂତ ହୋଇଆସିଚି । ପ୍ରଶ୍ନଟି ପଚାରି ସେ କଣ ତାକୁ ଆହତ କରିଛି ?

 

ଶଙ୍କିତ ହୋଇପଡ଼ୁଥିଲା ପଙ୍କଜ । ସୁନନ୍ଦାକୁ ଆଜିର ଏ ଦିନେ ଏଭଳି ପ୍ରଶ୍ନ ପଚାରିବାର ଅଧିକାର ତାର ଅଛି କି ନାହିଁ, ସେ ତାହା ବିଶ୍ଲେଷଣ କରି ଦେଖୁଥିଲା ।

 

ସୁନନ୍ଦା ପାଖରେ କ୍ଷମାଭିକ୍ଷା କଲାଭଳି ବିନୀତ କଣ୍ଠରେ ପଙ୍କଜ କହିଲା, ମନରେ କିଛି ଖରାପ ଭାବିଲ କି ? ଘର କାମର ଜଞ୍ଜାଳରେ ହୁଏତ ଛବି ଆଙ୍କିବାକୁ ସମୟ ହେଉ ନ ଥିବ । ଏଥିରେ ବ୍ୟସ୍ତ ହେବାର କଅଣ ଅଛି ? ଗୋଟିଏ ସୁଖୀ ସଂସାର ଗଢ଼ି ତୋଳିବାର ଶିଳ୍ପକର୍ମରେ ତମେ ଯେତେବେଳେ ସଫଳତା ହାସଲ କରିଚ, ଛବିଅଙ୍କା କଅଣ ତାଠୁଁ ବଡ଼ ? ଗୃହିଣୀ ଗୃହର ମହାନ୍ ଶିଳ୍ପୀ, ସୁନନ୍ଦା । ଏ ଶିଳ୍ପକଳାରେ ସଫଳତା ଲାଭ କରି କିଛି ସହଜ କଥା ନୁହେଁ ।

 

ସୁନନ୍ଦା ଗୋଟିଏ ଅଭୁତ ପ୍ରଶ୍ନ କରିବସିଲା ପଙ୍କଜକୁ ।

 

ପଚାରିଲା, ମୁଁ ସୁଖୀ ହୋଇଚି ବୋଲି ତମର ହୃଦବୋଧ ହୋଇଚି ପଙ୍କଜ ?

 

ଏଥର ପଙ୍କଜ ଚମକିଉଠିବାର ପାଳି । ସେ ରୀତିମତ ଚମକି ଉଠିଲା ଏ ପ୍ରଶ୍ନଟି ଶୁଣି ସୁନନ୍ଦା ନୀଳକଣ୍ଠର ଗୃହିଣୀ ହୋଇ ସୁଖୀ ହୋଇଚି କି ନାହିଁ, ସେକଥାର ଉତ୍ତର ସୁନନ୍ଦାର ଏକଦା ପ୍ରେମିକ ପଙ୍କଜ ଦାସର କଣ୍ଠରେ କଅଣ ଭଲ ଶୁଭିବ ?

 

ପଙ୍କଜ କିଛି କହିଲା ନାହିଁ, କିଛି କହିପାରିଲା ନାହିଁ ।

 

ସୁନନ୍ଦା ନିଜେ କିନ୍ତୁ ନିଜ ପ୍ରଶ୍ନର ଉତ୍ତର ଦେଲା ।

 

କହିଲା, ସୁଖର ସଂଜ୍ଞା କଅଣ ମୁଁ ଜଣେ ନାଇଁ, ପଙ୍କଜ ! ଭଲ ଖାଇପିଇ ସ୍ଵାମୀ ସ୍ନେହ ପ୍ରାଚୁର୍ଯ୍ୟ ମଧ୍ୟରେ ବାସ କରିବା ଯଦି ସୁଖ ହୁଏ, ମୋଠୁଁ ବଳି ସୁଖୀ ନାରୀ ଆଉ ସଂସାରରେ କେହି ଦ୍ୱିତୀୟ ନାହାନ୍ତି । କିନ୍ତୁ ଆତ୍ମସମ୍ମାନ, ମର୍ଯ୍ୟାଦାବୋଧ ଯଦି ମଣିଷ ଜୀବନର ସୁଖକୁ ପ୍ରଭାବିତ କରିଥାଏ, ତାହାହେଲେ ମୋଠୁଁ ବଳି ଦୁଃଖୀନ କିଏ ?

 

ଅବାକ୍ କଣ୍ଠରେ ପଙ୍କଜ ପଚାରିଲା, ତମ କଥା ମୁଁ କିଛି ହେଲେ ବବୁଝିପାରୁ ନାହିଁ ସୁନନ୍ଦା.... !

 

ସୁନନ୍ଦା ଉତ୍ତ୍ୟକ୍ତ କଣ୍ଠରେ ଉତ୍ତର ଦେଲା, ତମେ ସେ କଥା ବୁଝିଥିଲେ ମୋ ଜୀବନରେ ଏତେବଡ଼ ଧକ୍କା ଲାଗି ନଥାନ୍ତା । ତମେ ଜାଣ, ସେ ମଧ୍ୟ ଜାଣନ୍ତି, ଟିଟୁର ଜନକ ତମେ । ଅଥଚ ସେ ମତେ ଯେତେ ସୁଖରେ ରଖିଛନ୍ତି, ଆନନ୍ଦରେ ରଖିଛନ୍ତି, ତାହା କଅଣ ମୋର ମର୍ଯ୍ୟାଦାବୋଧକୁ କ୍ଷୁର୍ଣ୍ଣ କରୁ ନାହିଁ ? ଏ ବଞ୍ଚିବା କଅଣ ଏକ ବୀରନାରୀର ବଞ୍ଚିବା ସହିତ ସମାନ ନୁହେଁ ?

ପଙ୍କଜ ଆର୍ତ୍ତନାଦ କରିଉଠିଲା, ନୀଳକଣ୍ଠବାବୁଙ୍କ ମହାନ୍ ହୃଦୟତାକୁ ତମେ ଅପମାନ ବୋଲି ମନେକରୁଚ ?

ସୁନନ୍ଦା କହିଲା, ମତେ ସୁଖୀ କରିବାକୁ ଚାହିଁଥିଲେ ସେ ମତେ ଘୃଣା କରିବା ଉଚିତ ଥିଲା ପଙ୍କଜ ! ତାହାହେଲେ ପ୍ରତି ମୁହୂର୍ତ୍ତରେ ସ୍ଵାଭାବିକ ଭାବରେ ତାଙ୍କର ସେ ମହାନ୍ ହୃଦୟତାକୁ ସ୍ମରଣ କରି ମୁଁ ସୁଖୀ ହୋଇଥାନ୍ତି । କିନ୍ତୁ ମତେ ଏକ କୀଟଦ୍ରଷ୍ଟ, ଛଡ଼ାଫୁଲ ବୋଲି ଜାଣି ସୁଦ୍ଧା ସେ ଯେ ପୂଜାଫୁଲ ଭଳି ସବୁବେଳେ କଣ୍ଠରେ ହାର କରି ପିନ୍ଧି ଚାଲିଛନ୍ତି...

ସୁନନ୍ଦାର କଥା ଶୁଣି ଗଭୀର ଅଶ୍ୱସ୍ତିରେ ମୂହ୍ୟବାନ ହୋଇ ପଡ଼ିଲା ପଙ୍କଜ । ସେ ବୁଝିଲା, ନୀଳକଣ୍ଠର ପାରିବାରିକ ଜୀବନରେ ସେ ଅଗ୍ନ୍ନି ସଂଯୋଗ କରିଚି । ଆଉ ଅପେକ୍ଷା ନକରି, ସୁନନ୍ଦାର ଅନୁରୋଧକୁ ଭ୍ରୂକ୍ଷେପ ନକରି ସେ ଦ୍ରୁତ ପଦରେ ସେ ସ୍ଥାନ ଛାଡ଼ି ଚାଲିଗଲା ।

ପଙ୍କଜ ଚାଲିଗଲା ପରେ ଟିଟୁକୁ କୋଳରେ ଜାକି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ସୁନନ୍ଦା । ତା ମନ ଭିତରେ, ତା ଅବଚେତନ ମନରେ ଯେଉଁ କଥା ବହୁଦିନ ହେଲା କୁହୁଳୁଥିଲା, ସେ କଥା ପ୍ରକାଶ କରିଦେଇ ସେ କାନ୍ଦିବାଲାଗି ପ୍ରେରଣା ପାଇଥିଲା ।

ପଙ୍କଜ ପଚାରୁଥିଲା, ସେ ଆଉ ଛବି ଆଙ୍କୁଚି କି ନାହିଁ ?

ଶିଳ୍ପୀ ସୁନନ୍ଦାକୁ ନୀଳକଣ୍ଠ ତ ସେକଥା ଦିନେ ପଚାରି ପାରିଥାଆନ୍ତା ! ସେ କଥା ତାହାହେଲେ ସେ ଆଜିଯାଏ ଦିନେହେଲେ ପଚାରି ନାହିଁ କାହିଁକି ?

କାହିଁକି ? କାହିଁକି ?

ନୀଳକଣ୍ଠ କଅଣ ତା ହେଲେ ତା ଶିଳ୍ପୀ ପ୍ରତିଭାକୁ ଭଲପାଏ ନାହିଁ ?

ତାହାହେଲେ କଅଣ ଏକ ଅପରାଧିନୀ, ସ୍ନେହମୟୀ କ୍ରୀତଦାସୀ ଭଳି ସୁନନ୍ଦା ପଙ୍କଜର ଗୃହକୁ ନିଜ ମନର ଶିଳ୍ପକଳାଦ୍ଵାରା ସଜାଇବାରେ ଲାଗିଛି !

ସୁନନ୍ଦା ଆଖିରେ ଲୁହର ବନ୍ୟା ଆସିଲା ।

ସେ କାନ୍ଦି ଉଠିଲା କଇଁ କଇଁ ହୋଇ ଛୁଆଟା ବି ତା ସହିତ ତାନ ଦେଇ କାନ୍ଦିଉଠିଥିଲା-। କାକଳିରେ ସାରା ପାହାଡ଼ଭୂଇଁ କଲ୍ଲୋଳିତ ହୋଇ ହସୁଚି । ହିମସ୍ନାତ ସେଇ ବନଭୂଇଁ ଦୂରରୁ ଦିଶୁଚି ଏକ ବିଚିନ୍ତ୍ର ଚିନ୍ତ୍ରପଟ ଭଳି ।

ଘୋଡ଼ାରେ ଚଢ଼ି ଡକ୍ଟର ପ୍ରାଟ୍‍ଙ୍କ ସହିତ ନୀଳକଣ୍ଠ ଆଗକୁ ଚାଲିଥିଲା । ପିଲାଦିନେ ସେ ବୁଢ଼ୀମାଆଠାରୁ ଶୁଣିଥିଲା ପକ୍ଷୀରାଜ ଘୋଡ଼ା ଓ ରାଜପୁତ୍ର କାହାଣୀ । ଆଜି ତାର ମନେ ହେଲା ସତେ ଯେମିତି ସେ ଘୋଡ଼ାରେ ଚଢ଼ି ସେଇ ରୂପକଥାର ରାଜପୁତ୍ର ଭଳି ଚାଲିଛି କେଉଁ ଗୋଟିଏ ରୂପକଥାର ଦେଶକୁ । ମନରେ ତାର ସ୍ଵପ୍ନ, ମନରେ ତାର ଅପୂର୍ବ ଉଦ୍ଦୀପନା ।

 

ତଳକୁ ଚାହିଁଲେ ଦିଶୁଚି ଶ୍ୟାମଳ ସମତଳ ଭୂମି । ଉପରକୁ ଚାହିଁଲେ ଦିଶୁଚି ହିମାଳୟର ସେଇ ତୀଖ, ସୁଦୀର୍ଘ ଗିରିଶୃଙ୍ଗ । ଆଗରେ ଦିଶୁଚି ପାଇନ୍ ଆଉ ଚିରହରିତ୍ ବନ । ସେଇ ବନ ଭିତରେ ଡକ୍ଟର ପ୍ରାଟ୍‍ଙ୍କ ନୀଡ଼, ନୂତନ ସଂସାର ।

 

ଡକ୍ଟର ପ୍ରାଟ୍ ଘୋଡ଼ାରେ ଚଢ଼ି ଚାଲିଛନ୍ତି ।

 

କହରା ବାଳ କେତେ କେରା ଝୁଙ୍କି ପଡ଼ିବି ସାରା ମୁହଁଟାଯାକ ଆଖିରେ ଉଜ୍ଜ୍ୱଳ ଆଲୋକରେ ଆଭା । ସତେ ଯେମିତି ସେ ଏକ ନୂତନ ମହାଦେଶର ସନ୍ଧାନ ପାଇଛନ୍ତି....ଏକ ନୂଆ ଜୀବନର ରାହା ଖୋଜି ବାହାର କରିଛନ୍ତି…. !

 

ଆଉ ଅଳ୍ପ ବାଟ ଗଲାପରେ ଡକ୍ଟର ପ୍ରାଟ୍‍ଙ୍କ ଘୋଡ଼ା ଠିଆହେଲା ।

 

ନୀଳକଣ୍ଠ ମଧ୍ୟ ସେଇ ସ୍ଥାନରେ ଅଶ୍ୱରୁ ଅବତରଣ କରିଗଲା । ସେ ଅନୁଭବ କଲା ସେ ହିମ-ଶୀତଳ ବନଭୂମିରେ ମଧ୍ୟ ତାର ସାରା ଦେହଟା ଘର୍ମାକ୍ତ ହୋଇଉଠିଚି । ସେମାନେ ଅନେକ ଦୂର ତାହେଲେ ଆଗେଇ ଆସିଛନ୍ତି ।

 

ଘୋଡ଼ାକୁ ଠିଆକରି ଡକ୍ଟର ପ୍ରାଟ୍ କହିଲେ, ଘୋଡ଼ା ଦୁଇଟା ଏଇଠି ରହନ୍ତୁ । ସେମାନେ ଆଉ ଭିତରକୁ ଯାଇ ପାରିବେ ନାହିଁ । ଏଠାରୁ ପାହାଡ଼ ପଥ ବଡ଼ କୁଟିଳ । ଭୀଷଣ ଥଣ୍ଡା । ଆମକୁ ଚାଲିକରି ଯିବାକୁ ହେବ ।

 

ଡକ୍ଟର ପ୍ରାଟ୍‍ଙ୍କ ସହିତ ଚାଲି ଚାଲି ସେ ଜଙ୍ଗଲ ଅଭ୍ୟନ୍ତରକୁ ଗଲା ନୀଳକଣ୍ଠ । ଅଳ୍ପଦୂରରେ ସେ ଭେଟିଲା କେତେଜଣ ଭୁଟିଆ ଆଉ ସେର୍ପା ଲୋକଙ୍କୁ । ଭୁଟିଆ, ସେର୍ପା ନରନାରୀ କେତେଜଣ ଡକ୍ଟର ପ୍ରାଟ୍‍କୁ ଦେଖି ଆନନ୍ଦରେ କରତାଳି ଦେଇ ଉଠିଲେ । ସତେ ଯେପରି ନିଜ ମଧ୍ୟରେ ସେମାନେ ପାଇଛନ୍ତି ଜଣେ ଦେବ ପୁରୁଷ !

 

ତାହାର ଅଳ୍ପ ଦୂରରେ ଡକ୍ଟର ପ୍ରାଟ୍‍ଙ୍କ ନୂଆ ଆଶ୍ରମ ।

 

ପାହାଡ଼ କାଟି ସୁନ୍ଦର ଗୋଟିଏ ଘର ତିଆରି କରିଛନ୍ତି ସେର୍ପା ଲୋକେ । ଗୋଟିଏ ପାହାଡ଼ୀ ଝରଣା କିଶୋରୀ ବାଳକଟିଏ ଭଳି ଛଳ ଛଳ, କଳ କଳ କଣ୍ଠରେ ଗୀତ ଗାଇ ଗାଇ ବହିଯାଉଚି ସେଇ ଘର ପାଖରେ । ଜଙ୍ଗଲ କାଟି ପରିଷ୍କାର କରିଯାଇଛି ସେ ସ୍ଥାନଟି ବସି ପଡ଼ିବାକ୍ଷଣି ନିଦ ଘୋଟି ଆସୁଥିଲା ନୀଳକଣ୍ଠର ଆଖିକୁ ।

 

ଡକ୍ଟର ପ୍ରାଟ୍‍ଙ୍କୁ ଦେଖି ଆହୁରି କେତେକ ପାହାଡ଼ି ଆଦିବାସୀ ଲୋକ ଆସି ଜମା ହୋଇଗଲେ । ନୀଳକଣ୍ଠ ବୁଝିପାରୁ ନଥିବା କୌଣସି ଗୋଟିଏ ଭାଷାରେ କଥା କହି ସେମାନେ ଆନନ୍ଦର କଳଧ୍ଵନି କରିଉଠିଲେ । ନିଜ ଠାର ଭାଷାରେ କଣ କହିଲେ ସେମାନଙ୍କୁ ଡକ୍ଟର ପ୍ରାଟ୍ । ଲୋକଗୁଡ଼ିକ ମନ ଆନନ୍ଦରେ ଆରମ୍ଭ କରିଦେଲେ ଗୀତ ବୋଲା ।

 

ସ୍ଵପ୍ନ ଦେଖୁଥିବା ଭଳି ନୀଳକଣ୍ଠ କେବଳ ଦେଖିଗଲା ସେ ସବୁ ଦୃଶ୍ୟ । ଗେଡ଼ା ଗେଡ଼ା ହୃଷ୍ଟପୁଷ୍ଟ ନର ନାରୀ କେତେଜଣ ପରିଧେୟ ସଂକ୍ଷିପ୍ତ । ତୁଣ୍ଡରେ ପ୍ରାଣଖୋଲା ଗୀତ । ହାତ ଧରାଧରି ହୋଇ ସେମାନେ ଗୀତ ବୋଲିବା ଆରମ୍ଭ କରି ଦେଇଛନ୍ତି । ସେମାନଙ୍କ ଭାଷା କହିପାରୁ ନଥିଲେ ମଧ୍ୟ ବେଶ୍‍ ତାଳ ମିଳାଇ ସେମାନଙ୍କ ସହିତ ନାଚିବା ଆରମ୍ଭ କରିଦେଲେ ଡକ୍ଟର ପ୍ରାଟ୍ !

 

ଆଶ୍ଚୟ ହୋଇଗଲା ନୀଳକଣ୍ଠ ।

 

ଚାପା କଣ୍ଠରେ ପଚାରିଲା, ଏମାନେ କେଉଁଠିକାର ଲୋକ ଡକ୍ଟର ପ୍ରାଟ୍ !

 

ଡକ୍ଟର ପ୍ରାଟ୍ କହିଲେ, ସେମାନେ ଏଇ ହିମାଳୟ ପାଦ ଦେଶର ଲୋକ । ହିମାଳୟ କଟିଦେଶରେ ଥିବା ଏଇ ଅରଣ୍ୟ ହେଲା ସେମାନଙ୍କର ଚାରଣଭୂଇଁ ଶୀକାର କରିବାକୁ, ଫଳ ସଂଗ୍ରହ କରିବାକୁ, ଆଉ ମନ ଫୁଲଣିଆ ଗୀତ ଗାଇବାକୁ ସେମାନେ ଏଠିକି ଆସନ୍ତି । ମୁଁ ଏଠି ରହିବି ବୋଲି ଜାଣି ସେମାନେ ଖୁବ୍ ଖୁସି । ଦେଖୁନ ନିଜେ ପାହାଡ଼ କାଟି ସେମାନେ କିପରି ମୋପାଇଁ ଘର ତିଆରି କରିଛନ୍ତି !

 

ଡକ୍ଟର ପ୍ରାଟ୍‍ଙ୍କ କଥା ଶୁଣି ନୀଳକଣ୍ଠର ବିସ୍ମୟଭାବ ଆହୁରି ବଢ଼ିଗଲା । ସେ ପଚାରିଲା, ଆପଣ ଏମାନଙ୍କ ଭାଷା ବୁଝିପାରୁଛନ୍ତି ?

 

ଡକ୍ଟର ପ୍ରାଟ୍ ହସିଲେ । କହିଲେ, ଆଜି ବୁଝିପାରୁ ନାଇଁ । କିନ୍ତୁ ଭାବୁଚି, ସେମାନଙ୍କ ଭାଷା କହିବା, ବୁଝିବାକୁ ମତେ ବେଶିଦିନ ଲାଗିବ ନାହିଁ । ଆଉ ଯଦିବା କହି ନ ପାରେ ମୁଁ ସେମାନଙ୍କ ଭାଷା, କ୍ଷତି କଣ ? ଠାର ହେଲା ମଣିଷର ଆଦିମ ଭାଷା । ସେଥିରେ ତ ବେଶ୍ କହିଦେବ, ବୁଝି ହେବ । ମଣିଷ ବୁଝିବ ମଣିଷର ମନ କଥା, ଏ କଣ ଖୁବ୍ କଷ୍ଟଦାୟକ ବ୍ୟାପାର !

 

ହିମାଳୟ ଆକାଶରେ ସୂର୍ଯ୍ୟୋଦୟ ହୋଇଚି ।

 

ବହୁ ଦୂରରେ ଦେଖାଯାଉଚି କାଞ୍ଚନଜଂଘାର ଉଜ୍ଜ୍ୱଳ, ଧବଳ ଶିଖର । କୁହୁଡ଼ିର ପରଦାକୁ ଛିନ୍ନଭିନ୍ନ କରି ସୂର୍ଯ୍ୟର ଶାଣିତ ଫଳକମାନ ଖସି ଆଶୁଚି ହିମାଳୟର ସେଇ ପ୍ରାନ୍ତ ଭୂମିକୁ-। ରଙ୍ଗିନ୍‍ ପକ୍ଷୀ ଦଳେ ହାଲୁକା ମେଘର କୋଳରେ ଡେଣା ତୋଳି ଉଡ଼ି ଯାଉଛନ୍ତି ।

 

ସୁନ୍ଦର ! ସୁନ୍ଦର ! ମନେ ମନେ ଚିତ୍କାର କରିଉଠିଲା ନୀଳକଣ୍ଠ । ଜୀବନର ଗତି ଏଠାରେ ସ୍ଵଚ୍ଛନ୍ଦ, ସରଳ । ବାଧା ନାହିଁ, ବନ୍ଧନ ନାହିଁ । ନାହିଁ ଛନ୍ଦ, କପଟ, ହିଂସା, ଈର୍ଷା ।

 

ନୀଳକଣ୍ଠର ମନେ ପଡ଼ୁଥିଲା ସେଇ ଆର୍ଯ୍ୟ, ହିନ୍ଦୁ ତପସ୍ଵୀମାନଙ୍କ କଥା । ଏହି କୁଳବୃଦ୍ଧ ହିମାଚଳର କୋଳରେ ବସି ସେମାନେ ସନ୍ଧାନ କରୁଥିଲେ ଶାଶ୍ଵତ ଜୀବନ, ଅମୃତମୟ ଜୀବନ ।

 

ନୀଳକଣ୍ଠର ମନେ ହେଲା, ଡକ୍ଟର ପ୍ରାଟ୍ ସେଇ ଆର୍ଯ୍ୟ ହିନ୍ଦୁ ତପସ୍ଵୀ । ପୃଥିବୀରେ ଅକ୍ଷାଂଶ, ଦ୍ରାଘିମାକୁ ଛିନ୍ନ ବିଚ୍ଛିନ୍ନ କରି ସେ ଆସିଛନ୍ତି ଏଇ ହିମାଳୟକୁ ଶାଶ୍ଵତ ଜୀବନର ସନ୍ଧାନ ପାଇଁ ।

 

ଏଠାରେ ଏମିଲିର ପ୍ରତାରଣା ନାହିଁ ।

 

ନାହିଁ ଏଠାରେ ପରମାଣୁ ରାଜନୀତିର ଆତଙ୍କ ପ୍ରପୀଡ଼ିତ ପରିବେଶ । ସୂର୍ଯ୍ୟଲୋକ ଭଳି ଜୀବନ ଏଠାରେ ଉଜ୍ଜ୍ୱଳ । ଝରଣାର ଜଳ ଭଳି ଜୀବନର ଗତି ଏଠାରେ ଅପ୍ରତିହତ, ସାବଲିଳ । ଜୀବନର ଜୟଗାନରେ ମୃତ୍ୟୁ ଏଠାରେ ଶଙ୍କିତ, ତଟସ୍ଥ ।

 

ଏଇ ଜଙ୍ଗଲରେ ଡକ୍ଟର ପ୍ରାଟ୍‍ଙ୍କ ପାଇଁ ସବୁ ଔଷଧୀର ଉପାଦାନ । ଲୋକସେବାପାଇଁ ସୁବର୍ଣ୍ଣ ସୁଯୋଗ । ଖାଇବା ପାଇଁ ଜଙ୍ଗଲର ଫଳ । ପିଇବା ପାଇଁ ଝରଣାର ଜଳ । ସୈଖ୍ୟ ସହାୟତା ପାଇଁ ଏଇ ଭୁଟିଆ, ସେର୍ପା ଜାତିର ସରଳ ନିରୀହ ନରନାରୀ ।

 

ଡକ୍ଟର ଆଖି ମିଟି ମିଟି କରି କାଞ୍ଚନଜଂଘାର ତୁଷାର କିରୀଟ ଆଡ଼େ ଚାହିଁ ରହିଥିଲେ । ନୀଳକଣ୍ଠକୁ ଲକ୍ଷ୍ୟ କରି କହିଲେ, ମୁଁ ସାରା ପୃଥିବୀ ବୁଲିଲି ନୀଳକଣ୍ଠ ବାବୁ । କିନ୍ତୁ କେଉଁଠାରେ ହେଲେ ଶାନ୍ତିର ସନ୍ଧାନ ପାଇଲି ନାହିଁ । ଦ୍ୱିତୀୟ ମହାଯୁନ୍ଧ ପରେ ୟୁରୋପରୁ ଶାନ୍ତି, ନୌତିକତା ଧ୍ୱଂସ ହୋଇଯାଇଛି । ସେଠାରେ କେବଳ ଆତଙ୍କ, ଈର୍ଷା, ହିଂସା । ପୃଥିବୀର ଅନ୍ୟାନ୍ୟ ଦେଶକୁ ମଧ୍ୟ ସେହି ବିଷ ବାୟୁ ବ୍ୟାପିଗଲାଣି । କେବଳ ଏଇ ପାହାଡ଼ ଭୂଇଁ, ଏଇ ପବିତ୍ର ଭୂଇଁ.... !

 

ଭାବର ଆବେଗରେ ଡକ୍ଟର ପ୍ରାଟ୍‍ଙ୍କ କଣ୍ଠରୁଦ୍ଧ ହୋଇ ଆସିଲା ।

 

ନୀଳକଣ୍ଠ ଲକ୍ଷ୍ୟ କଲା, ଡକ୍ଟର ପ୍ରାଟ୍ ଆଖି ବୁଜି ଧ୍ୟାନମଗ୍ନ ଭାବରେ ବସି ରହିଛନ୍ତି ଆଖି ଆଗରେ ତାଙ୍କର ନାଚି ଯାଉଛି ହୁଏତ ତାଙ୍କର ପ୍ରିୟତମା ପତ୍ନୀ ଏମିଲିର ସେଇ ମୁହଁ, ଯେ ତାଙ୍କ ସରଳ ମନରେ ଗରଳ ଭରିଦେଇ ପର ପୁରୁଷର ହାତ ଧରି ଲଣ୍ଡନର ରାଜପଥରେ ଚାଲିଗଲା ।

 

ଡକ୍ଟର ପ୍ରାଟ୍‍ଙ୍କୁ ହସାଇ ଦେଇ ନୀଳକଣ୍ଠ ଛୋଟ କଣ୍ଠରେ କହିଲା, ଜୀବନ ଯୁଦ୍ଧରେ କ୍ଳାନ୍ତ ହୋଇ ଯଦି ମୁଁ କେବେ ଏଇ ଶାନ୍ତିର ଆଶ୍ରମରେ ଆଶ୍ରୟ ଭିକ୍ଷା କରେ ଆପଣ ମତେ ଫେରାଇଦେବେ ?

 

ନୀଳକଣ୍ଠର କଥା ଶୁଣି ଡକ୍ଟର ପ୍ରାଟ୍‍ଙ୍କ ଅଧର ତଟରେ ଦେଖା ହେଲା ଚେନାଏ ବିଲୋଳ ହସ । ସେ ହସିଲେ, କାରଣ ସେ ଭାବୁଥିଲେ, ସେ ସୁନନ୍ଦା ଭଳି ସ୍ତ୍ରୀ ପାଇଚି ତା ଜୀବନରେ କଅଣ କ୍ଳାନ୍ତି ଆସିପାରେ !

 

ନୀଳକଣ୍ଠର ମନରେ ସେଦିନୁ ଏଇ ପର୍ବତର ନିଶା । ହିମାଳୟର ଶିଳାଖଣ୍ଡରେ କି ମାଦକତା ଥିଲା କେଜାଣି ସେ ନିଜ ଅଜାଣତରେ ତା ଆଡ଼କୁ ଟାଣି ହୋଇଗଲା । ତାର ମନେ ହେଲା, ସତେ ଯେମିତି ସେ ଆଉ ଏ ପାହାଡ଼ର ଆକର୍ଷଣକୁ ଏଡ଼ିଦେଇ ଯାଇପାରିବ ନାହିଁ । ଛିନ୍ନ କରି ପାରିବ ନାହିଁ ସେ ଏଇ ବନ୍ୟ ପ୍ରକୃତିର ଆହ୍ଵାନ ... ଆବେଦନ ।

 

ପଙ୍କଜ ସହିତ ଦୁଇ ତିନିଦିନ ହେଲା ଦେଖା ହୋଇନଥିଲା ନୀଳକଣ୍ଠର । ହଠାତ୍ ଦିନେ ରାସ୍ତା ଉପରେ ଦେଖା ।

 

ନୀଳକଣ୍ଠ ଦାର୍ଜିଲିଂର ସେଇ ଶିଳାଖଣ୍ଡ ଉପରେ ବସି ଚାହିଁରହିଥିଲା ହିମାଳୟ ଆଡ଼କୁ...ଦିଗନ୍ତ ବିସ୍ତାରୀ ମେଘଲୋକ ଭଳି ଯାହାର ବକ୍ଷଦେଶ ଦୃଷ୍ଟି ପଥକୁ ଆଚ୍ଛନ୍ନ କରି ରଖିଚି ।

 

ପଙ୍କଜକୁ ଦେଖି ନୀଳକଣ୍ଠ ପାଟି କରି ଉଠିଲା, ଏ ପ୍ରାଣକୃଷ୍ଣ ବାବୁ ଯେ !

 

ନମସ୍କାର ଜଣାଇ ପଙ୍କଜ ଆସି ପାଖରେ ଠିଆ ହେଲା ।

 

ନୀଳକଣ୍ଠ କହିଲା, ଆପଣଙ୍କୁ ମନେ ମନେ ବହୁଦିନ ହେଲା ଖୋଜୁଥିଲି । ରୋଗଶଯ୍ୟାରୁ ଉଠିଲା ପରେ ଦାର୍ଜିଲିଂର ଏଇ ଘାନଶ୍ୟାମ ରୂପଶ୍ରୀ ମତେ ପାଗଳ କରିଛି ପ୍ରାଣକୃଷ୍ଣ ବାବୁ । ଜୀବନଟା ଯେ ପଦ୍ମପତ୍ରର ଜଳ, ଢଳ ଢଳ କ୍ଷଣଭଙ୍ଗୁର—ସେ କଥା ମୁଁ ସେଦିନ ଦୁଇଟାର ଜ୍ଵରରେ ପଡ଼ି ବୁଝିପାରିଚି । ମତେ ଆଜି ଏ ପାର୍ବତ୍ୟ ପ୍ରକୃତି ହାତ ଠାରି ଡାକୁଚି...ମୋର ଇଚ୍ଛା, ମୁଁ ଏଇ ପ୍ରକୃତି ଭିତରେ ହଜିଯିବି.....

 

ନୀଳକଣ୍ଠ ଖୁବ୍ ଭାବ ପ୍ରବଣ ହୋଇପଡ଼ିଥିବା ଭଳି ପଙ୍କଜର ମନେ ହେଲା । ସେ କହିଲା ଆପଣ କଣ ଏଇ ପାର୍ବତ୍ୟ ପ୍ରକୃତିର ଅଭ୍ୟନ୍ତରକୁ ଯିବାକୁ ଚାହାନ୍ତି ?

 

ନୀଳକଣ୍ଠ କହିଲା—ହଁ, ସେଥିପାଇଁ ଆପଣଙ୍କ ସୌଖ୍ୟ ଲୋଡ଼ା । ଆପଣ ଦିନେ ମୋ ସାଥିରେ ଚାଲନ୍ତୁ । ଯଦି ପାର୍ବତ୍ୟ ପ୍ରକୃତି ଭିତରେ କିଛି ସମୟ ନିଜକୁ ହଜାଇ ଦେବା । ଆଚ୍ଛା, ଆପଣ ଘୋଡ଼ା ଚଢ଼ି ଜାଣନ୍ତି ?

 

ପଙ୍କଜ କହିଲା, ଏଇଠି ଆସି ଶିଖିଚି । ଜଣେ ଭୁଟିଆ ଘରେ ମୁଁ ଅତିଥି । ତାର ଗୋଟିଏ ଘୋଡ଼ା ଅଛି । ଚମତ୍କାର ଦଉଡ଼ିପାରେ । ଆପଣ ଦିନ ସ୍ଥିର କରନ୍ତୁ ।

 

ନୀଳକଣ୍ଠକୁ ଦିନ ସ୍ଥିର କରିବାକୁ ମୁହୂର୍ତ୍ତ କେତୋଟି ମାତ୍ର ଲାଗିଲା । ଦିନ ସଙ୍ଗେ ସଙ୍ଗେ ସମୟ ମଧ୍ୟ ସ୍ଥିର ହୋଇଗଲା । ତା ଆରଦିନ ସକାଳୁ ବାହାରିବାର କଥା । ପଙ୍କଜ ଆଉ ଦିନେ ଦୁଇ ଦିନ ବିଳମ୍ବ କରିବା ପାଇଁ ପ୍ରଶ୍ନ ଉଠାଇଥିଲା । କିନ୍ତୁ ନୀଳକଣ୍ଠ ସେ କଥା ଶୁଣିଲା ନାହିଁ । ଦୁଇଦିନ ପରେ ଟିଟୁ ର ଅପେରସନ୍ । ସେ ଆଉ ସମୟ ପାଇବ ନାହିଁ । ତା ଆରଦିନ ସକାଳୁ ହଠାତ୍ ପଙ୍କଜ ନିଜ ଘର ବାହାରେ ଘୋଡ଼ା ଟାପୁର ଶବ୍ଦ ଶୁଣିଲା-। ବାହାରକୁ ଆସି ଦେଖିଲା, ନୀଳକଣ୍ଠ ମିଲିଟାରୀ ପୋଷାକ ପିନ୍ଧି କାନ୍ଧରେ ଏକ କାମେରା ଝୁଲାଇ ଘୋଡ଼ା ପିଠିରେ ବସି ତାକୁ ଡାକୁଛି ।

 

ପଙ୍କଜ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲା । ନୀଳକଣ୍ଠକୁ ହସି ହସି ଅଭିବାଦନ ଜଣାଇ ସେ ପଦାକୁ ବାହାରି ଆସିଲା ।

 

ସକାଳ ସାତଟା ପରେ ମଧ୍ୟ ଦାର୍ଜିଲିଂର ଆକାଶରେ ସୂର୍ଯ୍ୟ ର ଦେଖାନାହିଁ । ଚାରିଆଡ଼େ କୁହୁଡ଼ିର ଘନ ଆସ୍ତରଣ । ଏଭଳି କୁହୁଡ଼ିରେ କିପରି ହିମାଳୟ ଆଡ଼କୁ ଯାଇ ହେବ, ସେ ବିଷୟରେ ପଙ୍କଜ ସାମାନ୍ୟ ଚିନ୍ତା କଲା । ନୀଳକଣ୍ଠ କିନ୍ତୁ ବ୍ୟଗ୍ର, ଉତ୍କଣ୍ଠିତ ।

 

ହିମାଳୟର ପାର୍ବତ୍ୟ ପ୍ରକୃତି ତାକୁ ଡାକୁଚି ।

 

ଶୁଭୁଚି ତାକୁ କଳନାଦିନୀ ଝରଣାର ପ୍ରଣୋଚ୍ଛଳ କବିତା ।

 

ଘୋଡ଼ା ପିଠିରେ ବସି ଆଗକୁ ଚାଲିଲା ନୀଳକଣ୍ଠ । ଡକ୍ଟର ପ୍ରାଟ୍‍ଙ୍କ ଆଶ୍ରମ ଅପର ପାର୍ଶ୍ଵରେ ରହିଗଲା । ସେମାନେ ଚାଲିଲେ ହିମାଳୟର ଆଉ ଏକ ଦିଗକୁ...ଆଉ କିଛି ନୂତନ ଆବିଷ୍କାରର ଉତ୍ସାହରେ.....

 

ନୀଳକଣ୍ଠର ପଛରେ ପଙ୍କଜ, ସେର୍ପାଭୁଟିଆ ବୁଢ଼ା । ଜଣେ କିଛି ବାଟ ସେମାନଙ୍କ ସାଙ୍ଗରେ ଯାଇ ବଳାଇ ଦେଇ ଆସିଲା । ଆଗରେ ପଡ଼ିବା ଅରଣ୍ୟପଥ ସମ୍ପର୍କରେ ସାମାନ୍ୟ ସୂଚନା ମଧ୍ୟ ଦେଲା

 

ପ୍ରାୟ ଦିନ ସାଢ଼େ ନଅଟା ବେଳକୁ ଆକାଶରେ ସୂର୍ଯ୍ୟୋଦୟ ଦେଖାଗଲା । ଧବଳ ତୁଷାର ପରିହିତ ହିମାଳୟ ସୂର୍ଯ୍ୟକିରଣରେ ସ୍ଵର୍ଣ୍ଣମୁକୁଟ ପରିଧାନ କରୁଥିବା ଭଳି ଉଜ୍ଜ୍ୱଳ ଦିଶୁଥାଏ-। ଝଲସି ଉଠୁଥାଏ ହିମାଳୟ ଶୃଙ୍ଗଗୁଡ଼ିକର ତୁଷାର ଧବଳ ଶିଖରୀମାଳା ।

 

ଘୋଡ଼ା ଠିଆକରି ନୀଳକଣ୍ଠ କହିଲା, ଏଇ ଗଛ ଆଢ଼ୁଆଳରେ ଆସନ୍ତୁ ବସିବା ପ୍ରାଣକୃଷ୍ଣ ବାବୁ ! ଏଇ ଶିଳାଖଣ୍ଡ ଉପରେ ବସନ୍ତୁ....

 

ଚିର ହରିତ୍‍ ବନର ସେଇ ଗୁଳ୍ମଗହଳ ଶିଳା ଭୂମିରେ ବସି ସ୍ଵସ୍ତିର ଏକ ନିଶ୍ଵାସ ପକାଇଲା ନୀଳକଣ୍ଠ । କହିଲା, ସଂସାରର ବନ୍ଧନ ତୁଟାଇ ମୋର ପ୍ରଲୋଭନ ହେଉଚି, ଏଇ ହିମାଚଳର ପ୍ରାର୍ବତ୍ୟ ପ୍ରକୃତି ଭିତରେ ନିଜକୁ ମୁଁ ଭୁଲିଯିବି । ଏଠାରେ କେବଳ ଆନନ୍ଦ, ଏଠାରେ କେବଳ ସୁଷମାର ଅସରନ୍ତି ଉତ୍ସ । ଏଠାରେ ପବନ ଶୀତଳ, ସୂର୍ଯ୍ୟୋଲୋକ ମଧର । ଝରଣାର ସଲିଳଧାରା ଅମୃତମୟ, ଗଛର ଫଳ ଦେବଭୋଗ୍ୟ । ସୁବିସ୍ତୃତ ହିମାଚଳ ଭଳି ଏଠାରେ ସବୁକିଛି ପ୍ରଶାନ୍ତ....

 

ସନ୍ଦେହୀ କଣ୍ଠରେ ପଙ୍କଜ ପଚାରିଲା, ଆପଣ କଅଣ କବିତା ଲେଖନ୍ତି ନୀଳକଣ୍ଠ ବାବୁ-! ଆପଣ କଅଣ କବି !

 

ହୋ’ ହୋ ହୋଇ ହସିଉଠିଲେ ନୀଳକଣ୍ଠ । ତା ଉଚ୍ଚକଣ୍ଠର ହସରେ ଅଳ୍ପ ଦୂରରେ ଖିଚିରି ମିଚିରି ହୋଇ ଗୀତ ଗାଉଥିବା ନାନାରଙ୍ଗର ଚଢ଼େଇଗୁଡ଼ାକ ଫଡ଼ଫଡ଼ ହୋଇ ଉଡ଼ିଗଲେ ।

 

ନୀଳକଣ୍ଠ ହାସ୍ୟ ସମ୍ବରଣ କରି କହିଲା, ଜୀବନକୁ ସ୍ଥୂଳଦୃଷ୍ଟିରେ ଦେଖିଲେ ଯଦି ମଣିଷ କବି କିମ୍ବା ଲେଖକ ହୁଏ, ତାହାହେଲେ ମୁଁ ମହାକବି ପ୍ରାଣକୃଷ୍ଣ ବାବୁ ! ମତେ ଆଉ ସ୍ଵାଭାବିକ ଜୀବନର ଆକର୍ଷଣ ବଡ଼ ମନ ହେଉ ନାଇଁ...

 

ନୀଳକଣ୍ଠର କଥା ଶୁଣି ଚମକି ଉଠିଲା ପଙ୍କଜ ।

 

ସୁନନ୍ଦାର ସେଦିନର କଥା ପଦକ ତାର ସ୍ମରଣ ହୋଇଗଲା । ସୁନନ୍ଦା କହୁଥିଲା, ମୁଁ ସୁଖୀ ହୋଇଛି ବୋଲି ତମର ହୃଦବୋଧ ହେଉଛି ପଙ୍କଜ !

 

ସୁନନ୍ଦା ତାର ପାରିବାରିକ ଜୀବନରେ ସୁଖୀ ନୁହେଁ !

 

ନୀଳକଣ୍ଠର ସ୍ଵାଭାବିକ ଜୀବନ ପ୍ରତି ବିଶେଷ ଆକର୍ଷଣ ନାହିଁ !

 

କିନ୍ତୁ କାହାରି କାହାପ୍ରତି କମ୍‍ ସ୍ନେହ, ଶ୍ରଦ୍ଧା ଭଲପାଇବା ଭଳି ପଙ୍କଜ କେବେ ଲକ୍ଷ୍ୟ କରିନାହିଁ । ନୀଳକଣ୍ଠର ଦେହ ସାମାନ୍ୟ ଅସୁସ୍ଥ ହେଲେ ସେ ସୁନନ୍ଦାର କାତରତା ଲକ୍ଷ୍ୟ କରିଚି । ସୁନନ୍ଦା ଗୋଟିଏ ଦିନ ଅନିଦ୍ରା ହୋଇ ଶୁଖିଲା ଦିଶିଲେ ନୀଳକଣ୍ଠର ବ୍ୟସ୍ତତା ମଧ୍ୟ ସେ ପ୍ରତ୍ୟକ୍ଷ କରିଚି ।

 

ତାହାହେଲେ ନୀଳକଣ୍ଠ ଆଉ ସୁନନ୍ଦାର ପାରିବାରିକ ଜୀବନରେ ଫାଙ୍କ ଆସିଲା କୁଆଡ଼ୁ ?

 

କିଛି ସମୟ ପରେ ନୀଳକଣ୍ଠ କଣ୍ଠରେ ଅସୀମ ଆନ୍ତରିକତା ଭରି ପଚାରିଲା, ଆଚ୍ଛା ପ୍ରାଣକୃଷ୍ଣ ବାବୁ ! ଆପଣ ମୋର ବନ୍ଧୁ, ଅନ୍ତରଙ୍ଗ । ଆପଣ କହିପାରିବେ ନାରୀ ଏକାବେଳକେ ଦୁଇଜଣ ପୁରୁଷକୁ ଭଲ ପାଇପାରେ କି ନାହିଁ ?

 

ନୀଳକଣ୍ଠର କଥା ଶୁଣି ସର୍ପାହତଭଳି ଚମକି ଉଠିଲା ପଙ୍କଜ । ଚାରିଆଡ଼କୁ ଚାହିଁ ଦେଖିଲା, ନୀଳକଣ୍ଠର ଏ କଥା ଆଉ କେହି ଶୁଣିଛନ୍ତି କି ନାହିଁ ! ନୀଳକଣ୍ଠ କଅଣ ତାକୁ ନିଭୃତରେ ଏଇ ପ୍ରଶ୍ନ ପଚାରିବା ପାଇଁ, ଏତେ ଦୂର, ନିର୍ଜନ ବନ ପାହାଡ଼ ଭିତରକୁ ଡାକି ଆଣିଥିଲା ?

 

ନୀଳକଣ୍ଠ ପଙ୍କଜର ଏ ଭାବାନ୍ତର ଲକ୍ଷ୍ୟକରି କହିଲା, ଆପଣଙ୍କ ବିବାହିତ ଜୀବନ ଏଡ଼େ ସୁଖମୟ ଯେ ଆପଣ ମୋଠୁଁ ଏଭଳି ପ୍ରଶ୍ନ ଶୁଣି ନିଶ୍ଚୟ ଇତଃସ୍ତତଃ ହୋଇପଡ଼ିଛନ୍ତି । ନାରୀ ପାଇଁ ଏବେସୁଦ୍ଧା ଆପଣଙ୍କ ମନରେ ଅନେକ ଆବେଗ, ଅନେକ ସ୍ଵପ୍ନ ଭରି ରହିଚି । କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ମୁଁ ଆପଣଙ୍କ ଠାରୁ ଅନେକ ବଡ଼ । ଆପଣ ଦୟା କରି ମୋର ଗୋଟିଏ କଥା ସ୍ମରଣ ରଖିବେ ?

 

ଲଜ୍ଜା ପାଇଲା ଭଳି ଅପ୍ରତିଭ ହୋଇ ପଙ୍କଜ କହିଲା, ଏଥିରେ ଭାବିବାର କଅଣ ଅଛି-? ଆପଣ କୁହନ୍ତୁ, ମୁଁ ନିଶ୍ଚୟ ମନେ ରଖିବି ।

 

ନୀଳକଣ୍ଠ ଜଣେ ମହାନ୍ ଦାର୍ଶନିକ ଭଳି ମୁଖଭଙ୍ଗୀ କରି କହିଲା, ଆପଣ ମୋର ବନ୍ଧୁ । ପ୍ରଥମରୁ ଦେଖିଲାଦିନୁ ମୁଁ ଆପଣଙ୍କୁ ଅନ୍ତରଙ୍ଗ ସୁହୃଦ୍ ବୋଲି ଗ୍ରହଣ କରିନେଇଚି । ସେଥିପାଇଁ ଜୀବନରେ ବହୁମୂଲ୍ୟ ନେଇ ଅର୍ଜନ କରିଥିବା ଏଇ ତତ୍ତ୍ଵବାଣୀ ଆପଣଙ୍କୁ କହୁଚି । କୌଣସି ନାରୀକୁ କେବେହେଲେ ସନ୍ତୁଷ୍ଟ କରାଯାଇପାରେ ନାହିଁ । ନିଜର ରକ୍ତ ଦେଇ ସୁଦ୍ଧା ନୁହେଁ । ଯେଉଁ ପୁରୁଷ ନାରୀକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ, ତା ଠାରୁ ବଳି ଦୁଃଖୀ ଆଉ ନିର୍ବୋଧ ପୃଥିବୀରେ କେହି ନାହାନ୍ତି ।

 

ଜୀବନର ବହୁ ମୂଲ୍ୟ ଦେଇ ତତ୍ତ୍ଵଲାଭ କରିଛି ନୀଳକଣ୍ଠ ! ବର୍ଷ ବର୍ଷର ସାଧନା, ଆତ୍ମତ୍ୟାଗ, ନିନ୍ଦାବରଣ ପରେ ନୀଳକଣ୍ଠକୁ ସୁନନ୍ଦା ଏଇ ଅନୁଭୂତି ଉପହାର ଦେଇଚି !

 

କଥାଟା ଚିନ୍ତା କଲାବେଳକୁ ଗଭୀର ଦୁଃଖରେ ପଙ୍କଜ ମ୍ରିୟମାଣ ହୋଇଯାଇଥିଲା । କଣ୍ଠ ହୋଇଆସୁଥିଲା ବାଷ୍ପରୁଦ୍ଧ । ସାନ୍ତ୍ଵନା ଦେବାପାଇଁ ଚେଷ୍ଟାକରି ମଧ୍ୟ ସେ ନୀଳକଣ୍ଠକୁ କିଛି କହିପାରୁଥିଲା ।

 

ବହୁଦିନ ଧରି ନିଜ ହୃତ୍‍ପିଣ୍ଡ ଭିତରେ ଗୋପନ କରି ରଖିଥିବା ରୁଦ୍ଧ ଅବେଗକୁ ନିଜର ଜଣେ ଅନ୍ତରଙ୍ଗ ବନ୍ଧୁ ପାଖରେ ପ୍ରକାଶ କରିଦେଇଥିବାରୁ ନୀଳକଣ୍ଠ ସମ୍ଭବତଃ ଖୁବ୍ ଆନନ୍ଦ ଅନୁଭବ କରୁଥିଲା । ମୁହଁରେ ତାର ଝରିପଡ଼ୁଥିବା ଚୁନିଚୁନି ଆଲୁଅରେ ବେଶ୍ ଜ୍ୟୋତି ଫୁଟିଉଠୁଥିଲା ମୁଖମଣ୍ଡଳତ୍ୱକ୍ ଉପରେ । ସେ ଖୁସି ହୋଇଚି । ଆନନ୍ଦିତ ହୋଇଚି । ଜୀବନରେ ଏକ ନୂତନ ରାହାର ସନ୍ଧାନ ପାଇଚି ସେ !

 

ପଙ୍କଜ କହିଲା, ଆମେ ବସାଘର ଠାରୁ ଅନେକ ଦୂରକୁ ଚାଲିଆସିଚେ ନୀଳକଣ୍ଠ ବାବୁ-! ଆମକୁ ଫେରିଯିବାକୁ ହେବ ।

 

ଫେରିଯିବାକୁ ହେବ ?

 

ଏ ନୈସର୍ଗିକ ପ୍ରକୃତିକୁ ପଛରେ ଛାଡ଼ି ଘର ସଂସାରର ବନ୍ଧନ ଭିତରକୁ ପୁଣି ଫେରିଯିବାକୁ ହେବ ତାକୁ । ଏକଥା ଯେମିତି ବିଶ୍ଵାସ କରି ମଧ୍ୟ ବିଶ୍ଵାସ କରିବାକୁ ଭଲ ପାଉନଥିଲା ନୀଳକଣ୍ଠ, ସେ କେବଳ ଅନିଚ୍ଛାସତ୍ତ୍ୱେ ଉଠି ଘୋଡ଼ା ଉପରେ ବସିଲା ।

 

ସତେ ଯେମିତି ତାକୁ କିଏ ପଛରୁ ଧକ୍କା ଦେଇ ତଡ଼ି ଦେଇଚି !

 

ଟିଟୁର ଅପରେସନ୍‍ ସଫଳତାର ସହିତ ଶେଷ ହୋଇଛି ।

 

ସୁନନ୍ଦା, ନୀଳକଣ୍ଠର ଆଗ୍ରହ, ଉକଣ୍ଠାର ହୋଇଚି ଅବସାନ ଡକ୍ଟର ପ୍ରାଟ୍ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି, ଅପରସେନ ପରେ ସ୍ଵାଭାବିକ ସ୍ଵାସ୍ଥ୍ୟ ଫେରି ପାଇବା ସଙ୍ଗେ ସଙ୍ଗେ ଟିଟୁ କଥା କହିବାର କ୍ଷମତା ମଧ୍ୟ ଫେରି ପାଇବ ।

 

ଗୋଟିଏ ପରେ ଗୋଟିଏ ଦିନ ବସି ଗଣୁଚି ସୁନନ୍ଦା । ଟିଟୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଉଠିବାର ଦିନ । ନୀଳକଣ୍ଠ ଏଥି ମଧ୍ୟରେ ଗୋଟିଏ ଉଦ୍ୟାନଭୋଜି ଦେଇ ଡକ୍ଟର ପ୍ରାଟ୍‍ଙ୍କ ଡାକ୍ତରଖାନାର କର୍ମଚାରୀ ଓ ନିଜ ବନ୍ଧୁମାନଙ୍କୁ ଆପ୍ୟାୟିତ କରିଚି । ସୁନନ୍ଦା ଆଉ ନୀଳକଣ୍ଠର ଆନନ୍ଦ ଉତ୍ସହ ମଧ୍ୟରେ ଉଙ୍କିମାରି ଟିଟୁକୁ ଦେଖି ଯାଇଚି ମଧ୍ୟ ପଙ୍କଜ । ସୁନନ୍ଦା-ନୀଳକଣ୍ଠ ପରିବାରର ଖୁବ୍ ସନ୍ନିକଟବର୍ତ୍ତୀ ହୋଇଉଠିଚି ସେ ।

 

ଗୋଟିକ ପରେ ଗୋଟିଏ ଦିନ ।

 

ସମୟ-ସମୁଦ୍ରର ନୀଳ ଜଳରାଶିରେ ସେଇ ଦିନଗୁଡ଼ିକ ଆସି ବିଲୀନ ହୋଇଯାଇଛନ୍ତି-। ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଗୃହକୁ ଫେରି ଆସିବାର ଦିନ ଆସନ୍ନ ହୋଇ ଆସୁଚି ଟିଟୁର-

 

ଏଥର ଦାର୍ଜିଲିଂରୁ ବାସସ୍ଥାନ ଉଠିବ । ପୁଣି କଟକ ପ୍ରତ୍ୟାବର୍ତ୍ତନ । ସେଇ ଅନୁସାରେ ପ୍ରସ୍ତୁତ ହୋଇଯାଇଛି ସୁନନ୍ଦା ।

 

ସେଦିନ ପ୍ରାୟ ଦିନ ଆଠଟା ବେଳକୁ ଟିଟୁକୁ ନେଇ ଡକ୍ଟର ପ୍ରାଟ୍ ଆସିଲେ ନୀଳକଣ୍ଠର ବସାକୁ । ପଙ୍କଜ ମଧ୍ୟ ନୀଳକଣ୍ଠ ସହିତ ବସି ଚା’ ଖାଉଥିଲା । ଟିଟୁକୁ ଦେଖି ହଠାତ୍ ଉଚ୍ଛ୍ୱସିତ ଉଠିଲା ନୀଳକଣ୍ଠ ।

 

ହାତ ଠାରି ତାକୁ ନୀରବ ରହିବାକୁ ଇଙ୍ଗିତ ଦେଲେ ଡକ୍ଟର ପ୍ରାଟ୍

 

କହିଲେ, ଟିଟୁ କଥା କହି ଶିଖିଛି କି ନାହିଁ ସେ କଥା ମୁଁ ଆଜି ପରୀକ୍ଷା କରି ଦେଖିବି । ସେ ପରୀକ୍ଷାଟା ହେବ ଆପଣମାନଙ୍କ ଆଗରେ । ମୋର ଧାରଣା ମଣିଷର ମନସ୍ତତ୍ତ୍ୱ ଯଦି କୌଣସି ବିଶେଷ କାରଣରୁ ଭୁଲ୍ ନହୁଏ ଟିଟୁ ଠିକ୍ କଥା କହି ପାରିବ । ଆପଣମାନେ ସମସ୍ତେ ବସନ୍ତୁ ।

 

ଆଗ୍ରହ ଉତ୍କଣ୍ଠା ଓ ଆନନ୍ଦରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ସୁନନ୍ଦାର ମନେ ହେଉଥିଲା, ସତେ ଯେମିତି ଡକ୍ଟର ପ୍ରାଟ୍ ଜଣେ ବିଖ୍ୟାତ ଯାଦୁକର, ସେ ଆଜି ସେ ତିନିଜଣଙ୍କ ଆଗରେ ଅଭୁତ ଏକ ଯାଦୁବିଦ୍ୟା ଦେଖାଇବେ !

ଟିଟୁର ସ୍ଵାସ୍ଥ ଖୁବ୍ ଭଲ ହୋଇଯାଇଚି ଏ ଦିନ କେତୋଟି ଭିତରେ । ବେଶ୍ ପ୍ରଫୁଲ୍ଲ ଦେଖାଯାଇଚି ତାର ମୁହଁ । ଡକ୍ଟର ପ୍ରାଟ୍ ଟିଟୁକୁ କୋଳକୁ ତୋଳି ନେଲେ । ସ୍ପଷ୍ଟ କଣ୍ଠରେ କହିଲେ, କହ ବାବା...ବା...ବା

ଟିଟୁ କିଛି ନକହି କେବଳ ହସିଲା ।

ଡକ୍ଟର ପ୍ରାଟ୍ ପୁଣି ତାକୁ ଗେହ୍ଲାକରି କହିଲେ, କହ.....କହ....ବା....ବା

ଟିଟୁ ଓଠ ଖୋଲିବାକୁ ଚେଷ୍ଟାକଲା । କଥା କହିବାକୁ ଯତ୍ନ କଲା । କିନ୍ତୁ କିଛି କହିପାରିଲା ନାହିଁ । ଡକ୍ଟର ପ୍ରାଟ୍ ତା ସରୁ ଓଠରେ ଗୋଟିଏ ମୃଦୁ ଚୁମ୍ବନ ଦେଇ କହିଲେ, କହ....କହ.....ବା....ବା.....

ଆଖି ବୁଜି ବହୁ କଷ୍ଟରେ ଓଠ ଖୋଲି ଟିଟୁ କହିଲା, ବା....ବା....ବା.....

ହସର ବିଦ୍ୟୁତ୍ ଝଲସିତ ହୋଇଉଠିଲା ସମସ୍ତଙ୍କ ମୁହଁରେ ।

ଡକ୍ଟର ପ୍ରାଟ୍ ନୀଳକଣ୍ଠ ଆଡ଼କୁ ହାତ ଦେଖାଇ କହିଲେ, କହ.....ବା....ବା....

ଟିଟୁ ଇତଃସ୍ତତଃ ହେଲା ।

ଅପଲକ ଆଖିରେ କିଛି ସମୟ ନୀଳକଣ୍ଠ ମୁହଁକୁ ଚାହିଁ ପୁଣି ସେ ଆସି ଡକ୍ଟର ପ୍ରାଟ୍‍ଙ୍କ କୋଳରେ ମୁହଁ ଗୁଞ୍ଜିଦେଲା ।

 

ଡକ୍ଟର ପ୍ରାଟ୍ ଏଥର ତା ମୁଣ୍ଡକୁ ନିଜ ଆଙ୍ଗୁଳିରେ ଖୁବ୍ ଧୀରେ ଧୀରେ ସାଉଁଳିବାକୁ ଲାଗିଲା । ମୃଦୁ ଅଥଚ ଶାନ୍ତକଣ୍ଠରେ କହିଲେ, ଏଇ....ଅନା......ବାବା......ବା.....ବା....

 

ଟିଟୁ ପୁଣି ଚାହିଁଲା ସମସ୍ତଙ୍କ ଆଗକୁ । ନୀଳକଣ୍ଠ ଆଡ଼ୁ ମୁହଁ ଫେରାଇ ସେ ତାର ଉଜ୍ଜ୍ୱଳ ନୀଳ ଆଖିଡ଼ୋଳା ଦୁଇଟିକୁ ସ୍ଥିର କରିଦେଲା ପଙ୍କଜର ମୁହଁ ଉପରେ । ତାପରେ ହସର ଗୋଟିଏ ଚପଳ ଢେଉ ଉଠିଆସିଲା ତାର ଦୁଇ ଓଠ ପ୍ରାନ୍ତରେ । ପଙ୍କଜ ଆଡ଼କୁ ଆଙ୍ଗୁଳି ଦେଖାଇ ସେ କହିଉଠିଲା, ବା....ବା...ଆ...

 

ପଙ୍କଜକୁ ଟିଟୁ କହିଲା ବାବା ! ନୀଳକଣ୍ଠକୁ ନୁହେଁ !

 

ସୁନନ୍ଦା ମୁଣ୍ଡ ଉପରେ ସତେ ଯେମିତି ଆକାଶ ଛିଡ଼ିପଡ଼ିଲା !

 

ଟିଟୁ ନୀଳକଣ୍ଠକୁ ନୁହେଁ, ପଙ୍କଜକୁ କହୁଚି ବାବା ! ଟିଟୁ କଥା କହୁଚି, ଏ ଆନନ୍ଦଠାରୁ ଦୁଃଖ ବଳିପଡ଼ିଲା ସୁନନ୍ଦାର ମନରେ । ତାର ମନେ ହେଲା ଏଭଳି ନିଷ୍ଠୁର କଥା କହିବା ଅପେକ୍ଷା ଟିଟୁ ମୋଟେ କଥା କହି ନପାରିଥିଲେ ସେ ସବୁଠୁଁ ଭଳି ସୁଖୀ ହୋଇଥାଆନ୍ତା !

 

ସୁନନ୍ଦାର ମନର ଅଭ୍ୟନ୍ତରକୁ କେହି ଚାହିଁ ଦେଖିଲେ ନାହିଁ । ଟିଟୁ କଥା କହିଚି, ଏଇ ଆନନ୍ଦରେ ସମସ୍ତେ ଉଚ୍ଛ୍ୱସିତ ହୋଇଉଠିଲେ । କରତାଳି ଦେଇ ଆନନ୍ଦରେ ଅଧୀର ହୋଇ ଉଠିଲା ନୀଳକଣ୍ଠ ।

 

ଦାର୍ଜିଲିଂର ଆକାଶରେ ସେଇ ସ୍ୱର୍ଣ୍ଣଝରା ଖରା ।

ଆଉ ସୁନନ୍ଦାର ମନର ଅଭ୍ୟନ୍ତରରେ.... !

ଅନ୍ଧାକାର....ନିରନ୍ଧ୍ର ଅନ୍ଧକାର ।

ଟିଟୁ ପଙ୍କଜଙ୍କୁ ହିଁ ପ୍ରଥେମ କହିଲା, ବାବା !

ଯିଏ ତା ପାଇଁ ନିଜର ସମସ୍ତ ସୁଖ ସ୍ଵାଚ୍ଛନ୍ଦ୍ୟକୁ ବଳିଦେଇ ମଣିଷ କଲା, ତାକୁ ସେ ବାବା ବୋଲି କହିଲା ନାହିଁ ! ଡକ୍ଟର ପ୍ରାଟ୍‍ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ !

ସବୁ ଆନ୍ତରିକ, ସ୍ନେହ ମମତାଠାରୁ ରକ୍ତର ଆକର୍ଷଣ ଏଡ଼େ ବେଶି ହେଲା ! ହୁଏତ ଟିଟୁର ସେ ଅକ୍ଷର ଦୁଇଟି ପଛରେ ଯେଉଁ ଆକର୍ଷଣ ଅଛି, ତାକୁ ଧରିପାରିଲା ନାହିଁ ନୀଳକଣ୍ଠ, କିନ୍ତୁ ସୁନନ୍ଦା ନିଜ ମନକୁ ନିଜେ ଫାଙ୍କିଦେଇ ପାରିବ କିପରି ?

ଅସୀମ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ସୁନନ୍ଦା ।

ପଙ୍କଜ ଉପରେ ଆସିଲା ତାର ଅସୀମ ଘୃଣା । ଲୋକଟା ତା ଜୀବନର ସମସ୍ତ ସୂତ୍ରକୁ କେବଳ ଗଣ୍ଡଗୋଳ କରିଦେବାରେ ଲାଗିଛି ।

ନା—ନା—ତାକୁ ଆଉ କେବେ ପ୍ରଶ୍ରୟ ଦେଇପାରିବ ନାହିଁ ସୁନନ୍ଦା । କଦାପି ସେ ପଙ୍କଜକୁ କ୍ଷମା କରିପାରିବ ନାହିଁ । ତା ଜୀବନରେ ରଙ୍ଗମଞ୍ଚରୁ ସବୁଦିନପାଇଁ ପଙ୍କଜକୁ ପ୍ରସ୍ଥାନ କରି ଯିବାକୁ ହେବ । ତା ନହେଲେ ଅପମାନ ଓ ଲଜ୍ଜାରେ ଜଳିଯିବ ସୁନନ୍ଦା ।

ପଙ୍କଜ ତାକୁ ଏକଦା ପ୍ରଣୟର ସ୍ଵାଦ ରଖାଯାଇଥିଲା ସତ୍, କିନ୍ତୁ ନୀଳକଣ୍ଠ ତାକୁ ଦେଇଛି ଆଶ୍ରୟ, ସମ୍ମାନଜନକ ଭାବରେ ବଞ୍ଚିବାର ଅଧିକାର । ସୁନନ୍ଦାର ଜୀବନର ପ୍ରଣୟର ସ୍ଵପ୍ନଠାରୁ ଆଶ୍ରୟର ଆବଶ୍ୟକତା ଆଜି ବେଶି । ନାରୀ ବିହ୍ୱଳିତ ଲତା । ଆଶ୍ରୟ ତାର ଅପରିହାର୍ଯ୍ୟ । ପଙ୍କଜକୁ ସେ କଦାପି ପ୍ରଶ୍ରୟ ଦେଇ ପାରିବ ନାହିଁ ।

ପଙ୍କଜକୁ ସେ ସ୍ପଷ୍ଟ ଭାବରେ କହିଦେବ, ତାର ଜୀବନରେ ସେ ଅବ।ଞ୍ଚିତ ଅତିଥି…..ଅକାଳ ଧୂମକେତୁ । ପଙ୍କଜକୁ ତା ଠାରୁ ବିଦାୟ ନେଇ ଯିବାକୁ ହେବ । ଦିନେ, ମାସେ, ବର୍ଷେ ପାଇଁ ନୁହେଁ—ସବୁଦିନ ପାଇଁ ।

ପୁରୁଣା ସୂତ୍ରର ଖିଅ ଧରି ପଙ୍କଜ କଅଣ ତାଠାରେ ଆଉ ଅଧିକାର ଦାବି କରିବ ?

କଥାଟା ମନେ ମନେ ଭାବି ହସିଲା ସୁନନ୍ଦା ।

ନାରୀ ଉପରେ ପୁରୁଷର ଅଧିକାର ଥାଏ, କିନ୍ତୁ କାପୁରୁଷର ନୁହେଁ । ପଙ୍କଜ ପୁରୁଷ ନୁହେଁ—ଜୀବନ ଭୀରୁ କାପୁରୁଷ ।

ସୁନନ୍ଦା ମନେ ମନେ ସାହାସ ସଞ୍ଚୟ କରିବାକୁ ଲାଗିଲା ।

ସେଦିନ ଖରାବେଳେ ଆସିଲା ପଙ୍କଜ ।

ଦେଖିଲା, ବିଛଣାରେ କ୍ଳାନ୍ତ ଭାବରେ ଶୋଇରହିଛି ସୁନନ୍ଦା । ମୁହଁରେ ବିଷଣ୍ଣତାର କାଳିମା । ପଙ୍କଜ ପଚାରିଲା, ତମେ ଏପରି !

 

ପଙ୍କଜକୁ ଦେଖି ସୁନନ୍ଦାର ମୁହଁ ଆହୁରି କଳା ପଡ଼ିଲା ।

 

ସେ ଶଯ୍ୟାରୁ ଉଠିପଡ଼ି କହିଲା, ମୁଁ ତମ ପାଦ ଧରୁଚି ପଙ୍କଜ ! ତମେ ଆଉ ତମର ଏ ମୁହଁ ମତେ ଦେଖାଅ ନାହିଁ....ମତେ ଦୟାକର.....ଟିଟୁର ସର୍ବନାଶ କର ନାହିଁ.....ମୁଁ ତମ ପାଦ ଧରୁଚି......ତମେ ଦୂରେଇ ଯାଅ....

 

ହଠାତ୍, ଅପ୍ରତ୍ୟାଶିତ ଭାବରେ କାନ୍ଦଣାରେ ଭାଙ୍ଗିପଡ଼ିଲା ସୁନନ୍ଦାର ନୀଳକଇଁ ଭଳି ସୁନ୍ଦର ଆଖି ଦୁଇଟି ।

 

ସୁନନ୍ଦା ତାର ମୁହଁ ଦେଖିବାକୁ ଚାହେଁ ନାହିଁ ! ତାର ନିଜର ମଙ୍ଗଳ, ଟିଟୁର ମଙ୍ଗଳ ପାଇଁ-!

 

ଭୀଷଣ ଆଘାତର ଧକ୍କା ଲାଗିଲା ପଙ୍କଜର ମନର ଜାହାଜରେ । ସଦିଚ୍ଛା ଶୁଭେଚ୍ଛାର ପଣ୍ୟବାହୀ ତାର ସେହି ମନର ଜାହାଜ ସେ ଧକ୍କାରେ ଭାଙ୍ଗି ଚୁରମାର୍ ହୋଇଗଲା । ଚେତନା ଶକ୍ତି ତାର ହୋଇଆସିଲା ନିସ୍ପନ୍ଦ....ଜଡ଼....

 

ନିଜ ଲୁଗା କାନିରେ ନିଜ ମୁହଁକୁ ଚାପି ଧରି ସୁନନ୍ଦା କହିଲା, ତମେ ମୋର କେହି ନୁହଁ ପଙ୍କଜ....ବିଶ୍ଵାସ କର ତମକୁ ମୁଁ ଦେହ ଦେଇଥିଲି ସତ୍ୟ, ମନ ଦେଇ ନଥିଲି । ତମେ ମୋ ଠାରେ ଆଉ ଲୋଭ କରନାହିଁ.....ମତେ ଭୁଲିଯାଅ......

 

ନୀଳକଣ୍ଠ ସେହି ସମୟରେ କକ୍ଷମଧ୍ୟକୁ ପଶି ଆସୁଥିଲା । ସୁନନ୍ଦା ମୁହଁରୁ ପଙ୍କଜ ନାମ ଟା ଶୁଣି ସେ ତଟସ୍ଥ ହୋଇଗଲା । ନିରୀକ୍ଷଣ କରି ଦେଖିଲ।, ସୁନନ୍ଦା ପାଖରେ ଠିଆ ହୋଇଛନ୍ତି ପ୍ରାଣକୃଷ୍ଣ ବାବୁ ।

 

ପ୍ରାଣକୃଷ୍ଣ ବାବୁ ତାହେଲେ ପଙ୍କଜ ଦାସ !

 

ଏଇ ତାହାହେଲେ ପଙ୍କଜ ଦାସ, ଯେ ନିଜକୁ ପ୍ରାଣକୃଷ୍ଣ ନାମରେ ଏତେ ଦିନ ଧରି ତା ସହିତ ପରିଚୟ ହୋଇ ଆସିଛନ୍ତି ! ଯାହାକୁ ଚିହ୍ନି ମଧ୍ୟ ସୁନନ୍ଦା ପ୍ରକୃତ ପରିଚୟ ତା ଆଗରେ ଦେଇ ନ।ହିଁ ! ଏଇ ପଙ୍କଜ ଦାସ, ଯାହାର ସନ୍ତାନକୁ ସେ ନିଜର ସନ୍ତାନ ବୋଲି ଏତେ ଦିନ ଧରି ଗର୍ବ କରି ଆସିଛି !

 

ନୀଳକଣ୍ଠ ନିର୍ବାକ୍ ନିଶ୍ଚଳ ହୋଇ ଠିଆ ହୋଇ ରହିଲା ।

 

ତାର ମନେ ହେଲା, ଏତେ ଦିନ ଧରି ସେ ଚୋରା ବାଲିର ସ୍ତୂପ ଉପରେ ଠିଆ ହୋଇଥିଲା । ବର୍ତ୍ତମାନ ପାଦ ତଳର ବାଲି ତାର ତଳକୁ ଖସିବାକୁ ଲାଗିଛି ।

 

ତା ଆଖି ଆଗରୁ ପ୍ରମାଦର ଏକ ପରଦା ହଠାତ୍ ଅପସାରିତ ହୋଇଗଲା । ଆଖି ଆଗରେ ତାର ଏକ ନୂତନ ରହସ୍ୟର ଦିଗନ୍ତ ଉଦ୍‍ଘାଟିତ ହୋଇଗଲା । ବିଚିତ୍ର ଏକ ଯନ୍ତ୍ରଣାର ଦଂଶନ ଜ୍ଵାଳା ନିଜର ସର୍ବାଙ୍ଗରେ ଅନୁଭବ କଲା ନୀଳକଣ୍ଠ ।

 

ଏଇ ସୁନନ୍ଦା ତାର ସ୍ତ୍ରୀ, ଏଇ ଟିଟୁ ତାର ସନ୍ତାନ, ଏଇ ତାର ସଂସାର !

 

ମୂକ ମୈନାକ ସେଇ ତପସ୍ଵୀ ହିମାଚଳର ଆହ୍ଵାନ ଶୁଭିଲା କାନରେ...ଆଖିରେ ଦିଶିଗଲା ଡକ୍ଟର ପ୍ରାଟ୍‍ଙ୍କ ସେଇ ଆଶ୍ରୟ...ସେଇ ପକ୍ଷୀକଣ୍ଠର କାକଳି.....ଝରଣାର କଳଧ୍ୱନି...

 

ସେ ଝଡ଼ବେଗରେ ବାହାରିଲା ପଦାକୁ ।

 

ଦାର୍ଜିଲିଂର ଆକାଶରେ ସେତେବେଳେ ସୂର୍ଯାଲୋକର ସ୍ଵର୍ଣ୍ଣାଭ ।

 

ସୁନନ୍ଦା ଜିନିଷପତ୍ର ସଜାଡ଼ି ନେଉଚି ।

 

କାଲି ସକାଳୁ ତାକୁ କଟକ ଯିବାକୁ ହେବ । ଦାର୍ଜିଲିଂର କାମ ତାର ଶେଷ ହୋଇ ଆସିଚି, ନୀଳକଣ୍ଠ ଯାଇଛି ଡକ୍ଟର ପ୍ରାଟ୍‍ଙ୍କଠାରୁ ବିଦାୟ ଆଣିବାକୁ । ଡକ୍ଟର ପ୍ରାଙ୍କ ଋଣ ସେମାନେ ଜୀବନରେ କେବେହେଲେ ଶୁଣିପାରିବେ ନାହିଁ । ମୂକକୁ ସେ କରିଛନ୍ତି ମୁଖର ।

 

ଟିଟୁ ଶୋଇ ଶୋଇ ହସୁଚି । ବା....ଆ....ବା.. ମା....ମା ପ୍ରଭୃତି କେତୋଟି ତାର ପ୍ରିୟ ଶବ୍ଦ ସେ ମନେ ମନେ କହି ହେଉଚି ।

 

ସୁନନ୍ଦା ଲାଗିଚି ଜିନିଷପତ୍ର ସଜଡ଼ା ସଜାଡ଼ି କରିବାରେ । ମନର ସ୍ଵାଚ୍ଛନ୍ଦ୍ୟ ସବୁ ତାର ନଷ୍ଟ ହୋଇଯାଇଚି । ଦାର୍ଜିଲିଂ ଆସିଲାବେଳେ ମନରେ ତାର ଯେଉଁ ଆନନ୍ଦ ଥିଲା, ତାହା ଏଥି ମଧ୍ୟରେ ସବୁ ଗୋଳମାଳ ହୋଇ ଯାଇଚି ।

 

ପଙ୍କଜକୁ ସେ ତିରସ୍କାର କରି ତଡ଼ିଦେଇଚି ।

 

ଏକଦା-ପ୍ରେମିକ ତାର ପଙ୍କଜ ଦାସ !

 

ନା—ନା—ପଙ୍କଜ ତାର କେହି ନୁହେଁ । ତା ସହିତ ତାର କୌଣସି ପରିଚୟ ନ।ହିଁ । ଯେଉଁ ସୁନନ୍ଦା ପଙ୍କଜ ସହିତ ଦିନେ ଭଲ ପାଇବାର ଗୋପଲୀଳା ଆରମ୍ଭ କରିଥିଲା, ସେ ସୁନନ୍ଦାର ମୃତ୍ୟୁ ଘଟିଚି । ସେ ଆଜି ନୀଳକଣ୍ଠର ସ୍ତ୍ରୀ ସୁନନ୍ଦା, ଟିଟୁର ଜନ୍ମଦାତ୍ରୀ ବୋଲି ସେ ନିଜର ପରିଚୟ ଦେବାକୁ ଚାହେଁନା ।

 

ସେ ନୂଆକରି ଜୀବନ ଆରମ୍ଭ କରିବ । ଭୁଲିଯିବ ସେ ତାର ସେଇ କୁତ୍ସିତ, ଅସୁନ୍ଦର ଇତିହ।ସକୁ ସବୁଦିନପାଇଁ ।

 

ସୁନନ୍ଦା ମନରେ ଦୃଢ଼ ପ୍ରତ୍ୟୟ ଭରି ବାହାରକୁ ଚାହିଁଲା ।

 

ଆକାଶରେ ମେଘ ଘୋଟିଚି ।

 

ଦାର୍ଜିଲିଂର କୁହେଳିକାଚ୍ଛନ୍ନ ଆକାଶରେ ଘନକୃଷ୍ଣ ବାଦଲର ଚାଲିଛି ଅଭିରାମ ଶୋଭାଯାତ୍ରା । ବର୍ଷାଟା ହୁଏତ ଆଜି ଭୟଙ୍କର ହେବ ।

 

ସୁନନ୍ଦା ଛଟ ପଟ ହେଉଚି । ବ୍ୟସ୍ତ ବିବ୍ରତ ହେଉଛି ।

 

ଦିନ ଅନେକ ହେଲାଣି । ପ୍ରାୟ ୫ଘଣ୍ଟା ହେଲା ନୀଳକଣ୍ଠ ଯାଇଚି ଡକ୍ଟର ପ୍ରାଟ୍‍ଙ୍କ ପାଖକୁ । କାହିଁ, ଏପର୍ଯ୍ୟନ୍ତ ସେ ଫେରିଲା ନ।ହିଁତ !

 

ଟପ ଟପ ହୋଇ ବର୍ଷା ପଡ଼ିବାକୁ ଆରମ୍ଭ କଲାଣି । ବର୍ଷାର ପତନ ପ୍ରଣାଳୀରେ ବାରିହୋଇ ପଡ଼ୁଛି ଏକ ନୂତନ ଛନ୍ଦ । ଏସରାଜର ତାରରେ ତାରରେ ସତେ ଯେମିତି କୌଣସି ଲଘୁ ସଙ୍ଗୀତର ମୃଦୁ ଆଳାପ ଚାଲିଚି !

 

ସୁନନ୍ଦାର ମନେ ହେଉଥିଲା ସେ ଯଦି ବାଳକୁ ମୁକୁଳା କରି ଦାର୍ଜିଲିଂରେ ଏଇ ବର୍ଷାରେ କିଛି ସମୟ ବୁଲି ଆସିପାରନ୍ତା !

 

ନା—ନା—ତା ଆଉ ସମ୍ଭବ ନୁହେଁ । ଫ୍ରକ ପିନ୍ଧା କିଶୋରୀ ବୟସରେ ତାର ପ୍ରିୟତମ ନିଲୁଭାଇ ସାଙ୍ଗରେ ସୁନନ୍ଦା ଅନେକ ଥର ଭିଜି ଭିଜି ବର୍ଷାରେ ପ୍ରଜାପତି ଧରିଚି । ଆଜି କିନ୍ତୁ ଏ ବୟସରେ ବର୍ଷାରେ ଭିଜିବାର କିଛି ମନେ ହେବ ନାଇଁ । ତାର ନିଜର ବୟସ ତାକୁ ଡରାଉଚି । ସେ ଫ୍ରକ ପିନ୍ଧା କେଶୋରୀ ବୟସକୁ ଯଥେଷ୍ଟ ପଛରେ ପକାଇ ଦେଇ ଆଗେଇ ଆସିଲାଣି ସୁନନ୍ଦା-। ଆଜି ଯଦି ସେ ବର୍ଷା ପାଣିରେ ଭିଜେ, ତାହାହେଲେ ଅସୀମ ବିରକ୍ତିରେ ନୀଳକଣ୍ଠ ତାକୁ ଧମକ ଦେଇ କହି ଉଠିବ, ବୟସ ବଢ଼ିଲେ ବି ତୋର ଜ୍ଞାନର କୌଣସି ବିକାଶ ଘଟିଲା ନାହିଁ ନନ୍ଦା-

 

ସୁନନ୍ଦା ହସିଲା ମନେ ମନେ ।

 

ନୀଳକଣ୍ଠ ଏବେ ଖୁବ୍ ବଡ଼ ବୋଲି ମନେ କରୁଚି । ତାର କୌଣସି ଛୋଟ ଅପରାଧକୁ ସେ ମଧ୍ୟ କ୍ଷମା କରିବାକୁ ପ୍ରସ୍ତୁତ ନୁହେଁ ।

 

ବର୍ଷା ବେଳକୁ ବେଳ ପ୍ରବଳତର ହେଉଚି ।

 

କାହିଁ, ସେ ଏପର୍ଯ୍ୟନ୍ତ ଆସିଲେ ନାହିଁ ତ !

 

ଦ୍ଵାରପଥ ଦେଇ ଚାହିଁ ଆସିଲା ସୁନନ୍ଦା । ନା—କେହି ନାହାନ୍ତି । ଫେରିବାର କୌଣସି ଲକ୍ଷଣ ଦେଖା ଯାଉନି ନୀଳକଣ୍ଠର । ଅଥଚ ଅନେକ କାମ ବାକି ପଡ଼ିଚି । ସେ ସବୁ ତୁଟାଇ ଦେଲେ କାଲି କଟକ ଫେରିଯିବାର କଥା ।

 

ନୀଳକଣ୍ଠ ଏତେ ଡେରିଯାଏ କଅଣ କରୁଚି ଡକ୍ଟର ପ୍ରାଟ୍‍ଙ୍କ ପାଖରେ !

 

ନୀଳକଣ୍ଠ ପ୍ରତି ଅଭିମାନ ଆସିଲା ସୁନନ୍ଦାର । ବଡ଼ ଖାମଖିଆଲ ଲୋକ । ସମୟ ଜ୍ଞାନ, ସ୍ଥାନ, କାଳ, ପାତ୍ର ଜ୍ଞାନ ଟିକିଏ ହେଲେ ବି ନାହିଁ । ଯୁଆଡ଼େ ଯାଇଥିବେ ସିଆଡ଼େ । ଯାହା ବୁଝିଥିବେ ସେଇଆ । ଏମିତିଆ ଖାମଖିଆଲ ଲୋକଙ୍କୁ ନେଇ ସଂସାର ଚଳାଇବ କେମିତି ସେ !

 

ସୁନନ୍ଦାର ଅଭିମାନଟା ଏଥର ବିରକ୍ତିର ସ୍ତରରେ ପହଞ୍ଚିଗଲା । ନୀଳକଣ୍ଠ ଉପରକୁ ସେ ମନେ ମନେ ଭୟଙ୍କର ଭାବରେ ବିରକ୍ତ ହୋଇଉଠିଲା । ମନେ ମନେ ସ୍ଥିର କରିନେଲା, ନୀଳକଣ୍ଠ ଆସିଲେ ଆଜି ସେ ବେଶ୍ ଦୁଇପଦ ଶୁଣାଇ ଦେବ ।

 

କିନ୍ତୁ ନୀଳକଣ୍ଠ କାହିଁ !

 

ସୁନନ୍ଦା ଦେଖିଲା, ନୀଳକଣ୍ଠ ଯାହାର ଘୋଡ଼ା ଆଣି ବୁଲିଯାଏ ସେଇ ଘୋଡ଼ା ମାଲିକ ଭୁଟିଆ ବୁଢ଼ା ବର୍ଷାରେ ତିନ୍ତି ତିନ୍ତି ତା’ ଆଡ଼କୁ ଆସୁଚି । ଲୋକଟି ଘରର ପିଣ୍ଡା ଉପରକୁ ଉଠିଆସି କହିଲା, ମାଈଜୀ ! ସାହେବ ଭାଗ୍‍ଗିଆ ।

 

ଲୋକଟି କଥାରୁ କିଛି ବୁଝି ପାରିଲା ନାହିଁ ସୁନନ୍ଦା ।

 

ଭୁଟିଆ ବୁଢ଼ା ମୁଣ୍ଡରୁ ପାଣି ପୋଛି ଅଣ୍ଟାରେ ଖୋସି ଆଣି ଥିବା ଖଣ୍ଡେ କାଗଜ ବାହାର କରି ବଢାଇଲା ସୁନନ୍ଦା ଆଡ଼କୁ । ନୀଳକଣ୍ଠର ହାତ ଲେଖା ଖଣ୍ଡେ ଚିଠି ।

 

ରୁଦ୍ଧ କଣ୍ଠରେ ଚିଠିଟା ପଢ଼ିନେଲା ସୁନନ୍ଦା ।

 

ନୀଳକଣ୍ଠ ଲେଖିଚି ।

 

କାଲି ସକାଳୁ ଆମର କଟକ ଫେରିଯିବାର କଥା ନା ନନ୍ଦା ! ଏଇ ଘନଶ୍ୟାମ, ସୁନ୍ଦର ଦାର୍ଜିଲିଂକୁ ଛାଡ଼ି ଆମର ଫେରି ଯିବାର କଥା । ଫେରିଯିବାର କଥା ମୁକ୍ତି ଭିତରୁ ବନ୍ଧନ ଭିତରକୁ ନାଇଁ !

 

ମୁଁ ପାରିଲି ନାଇଁ ନନ୍ଦା । ପୁରୁଷର ଆସନରୁ ମହାପୁରୁଷର ଆସନକୁ ମୁଁ ଉଠିପାରିଲି ନାଇଁ । ଗତ ଦିନଗୁଡ଼ିକର ବେଦନା, ଯନ୍ତ୍ରଣା ସବୁ ଆସି ମୋର ତଣ୍ଟି ପାଖରେ ଜମା ହୋଇ ଯାଇଛନ୍ତି, କଥା କହିବାର ସମସ୍ତ ଶକ୍ତି ମୋର ନଷ୍ଟ ହୋଇଯାଇଚି ।

 

ମୁଁ ଦୁର୍ବଳ, ମୁଁ କ୍ଳାନ୍ତ । ମୁଁ ଦୁଃଖୀ । ଜୀବନ ବୋଝ ମୋ ପକ୍ଷରେ ଦୁର୍ବିସହ ।

 

ତତେ ଖୁସି କରିବାକୁ ମୁଁ ଅନେକ ଚେଷ୍ଟା କରିଚି । ପାରି ନାଇଁ । ପୁରୁଷ କଅଣ ନାରୀକୁ କେବେ ସନ୍ତୁଷ୍ଟ କରିପାରେ ? ଅତୃପ୍ତିର ମହାନ ତୃଷ୍ଣା ନେଇ ତ ନାରୀ ଏ ଧୂଳିର ଧରଣୀକୁ ଆସେ । ପୁରୁଷ ହିଁ ନାରୀର ସେ ତୃଷ୍ଣାକୁ କରେ ଆହୁରି ପ୍ରଗାଢ଼ । ସେ ତୃଷ୍ଣାକୁ ନିବାରଣ କରିବା କଥା ଆଉ ଉଠୁଛି କେଉଁଠୁ ?

 

ଆଉ ଟିଟୁ !

 

ଟିଟୁକୁ ଆପଣାର କରିବାକୁ ମୁଁ ସମସ୍ତ ଉଦ୍ୟମ କରିଛି । ବୁକୁର ମମତା ଦେଇ ତା ବକ୍ଷର ଶୋଣିତକ ନିଜର କରିପାରିବି ବୋଲି ବହୁ ଚେଷ୍ଟା କରିଚି । କିନ୍ତୁ .. ବୋଧହୁଏ ପରିଲି ନାହିଁ । ନୁହେଁ ? ଶୋଣିତ ଧାରାର ଆକର୍ଷଣ, ମମତାର ଅମୃତଠାରୁ ଆହୁରି ବେଶି ।

 

ପଙ୍କଜ ବାବୁ (ପ୍ରାଣ କୃଷ୍ଣ ବାବୁ ନୁହନ୍ତି !) କହନ୍ତି, ଜୀବନକୁ ସ୍ଥୂଳ ଦୃଷ୍ଟିରେ ବିଚାର ନକରି ସୂକ୍ଷ୍ମ ଦୃଷ୍ଟିରେ ବିଚାର କଲେ ମଣିଷ ମଣିଷ ନ ହୋଇ ହୁଏ କବି । ମୁଁ ନିଜ ଭିତରୁ ଏକ ନୂତନ କବିତାର ଛନ୍ଦ ଆବିଷ୍କାର କରିଚି ନନ୍ଦା ! ସସୀମ ଭିତରୁ ଅସୀମ; ଆଉ ବିଲୟ ଭିତରୁ ମୁଁ ଲୟ ଆଜି ଆବିଷ୍କାର କରିଚି ।

 

ଚିଠିପଢ଼ା ଏତିକିରେ ବନ୍ଦକରି ଏକୁଟିଆ କାନ୍ଦିବାକୁ ଲାଗିଲା ସୁନନ୍ଦା ।

 

ପଙ୍କଜକୁ ତାହାହେଲେ ଚିହ୍ନି ପାରିଛି ନୀଳକଣ୍ଠ ।

 

ଅଶ୍ରୁର ଉଚ୍ଛ୍ଵାସରେ ସୁନନ୍ଦାର କଣ୍ଠ ଆଚ୍ଛନ୍ନ ହୋଇ ଆସୁଥିଲା । ଲୁହରେ ଅନ୍ଧ ହୋଇ ଯାଇଥିବା ଆଖିରେ ସେ ସହଜରେ ପଢ଼ି ପାରୁନଥିଲା ନୀଳକଣ୍ଠର ଚିଠି । ବହୁ କଷ୍ଟ, ବହୁ ଆୟାସରେ ସେ ପଢ଼ୁଥିଲା ।

 

ନନ୍ଦା ! ଜୀବନ ହିଁ ହେଉଚି କବିତାର ଏକ ଶେଷ ହୀନ ଧାରା । କିନ୍ତୁ ମୋ ଜୀବନ ଏକ ସକରୁଣ କବିତା । ସବୁ ପାଇବାକୁ ଚେଷ୍ଟା କରି ମୁଁ କିଛି ପାଇଲି ନାହିଁ । ଅଥଚ ଏହା ପାଇବାକୁ ତ ମୁଁ କମ୍ ତ୍ୟାଗ ସ୍ଵୀକାର କରି ନାହିଁ ! ତଥାପି ମୋତେ କିଛି ମିଳିଲା ନାହିଁ ।

 

କାହିଁକି ? କାହିଁକି ? କାହିଁକି ?

 

ସୁନନ୍ଦା ଲକ୍ଷ କଲା ଚିଠିର ଏହି ଅଂଶର ଅକ୍ଷର କେତୋଟି ନେସି ହୋଇ ଯାଇଚି । ସମ୍ଭବତଃ ନୀଳକଣ୍ଠର ଆଖିର ଲୁହରେ ଅକ୍ଷରଗୁଡ଼ାକ ବିବର୍ଣ୍ଣ । ଏ ଚିଠି ଲେଖିଲାବେଳେ ତାହାହେଲେ କାନ୍ଦୁଥିଲା ନୀଳକଣ୍ଠ ? କିଛି ନ ପାଇ ଥିବାରୁ ଦୁଃଖରେ ତାହାହେଲେ ତା ଆଖିରେ ଅଶ୍ରୁର ଉଚ୍ଛ୍ଵାସ ଜାଗିଥିଲା ?

 

ସୁନନ୍ଦା ଛାତିରେ କୋହକୁ ବହୁକଷ୍ଟରେ ସମ୍ବରଣ କରି ପୁଣି ଚିଠିଟା ପଢ଼ିବାକୁ ଚେଷ୍ଟା କଲା ।

 

ନୀଳକଣ୍ଠ ଲେଖିଚି—

 

ଏଇ ସବୁ ପ୍ରଶ୍ନ ମୋ ମନରେ ବାରମ୍ବାର ଉଠୁଛି । କିନ୍ତୁ ମନ ଭିତରୁ ତାର କିଛି ହେଲେ ଉତ୍ତର ମୁଁ ପାଇ ନାହିଁ । ସବୁ ପ୍ରଶ୍ନର ଠିକ୍ ଉତ୍ତର କଅଣ ଏ ପୃଥିବୀ ଦେଇପାରେ ? ମଣିଷର ଆତ୍ମା ତ ଏକ ମହାନ୍ ଜିଜ୍ଞାସା । ସେଇ ଜିଜ୍ଞାସା ହିଁ ହେଲା ଜୀବନ—ସେ ଜିଜ୍ଞାସାର ଉତ୍ତର ହେଲା ମୃତ୍ୟୁ, ସମାପ୍ତି ।

 

ନନ୍ଦା ! ଏଇ ମୂକ, ମୈନାକ, ଉଦାର, ମହାନ ହିମାଳୟ ହେଲା ଭାରତୀୟ ଜୀବନର ପ୍ରତୀକ । ସେଇ ମହାନ ତସସ୍ଵୀ ହିଁ କେବଳ ମୋ ମନର ଜିଜ୍ଞାସାର ଉତ୍ତର ଦେଇ ପାରିବ । ସତ କହୁଛି ନନ୍ଦା, ଦାର୍ଜିଲିଂ ଆସିଲା ଦିନୁ ମୁଁ ଏଇ ପାର୍ବତ୍ୟ ପ୍ରକୃତିର ପ୍ରେମରେ ପଡ଼ି ଯାଇଛି । କଟକରେ ପଡ଼ିଥିଲି ତୋ ପ୍ରେମରେ । ଦାର୍ଜିଲିଂରେ ସେ ପ୍ରଣୟର ବନ୍ଧନ ଶିଥିଳ ହୋଇଗଲା । ଆଜି ଆଉ ମୋର ବନ୍ଧନର ପ୍ରଶ୍ନ କାହିଁ ?

 

ପଙ୍କଜବାବୁଙ୍କୁ ଖବର ପଠାଇଚି । ସେ ତୋ ପାଖକୁ ଯିବେ । କଟକରେ ତତେ ପହଞ୍ଚାଇଦେବା ଦାୟିତ୍ଵ ତାଙ୍କର । ଟିଟୁ ନାମରେ ମୁଁ ସମ୍ପତ୍ତି ଉଇଲ କରିଦେଇଛି । ପଙ୍କଜ ବାବୁ ତ ଟିଟୁର ଜନକ ।

 

ମୋର ଆଶା, ତୁ ଏକ ନୂତନ ଜୀବନ ପଥର ସନ୍ଧାନ ପାଇବୁ । ପଙ୍କଜବାବୁ ଭାରି ଭଲ ଲୋକ ନନ୍ଦା ! ଗରିବ ହେଲେ ବି ସେ ମହାନ । ମୋ ଭଳି ତୋ ସହିତ ସେ କଦାପି ବିଶ୍ଵସଘାତକତା କରିବେ ନାଇଁ ।

 

ମୁଁ ଚାଲିଲି । ମୋ ପାଖରେ ଚୈତକ । ସମ୍ମୁଖରେ ମହାନ ଉଦାର ଦିଗହୀନ ହିମାଚଳ-। ମୁଁ ଚାଲିଲି ସେଇ ଦିଗହୀନର ଦିଗ ନିର୍ଣ୍ଣୟ କରିବା ପାଇଁ । ମତେ ଖୋଜିବାର ବୃଥା ଚେଷ୍ଟା କରିବୁ ନାହିଁ । ସୂର୍ଯ୍ୟତାପରେ ହିମାଳୟ ଉପରର ଯେଉଁ ବରଫ ଜଳ ହୋଇ ତଳକୁ ବହି ଆସିଲାଣି, ତାକୁ ପୁଣି ବରଫ କରି ଉପରକୁ ନେବା ସହଜ ନୁହେଁ ।

 

ଟିଟୁକୁ ମୋର ଆକଣ୍ଠ ସ୍ନେହ ଜଣାଇବୁ ।

 

ନିଜକୁ ନିଃସ୍ଵ କରି ତତେ ତ ସବୁ ଦେଇଚି, ଆଜି ଆଉ ଅଧିକ କଅଣ ଦେଇପାରିବି ?

 

ବାହାରେ ଝର, ନିର୍ଝର ବର୍ଷା ।

 

ସୁନନ୍ଦା ଆଖିରେ ମଧ୍ୟ ଅଶ୍ରୁର ନିର୍ଝର ।

 

ସେ ଭେଁ ଭେଁ ହୋଇ ବଡ଼ ପାଟିରେ କାନ୍ଦିଉଠି ନିଜର ଅସହୟାତକୁ ଘୋଡ଼ାଇବା ପାଇଁ ଶେଷ ଚେଷ୍ଟା କଲା ।

 

ନିଜେ ଯକ୍ଷ୍ମାରୋଗଗ୍ରସ୍ତ ବୋଲି ମିଛ ଧାରଣାର ସ୍ରୋତରେ ଭାସି ଯାଇ ପଙ୍କଜ ଦିନେ ତା ଜୀବନକୁ ଦୁର୍ବିସହ କରିଦେଇ ପଳାତକ ହୋଇଥିଲା ।

 

ଆଜି ନିଜକୁ ଅସନ୍ତୁଷ୍ଟ, ଅପାରଗ ବୋଲି ଭାବି ତାର ଅତି ଆଦରର ନିଲୁ ଭାଇ, ସ୍ଵାମୀ ନୀଳକଣ୍ଠ ମଧ୍ୟ ତା ଉପରେ ଅଭିମାନ କରି ହେଲେ ପଳାତକ ।

 

ଯେଉଁ ଡାଳକୁ ଆଶ୍ରା କରି ଜୀବନଧାରଣ କରିବ ବୋଲି ସୁନନ୍ଦା ଚେଷ୍ଟା କଲା ସେ ଡାଳ ତା ଆପଣା ଛାଏଁ ଭାଙ୍ଗି ପଡ଼ିଲା ।

 

ଜୀବନର ବସନ୍ତର ଏ ସଂକ୍ଷିପ୍ତ ସମୟ ମଧ୍ୟରେ ଏଭଳି ଦୁଇଟା ଶକ୍ତ ଆଘାତ ପାଇବାରେ ସୁନନ୍ଦାର ମନେ ହେଲା, ତା ଜୀବନ ନଷ୍ଟ ହୋଇଗଲା .. ଆଉ ସେ ଭଙ୍ଗା ଜୀବନକୁ ଆଉ ଗଢ଼ି ହେବ ନାଇଁ ।

 

ଶେଯ ଉପରେ ଶୋଇ ସେ ତୁଳାର ତକିଆଟାକୁ ଆଖିର ଜଳରେ ଓଦା କରିବାକୁ ଲାଗିଲା ।

 

କିଛି ସମୟପରେ ପଙ୍କଜ ଆସି ଦେଖିଲା, ଦ୍ଵାର ଖୋଲା ।

 

ସୁନନ୍ଦାର ନାମ ଧରି ସେ ଦୁଇ ଥର ଡାକିଲା । କେହି ଶୁଣିଲେ ନାହିଁ । ଅଜ୍ଞାତ ଭୟ, ଉଦ୍‍ବିଗ୍ନତାକୁ ବୁକୁରେ ଧରି ସେ ଗୃହର ଅଭ୍ୟନ୍ତରକୁ ଅଗ୍ରସର ହେଲା ।

 

ଦେଖିଲା ଟିଟୁକୁ କୋଳରେ ଜାକିଧରି ସୁନନ୍ଦା କଇଁ କଇଁ ହୋଇ କାନ୍ଦୁଛି । ସୁନନ୍ଦାର ଆଖିର ଲୁହରେ ଶଯ୍ୟାର ପାର୍ଶ୍ଵ ଭାଗ ଜଳାକୀର୍ଣ୍ଣ ହୋଇ ଉଠିଚି ।

 

ପଙ୍କଜ ଡାକିଲା, ସୁନନ୍ଦା ! ସୁନନ୍ଦା !

 

ପାଟି ଶୁଣି ସୁନନ୍ଦା ଫେରି ଚାହିଁଲା ପଙ୍କଜ ଆଡ଼କୁ । ନୀଳକଣ୍ଠ ଠାରୁ ଖବର ପାଇ ତାକୁ କଟକରେ ପହଞ୍ଚାଇ ଦେବାପାଇଁ ତାହା ହେଲେ ସତରେ ଆସିଚି ପଙ୍କଜ ଦାସ । ବିପଦର ଏ ଅତଳ ସମୁଦ୍ରରୁ ତାକୁ ଉଦ୍ଧାର କରିବା ପାଇଁ ସାହାସୀ ବୀର’ ପଙ୍କଜ ଦାସ ତାହା ହେଲେ ଆସିଚି ?

 

ଲୁହ ଛଳ ଛଳ, କ୍ରନ୍ଦନ-କାତର ଦୃଷ୍ଟିରେ ପଙ୍କଜ ଆଡ଼କୁ ଚାହିଁ ସେ କହିଲା, ତମେ ମତେ ଡାକ ନାହିଁ ପଙ୍କଜ ! ଶୋଷରେ ମୋ ତଣ୍ଟି ଅଠା ଅଠା ହୋଇ ଯାଉଚି । ମୁଁ ତୁମର କୌଣସି ପ୍ରଶ୍ନର ଉତ୍ତର ଦେଇ ପାରିବି ନାଇଁ...

 

ସୁନନ୍ଦାର କଣ୍ଠରେ ତୃଷ୍ଣା !

 

ପାଖ ସୁରେଇରୁ ଗୋଟିଏ ଗ୍ଲାସରେ କିଛି ଜଳ ଆଣି ପଙ୍କଜ କହିଲା, ଏଇ ପାଣି ଆଣିଛି ସୁନନ୍ଦା । ପିଇବ ପରା....

 

ତକିଆ ଉପରୁ ମୁହଁ ଉଠାଇ ପଙ୍କଜ ଆଡ଼କୁ ଚାହିଁଲା ସୁନନ୍ଦା ।

 

ତାପରେ ପାଗଳୀଙ୍କ ଭଳି ହୋ ହୋ ହୋଇ ଉଚ୍ଚକଣ୍ଠରେ ହସି ଉଠିଲା ଚିତ୍କାର କଲାଭଳି ବଡ଼ ପାଟିରେ କହିଉଠିଲା, ମୋ କଣ୍ଠର ତୃଷ୍ଣା କଅଣ ଏଇ ସୁରେଇର ଜଳରେ ମେଣ୍ଟିବ ପଙ୍କଜ ! ମୋ କଣ୍ଠରେ ଯେ ଏ ଶତାବ୍ଦୀର ମହାନ୍ ତୃଷ୍ଣା, ମୋର ତୃଷ୍ଣା ନିବାରଣର ଜଳ କଅଣ ଏଇ ତମ ହାତର ପାଣି ! ହାଃ....ହାଃ.....ହାଃ....

 

ପୁଣି ବହେ ହସିବାକୁ ଲାଗିଲା ସୁନନ୍ଦା ।

 

ସୁନନ୍ଦାର ଏପରି ବିଚିତ୍ର ଢଙ୍ଗ ଦେଖି ଆଶଙ୍କା ଓ ଭୟରେ ପଙ୍କଜର ସାରା ମୁହଁ ବିବର୍ଣ୍ଣ ହୋଇଗଲା । ସୁନନ୍ଦାର ଆଜି ଏ କଅଣ ହୋଇଛି ? ସେ କଅଣ ପାଗଳିନୀ ହୋଇଗଲା !

 

ସୁନନ୍ଦା କିଛି ସମୟ ପରେ ପୁଣି ଗମ୍ଭୀର ହୋଇଗଲା । ଶଯ୍ୟା ଉପରୁ ଉଠି ବସି କହିଲା, ବର୍ଷାର ଜଳରେ ଯଦି ଚାତକର ତୃଷ୍ଣା ମେଣ୍ଟୁଥାଆନ୍ତା, ଚେନାଏ ଚନ୍ଦ୍ରଲୋକ ପାଇଁ ସେ ଆକୁଳ ନୟନରେ ସେ ଆକାଶକୁ ଚାହିଁ ରହିଥାଆନ୍ତା କାହିଁକି ? ମୋ ତୃଷ୍ଣାର ଜଳ ହିମାଳୟରେ ସେଇ ପାର୍ବତ୍ୟ ପ୍ରକୃତି ଭିତରେ କବିତାଭଳିଆ ଛଳ ଛଳ ଛନ୍ଦରେ ବହିଗଲା । ତମେ ତାକୁ ଦେଖି ନାହଁ ପଙ୍କଜ ? ତମେ ଭୀରୁ, ତମେ କାପୁରୁଷ । ତମ ଆଖିରେ ବନ୍ଧନର ମାୟା । ସାଧାରଣ ଦୃଷ୍ଟିରେ ସେ ପ୍ରାଣର ଜଳଧାରା ଦିଶେ ନାହିଁ । ସେଥିପାଇଁ ଦିବ୍ୟଦୃଷ୍ଟି ଲୋଡ଼ା । ତମର କଅଣ ସେ ଦିବ୍ୟଦୃଷ୍ଟି ରହିଚି ପଙ୍କଜ !

 

ତାପରେ ପୁଣି ସେହି ସଂକ୍ରାମକ ହସ ।

 

ଟିଟୁ ଏଥିମଧ୍ୟରେ ନିଜ ମାଆର ହସ ଦେଖି ନିଜେ କନ୍ଦିବା ଆରମ୍ଭ କରିଦେଇଚି । ବାବା ବଦଳରେ କଣ୍ଠରୁ ତାର ଶୁଭୁଚି ମାଆ.. ମା.. ମା.. ଆ ..

 

ଟିଟୁର ମୁହଁ ଟାକୁ ଆଣି ନିଜ ଛାତିରେ ମାଡ଼ିଦେଇ ସୁନନ୍ଦା ହାସ୍ୟସମ୍ବରଣ କରି କହିଲା, ମତେ କଟକ ନେଇ ଯିବାକୁ ନିଲୁ ଭାଇ ତମକୁ ଖବର ପଠାଇଥିଲେ ନା ପଙ୍କଜ ! ସତରେ ମତେ ତମେ କଟକ ନେଇଯିବ ? କଟକରେ ସେଇ ଘର...ସେଇ ବଗିଚା....ସେଇ ଫୁଲ....ଆଃ, ତମେ ମୋଟେ କଳ୍ପନା କରିପାରିବ ନାଇଁ । ନିଲୁ ଭାଇଙ୍କ ସହିତ କେତେଥର ମୁଁ ସେଇ ବଗିଚାରେ ଖେଳିଚି । ବୋହୂ ବୋହୂକା ଖେଳ ଠାରୁ ଆରମ୍ଭ କରି ଲୁଚକାଳି ପର୍ଯ୍ୟନ୍ତ କେତେ ପ୍ରକାରର ଖେଳ-। ବୋହୂ ବୋହୂକା ଖେଳରେ ମୁଁ ଜିତିଥିଲି ସତ, କିନ୍ତୁ ଲୁଚକାଳି ଖେଳରେ ସେ ମୋତେ ହରାଇଦେଲେ ଆଜି । ଚୋରଣୀ ହୋଇ ଆଖିରେ ଅନ୍ଧପୁଟୁଳି ବାନ୍ଧି ମୁଁ ବସିଚି, ସେ ଲୁଚିଛନ୍ତି ହିମାଳୟର ସେଇ ଚିରନ୍ତନ ଜିଜ୍ଞାସା ମଧ୍ୟରେ.....ମୁଁ କଅଣ ତାଙ୍କୁ ଆଉ ଖୋଜି ଖୋଜି ପାଇବି ନାହଁ-! ମୁଁ କଅଣ ସବୁଦିନେ ଏମିତି ଆଖିରେ ଅନ୍ଧପୋଟଳି ବାନ୍ଧି ଚୋରଣୀ ହୋଇ ବସିଥିବି !

 

ପଙ୍କଜ ନିଜ ବୁକୁର ସ୍ପନ୍ଦନକୁ ଗୋଟାଏ ହାତରେ ଚିପିଧରି ଠିଆ ହୋଇଥିଲା । ଏକ ଲୟରେ ଚାହିଁ ରହିଥିଲା ସୁନନ୍ଦାର ମୁହଁକୁ । ମେଘୁଆ ଆକାଶ ଭଳି ସୁନନ୍ଦାର ମୁହଁ । କେତେବେଳେ ତାର ମୁହଁରେ ଆକାଶରେ ହସର ବିଜୁଳି ଝଲସି ଉଠୁଚି ତ ଆଉ କେତେବେଳେ ଦୁଃଖର ମେଘରେ ସାରା ମୁହଁ ଆଚ୍ଛନ୍ନ ହୋଇ ଯାଉଚି ।

 

ଅନୁନୟ କଲାଭଳି ସୁନନ୍ଦାକୁ ପଙ୍କଜ ବିନୀତ କଣ୍ଠରେ କହିଲା, ତମେ ଧୈର୍ଯ୍ୟ ଧର ସୁନନ୍ଦା ! ବିପଦକୁ ତମେ ଡରିଲେ, ସେ ତମକୁ ବେଶି ବେଶି ଡରାଇବ ।

 

ପଙ୍କଜ କଥା ଶୁଣି ସୁନନ୍ଦାର ମୁହଁ ଉତ୍‍ଫୁଲ୍ଲ ହୋଇ ଉଠିଲା ।

 

ସେ ଟିଟୁ ଗାଲରେ ଓଠ ଛୁଆଇଁ ଗେଲ କରୁ କରୁ କହିଲା, ତମେ ମତେ ସେଦିନ ଛବି ଆଙ୍କିବାକୁ କହୁଥିଲ ନା ପଙ୍କଜ ! ମତେ ତମେ କଟକ ନେଇ ଚାଲ । ମୁଁ ଏକ ଚମତ୍କାର ଚାତକ ପକ୍ଷୀର ଛବି ଆଙ୍କିବି । ଏପଟେ ସମୁଦ୍ରର ନୀଳ ସୁନୀଳ ଜଳ.....ଉପରେ ଦିଗହୀନ ନୀଳ ଆକାଶ ତୃଷିତ ଚାତକ ସମୁଦ୍ରର ଜଳକୁ ନ ଚାହିଁ ଚାହିଁ ରହିଚି ଆକାଶର ଜହ୍ନକୁ.....ଟୋପାଏ ଜ୍ୟୋସ୍ନାର ଆଶାରେ.......ଆକାଶରେ ଜ୍ୟୋସ୍ନା ଆଉ ଚାତକ କଣ୍ଠର ତୃଷ୍ଣାକୁ ନେଇ ମୁଁ ଗୋଟାଏ ଚମତ୍କାର ଛବି ଆଙ୍କିବି.....ତମେ ଦେଖିବ.....ଖୁସିହେବ ..

 

ସୁନନ୍ଦାକୁ କଟକ ନେଇଯିବ ପଙ୍କଜ !

 

ନା—ନା—ସେ ଉନ୍ମାଦିନୀ ହୋଇ ଉଠିଚି । ଡକ୍ଟର ପ୍ରାଟ୍‍ଙ୍କ ଡାକ୍ତରଖାନାରେ ତାର ଚିକିତ୍ସା ଲୋଡ଼ା ।

 

ପଙ୍କଜ ପୁଣି ଭାବିଲା, ଟିଟୁ ଦେହର କେତୋଟି ସ୍ନାୟୁତନ୍ତ୍ରୀ ମସ୍ତିଷ୍କର ତନ୍ତ୍ରୀଠାରୁ ବିଚ୍ଛିନ୍ନ ହୋଇ ଯାଇଥିଲା ବୋଲି ସିନା ତାକୁ ଅସ୍ତ୍ର ଚିକିତ୍ସା ସାହାଯ୍ୟରେ ସଂଯୁକ୍ତ କରି ଡାକ୍ତର ପ୍ରାଟ୍‍ ଟିଟୁକୁ କଥା କୁହାଇ ପାରିଲେ । କିନ୍ତୁ ସୁନନ୍ଦାର ମନର ସମସ୍ତ ତନ୍ତ୍ରୀଗୁଡ଼ାକ ଯେ ଏକବାରେ ଛିଡ଼ି ଟିକ୍ ଟିକ୍ ହୋଇଯାଇଛି !

 

ସେଇ ବିଚ୍ଛିନ୍ନ ମନର ତନ୍ତ୍ରୀକୁ କଅଣ ଡକ୍ଟର ପ୍ରାଟ୍ ସଂଯୁକ୍ତ କରି ଏକ ନୂତନ ଜୀବନର ନୂତନ ସ୍ଵର ସୃଷ୍ଟି କରିପାରିବେ !

 

ବାହାରେ ବର୍ଷାର ଛନ୍ଦପାତ ଶୁଭୁଚି ।

 

ଏକ କରୁଣ ସଙ୍ଗୀତର ସକରୁଣ ସ୍ଵରଭଳି ଏକାନ୍ତ ମର୍ମନ୍ତୁତ ଛନ୍ଦ.... !

Image